କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଯ ଚମ୍ପୂ

ଉଇକିପାଠାଗାର‌ରୁ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଯ ଚମ୍ପୂ

ଯ ଚମ୍ପୂ
(ରାଗ ମୁଖାବରୀ, ଯତି)

ଯୋଷାବର ରେ, ଯଥାର୍ଥରେ ଜାଣ ମୁଁ ତୋହର ରେ,
ଯାମଳଭୂଧରନିଭପୟୋଧର ମରଦନିଆ ଚାକରରେ ।ପଦ।

ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ ଶେଖର ରେ,
ଯତୀନ୍ଦ୍ରସମାଧିଖଣ୍ଡନା ତୁ ନିଧି ମୁଁ ରଙ୍କମାନଙ୍କ ବରରେ ।୧।

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ରମୁହିଁ ମୋ ମହା ଶୁଭଦଶାର ରେ,
ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ହେଳୁ ସୁସାରରେ ।୨।

ଯୁବତିକଦମ୍ବରାଜା ଅବଲମ୍ବ ହୋଇଲୁ ଯେବେ ନିକର ରେ,
ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ ହୋଇ ପଛେ ପଞ୍ଚଶରରେ ।୩।

ଯମୁନାବାହିନୀ ତଟରରୁହବନୀ ଅବନୀ ବନାଇବାରରେ ,
ଯଶ ରଖି ନିନ୍ଦାପଟଳୀରୁ ବୃନ୍ଦା କରାଇଲା ତ ନିବାରରେ ।୪।

ଯଶୋଦାକୁମାର ଗିରେ ରାଧା ଶିର ନୂଆଇଁଲେ ଲଜ୍ଜାଭରେ ରେ,
ଯୁଗଳ ବିଗ୍ରହ କର ଅନୁଗ୍ରହ ଅଷ୍ଟଦୁର୍ଗ ପୁରନ୍ଦରରେ ।୫।