କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଲ ଚମ୍ପୂ

ଉଇକିପାଠାଗାର‌ରୁ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଲ ଚମ୍ପୂ

ଲ ଚମ୍ପୂ
(ରାଗ ଖଣ୍ଡକାମୋଦୀ)

ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସରି,
ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି ଶାଢୀ ।ପଦ।

ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି, ଲୋକହସାରେ ଯେବେ ଯିବି ସରି,
ଲସିବି ଯେବେ ପାଇ ନିନ୍ଦା ଦାଉ, ଲାଗିଲି ଆପଣଙ୍କୁ କେହି ଆଉ ।୧।

ଲକ୍ଷ ଲକ୍ଷ ରାଣ ଅଛିଟି ମୋର, ଲଲାମ ଆଦି ଭୂଷା ସଜ କର,
ଲିଭିଥିବ ଭୂରୁ ମଧ୍ୟ ତିଳକ, ଲେଖିଦିଅ ବେଗେ ନ ଦେଖୁ ଲୋକ ।୨।

ଲୋଭୀ, ଶ୍ରୀଭୁଜବନ୍ଧ ଶିଥିଳାଅ, ଲତା ଗହଳେ ଗହନେ ପଳାଅ,
ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ, ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ ।୩।

ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କଲି ପ୍ରଦୋଷରେ,
ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ, ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ ।୪।

ଲଲିତା ନୋହେଟି ଯେ ଡାକୁଅଛି, ଲକ୍ଷ ଦୁଷ୍ଟେ ରଖିଅଛି ମୁଁ ବାଛି,
ଲଘୁ କରିଦେବ ଦେଖିବା କ୍ଷଣେ, ଲେଖାଧିପ ଅଷ୍ଟଦୁର୍ଗର ଭଣେ ।୫।