Jump to content

ଚଉତିଶା ମଧୁଚକ୍ର/୨

ଉଇକିପାଠାଗାର‌ରୁ
ଚଉତିଶା ମଧୁଚକ୍ର ଲେଖକ/କବି: ଭୀମ ଭୋଇ
ଦ୍ୱିତୀୟ ସ୍କନ୍ଧ

କଳିଯୁଗ ହେଉଅଛି ଶେଷ,

କିସ ଦେଖୁଛ ଶୁନ୍ୟ ପୁରୁଷ,

କଷଣ ପଡ଼ିଲା ଏତେବେଳେ ଆସି କାହିଁ,

ନାହିଁନା ଆମ୍ଭରି ବାସ ହେ ଶ୍ରୀଗୁରୁ । ୧ ।

ଖରସିନ୍ଧୁ ବେହାରି ଶକତି;

କ୍ଷିତି ମଧ୍ୟ ତୁମ୍ଭ ନାମ ଖ୍ୟାତି,

ଖିତି ମଣ୍ଡଳରେ ଜାତ କରିଅଛ କ୍ଷମାକର,

ଏବେଦଣ୍ଡ ଶାସ୍ତି ହେ ଶ୍ରୀଗୁରୁ । ୨ ।

 

ଗୁରୁଦେବ ସ୍ୱାମୀ ଅଟ ପରା,

ଗାଢ଼େ ପଡ଼ିଅଛୁ ଆମ୍ଭେ ଧରା,

ଗତି ମୁକ୍ତି ସ୍ୱାମୀ ବୁଝିବ ଯେମନ୍ତେ ଗୁରୁ,

କ୍ଷୟ କର ପାପ ଭରା ହେ ଶ୍ରୀଗୁରୁ । ୩ ।

ଘୋଟି ତିନି ବ୍ରହ୍ମାଣ୍ଡ ଆବୋରି,

ଘଟେ ଘଟେ ସ୍ୱାମୀ ଅଛ ପୂରି,

ଘୋରବନେ ଆମ୍ଭେ ପଡ଼ି ରହିଅଛୁ,

ଘୋର ଅବସ୍ଥା ଦେଖ ଆମ୍ଭରି ହେ ଶ୍ରୀଗୁରୁ । ୪ ।

 

ଅନ୍ତର୍ଗତେ ଅନ୍ୟାୟ ଆଚରି,

ଆସି ବୁଝାମଣା ନାହିଁ କରି,

ଅସୁଖ ପାଇ ତଡ଼ୁଛନ୍ତି ଆମ୍ଭଙ୍କୁ,

ହାନିଲାଭ କିଛି ନବିଚାରି ହେ ଶ୍ରୀଗୁରୁ । ୫।

ଚିତ୍ତେ ବିଚାରୁଥାଇ ମନକୁ,

ଚଳି ନୋହୁଛି ଆଗ ପଛକୁ,

ଚାପି ଆସୁଅଛି କାଳଦଣ୍ଡ ପ୍ରାଏ,

ଚାହୁଁ ଚାହୁଁ ଶିର ଉପରକୁ ହେ ଶ୍ରୀଗୁରୁ । ୬ ।

 

ଛତ୍ର ପରାଏ ଯାହାର ବାନା,

ଛିଡ଼ା ମନରୁ ଚିନ୍ତା ବେଦନା,

ଛନ୍ଦ ନଟ କୂଟେ ପଡ଼ି ରହିଅଛୁ,

ଛାମୁ ଆଜ୍ଞା ନ ପଡ଼ୁଛି ଜଣା ହେ ଶ୍ରୀଗୁରୁ । ୭ ।

ଜନଜଗତେ କଲେଣି ନିନ୍ଦା,

ଯୁଗ ଘେନି ସର୍ବେ ନେତ୍ର ଅନ୍ଧା,

ଜାଣୁଅଛ ସବୁ ଅନ୍ତର୍ଯ୍ୟାମୀ ପ୍ରଭୁ,

ଜଣାଉଛି ସଦା ସରବଦା ହେ ଶ୍ରୀଗୁରୁ । ୮ ।

 

ଝାଡ଼ ଭିତରେ ପଡ଼ିଛୁ ଆମ୍ଭେ,

ଝଟତିରେ ବୁଝ ପ୍ରଭୁ ତୁମ୍ଭେ,

ଝର ଝର ନେତ୍ର ନୀର ବହୁଅଛି,

ଝଞ୍ଜକାରୁ ତ୍ରାହି କର ବେଗେ ହେ ଶ୍ରୀଗୁରୁ । ୯ ।

ନିତି ପ୍ରତି କରୁଛି ଜଣାଣ,

ନିଷ୍କାମରେ ଲଗାଇ ଭଜନ,

ନିରନ୍ତରେ ଶ୍ରୀଗୁରୁଙ୍କୁ ଧ୍ୟାଇ ଅଛୁ,

ନିଶି ଦିବସରେ ଅନୁଷଣ ହେ ଶ୍ରୀଗୁରୁ । ୧୦ ।

 

ଟକି ଅଛୁ ଟିଆ ପରିଯନ୍ତେ,

ଟାଣ ପ୍ରଭୁଙ୍କୁ ଚାହିଁ ସମସ୍ତେ,

ଟିକେ ହେଳାକଲେ ନସିଲୁ ଗୋସାଇଁ,

ଟଳି ପଡ଼ୁଅଛୁ ମହୀଗତେ ହେ ଶ୍ରୀଗୁରୁ । ୧୧।

ଠାକୁରଙ୍କ ପାଦପଦ୍ମ ଧ୍ୟାଇ,

ଠାବ ନ ମିଳୁଛି ଶୂନ୍ୟ ଦେହୀ,

ଠଉରି ନୋହୁଛି ତିନି ବ୍ରହ୍ମାଣ୍ଡରେ,

ଠିକେ ଜଣାଉଛି ଭୀମ ଭୋଇ ହେ ଶ୍ରୀଗୁରୁ । ୧୨ ।

 

ଦଣ୍ଡ ପଡ଼ୁଅଛି ନିରିଘାତ,

ଦାଣ୍ଡବାଟେ ଗଲାଣି ମହତ,

ଡାକୁଅଛି ଆମ୍ଭେ ଦିବସ ରଜନୀ;

ଡାକ ନ ଶୁଣ ଅନାଦି କନ୍ଦ ହେ ଶ୍ରୀଗୁରୁ । ୧୩ ।

ଢମ କହୁ ଅଛନ୍ତି ସମସ୍ତେ,

ଢାଳେ ସମ୍ଭାଳି ରହିବି କେତେ,

ଢାଙ୍କୁଣୀ ଭିତରୁ ଫିଟାଇ ନ ନେଲେ;

ଢୋକିଲାଣି ମରଣ ନିଶ୍ଚିନ୍ତେ ହେ ଶ୍ରୀଗୁରୁ । ୧୪ ।

 

ଅଣାକାର ଶ୍ରୀ ଗୁରୁ ଅଲେଖ;

ଅନାସ୍ଥାରେ ପଡ଼ିଅଛୁ ଦେଖ;

ଅନ୍ତର୍ଯ୍ୟାମୀ ସ୍ୱାମୀ ବ୍ରହ୍ମାଣ୍ଡ କରତା,

ଏଣେ ତେଣେ ନାହିଁ ଆମ୍ଭ ରକ୍ଷା ହେ ଶ୍ରୀଗୁରୁ । ୧୫ ।

ତିନି ଭୁବନେ ଅଟ କରତା,

ତଦନ୍ତରେ ବୁଝ ଆମ୍ଭ କଥା,

ତ୍ରାହିକର ସ୍ୱାମୀ ଘୋର ସଙ୍କଟରୁ,

ତୁମ୍ଭେ ଅଟ ପରା ପିତା ମାତା ହେ ଶ୍ରୀଗୁରୁ । ୧୬ ।

 

ଥରି ଗଲାଣି ପିଣ୍ଡ ପରାଣ,

ଥିତି ଦିଆଅ ଆଶା ବିଶ୍ରାମ,

ଥରକୁ ଥର ଦେବକୁଟ ପଡ଼ୁଛି,

ଥାଉଁ ଥାଉଁ ମହାଶୂନ୍ୟ ବ୍ରହ୍ମ ହେ ଶ୍ରୀଗୁରୁ । ୧୭ ।

ଦୁଃଖୀ ଦରିଦ୍ର ପରାଣୀ ଆମ୍ଭେ,

ଦୀନବନ୍ଧୁ ଅଟପରା ତୁମ୍ଭେ,

ଦରିଆରେ ପଡ଼ି ଭାସି ଯାଉଅଛି,

ଦୟାରେ ଉଦ୍ଧରି ଧର ବେଗେ ହେ ଶ୍ରୀଗୁରୁ । ୧୮ ।

 

ଧର୍ମ ପରୀକ୍ଷା ଦିଅ ତୁରିତ,

ଧରଣୀରେ ରହୁ ସତ୍ୟକୃତ;

ଧ୍ୟାନ କରିଅଛୁ ଦିବସ ରଜନୀ,

ଧର୍ମ ହେଉ ତ୍ରିଭୁବନେ ଖ୍ୟାତ ହେ ଶ୍ରୀଗୁରୁ । ୧୯ ।

ନିଜରୂପେ ବିଜେ କରିଅଛ,

ନାମ ନିଷ୍କାମ ଦୀକ୍ଷା ଦେଇଛ,

ନାଶ ଯାଉଅଛ କଳିଯୁଗେ ଆମ୍ଭେ,

ନାରାୟଣ ସ୍ୱାମୀ ନ ବୁଝୁଛ ହେ ଶ୍ରୀଗୁରୁ।୨୦।

 

ପୂର୍ଣ୍ଣାନନ୍ଦ ପୂର୍ଣ୍ଣବ୍ରହ୍ମ ରୂପୀ,

ପୂରି ସର୍ବଭୂତେ ଅଛ ବ୍ୟାପି,

ପରମ ପୁରୁଷ ବାଞ୍ଛା ପୂର୍ଣ୍ଣକରି;

ପୃଥ୍ୱୀ ମଧ୍ୟେ ସତ୍ୟ ଧର୍ମ ସ୍ଥାପି ହେ ଶ୍ରୀଗୁରୁ । ୨୧ ।

ଫୁକାବନ୍ଧ ଫଣି ମଣି ହୋଇ,

ଫିଙ୍ଗି ଦେଉଅଛ କାହିଁ ପାଇଁ,

ଫେଡ଼ି ଦିଅ ଦୁଃଖ ପିଣ୍ଡ ବ୍ରହ୍ମାଣ୍ଡରୁ,

ଫେଡ଼ ସଂଶୟ ସୁଦୟା ବହି ହେ ଶ୍ରୀଗୁରୁ । ୨୨ ।

 

ବାଧିଗଲାଣି ପିଣ୍ଡେ ପ୍ରାଣକୁ,

ବିସୁଖ ମଣିଲେଣି ଧର୍ମକୁ,

ବାତୁଳ ପରାଏ ନିନ୍ଦା କରୁ ଅଛନ୍ତି ବହି,

ହୃଦେ ଗର୍ବ ଗାରିମାକୁ ହେ ଶ୍ରୀଗୁରୁ । ୨୩ ।

ଭବସାଗରେ ଯାଉଛି ଭାସି,

ଭାରାଉଶ୍ୱାସ ହେ ଶୂନ୍ୟବାସୀ,

ଭଣେ ଭୀମ ହୀନ ପାମର ଅଜ୍ଞାନ;

ଭାଳି ମରୁଅଛି ଦିବାନିଶୀ ହେ ଶ୍ରୀଗୁରୁ । ୨୪ ।

 

ମହିମା ରଖ ମହୀ ମଣ୍ଡଳେ;

ମହାଯୁଗ ଘୋର କଳି କାଳେ;

ମହତ ପୁରୁଷ ବାଞ୍ଛା ପୂର୍ଣକର;

ମହୀରକ୍ଷା କର ଏତେ ବେଳେ ହେ ଶ୍ରୀଗୁରୁ । ୨୫ ।

ଜଗତରେ ନାହିଁ ଆମ୍ଭ ବାସ;

ଯାଣୁଅଛ ତ ଶୂନ୍ୟ ପୁରୁଷ,

ଜଗତରୁ ସ୍ୱାମୀ ଉଦ୍ଧାର ନ କଲେ,

ଜୀବନକୁ ନାହିଁ ମୋର ଆଶ ହେ ଶ୍ରୀଗୁରୁ । ୨୬ ।

 

ରଖ ମେଦିନୀ ପାଦ ପକାଇ,

ରହି ନୋହୁଛି ଦମ୍ଭେ ଗୋସାଇଁ,

ରକ୍ଷାକର ସ୍ୱାମୀ ଘୋର ସଙ୍କଟରୁ,

ରାଜା ବ୍ରାହ୍ମଣେ ପରୀକ୍ଷା ଦେଇ ହେ ଶ୍ରୀଗୁରୁ । ୨୭ ।

ଲଗ୍ନ କେତେ ଦିବସରେ ହେବ ଲାବଣ୍ୟ ମୂରତି ପ୍ରକାଶିବ,

ଲଘୁ ଦେଉଛନ୍ତି କଳିଯୁଗ ନରେ;

ଲାଗିଛନ୍ତି ମନେ ବହି ଗର୍ବ ହେ ଶ୍ରୀଗୁରୁ । ୨୮ ।

 

ବାସ ମନ୍ଦିରେ ପରୀକ୍ଷା ଉଠୁ,

ବିଷ ପରାଏ ମହିମା ଘୋଟୁ ।

ବିଶ୍ୱ ବ୍ୟାପକ ପୁରୁଷ ତୁମ୍ଭେ ବୁଝ ବେଗେ,

ଘୋର କଳିକାଳ ତୁଟୁ ହେ ଶ୍ରୀଗୁରୁ । ୨୯ ।

ଶରଦ ଋତୁ ହୋଇଲା ଆସି,

ସୋହତିରେ ଯାଉଅଛୁ ଭାଷି ।

ସର୍ବ ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡ କରତା,

ସାରକରି ବୁଝ ବ୍ରହ୍ମରାଶି ହେ ଶ୍ରୀଗୁରୁ । ୩୦ ।

 

ସଦଗୁରୁ ଅଟପରା ତୁମ୍ଭେ ।

ସୋହତିରେ ଭାଷୁଅଛି ଆମ୍ଭେ ।

ଶୂନ୍ୟ ପୁରୁଷ କରୁଣା କରି ବେଗେ;

ସତ୍ୟ ପରକାଶ କର ଏବେ ହେ ଶ୍ରୀଗୁରୁ । ୩୧ ।

ଶୟନେ ଭୋଜନେ ସୁସ୍ତ ନାହିଁ,

ସ୍ୱାମୀ ଦେଖ ନୟନ ପୁରାଇ ।

ସମ୍ଭାଳି ନୋହୁଛି ଅକାଳ ବିପତ୍ତି,

ଶୂନ୍ୟପୁରୁଷଙ୍କୁ ଅଛୁ ଧ୍ୟାଇ ହେ ଶ୍ରୀଗୁରୁ । ୩୨ ।

 

ହରେକ କଥା କାରେଣୀ ସ୍ୱାମୀ ।

ହେଉଅଛି ଯାହା ଅନ୍ତର୍ଯ୍ୟାମୀ ।

ହତ ହେଉଅଛି ପିଣ୍ଡ ପ୍ରାଣ ମୋର,

ହେଉଅଛି ଏବେ ପରିଣାମି ହେ ଶ୍ରୀଗୁରୁ । ୩୩ ।

କ୍ଷମାସାଗର ଶୂନ୍ୟ ପୁରୁଷ ।

କ୍ଷଣକରେ ଏ ଭାରା ଉଶ୍ୱାସ ।

ଖତମକରି କରି ଦେବାକୁ ବସିଛନ୍ତି,

କ୍ଷମେ ଭଣେ ଭୀମ ଭକ୍ତ ବାସ ହେ ଶ୍ରୀଗୁରୁ । ୩୪ ।