କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଦ ଚମ୍ପୂ

ଉଇକିପାଠାଗାର ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ଦ ଚମ୍ପୂ

ଦ ଚମ୍ପୂ
(ରାଗ: ଭଟିଆରୀ)
(ମତାନ୍ତରରେ ପୂରବୀ, ଗୋପିକାମୋଦୀ ବା କାମୋଦୀ)

ରେ ଦୁଃଖୀଧନ, ଦମ୍ଭ ଦେଖିବାକୁ ସିନା କଲି ଛନ,
ଦୁଃଖମୟ ନ କର ସରସ ମନ ।ପଦ।

ଦୂରୁ ମୁଁ ଯିବାର ଜାଣି ହରି, ଦରିଦ୍ର ନିଧି ଲଭିଲା ପରି,
ଦ୍ଵିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି ଘେନିଗଲେ କରଧରି ।୧।

ଦୟାଜରଜର କରି ଚିତ୍ତ, ଦନ୍ତବାସେ ରଖି ଦରସ୍ମିତ,
ଦଶବାର ଅନାମୟ ମୋତେ ଘେନାଘେନି କରି ପଚାରିଲେ ମିତ ।୨।

ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୂତି, ଦଳି ହୋଇଗଲା ମୋର ଛାତି,
ଦ୍ଵିତୀୟାର ଶଶି-ଲେଖା ପରି ଦିଶି-ଗଲେଣି ସେ ଇନ୍ଦ୍ରନୀଳହାତୀ ।୩।

ଦୁର୍ବାର ତୋ ନେତ୍ରାଞ୍ଚଳଶର, ଦେବାରୁ ଦୁଃଖ ଦୁଃସହତର,
ଦିବାଲା ହେବାର ଦେହମଜ୍ଜାସାର ଜାଣି ଯା ହେଲା ମାନସ ମୋର ।୪।

ଦୁର୍ବଳ ସାଳସ ଦେଖି ଚାଲି, ଦୁରୂହରେ କିଛି ପଚାରିଲି,
ଦୀର୍ଘ ତପତ ନାସାନିଳ ତେଜିଲେ ଆହା ମରଇ ତ ବିଚାରିଲି ।୫।

ଦେବ ଦଇବ ତୋ ଅଭିମତ, ଦୂର କର ଦ୍ଵାପରକୁ ଚେତ/ମିତ,
ଦବିଷ୍ଠ ଏ କଷ୍ଟଯାକ ହେବ ଅଷ୍ଟଦୁର୍ଗନାଥର ଏ ବିରଚିତ ।୬।

ଅଧିକ ପଠନ[ସମ୍ପାଦନା]