ଛମାଣ ଆଠଗୁଣ୍ଠ/ଅପୂର୍ବ ମିଳନ
←ବାବାଜୀ ଲଳିତା ଦାସ | ଛମାଣ ଆଠଗୁଣ୍ଠ ଲେଖକ/କବି: ଅପୂର୍ବ ମିଳନ |
ଉପସଂହାର→ |
ସପ୍ତବିଂଶ ପରିଚ୍ଛେଦ
ଅପୂର୍ବ ମିଳନ :
ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ । ତୁମେ ଭଲ ଅବା ମନ୍ଦ ଯେପରି କର୍ମ କରିବ, ତହିଁର ପ୍ରତିଫଳ ଅବଶ୍ୟ ତୁମ୍ଭଙ୍କୁ ଭୋଗ କରିବାକୁ ହେବ । ହେ ବୁଦ୍ଧିମାନ, ତୁମ୍ଭେ ଅତି ନିର୍ଜନରେ, ଅତି ସାବଧାନରେ କିଛି କର୍ମକରି ମନେକରୁଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଛି । ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବାବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟନେତ୍ର ଅତିକ୍ରମ କରିବାର ଉପାୟ ନାହିଁ । ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ ତାହାର ଫଳ ତୁମ୍ଭଙ୍କୁ କଦାଚିତ୍ ବଂଶପରମ୍ପରାକୁ ଭୋଗ କରିବାକୁ ହେବ । ହେ ବଳବାନ, ଧନବାନ, ଗର୍ବିତ ତୁମ୍ଭେ ଯାହାକୁ ଅତି ସାମାନ୍ୟ ଲୋକ ବୋଲି ତୁଚ୍ଛ ଜ୍ଞାନ କରୁଛ, ଦିନେ ତାହାତିଦ୍ୱାରା କି କାର୍ଯ୍ୟ ସାଧିତ ହୋଇପାରେ, ତୁମ୍ଭେ ତାହା ଜାଣ ନାହିଁ । ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ଗୋଟିଏ ସାମାନ୍ୟ ଫକୀର ପ୍ରତି ଅତ୍ୟାଚାର କରି ରକ୍ଷା ପାଇପାରି ନାହାନ୍ତି । ଶିଖଗୁରୁ ଗୋବିନ୍ଦ ଜଣେ ସାମାନ୍ୟ ମୁସଲମାନଙ୍କ ଉପକାର କରି ପ୍ରାଣସଙ୍କଟ ଜନକ ଘୋର ବିପଦରୁ ରକ୍ଷା ପାଇଥିଲେ । ସେ ଐତିହାସିକ ବଡ଼ ବଡ଼ କଥା ଛାଡ଼ିଦିଅ । ବାଘସିଂହ ଘରେ ଚୌକିଆ ଥିବା ହେତୁରୁ ରତନପୁରର ଯେଉଁ ଡମମାନଙ୍କୁ ଆମ୍ଭମାନଙ୍କ ମଙ୍ଗରାଜେ ଚକ୍ରାନ୍ତ କରି ଜେଲ ଦିଆଇଥିଲେ, ଘଟନାସୂତ୍ରରେ ଆଜି ସେହିମାନଙ୍କ ହାତରେ ଲାଞ୍ଛନା ଭୋଗ କରିବାକୁ ହେଲା ।
ରତନପୁର ମୌଜାର ଡମମାନେ ପ୍ରଥମଦିନ ମଙ୍ଗରାଜଙ୍କୁ ଜେଲଖାନାରେ ଦେଖି - ସଙ୍ଗାତ ଅଇଲେ - ଶଶୁର ଅଇଲେ - ସାଆନ୍ତେ ଅଇଲେ - କହି ହସି ହସି ଟାପରା କରି ତାଙ୍କୁ ଦଣ୍ତବତ କରିଥିଲେ । କେହି ଜଣେ ଧନବନ୍ତ ବଡ଼ ଲୋକ ଜେଲଗଲେ ପୁରୁଣା ସରଦାର କଏଦୀମାନେ କିଛି ପାଇବା ଆଶାରେ ତାହା ପ୍ରତି ଅତ୍ୟାଚାର କରିଥାନ୍ତି । ମଙ୍ଗରାଜେ ରତନପୁରିଆଙ୍କ ସାଙ୍ଗରେ ଘଣା ପେଲିବା ସମୟରେ ତାଙ୍କ ଉପରେ ଗୋଇଠାଏ, ଖୁନ୍ଦାଟାଏ ବାଜିଯାଉଥାଏ । ଆମ୍ଭେମାନେ ଗୋଟିଏ କଥା କହିବାକୁ ଭୁଲି ଯାଇଛୁ, ମିଥ୍ୟା ସାକ୍ଷ୍ୟ ଦେବା ଅପରାଧରେ ଗୋବରା ଜେନାର କଠିନ ପରିଶ୍ରମ ସହିତ ଏକବର୍ଷ ମିଆଦ ହୋଇଯାଇଛି ।
ଦିନ କାହାରିକୁ ଅନାଇ ବସିରହେ ନାହିଁ । ଚିରକାଳ ସମାନ ଭାବରେ ଦିନ ରାତି ସମାନ ଭାବରେ ବ ହିଯା ଉଛି । ମଙ୍ଗରାଜେ ଘଣା ପେଲୁଛନ୍ତି ବୋଲି ଯେ ଦିନ ଅଟକି ରହିବ, ଏମନ୍ତ କିଛି ନୁହେଁ । ଲୋକେ କହନ୍ତି, 'ସୁଖର ଦିନ ଘୋଡ଼ାରେ ଧାଏଁ, ଦୁଃଖର ଦିନ ହାତୀରେ ଚଢ଼ିଯାଏ ।' ତୁମ୍ଭେ ହାହା କହ, ଦିନ ତାହାର ନିଜର କାର୍ଯ୍ୟ ଭଲ ବୁଝେ । ତାହାର ଆଠ ପହରରୁ ନିମିଷେ ଆଡ଼ବାଙ୍କ ହେବାର ନାହିଁ । ଏକ -ଦୁଇ-ତିନି-ଚାରିଦିନ କରି ମଙ୍ଗରାଜଙ୍କ ଜେଲ ମିଆଦ ଦୁଇ ମାସ କଟିଗଲାଣି ।
ସେ ଯେଉଁ ବଖରାରେ ଶୋଉଥିଲେ, ସେ ବଖରାଟା ମରାମତ କରାଯିବାର ପ୍ରୟୋଜନ ହେବାରୁ ତାଙ୍କୁ ଅନ୍ୟ ଗୋଟିଏ ବଖରାକୁ ନିଆଗଲା । ଜେଲଖାନାରେ ଗୋଟିଏ ଗୋଟିଏ ବଖରାରେ ଆଠଟି ଲେଖାଏଁ ମାଟିର ପିଣ୍ତି ବନ୍ଧାଥାଏ । ରାତିରେ କମ୍ବଳ ପାରି ସେଥିରେ ଆଠଜଣ କଏଦୀ ଶୁଅନ୍ତି । ଦୈବାତ୍ ରତନପୁର ମୌଜାର ଛାଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜେ ଏହି ଆଠ ଜଣ ଗୋଟିଏ ବଖରାରେ ରହିଲେ ।
ଚାରିଦିନ ତଳେ ମଙ୍ଗରାଜଙ୍କ ଉପରେ ଭାରି ଗୋଟାଏ ବିପଦ ଘଟିଯାଇଛି । ଆଜିକାଲି କଟକ ଦରଘା ବଜାରରେ ଯେ ଗୋଟିଏ ପାଗଳଖାନା ଅଛି, ଏପରି ପୂର୍ବେ ନ ଥିଲା । ବାୟାମାନଙ୍କୁ ଜେଲ୍ ଖାନାରେ ବନ୍ଦ କରି ରଖା ଯାଉଥିଲା । ମଙ୍ଗରାଜଙ୍କ ରହିବା କୋଠରୀର କିଛି ଦୂରରେ ପାଗଳା ଗାରଦ । ସେଠାରେ ଗୋଟିଏ ଭୟଙ୍କର ବାୟା ଥିଲା । ସେ ରାତିଯାକ ଶୁଏ ନାହିଁ, ମୋ ସାରିଆ, ମୋ 'ଛମାଣ ଆଠଗୁଣ୍ଠ' କହି ନାଚେ, ଚିଲା ମାରେ, ଡକାପାଡ଼େ, ହସେ । ମଙ୍ଗରାଜଙ୍କୁ ଦେଖିଲେ ସର୍ବଦା କାମୁଡ଼ିବାକୁ ଧାଏଁ । ବରକନ୍ଦାଜମାନେ ଧରାଧରି କରି ରଖନ୍ତି । ସେ ଦିନ ହଠାତ୍ ଧାଇଁଆସି ମଙ୍ଗରାଜଙ୍କ ନାକ କାମୁଡ଼ି ପକାଇ ଛିଣ୍ତାଇ ଦେଇଅଛି । ଆଜି ଜେଲଖାନା ଦୁଆରେ ଭାରି ଗୋଳମାଳ, ଦୁଇଗୋଟି ରୋଗୀ ପଡ଼ିଛନ୍ତି । ଗୋଟିଏ ଶୁକ୍ ଶୁକ୍ ହେଉଥିଲା, ମରିଗଲା । ଆଉ ଗୋଟାକୁ ଧୁଆଧୋଇ କରି ନେଟିଭ ଡାକ୍ତର ଓ କମ୍ପାଉଣ୍ତର ପଟି ବାନ୍ଧିଦେଉଛନ୍ତି ।
ବେଳ ୯ ଘଣ୍ଟା ସମୟରେ ଡାକ୍ତର ସାହେବ ଆସି ମାଇନା କଲେ; ରୋଗୀର ସର୍ବାଙ୍ଗ ପରୀକ୍ଷା କଲେ । ଜେଲ୍ ଦାରୋଗା ରେଜିଷ୍ଟରୀ ବହି ଦେଖି କହିଲେ - ଲାସ୍ ୯୭୭ ନମ୍ବର କଏଦୀ ଗୋବରା ଜେନା ।
ରୋଗୀ - ନ ୯୭୫ କଏଦି ରାମଚନ୍ଦ୍ର ମଙ୍ଗରାଜ । ରୋଗୀର ସର୍ବାଙ୍ଗ ସ୍ଥାନେ ସ୍ଥାନେ ଫୁଲିଛି, ନାକଦଣ୍ତା ଫାଟିଯାଇ ରକ୍ତ ବହୁଛି, ସମୟ ସମୟରେ ରକ୍ତ ବାନ୍ତି ହେଉଛି । ଡାକ୍ତର ସାହେବ ରୋଗର କାରଣ ମାଡ଼ ବୋଲି ସ୍ଥିର କଲେ ।
ଖୁବ୍ ତଦାରଖ ହେଲା, ଧୂମଧାମ ହେଲା, କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ । ରୋଗୀର କଥା କହିବାର ଶକ୍ତି ନାହିଁ । କେବଳ ଗତ ରାତ୍ରିରେ ପହରା ବରକନ୍ଦାଜ ଅର୍ଦ୍ଧରାତ୍ର ସମୟରେ ଦୁମ୍ ଦାମ ଗୁମ୍ ଗାମ ଶବ୍ଦ ଶୁଣିଥିବାର ସାକ୍ଷ୍ୟ ଦେଲା । ଡମ ଛ ଜଣ ସାକ୍ଷ୍ୟ ଦେଲେ, କଏଦୀ ଦୁଇଜଣ ପରସ୍ପର ବାଡ଼ିଆବାଡ଼େଇ ହୋଇଅଛନ୍ତି ।
ମକଦ୍ଦମା ତଦାରଖ ଖତମ ହେଲା । ଡାକ୍ତର ସାହେବ ହୁକୁମ ଦେଲେ - ରୋଗୀର ବଞ୍ଚିବାର ସମ୍ଭାବନା ବିରଳ, ତାହାର ଜ୍ଞାତି ବନ୍ଧୁ ଇଚ୍ଛା କଲେ ଚିକିତ୍ସାସକାଶେ ଘରକୁ ଘେନିଯାଇପାରନ୍ତି । ଥାନାଦ୍ୱାରା ଗୋବିନ୍ଦପୁରରେ ସାହେବଙ୍କ ହୁକୁମ ପହଞ୍ଚିଲା ।
ପୁଅମାନ ଧାନଅମାର ତଳିପୋଛ ପ୍ରାୟ କରିଦେଲେଣି । ସେମାନେ ବାପକୁ ଚିହ୍ନନ୍ତି । ଫେରି ଅଇଲେ କି ରକ୍ଷା ? କେଉଁ ବୁଦ୍ଧିମାନ ଲୋକ ଜାଣୁ ଜାଣୁ ଆପଣା ବିପଦକୁ ଡାକିଆଣେ ? "ଆତ୍ମାନଂ ସତତଂ ରକ୍ଷେତ୍ " ଏହି ନୀତିବାକ୍ୟଟା ସମସ୍ତଙ୍କୁ ଜଣା ।
ବୁଢ଼ା ହଳିଆ ମୁକୁନ୍ଦା ଲଣ୍ତଭଣ୍ତ ହୋଇ ଦୁଇଟା ଅଣ୍ତିରା, ଚାରି ଛ'ଟା ପହ୍ଲାଣ ସଜ ବିକିଦେଇ ଖଣ୍ତେ ଡୋଲି ଧରି ତରବର ହୋଇ କଟକ ଧାଇଁଲା ।