Jump to content

କୀଚକ ବଧ/ପ୍ରଥମ ସର୍ଗ

ଉଇକିପାଠାଗାର‌ରୁ
କୀଚକ ବଧ ଲେଖକ/କବି: ଗଙ୍ଗାଧର ମେହେର
ପ୍ରଥମ ସର୍ଗ


ପ୍ରଥମ ସର୍ଗ


ବିରାଟ ନଗର ମହୀ ମଧ୍ୟେ ମନୋହର
ବିଶ୍ୱମନୋରମା ରମାଦେବୀ କେଳିଘର ।
ବିପଣୀ ସକଳ ଶୁଭ୍ର-ସଉଧ-ମାଳିନୀ,
ରଜତ ପର୍ବତ ସମ ସୁଷମାଶାଳିନୀ ।
ଧବଳ ପ୍ରାସାଦମାନ ସ୍ୱର୍ଣ୍ଣକୁମ୍ଭ ଧରି ,
ଦିଶନ୍ତି ବିଭୂତି-ଅଙ୍ଗ ଚନ୍ଦ୍ରଚୂଡ଼ ପରି ।
ବାରନାରୀ ପରି ତହିଁ ସଜ୍ଜିତ ଆପଣେ,
ବିଚକ୍ଷଣ ଜନ-ମନ-ଧନ ଆକର୍ଷଣେ ।
ସ୍ୱର୍ଣ୍ଣଦୀ ପରାଏ ରାଜପଥ ମନୋହର,
ଯହିଁ ଶିଶୁ ବ୍ୟାଜେ ସ୍ୱର୍ଣ୍ଣପଦ୍ମ ବିକସ୍ୱର ।
କୁସୁମଗୁମ୍ଫିତ ଖୋଷା ଘେନି ବାମାକୁଳ,
ଶୋଭନ୍ତି ପୁଷ୍ପିତ ଲତା ପାରିଜାତ ତୁଲ ।
ଘେନି କମଳାବଦନୀ କୋମଳାଙ୍ଗୀଗଣ,
ପୁର ମନୋହର ଯଥା ନବ ପଦ୍ମବନ ।
ଶଙ୍ଖ ଶୁଭ୍ର ଉଚ୍ଚତମ ଭୂପତିଭବନ,
ଇନ୍ଦ୍ରଧନୁ ପ୍ରଭାବନ୍ତ ବିଚିତ୍ର ତୋରଣ ।
ତୋରଣ ରତନପୁର ଜଡିତ କନକ,
ସହସ୍ରଦୀଧିତି କରେ କରେ ଜକଜକ ।
ଅନ୍ତଃପୁର-ଭିତ୍ତି ଅତି ରମ୍ୟ ଚିତ୍ରମୟ,
ରତ୍ନଭବା ପ୍ରଭାବଳେ କରେ ତମ କ୍ଷୟ ।
ଭିତ୍ତିରେ ଜଡ଼ିତ ସ୍ୱର୍ଣ୍ଣ-ପାଦପ-ପତର,
ମାଣିକ୍ୟ କୁସୁମ ଇନ୍ଦ୍ରନୀଳର ଭ୍ରମର ।
ନବରତ୍ନ ପୁଷ୍ପ କେଉଁ ସ୍ବର୍ଣ୍ଣବଲ୍ଲୀବରେ,
ହୀରକ କୋରକ କାହିଁ ଜକଜକ କରେ ।


ରତନଖଚିତ ଚାରୁ ମୟୂର ଖଞ୍ଜନ
ହେମ ଶୁକ ରୌପ୍ୟ ପାରା ମାଣିକ୍ୟ-ନୟନ ।
ସ୍ୱର୍ଣ୍ଣସେତୁ ସରସୀରେ ସ୍ଫଟିକର ଜଳ,
ରଜତ-କୁମୁଦ ଇନ୍ଦ୍ରନୀଳ-ନୀଳୋତ୍ପଳ ।
ସ୍ୱର୍ଣ୍ଣ-ବରାଟକ ପଦ୍ମରାଗର କମଳ,
ମରକତ ପଦ୍ମନାଳ ମରକତ ଦଳ ।
ଜମ୍ବୁନଦ ଚଞ୍ଚୂପଦ ରୌପ୍ୟ ରାଜହଂସ,
ରୌପ୍ୟବକ ନତମୁଖେ ଦେଖ ରୌପ୍ୟଝଷ ।
ଜ୍ୱଳେ ଦୀପ ଯେତେବେଳେ ଭୁବନ ଭିତର,
ନାଚେ ପ୍ରଭା-ଲହରୀରେ ସେହି ସରୋବର ।
ମର୍ମର ପ୍ରସ୍ତରପୃଷ୍ଠେ ଦୃଢେ ଦେଇ ପାଦ,
ଉଚ୍ଚ ଉଚ୍ଚ ସ୍ତମ୍ଭ ଧରିଥାନ୍ତି ସ୍ୱର୍ଣ୍ଣଛାଦ ।
ରାଜଜାୟା-ସ୍ନେହଜୀବୀ ମୃଗଶିଶୁଗଣ,
ଶୋଭିତ କରନ୍ତି ଖେଳି ଶୁଦ୍ଧାନ୍ତ ପ୍ରାଙ୍ଗଣ ।
ନିର୍ଝର-ଶୀକର-ସ୍ନାତ କନ୍ଦର ଭ୍ରମଣ,
ଗଭୀର-କାନନ-ହ୍ରଦ-ଜଳ ସନ୍ତରଣ ;
ଯୂଥସଙ୍ଗ, କରିଣୀର ପ୍ରେମ ଆଲିଙ୍ଗନ,
ସ୍ୱଚ୍ଛନ୍ଦ ବିହାର, ନବପଲ୍ଲବ-ଭକ୍ଷଣ ;
ଏ ସମସ୍ତ ସୁଖ ଥରେ ମନେ ନ ସୁମରି,
ସିଂହ ନଖୁ ତୀକ୍ଷ୍ଣ ମଣି ଅଙ୍କୁଶକୁ ଡରି ;
ଲମ୍ବ-ପୀନ ଦନ୍ତବନ୍ତ ଦନ୍ତାବଳଶ୍ରେଣୀ,
ବାରୀ ବିଶୋଭନ୍ତି ଆସି ରାଜାଦେଶ ଘେନି ।
ବାଜିଗତି ବାଜିରାଜି ସୁନ୍ଦର ଚିକ୍କଣ,
ପରବ୍ୟୂହ ପରବେଶେ ଅତି ବିଚକ୍ଷଣ ;
ହ୍ରେଷା ଯା'ର ଦିଏ ରିପୁ-ହୃଦୟେ କମ୍ପନ,
କରୁଥାନ୍ତି ରାଜାଙ୍କର ମନ୍ଦୁରା ମଣ୍ଡନ ।
ନୀଳ ରଙ୍ଗ ଅବଦାତ ବିବିଧ ବରଣ,
ଲକ୍ଷ ଲକ୍ଷ ପୟସ୍ୱିନୀ ଗବୀ ରାଜଧନ ।
ଶୃଙ୍ଗଶାଳୀ ବଳବନ୍ତ ସୌରଭେୟଗଣ,
ନିଃଶଙ୍କେ ହୁଙ୍କାରି କରୁଥାନ୍ତି ବିଚରଣ ।
ବତ୍ସଗଣ ପୟଃପାନେ ପୂରାଇ ଉଦର,
ଧାବନ କୁର୍ଦ୍ଦନ ଖେଳେ ରତ ନିରନ୍ତର ।
ନଗର ଚୌଦିଗେ ରମ୍ୟ ସହକାରବନ,
ସୁନ୍ଦର ଶ୍ୟାମଳପତ୍ର ତହିଁ ତରୁଗଣ ।
ଗାଢ଼େ ଆଲିଙ୍ଗନ କରି ଶାଖା ପରସ୍ପର,
ନିଜ ନିଜ ତନୁ କରିଥାନ୍ତି ଘନତର ।
ଘନତରୁ ରନ୍ଧ୍ରଭେଦୀ ପ୍ରଭାକର-କର,
ବିଚୂର୍ଣ୍ଣିତ ହୋଇ ଛାୟା ଭୂମିରେ ସୁନ୍ଦର ।
ଅନନ୍ତ ମସ୍ତକେ ଯେହ୍ନେ ମଣି ସମୁଜ୍ଜ୍ବଳ,
ଯମୁନା-ବକ୍ଷରେ କିବା ଶ୍ବେତ ଶତଦଳ ।
ରଜନୀ ବିଗ୍ରହେ କିବା ବିକଶିତ ମଲ୍ଲୀ,
କିବା ପାପୀ-ଜୀବନର ପୂର୍ବ ପୁଣ୍ୟାବଳୀ I
କିବା ଊର୍ଦ୍ଧ୍ୱବାହୁ ଯୋଗୀ ପାଦପଗଣର,
ଶୁଭ୍ରବିନ୍ଦୁଚୟ, ମୃଗଚର୍ମ ଆସନର ।
ଶ୍ୟାମ-ଆମ୍ରବନ ମଧ୍ୟେ ଧବଳ ନଗରୀ,
ଚାହୁଁ ଦୂରୁ ଚିତ୍ତେ ଭାବୁଥାନ୍ତି ବ୍ୟୋମଚାରୀ ।


ଅବନୀ ଖୋଷାରେ କି ସେ ଯୂଈ ଫୁଲଗଭା,
କାଳିନ୍ଦୀରେ ପୁଞ୍ଜୀଭୂତ ହଂସଗଣ ଅବା ।
ବନ ମଧ୍ୟେ ନାନା ଜାତି ପକ୍ଷୀ ଦଳ ଦଳ,
ମଧୁମୟ କାକଳିରେ କରନ୍ତି ଚହଳ ।
ଖଗଗଣ ତନୁକାନ୍ତି ବିବିଧ ବରଣ,
ଦୃଷ୍ଟିପଥେ କରେ ପ୍ରୀତି-କୁସୁମ ବର୍ଷଣ ।
ପ୍ରପତିତ ଉଲ୍କା ପରି କେଉଁ ପକ୍ଷୀ ଥରେ,
ବୃକ୍ଷୁଁ ତଳେ ଉଡ଼ି ପୁଣି ବସଇ ବୃକ୍ଷରେ ।
ଯକ୍ଷବଧୂ-ବକ୍ଷଚ୍ୟୁତ ମୋତି ଶୋଭା ବହି
ଖସନ୍ତି ଗଗନୁ କେତେ ପକ୍ଷୀ ଲକ୍ଷି ମହୀ ।
କେ ପକ୍ଷ ହଲାଇ ଥରେ ସ୍ଥିର ପକ୍ଷେ ଥରେ;
ପ୍ରୀତି-ସ୍ରୋତେ ଭାସି ବାୟୁ-ସାଗରେ ସନ୍ତରେ
ଯାଉଥାଏ ଚଳି ପୁଣି ଆସୁଥାଏ ଘୁଞ୍ଚି,
ଦେଉଥାଏ ଥରେ ଥରେ ସ୍ୱର-ବୀଚି ମୁଞ୍ଚି ।
ତରଙ୍ଗିତ ଉଡା ଦେଇ କେତେବେଳେ ଯାଏ,
କେତେବେଳେ ଊର୍ଦ୍ଧ୍ୱେ କେତେବେଳେ ନିମ୍ନେ ଥାଏ ।
କୁମାର-କୁମାରୀଗଣ ଶାଖା ଲହଁସାଇ,
ଦୋଳୁଛି ମଧୁର କ୍ଷୀଣ ସ୍ୱରେ ଗୀତ ଗାଇ ।
ବନଦେବୀ ପ୍ରୀତି ବହି ସେ ମଧୁର ଗାନେ,
ମିଶାନ୍ତି ନିଜର ମନ୍ଦ୍ର ତାନ ଶେଷ ତାନେ ।
ଛାୟାତଳେ ଶୋଇ କାହିଁ କୃଷ୍ଣସାରଗଣ,
ଚକ୍ଷୁ ବୁଜି କରୁଥାନ୍ତି ଚର୍ବିତଚର୍ବଣ ।
ସହକାରବନ ମଧ୍ୟେ ସର ସ୍ୱଚ୍ଛୋଦକ,
କାନନଲକ୍ଷ୍ମୀର ଯେହ୍ନେ ହୃଦୟପଦକ ।
ନିଶାରେ ହସଇ ସର କୁମୁଦବନରେ,
କମଳ-କାନନ ଘେନି ହସଇ ଦିନରେ ।
ତାରା ସ୍ୱର୍ଣ୍ଣ ପଦ୍ମହାର ନିଶୀଥରେ ଧିରେ,
ତୀର ତରୁ ପୁଷ୍ପହାର ଘେନେ ପ୍ରଭାତରେ ।
ପାଇ କେଳିରତ ନବଯୁବତୀଙ୍କ ସଙ୍ଗ,
ପ୍ରେମେ ଆଲିଙ୍ଗନ କରେ ବଢ଼ାଇ ତରଙ୍ଗ ।


ମଜ୍ଜମାନ ଗଜବ୍ରଜ ଆନନ୍ଦ-ଗର୍ଜନ,
(ଯହିଁରେ ଗମ୍ଭୀରେ ପ୍ରତିଧ୍ୱନିତ କାନନ) ;
ତାମରସ ମଧୁମତ୍ତ ମଧୁପ ଗୁଞ୍ଜନ,
(ମଦନବଧୂର ଯେହ୍ନେ ବଲ୍ଲକୀ-ନିକ୍ବଣ );
ଜିଣି ମୁଗ୍‌ଧବଧୂ ମୃଦୁ ମଧୁର ବଚନ,
ଜଳଚର ଖଗଦଳ କଳକଳ ସ୍ବନ ।
ଏ ସକଳ ଛଳେ କର୍ଣ୍ଣ-ପୀୟୂଷ-ବରଷୀ
ସଙ୍ଗୀତରେ ରତ ଥାଏ ସତତ ସରସୀ ।
ବ୍ୟାଜମାତ୍ର ନୀରବିନ୍ଦୁ କମଳପତ୍ରର,
ପ୍ରେମ-ଅଶ୍ରୁକଣା ତାର ବିଶାଳନେତ୍ରର।
ସଚ୍ଛାୟା ଦ୍ୱିତୀୟା ଚନ୍ଦ୍ର ପରି ଦନ୍ତ ଯା’ର,
ସିନ୍ଦୂର-ଲଲାଟ ରାଜଗଜର ସଞ୍ଚାର ।
ଚାହିଁ କୋକ ତହିଁ ମଣି ସନ୍ଧ୍ୟା ଆଗମନ,
ବିଷଣ୍ଣ ବଦନେ ଚାହେଁ ପ୍ରିୟାର ବଦନ ।
ବ୍ୟୋମେ ଭାନୁ ଚାହିଁ ପୁଣି ଭ୍ରମ ଦୂର କରେ,
ବିଳସଇ ପ୍ରିୟା ସଙ୍ଗେ ଦ୍ବିଗୁଣ ପ୍ରେମରେ ।
ଏସବୁ ସୌନ୍ଦର୍ଯ୍ୟ ସୁଖ ଉପଭୋଗ କରି,
ବିଳସନ୍ତି ସେ ନଗର ନାଗର ନାଗରୀ ।
ସମ୍ପଦଦୋଳାରେ ଦୋଳି ବିରାଟ ରାଜନ,
ସୁଖେ କରୁଥାନ୍ତି ରାଜକାର୍ଯ୍ୟ ସମ୍ପାଦନ ।
ଲକ୍ଷ ନରପତିଙ୍କର ଶିରୋରତ୍ନରାଜି,
ଶୋଭୁଥିଲେ ଯା’ ଚରଣ ପୂଜା-ଦୀପ ସାଜି ।
ସତ୍ୟବୀର ଯୁଧିଷ୍ଠିର କଙ୍କ ନାମ ବହି,
ରାଜସଭାସଦରୂପେ ସୁଖେ ଥା’ନ୍ତି ତହିଁ ।
ବିଚଳିତ ଶତଶୃଙ୍ଗ ଯା’ର ଶିଶୁଲାତେ,
ବଳୀଗଣ ରଣଯଜ୍ଞ -ବଳି ଯା’ର ହାତେ;
ଧରଣୀ କମ୍ପଇ ଭୀମ-ଗଦା ଦେଖି ଯା’ର,
ଭୀମସେନ ହୋଇଥାନ୍ତି ରାଜ-ସୂପକାର
ଧୂର୍ଜଟି ଯା’ ବୀର୍ଯ୍ୟ ଦେଖି ତୋଷେ ଦେଲେ ବର
ଯେ ପ୍ରାଣବାନ୍ଧବ ଯଦୁପତି କେଶବର ;
ସୁରବୀର-ବନ୍ଦନୀୟ ନିଷଙ୍ଗୀ-ପ୍ରବର,
ଧନଞ୍ଜୟ ଥାନ୍ତି ତହିଁ ହାଇ ବର୍ଷବର ।
ଅଶ୍ୱିନୀ-କୁମାର ସମ ମାଦ୍ରୀ-ସୁତଦ୍ୱୟ,
ପୋଷୁଥିଲେ ପେଟ ପାଳି ରାଜଧେନୁ ହୟ ।
ପାଣ୍ଡବ-ହୃଦୟ-ପଦ୍ମବନ-ବିଳାସିନୀ,
ଜଗତଲକ୍ଷ୍ମୀର ଲୀଳା-କମଳ-ରୂପିଣୀ ;
ସୈରିନ୍ଧ୍ରୀ ସ୍ୱରୂପେ ତହିଁ ଥା'ନ୍ତି ଯାଜ୍ଞସେନୀ,
ଅଳଙ୍କୃତ ରାଜ ଅବରୋଧ ତାଙ୍କୁ ଘେନି ।