ଛମାଣ ଆଠଗୁଣ୍ଠ/ବାବାଜୀ ଲଳିତା ଦାସ

ଉଇକିପାଠାଗାର‌ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
କର୍ମଫଳ


ବାବାଜୀ ଲଳିତା ଦାସ :

ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡିଛି । ହାଟ-ବାଟ, ଗାଧୁଆ ତୁଠ, ହାଣ୍ତିଶାଳ, ଢ଼େଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା । କେଉଁଠାରେ ତୁନିତୁନି କଥା ଚାଲିଛି, କେହି ପାଟିକରି କହୁଛି, କେହିଜଣେ କୁହାଳିଆ ହାତ ହଲାଇ, ମୁଣ୍ତ ହଲାଇ କଥା ମେଲିଛି, ପାଞ୍ଚଜଣ ବସି ଥିର ମନରେ ଶୁଣୁଛନ୍ତି । କଥାଟା ତ ନାନା ରୂପ ଧାରଣ କରି ଚାଲିଛି, ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ ।

ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡ଼ା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲଥୁକୁଲ, ମୁଣ୍ତଟି ଲଣ୍ତା, ମଝିରେ ତରଭୁଜ ଡେମ୍ପ ପରି ଚୂରକି, ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା ବସିଛି । ବାବାଜୀ ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି ନାସା ଅର୍ଦ୍ଦରୁ କେଶ ପର୍ଯ୍ୟନ୍ତ ଚିତା ଆଉ ଡେଡ୍ ଲେଟର ଅଫିସରୁ ବେରିଂ ଚିଠି ବାହୁଡ଼ିଲାପରି ସର୍ବାଙ୍ଗରେ ଛାପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି । ପରିଧାନ କୌପୀନ; ତାହା ଉପରେ ବହିର୍ବାସ, ପିଠିରେ ନାମାବଳୀ, ହାତରେ ଝୁଲି । ବାବାଜୀ ଗ୍ରାମରେ ବୁଲି ଲୋକମାନଙ୍କୁ ହରିନାମ ଶୁଣାନ୍ତି, ସନ୍ଧ୍ୟା ସମୟରେ ଖଞ୍ଜଣୀ ବଜାଇ କୀର୍ତ୍ତନ ଗାନ୍ତି, ତହିଁ ଉତ୍ତାରେ ଚୈତନ୍ୟ ଭାଗବତ ପାଠ । ସନ୍ଧ୍ୟା ସମୟରେ ଭାଗବତଘରେ ଭାରି ବୈଠକ ହୁଏ ଗ୍ରାମର ବୁଢ଼ା ଭଳିଆ ଦଶ ବାରଜଣ ତନ୍ତୀ ଭେକ ନେବାର କଥା ହେଲାଣି । ବାବାଜୀଟି ଭାରି ନିର୍ଲୋଭ, କହି କିଛି ଦେଲେ "ହରେ କୃଷ୍ଣ, ହରେ କୃଷ୍ଣ" କହନ୍ତି । ଏପରି ସାଧୁ କେବେ କାହିଁ ଦେଖା ନାହିଁ । ଆଜକୁ ଦୁଇଦିନ ହେଲା ବାବାଜୀ କାହିଁ ଅନ୍ତର୍ଦ୍ଧାନ ହୋଇଗଲାଣି, ସାଙ୍ଗେ ସାଙ୍ଗେ ମଙ୍ଗରାଜଙ୍କ ଉଆସରେ ମରୁଆକୁ ଖୋଜା ପଡ଼ିଛି । କେହି କେହି କହିନ୍ତି, ସେ ବାବାଜୀ ସାଙ୍ଗରେ ବୃନ୍ଦାବନ ଧାମକୁ ଚାଲିଗଲା । ବାସ୍ତବରେ ସେ ଯଦି ସାଧୁ ସହବାସରେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରି ଯାଇଥାଏ, ତେବେ ଆମ୍ଭେମାନେ କାହାର ଚରିତ୍ର ବିପକ୍ଷରେ କୌଣସି ମନ୍ତବ୍ୟ ପ୍ରକାଶ କରିବାଦ୍ୱାରା ସାଧୁ ଏବଂ ସାଧ୍ୱୀଙ୍କର ନିନ୍ଦାଜନିତ ମହାପାତକ ଅର୍ଜନ କରିବାକୁ ଅନିଚ୍ଛୁକ । କେବଳ ଗୋଟାଏ କଥା ଶୁଣିବାବେଳୁଁ ମନଟା କିପରି ଗୁଡ଼େଇପୁଡ଼େଇ ହେଉଛି । ମରୁଆ ସାନ ବୋହୂଙ୍କର ଭାରି ବିଶ୍ୱାସୀ ଥିଲା, ସବୁବେଳେ ତାଙ୍କରି ପାଖରେ ଥାଏ । ମରୁଆ ସହିତ ସାନବୋହୂଙ୍କ ବାକ୍‌ସରେ ଥିବା ଅଳଙ୍କାରଗୁଡ଼ିକ ମଧ୍ୟ ମିଳୁନାହିଁ, ବାପଘରୁ ଏବଂ ଶାଶୁଘରୁ ବିଭା ସମୟରେ ମୁହଁଚାହାଁଣି ନଗଦ ଟଙ୍କା ପାଇଥିଲେ, ତାହା ମଧ୍ୟ ବାକ୍‌ସରେ ଥିଲା । ବାକ୍‌ସ ମେଲା ହୋଇ ପଡ଼ିଛି - ପଦାର୍ଥ କିଛି ନାହିଁ । ସମସ୍ତେ ମାଲ ସହିତ ମରୁଆର ସମ୍ପର୍କ ରଖି କଥା କହୁଛନ୍ତି । ସାନ ବୋହୂତ ସାଫ୍ ଡକା ପାଡୁଛନ୍ତି । ସମସ୍ତେ ଡକା ପଡ଼ି ତୁନି ହେଲେ, ମରୁଆକୁ ଖୋଜିବାକୁ କିଏ ଯାଉଛି ? ଯେଉଁ ଦୁଆରେ ଦିନ ନାହିଁ, ରାତି ନାହିଁ, ଲୋକେ ଯିବାଆସିବା ଗହଳି ଲାଗିଥିଲା, ସେ ଦୁଆରେ ଦୁବ ମାଡ଼ିଗଲାଣି ।

ସାରକଥା କେତୋଟା ମାସ ମଧ୍ୟରେ ସମ୍ପତ୍ତି, ଗୌରବ, ଆଧିପତ୍ୟ ସବୁ ଛାରଖାର ହୋଇଗଲାଣି । <poem> "ନିର୍ଜଗାମ ଯଦା ଲକ୍ଷ୍ମୀ ଗଜଭୁକ୍ତକପିତ୍ ଥବତ୍ ।"