ଖଦ୍ୟୋତର ଖେଦ

ଉଇକିପାଠାଗାର‌ରୁ
Jump to navigation Jump to search
ଅର୍ଘ୍ୟଥାଳୀ ଲେଖକ/କବି: ଗଙ୍ଗାଧର ମେହେର
ଖଦ୍ୟୋତର ଖେଦ

ଖେଦେ କହେ ଖଦ୍ୟୋତ ମୁଁ ଅତି କ୍ଷୁଦ୍ର ଜୀବ
କି ବିଚାରି ପକ୍ଷ ମୋତେ ଦେଇଛି ଦଇବ

ରଜନୀରେ ଉଡେ ଲୁଚି ଉପହାସ ଡରେ,
ଅବା ଦୂରେ ବସିଥାଏଁ ପାଦପ ପତରେ |

ଅଙ୍ଗେ ମୋର ଜ୍ୟୋତି ଥିବା ନାହିଁ ମୋତେ ଜଣା,
ନ ଚାହେଁ ମୁଁ ଜ୍ୟୋତିଷ୍କରେ ହେବା ପାଇଁ ଗଣା |

ତଥାପି ମାନବେ ମୋତେ ଉପହାସ କରି
ବୋଲନ୍ତି ଖଦ୍ୟୋତ କାହିଁ ହେବ ଚନ୍ଦ୍ରସରି?

କାହିଁ ଚନ୍ଦ୍ର, ମିଳେ ତାଙ୍କୁ ପ୍ରଭାକର କର,
ମୋ ଜ୍ୟୋତିକଣିକା ନିଜ କ୍ଷୁଦ୍ର ଜୀବନର |

କରି ନ ଜାଣଇ ପର ଧନେ ଅଭିମାନ,
କେମନ୍ତେ ପାରିବି ହୋଇ ଚନ୍ଦ୍ରମା ସମାନ?

ନ କର ମାନବ କ୍ଷୁଦ୍ର ଜୀବେ ଉପହାସ,
ନିଜର ଜୀବନ-ଜ୍ୟୋତି କର ପରକାଶ |