କମଳଲୋଚନ ଚଉତିଶା

ଉଇକିପାଠାଗାର‌ରୁ
Jump to navigation Jump to search
କମଳଲୋଚନ ଚଉତିଶା
ଲେଖକ/କବି: ବଳରାମ ଦାସ

କମଳଲୋଚନ ଚଉତିଶା

 
କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ରଧାରୀ ।।
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।।
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ ।।
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ।।
ନନ୍ଦନନ୍ଦନ ଗୋପୀନାଥ । ନିସ୍ତରିଯିବା ନରେ ଚିନ୍ତ ।।
ଚନ୍ଦ୍ରମା ପ୍ରାୟେକ ବଦନ । ଚାହିଁଲେ ଖଣ୍ଡେ ଦୁଃଖମାନ ।।
ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆଣିଲେ ରୂକ୍ମିଣୀ ।।
ଜଗଜ୍ଜୀବନ ଦାଶରଥ‌ି । ଜାନକୀ ଦେବୀ ପ୍ରାଣପତି ।।
ଝୀନ ପତନୀ ଅଙ୍ଗେ ଶୋଭା । ଝଟକେ ବିଧୁ ପ୍ରାୟେ ଆଭା ।।
ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । ଲୀଳା କରନ୍ତି ସର୍ବସଖୀ ।।
ଟେକିଲେ ଦୂବ କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ।।
ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ।।
ଡ଼ମ୍ବରୁଧର ଯା'କୁ ସେବା । ଡ଼ରେ ଖଟନ୍ତି ସର୍ବ ଦେବା ।।
ଢ଼ମ ଯେ କଲା ରାୟେ କଂସ । ଢ଼ାଳେ ଅସୁର ଗଲା ନାଶ ।।
ଅନନ୍ତ ନାମେ ଅନ୍ତ ନାହିଁ । ଅଣ ଅକ୍ଷରେ ଯାର ଦେହୀ ।।
ତପନ କୁଳେ ଅବତରି । ତାରିଲେ ଗଉତମ ନାରୀ ।।
ଥବିରପଣେ ମାୟାଗତି । ଥୟ ନ ଜାଣେ ବେଦପତି ।।
ଦରିଦ୍ର ଦାମୋଦର ମିତ୍ର । ଦଣ୍ଡକେ ଦେଲେ କୋଟିଅର୍ଥ ।।
ଧରଣୀଧର ଶିରୋମଣି । ଧ୍ରୁବଙ୍କୁ ନିସ୍ତାରିଲେ ପୁଣି ।।
ନୃସିଂହମାଧବ ମୁରାରି । ନଖେଣ ହିରଣ୍ୟ ବିଦାରି ।।
ପରମାନନ୍ଦ ପଦ୍ମନାଭ । ପୁରି ରହିଛ ସର୍ବ ଜୀବ ।।
ଫୁଲାପଣକୁ ନୋହେ ସରି । ଫୁଲ ମାଳରେ ଦେହ ଭରି ।।
ବାଳିକି ବଧକଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ ।।
ଭାଙ୍ଗିଲ ରତ୍ନମୟ ପୁର । ଭ୍ରାନ୍ତି ଛାଡ଼ିଲା ଦେବଙ୍କର ।।
ମାଇଲ ଅକ୍ଷୟ ରାବଣ । ମହିଁମା କେ କରୁ ବଖାଣ ।।
ଯାଦବ ବଂଶେ ଜାତ ହୋଇ । ଜଗତ ଉଦ୍ଧାରିବା ପାଇଁ ।।
ରଖିଲ ଜଳରେ ଗଜକୁ । ରାଗେଣ ଛେଦିଲ ଗ୍ରାହକୁ ।।
ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର । ଲୟ କରନ୍ତି ସୁରନର ।।
ବଡିମା ପଣେ ବଢୁ ଅଂଶ। ବ୍ରହ୍ମା ଶଙ୍କର ଯା'ର ଦାସ।।
ଶ୍ରୀପତି ଶ୍ରୀକର ଶ୍ରୀଧର । ଶ୍ରୀୟା ଦେବୀଙ୍କ ମନୋହର ।।
ସଂସାର ମଧ୍ୟରେ ଉତ୍ତମ । ସାଧୁଙ୍କ ହିତରେ ଜନମ ।।
ଶ୍ୟାମ ସୁନ୍ଦକ କଳେବର । ସକଳ ଦେବେ ପରିଚାର ।।
ହରି ବୋଇଲେ ହରେ ଦୁଃଖ । ହରି ଆନନ୍ଦ ମହାସୁଖ ।।
କ୍ଷମାସାଗର ପୀତବାସ । ଭଣିଲେ ବଳରାମ ଦାସ ।।