କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଗ ଚମ୍ପୂ
Jump to navigation
Jump to search
ଗ ଚମ୍ପୂ
(ରାଗ: ତୋଡ଼ିପରଜ)
ଗଲାଣି ତ ଗଲା କଥା, ରେ ସଙ୍ଗାତ
ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା ॥ପଦ॥
ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ
ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ॥୧॥
ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି
ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ॥୨॥
ଗୋଳି ଦେଲା ମୋର ବାହାର ଭିତର ସ୍ୱର ସେ ଅବା ଶର ସେ
ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ॥୩॥
ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର
ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ଭିଦୂର ॥୪॥
ଗତାଳସ ନାଟପଟୁ ଖଞ୍ଜରୀଟ ପରି କି ଆସିଲା ଉଡ଼ି
ଗଣ୍ଡି ଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି ॥୫॥
ଗଗନ-କୁସୁମ ପରି ଏଠି ଶ୍ରମ ଫଳ ହୋଇବ କି କାଳେ,
ଗୋଳିଆ ନ ରଖି କହ ଚନ୍ଦ୍ରମୁଖୀ ଗହଳି ନ ଥିବା ବେଳେ ॥୬॥
ଗରିଷ୍ଠ ଅରୁଚି କାହିଁକି କରୁଛି ଅଶନେ ବସନେ ଦେହେ
ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି ଭଣେ ॥୭॥