Jump to content

ଚଉତିଶା ମଧୁଚକ୍ର/୩

ଉଇକିପାଠାଗାର‌ରୁ
ଚଉତିଶା ମଧୁଚକ୍ର ଲେଖକ/କବି: ଭୀମ ଭୋଇ
ତୃତୀୟ ସ୍କନ୍ଧ

କ୍ଷିତି ମଣ୍ଡଳରେ ଦେହ ବହି,

କ୍ଷୀର ସିନ୍ଧୁ ବାସୀଙ୍କି ମୁଁ ଧ୍ୟାଇ,

କ୍ଷୟ ଯାଉଅଛୁ ଘୋର କଳିଯୁଗେ

କ୍ଷମା ସାଗର ପୁରୁଷ ଥାଇ ହେ ଶ୍ରୀଗୁରୁ । ୧ ।

ହିତକାରୀ ପ୍ରଭୁ ଅଟପରା,

ହରଣ କର ବିପତ୍ତି ଭାରା,

ହତ ହେଉଅଛି ପିଣ୍ଡ ପ୍ରାଣ ମୋର,

ହାକିମ ଛାମୁରେ ପଡ଼ି ଧରା ହେ ଶ୍ରୀଗୁରୁ । ୨ ।

 

ଶଙ୍କା ନାହିଁ ନା ମୋହରି ଦେହେ,

ଶଙ୍କି ଟଳି ପଡ଼ୁଅଛି କାୟେ,

ସମ୍ଭାଳି ନୋହୁଛି ଅକାଳ ବିପତ୍ତି,

ସ୍ୱାମୀ ନିବାର ହୃଦରୁ ଭୟେ ହେ ଶ୍ରୀଗୁରୁ । ୩ ।

ଶବ୍ଦ ତିନିପୁର ତ୍ରଇଲୋକ,

ଶୁଭୁ ନାହିଁକି କର୍ଣ୍ଣକୁ ଡାକ,

ଶୁଖିଲା ନାବରେ ପାଣି ପଶୁଅଛି,

ଶୂନ୍ୟ ପୁରୁଷ କର ବିବେକ ହେ ଶ୍ରୀଗୁରୁ । ୪ ।

 

ଶିରୋମଣି ଠାକୁରଙ୍କୁ ଭଜି,

ସର୍ବକର୍ମ ଦୁରାନ୍ତରେ ତେଜି,

ଶରଣ ଶରଣ ବୋଲୁ ବୋଲୁ ମୁଖେ,

ଶିରୀଚ୍ୟୁତ ହେଉଛି କି ଲାଗି ହେ ଶ୍ରୀଗୁରୁ । ୫ ।

ବାହାର ହୋଇ ହୁଅ ପ୍ରକାଶ

ବ୍ରହ୍ମତେଜ ପଡ଼ୁ ଦଶଦିଶ,

ବୁଝାମଣା କରି ଗୁରୁଦେବ ସ୍ୱାମୀ,

ବ୍ରହ୍ମାଣ୍ଡରେ ଦିଅ ସ୍ଥିତି ବାସ ହେ ଶ୍ରୀଗୁରୁ । ୬ ।

 

ଲୋକ ନିନ୍ଦାରେ ନୋହୁଛି ରହି,

ଲୁଚି ଦିନ ଯାଉଅଛି ବହି,

ଲଜ୍ଜ୍ୟା ହେଉଅଛି ଜଗତରେ ମୋତେ,

ଲାଜେ ନୋହୁଛି ମୁଖ ଦେଖାଇ ହେ ଶ୍ରୀଗୁରୁ । ୭ ।

ରାଜା ବିପ୍ରେ ହୋଇଲେଣି ମେଳି,

ରହ ପରୀକ୍ଷା ଦେଖିବା ବୋଲି,

ରୋଷ କରୁଛନ୍ତି ଅନ୍ତର୍ଗତେ ମୋତେ,

ରଇରଗଦେ ମରୁଛି ଭାଳି ହେ ଶ୍ରୀଗୁରୁ । ୮ ।

 

ଯତନରେ ପାରୁଶକୁ ଡ଼ାକି,

ଯାବତ କଥା ତୁଣ୍ଡରେ ଭାକି,

ଜଗିଥିବୁ ଆମ୍ଭେ ନ ଯାଉ ବୋଲନ୍ତେ,

ଯାଅ ଯାଅ ବୋଲି ଦେଲେ ଫିଙ୍ଗି ହେ ଶ୍ରୀଗୁରୁ । ୯ ।

ମିଛେ ପରୀକ୍ଷା ନେବୁ ବୋଇଲେ,

ମନେ ବଡ଼ିମା ବହି ଅଇଲେ,

ମନ୍ଦ ଜାତି କନ୍ଧ ଅଟେ ଭୀମ ଭୋଇ,

ମହା ଅଜ୍ଞାନୀ ବୋଲି କହିଲେ ହେ ଶ୍ରୀଗୁରୁ । ୧୦ ।

 

ଭାରା ହୋଇଲାଣି ବେଳୁଁ ବେଳ,

ଭାସି ଡାକୁଛି ହୋଇ ବିକଳ,

ଭରସା କରିଛି ଗୁରୁପାଦ ତଳେ,

ଭୟନିବାର ଅନାଦିମୂଳ ହେ ଶ୍ରୀଗୁରୁ । ୧୧ ।

ବହି ଗଲାଣି କେତେ ଦିବସ,

ବ୍ରହ୍ମ ଏତେବେଳେ ହୁଅ ଦୃଶ୍ୟ,

ବାଧି ଯାଉଅଛି ଜୀବନକୁ ମୋର,

ବାନା ଉଦେକର ଦଶଦିଶ ହେ ଶ୍ରୀଗୁରୁ । ୧୨ ।

 

ଫେଡ଼ ଅକାଳ ବିପତ୍ତି ଦଶା,

ଫୁକାବନ୍ଧ ଫଣି ମଣି ଭରସା,

ଫିସାଦ ବଚନ କହୁଛନ୍ତି ସର୍ବେ,

ଫାନ୍ଦେପଡ଼ି କରିଅଛି ଆଶା ହେ ଶ୍ରୀଗୁରୁ । ୧୩ ।

ପିତାମାତା ଅଟ ଶୂନ୍ୟଦେହୀ,

ପାପଜାଲେ ପଡ଼ିଅଛି ମୁହିଁ,

ପରୀକ୍ଷା ନ ଦେଲେ ରାଜା ବ୍ରାହ୍ମଣକୁ,

ପିଣ୍ଡ ପ୍ରାଣରେ ମୋ ଆଶା ନାହିଁ ହେ ଶ୍ରୀଗୁରୁ । ୧୪ ।

 

ନବଖଣ୍ଡ ମେଦିନୀରେ ଯେତେ,

ନୟନରେ ଦେଖନ୍ତୁ ସାକ୍ଷାତେ,

ନିଶିଦିବସରେ ପରୀକ୍ଷା ପରୀକ୍ଷା,

ନରେ ମାଗୁଅଛନ୍ତି ସମସ୍ତେ ହେ ଶ୍ରୀଗୁରୁ । ୧୫ ।

ଧର୍ମ ଚାରିଯୁଗ ଯେବେ ସତ୍ୟ,

ଧରଣୀରେ ରହୁ ସତ୍ୟକୃତ,

ଧରତୀ ଆକାଶେ ପୂରି ରହିଅଛି,

ଧର୍ମ ଅଣାକାର ଅବଧୂତ ହେ ଶ୍ରୀଗୁରୁ ।୧୬ ।

 

ଦୁଃଖ ଜଣାଶ କରିବି କେତେ,

ଦଇବ ଅଟ ତୁମ୍ଭେ ସାକ୍ଷାତେ

ଦୟାବନ୍ତ ପ୍ରଭୁ ନ ବୁଝିବ ଯେବେ,

ଦରିଆରେ ଭାସିଲି ନିରତେ ହେ ଶ୍ରୀଗୁରୁ । ୧୭ ।

ଥାନ ଭ୍ରଷ୍ଟକରି ଖେଦୁଛନ୍ତି,

ଥିତି ବସା ନ ଦେଉ ଅଛନ୍ତି,

ଥରହର ହେଉଅଛି ପିଣ୍ଡେ ପ୍ରାଣ,

ଥୟେ ନ ରହୁଛି ମତି ହେ ଶ୍ରୀଗୁରୁ । ୧୮ ।

 

ତିନିତ୍ରୈଲୋକ୍ୟ କର୍ତ୍ତା ଆପଣ,

ତ୍ରାହି ବୋଲି ମାଗୁଛି ଶରଣ,

ତତ୍ତ୍ୱଚିତ୍ତେ ସ୍ୱାମୀ ଦୟାକର ମୋତେ,

ତୁମ୍ଭେ ଅଟ ଆଲେଖ ଅବର୍ଣ୍ଣ ହେ ଶ୍ରୀଗୁରୁ । ୧୯ ।

ଅଣାକାର ଅଲେଖ ଅରୂପୀ,

ଅନନ୍ତ ସ୍ୱରୂପେ ଅଛ ବ୍ୟାପୀ,

ଅନ୍ତର୍ଯ୍ୟାମୀ ସ୍ୱାମୀ ଅଣହେଳା କଲେ,

ଅନ୍ୟ କେହୁ ପାରିବେ କେହି ରଖି ହେ ଶ୍ରୀଗୁରୁ।୨୦।

 

ଢେଙ୍କାନାଳେ ବିଜେ କରିଥିଲ,

ଢାଳେ ବାନା ପରକାଶ କଲ,

ଢେଉପଡ଼ିଲା ବେଳକୁ ଗୁରୁସ୍ୱାମୀ,

ଢଙ୍କୁଣୀରେ କି ଗୋପ୍ୟାନ ହେଲ ହେ ଶ୍ରୀଗୁରୁ । ୨୧ ।

ଡ଼କାଇତ ହସ୍ତେ ପଗଡ଼ାଇ,

ଡ଼ାକ ନ ଶୁଣୁଛ କାହିଁ ପାଇଁ,

ଦାଣ୍ଡେ ପଡ଼ିଅଛି ଭୀମ ଅରକ୍ଷିତ,

ଡ଼ୋଳେ ଆକାଶକୁ ଚାହିଁ ହେ ଶ୍ରୀଗୁରୁ । ୨୨।

 

ଠିଆ ହୋଇ ଜଣାଣ କରୁଛି,

ଠାକୁରଙ୍କ ଆଜ୍ଞାକୁ ଟାକିଛି,

ଠାବ ମିଳୁଅଛି କେତେ ଦିବସରେ,

ଠିକେ ଯୁଗ ଶେଷ ହେଲା ଆସି ହେ ଶ୍ରୀଗୁରୁ । ୨୩ ।

ଟେଢ଼ା ବଚନ କହୁଅଛନ୍ତି,

ଟମାଳିଆ ପ୍ରାୟେ ବୁଝୁଛନ୍ତି,

ଟଳ ଟଳ ହେଉ ଅଛି ମନ,

ଟିକେ ନ ମିଳୁଛି ଥୟ ସ୍ଥିତି ହେ ଶ୍ରୀଗୁରୁ । ୨୪ ।

 

ନିନ୍ଦା କର୍ଣ୍ଣରେ ନୋହୁଛି ଶୁଣି,

ନିରନ୍ତରେ ଅପଖ୍ୟାତି ଧ୍ୱନି,

ନାରୀ ପୁରୁଷ ଏକାନ୍ତ ମତ ହୋଇ ନରେ,

ହୃଦରେ ଅହନ୍ତା ଘେନି ହେ ଶ୍ରୀଗୁରୁ । ୨୫ ।

ଝଟତିରେ ବୁଝାମଣା ହେଉ,

ଝିମିଟକେ କଳି କ୍ଷୟ ପାଉ,

ଝାଉଁଲତା ବନୁ ପାରିକର ମୋତେ,

ଝୁଙ୍କି ପଡ଼ୁଅଛି ମହାବାହୁ ହେ ଶ୍ରୀଗୁରୁ । ୨୬ ।

 

ଯାଅ ବୋଲନ୍ତେ ଫେରି ନ ଯାଇ,

ଜଗି ବସିଥିବି ପଥେ ମୁହଁ,

ଜଗତ କରତା ବୁଝିବା ପର୍ଯ୍ୟନ୍ତେ,

ଦେହଜୀବନ ମୋ ଆଶା ନାହିଁ ହେ ଶ୍ରୀଗୁରୁ । ୨୬ ।

ଛାତରୂପୀ ଅଛି କଳିକାଳେ,

ଛଡ଼ ବ୍ରହ୍ମବାସୀ ଧର୍ମ ବଳେ,

ଛନ ଛନ ହେଉଅଛି ପିଣ୍ଡେ ପ୍ରାଣ,

ଛନ୍ଦେ ପଡ଼ି ଡାକୁଛି ବିକଳେ ହେ ଶ୍ରୀଗୁରୁ । ୨୮ ।

 

ଚିହ୍ନଟ ଦିଅ ଏ କଳିକାଳେ,

ଚନ୍ଦ୍ର ପରାୟେ ମହୀମଣ୍ଡଳେ,

ଚିଦାନନ୍ଦ ସ୍ୱାମୀ ବିଳମ୍ବ ନ କରି,

ଚାହିଁ ଦୟାକର ଏତେବେଳେ ହେ ଶ୍ରୀଗୁରୁ । ୨୯ ।

ଅନନ୍ତମୂରତି ଅଣାକାର ଅନ୍ତର୍ଗତରେ ବିଚାର କର,

ଅନ୍ୟଥା ନ କର ଭୃତ୍ୟର ବଚନ,

ଅନ୍ତର୍ଯ୍ୟାମୀନି ପରା ଠାକୁର ହେ ଶ୍ରୀଗୁରୁ । ୩୦ ।

 

ଘର ବାହାରେ ନୋହୁଛି ବାସ,

ଘାରିହୋଇ ରଜନୀ ଦିବସ;

ଘଡ଼ିକି ଘଡ଼ି ଚେତା ବୁଡ଼ି ଯାଉଛି;

ଘୋର କଳିକାଳେ ହୁଅ ଦୃଶ୍ୟ ହେ ଶ୍ରୀଗୁରୁ । ୩୧ ।

ଗୁରୁସ୍ୱାମୀ ପରା ବୋଲାଇଛ,

ଗୁପତରେ କାହିଁକି ଲୁଚିଛ,

ଗରବ ଗଞ୍ଜନ ବାନା ଥାଉଁ ଥାଉଁ,

ଗୁଡ଼େଦିନ କିମ୍ପାଇ କରୁଛ ହେ ଶ୍ରୀଗୁରୁ । ୩୨।

 

କ୍ଷୀତି ମଣ୍ଡଳେ ମହିମା ରଖ;

ଖ୍ୟାତହେଉ ତିନି ତ୍ରଇଲୋକ;

କ୍ଷୀରସିନ୍ଧୁ ବାସୀ ଅନାଦି ଅଲେଖ,

କ୍ଷୟ ଯାଉଛି ତ୍ରିପୁର ଦେଖ ହେ ଶ୍ରୀଗୁରୁ । ୩୩ ।

କେତେ ଜଣାଣ କରିବି ମୁହଁ,

କରତାଙ୍କ ପଦ୍ମପାଦ ଧ୍ୟାଇ,

କରଯୋଡ଼ି ଭଣେ ଭୀମ ଅରକ୍ଷିତ,

କର୍ତ୍ତାଛାମୁରେ ବିନୟ ହୋଇ ହେ ଶ୍ରୀଗୁରୁ । ୩୪ ।