କାନ୍ତ କୋଇଲି

ଉଇକିପାଠାଗାର ରୁ
Jump to navigation Jump to search
କାନ୍ତ କୋଇଲି
ଲେଖକ/କବି: ବଳରାମ ଦାସ

କାନ୍ତ କୋଇଲି

ବଳରାମ ଦାସ

କୋଇଲି ! କାନ୍ତ ମୋର ଗଲେ ମୃଗମାରି ।
କପଟେ ରାବଣ ମୋତେ ନେଉଅଛି ଧରି । (ଲୋ କୋଇଲି)
କୋଇଲି! ଖଳ ବୋଲି ଜାଣି ନ ପାରିଲି ।
ଖଳ ଯେ କନ‌କମୃଗ ଦେଖି ଲୋଭ କଲି । (ଲୋ କୋଇଲି)
କୋଇଲି! ଗୁରୁ ଶ୍ରଦ୍ଧା ବଳିଲା ମୋହର ।
ଗେଲେ ମୁଁ ବୋଇଲି, ରାମ ଏ କୁରଙ୍ଗ ମାର ।(ଲୋ କୋଇଲି)
କୋଇଲି! ଘଟଣା ଯା କରିଛି ବିଧାତା ।
ଘୋରବନେ ମୃଗମାରି ଗଲେ ମୋ କରତା । (ଲୋ କୋଇଲି)

କୋଇଲି ! ଲକ୍ଷ୍ମଣକୁ ଜଗାଇ ଦୁଆର ।
ନାରାଚରେ ମୃଗ ବିନ୍ଧ ଗଲେ ରଘୁବୀର । (ଲୋ କୋଇଲି)
କୋଇଲି ! ଚାପ ଧରି ଗଲେ ରଘୁନାଥ ।
ଚାପେ ଶର ସିନ୍ଧି ମୃଗପ୍ରାଣ କଲେ ହତ । (ଲୋ କୋଇଲି)
କୋଇଲି ! ଛାଡ଼ିବାର ବେଳେ ମୃଗ ପ୍ରାଣ ।
ଛଦ୍ମରେ ଡ଼ାକିଲା ମୋତେ ରଖ ହେ ଲକ୍ଷ୍ମଣ । (ଲୋ କୋଇଲି)
କୋଇଲି ! ଜାଣି ନ ପାରିଲି ଛନ୍ଦ ମୁହିଁ ।
ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠିଆଇଁ । (ଲୋ କୋଇଲି)
କୋଇଲି ! ଝଟତିରେ ଯାଆନ୍ତେ ଲକ୍ଷ୍ମଣ ।
ଝାଡ଼ର ଭିତରେ ଲୁଚି ଥିଲାଟି ରାବଣ । (ଲୋ କୋଇଲି)
କୋଇଲି ! ନିର୍ମଳ ତପସ୍ୱି-ରୂପ ଧରି ।
ନିର୍ଭୟେ ବସିଲା ଆସି ଦୁଆର ଆବୋରି । (ଲୋ କୋଇଲି)
କୋଇଲି ! ଟେକିଣ କ‌ହଇ ମାୟାଯତି ।
ଟେକି ମୋତେ ଫଳଭିକ୍ଷା ଦିଅ ମ‌ହାସତୀ । (ଲୋ କୋଇଲି)
କୋଇଲି ! ଠକ‌କଥା ଜାଣି ନ ପାରିଲି ।
ଠକ‌ଯତି କରେ ପୁଣି ଫଳଭିକ୍ଷା ଦେଲି । (ଲୋ କୋଇଲି)
କୋଇଲି ! ଡିଙ୍ଗର ରାବଣ ବଡ଼ ଦୁଷ୍ଟ ।
ଡାହାଣ ଭୁଜକୁ ମୋର ଧଇଲା ପାପିଷ୍ଠ । (ଲୋ କୋଇଲି)
କୋଇଲି ! ଢଳିଣ ଚାହିଁଲା ଆକାଶକୁ ।
ଢାଳେ ରଥ ଶୂନ୍ୟୁଁ ଆସି ମିଳିଲା ତାହାକୁ । (ଲୋ କୋଇଲି)
କୋଇଲି ! ଆଣି ମୋତେ ରଥରେ ବସାଇ ।
ଆକାଶମାର୍ଗରେ ରଥ ନେଲା ତ‌ହୁଁ ବାହି । (ଲୋ କୋଇଲି)
କୋଇଲି ! ତୁରିତେ ତା ରାଜ୍ୟରେ ମିଳିଲା ।
ତ‌ହୁଁ ଅଶୋକ ବନରେ ମୋତେ ଲୁଚାଇଲା । (ଲୋ କୋଇଲି)
କୋଇଲି ! ଥାନ୍ତି ଜଗି ସ‌ହସ୍ରେ ଅସୁରୀ ।
ସ୍ଥାନ ଟିକିଏ ନ ଥାଏ ବସିଥାନ୍ତି ଘେରି । (ଲୋ କୋଇଲି)
କୋଇଲି ! ଦିବା ରାତି ଦୁଇ ମୋର ଏକ ।
ଦିନ ନ ସରଇ ନିରନ୍ତରେ କରି ଦକ । (ଲୋ କୋଇଲି)
କୋଇଲି ! ଧାତା ମୋତେ ଏତେ କଷ୍ଟ ଦେଲା ।
ଧରାଇ ଅସୁରଘରେ ବନ୍ଦୀ କରାଇଲା । (ଲୋ କୋଇଲି)
କୋଇଲି ! ନାରାଚ ଘେନିଣ ରଘୁନାଥ ।
ନିମିଷକେ ମୃଗ ମାରି ଆସିବେନି ଭ୍ରାତ । (ଲୋ କୋଇଲି)
କୋଇଲି !ପର୍ଣ୍ଣକୁଟୀଦ୍ୱାରେ ଡ଼ାକୁ ଥିବେ ।
ପୟର ପଖାଳୁଁ ଜଳ ଦିଅ ସୀତା ଜବେ । (ଲୋ କୋଇଲି)

କୋଇଲି! ଫୁଟି ଡାକୁଥିବେ ବେନିଭାଇ ।
ଫୁଟିଛୁଁ ତୃଷ୍ଣାରେ ଜଳ ଦିଅ ବଇଦେହି । (ଲୋ କୋଇଲି)