ଛମାଣ ଆଠଗୁଣ୍ଠ/ମଙ୍ଗରାଜ ଘରର ହାଲଚାଲ

ଉଇକିପାଠାଗାର ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ମଙ୍ଗରାଜ ଘରର ହାଲଚାଲ

ପଞ୍ଚବିଂଶ ପରିଚ୍ଛେଦ

ମଙ୍ଗରାଜ ଘରର ହାଲଚାଲ :

ଛ ଅମାଣ ଆଠଗୁଣ୍ଠ କ'ର? କଥିତ ଅଛି, ପୃଥିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରି ଦିଏ । ଆଲ୍ଲାଉଦ୍ଦୀନ୍‌ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ୱଲ୍ୟମାନ ପ୍ରମାଣ; ମାତ୍ର ସେହି ମଣି ଆମ୍ଭମାନଙ୍କ ପୂଜନୀୟ ମହାମାନ୍ୟା ପ୍ରତ୍ୟକ୍ଷ କମଳାସ୍ୱରୂପା ଶ୍ୱେତଦ୍ୱୀପ ବାସିନୀ ଭାରତେଶ୍ୱରୀଙ୍କ ଶିରୋଭୂଷଣ ହେବା ଦିନଠାରୁ ଇଂଲଣ୍ତର ମହିମା ଦିନକୁ ଦିନ ପୃଥିବୀ ବ୍ୟାପୁଅଛି । ଅନ୍ୟର ପ୍ରାଣନାଶକାରି ବିଷ ଦେବାଧିଦେବ ଉମାପତିଙ୍କ କଣ୍ଠସ୍ଥ ହୋଇ ତାଙ୍କର ମହାଦେବତ୍ୱ ପ୍ରକାଶ କରୁଅଛି । ସାର କଥା ଉପଯୁକ୍ତ ଦ୍ରବ୍ୟ ଉପଯୁକ୍ତ ସ୍ଥାନରେ ନ୍ୟସ୍ତ ହେଲେ ଜଞ୍ଜାଳର କାରଣ ହୁଏ ନାହିଁ । ତେଡ଼େ ବଡ଼ କଥା ଛାଡ଼ିଦିଅ, ନିହାତି ସାନରୁ ସାନ ଆମ୍ଭମାନଙ୍କ 'ଛମାଣ ଆଠଗୁଣ୍ଠ' କଥା ଦେଖ । ଲୋକମାନେ କହନ୍ତି, "ଗୋବିନ୍ଦପୁର ଗାଁ ତଳଚକ ଛମାଣ ଆଠଗୁଣ୍ଠ ଜମି ପରି କଳିନ୍ଦି ଆଉ ନାହିଁ, ମାତ୍ର ଜମିଟା ଘରବୁଡ଼ା । ବାଘସିଂହ ବଂଶଟା ଲଣ୍ତଭଣ୍ତ ହୋଇଗଲା । ସାରିଆ ତ ଧନ-ପ୍ରାଣରେ ଗଲା, ମଙ୍ଗରାଜ ବଂଶ କଥା ତ ଦାଣ୍ତରେ ପଡ଼ିଛି । ଜମିଟା ନେବାର ଛ ମାସ ଛ ପକ୍ଷ ଯାଇ ନାହିଁ, ଦଶଟା ଦେଖ ।"

ମଙ୍ଗରାଜ କଟକ ଯିବାର ଚତୁର୍ଥ ଦିନ ସକାଳେ ଦେଖାଗଲା, ଗନ୍ତାଘର ଚାରିଜାଗା ଆଣ୍ଠିଏ ଖୋଳା । ସେହିଦିନ ସକାଳୁ ଗୋବିନ୍ଦା ଆଉ ଚମ୍ପା ଉଆସ ମଧ୍ୟରେ ଦିଶୁ ନାହାନ୍ତି, ସେ ଦୁଇ ଜଣ ଆଗଲି ପିଛିଲି ହୋଇ କଟକ ଦାଣ୍ତ ପଦ୍ମପୁର ଗହୀରରେ ଯାଉଥିବାର ଲୋକେ ଦେଖିଆସି ଗ୍ରାମରେ କହିଲେ । ପୁଅମାନେ ବାପ ଭୟରେ ଶଙ୍କି ରହିଥିଲା, ଏତେବେଳେ ପୋବାର ପଡ଼ିଯାଇଅଛି । ବଡ଼ପୁଅଙ୍କର ଆଗରୁ କିଛି ବାତୁଳ ଛିଟା ଥିଲା, ବର୍ତ୍ତମାନ ଦିନ ରାତି ଗଞ୍ଜେଇ ଭିଡ଼ି ଭିଡ଼ି ସଫା ବାୟା ହୋଇଗଲେଣି । ମଝିଆଁ ଆଉ ସାନ ପୁଅଙ୍କର ନାକ ପୋଛିବାକୁ ତର ନାହିଁ, ମକର ସଂକ୍ରାନ୍ତି ମୁଣ୍ତଉପରେ, ଗୋବରା ଚଢ଼ାଇ ଧରିବାରେ ଲାଗିଅଛନ୍ତି, ଦିନ ରାତି ଧାନ ବିକା ଲାଗିଛି । ଆଜି ଗାଁରେ ଚହଳ ପଡ଼ିଛି, ମଙ୍ଗରାଜ ଘରଦ୍ୱାର ନିଲାମ ହେବ । ବେଳ ଅନ୍ଦାଜ ଛ ଘଡ଼ି, ପୋଲିସ ଜମାଦାର, ବରକନ୍ଦାଜ ଛାଟିଆ ଏଇ ଆଠ ଦଶ ଜଣ ମଙ୍ଗରାଜଙ୍କ ଉଆସ ଦୁଆରେ ଉପସ୍ଥିତ ହେଲେ । ଜଜ ସାହେବ ମଙ୍ଗରାଜଙ୍କୁ ହଜାରେ ଟଙ୍କା ଜୋରିମାନା କରିଥିଲେ, ଚଳନ୍ତି ସମ୍ପତ୍ତି ନିଲାମ ହୋଇ ଟଙ୍କା ଅସୁଲ ହେବ । ଜମାଦାର ଘରେ ପଶି ମାଲମତାଗୁଡ଼ିକ ବହିଆଣି ଦାଣ୍ତରେ ଜମା କରୁଅଛନ୍ତି । ବଣି ବସାରେ ଢେମଣା ପଶିଲାପରି ଭୁଆସୁଣୀଗୁଡ଼ାକ ଘରୁ ବାହାରିଯାଇ ଉଆସ ପଛ ତୋଟାରେ କାଉଳି ହେଉଛନ୍ତି । ପୁଅ କେହି ଘରେ ନାହାନ୍ତି । ଛାମୁକରଣ କଣ କହିବାକୁ ଯାଉଥିଲା, ଜମାଦାର ଆଖି ଦେଖାଇବାରୁ ତୁନି ହୋଇ ଗାଲରେ ହାତ ଦେଇ ପିଣ୍ତାରେ ବସିପଡ଼ିଅଛି । ମୁକୁନ୍ଦା ସମସ୍ତଙ୍କ କଥାରେ ହୋଇ ଆଜ୍ଞା, ହୋଇ ଆଜ୍ଞା କହି ଲଣ୍ତଭଣ୍ତ ହେଉଛି ।

ଦାଣ୍ତରେ ମାଲମତ ଗୁଡାକ ନିଲାମ ହେଲା । ନିଲାମ ତ ନିଲାମ ଦି'ପାଣିଆ ବଳଦ ହଳକର ଦାମ୍ ସାଢ଼େ ଚାରି କି ପାଞ୍ଚ କେବେ କିଏ ଶୁଣିଥିଲା ? ଦୁହାଁଳ ଗାଈଗୁଡାକ ଟଙ୍କାଏ ଟଙ୍କାଏ, ଦି'ବରଷିଆ ଛଡ଼ା ସାଙ୍ଗେ ସାଙ୍ଗେ । ପ୍ରଥମେ ପ୍ରଥମେ ନିଜ ଗାଁ ଲୋକ ନିଲାମ ଡାକୁ ନ ଥିଲେ, ଦାମ୍ ଦେଖି ପଛନ୍ତେ ଗୋଟାକ ଉପରେ ଗୋଟାଏ ପଡ଼ିଲେ । ଜମାଦାର ତ ନିଲାମ କରି ଟଙ୍କା ଘେନିଗଲା, ବାକି ଯେ ଗାଈ -ବଳଦଗୁଡ଼ାକ, ଥିଲେ ଏ ବିଲ, ସେ ବିଲ, ଏ ଦାଣ୍ତ ସେ ଦାଣ୍ତ, ଲଣ୍ତଭଣ୍ତ ହେଉଛନ୍ତି, ଆୟତିବାକୁ କେହି ନାହିଁ, ବଙ୍ଗଳା ଗୋଆଲା ଗୋଠରେ କେତେ ଗଲେଣି, କେତେ ବଣା ହୋଇ ଆଉ ଆଉ ଗ୍ରାମରେ ଉଠୁଅଛନ୍ତି । ହଳିଆମାନେ ଦୁଇ ଦୁଇ ବରଷର ବରତନ ପାଇ ନ ଥିଲେ, ଶୁଣାଯାଏ ତୋଟା, ନଡ଼ିଆ ବଗିଚା, ଗୋରୁଗାଈରୁ ସେମାନେ ଅସୁଲ କରି ନେଉଛନ୍ତି ।

ତୁଳ ଅଧାଅଧି ହେଲାଣି, ଆଶୁଧାନ ଶୁକ୍ରବାର ହୋଇନାହିଁ, ପାଣ ହଳିଆଗୁଡ଼ାକ ପଳାଇଗଲେଣି, ଖାଲି ପଳେଇବା ନୁହେଁ, ଗୋରୁ ଲାଙ୍ଗୁଡ଼ ଧରି ପାର ।

ଗାଁର ତିଳପରି କଥାଟା ହାଟରେ ତାଳପରି ଫୁଲିଯାଏ, ସେ କଥାଟା ଏକା ସତ । ଚାରିଆଡ଼େ କଥା ବାଜିଛି, ଜଜସାହେବ ମଙ୍ଗରାଜେଙ୍କ ହାତରୁ ତାଲୁକ ଛଡ଼ାଇନେଇ ଜଣେ ଓକିଲକୁ ଦେଲେ । ସେ ଓକିଲ ଆସନ୍ତା ମକର ସଂକ୍ରାନ୍ତି ଦିନ ଦୁଇଶ ପାଇକ ଘେନି ପାଞ୍ଚଟା ଘୋଡ଼ା, ଦୁଇଟା ସବାରିରେ ଚଢ଼ି ଗାଁ ଦଖଲ କରିବାକୁ ଆସିବ । ପ୍ରଜାମାନେ ଶୁଣି କହିଲେ, "ଘୋଡ଼ାରେ ତୋତେ ଚୋର ନେବ, ନା ସେଠି ଦାନାପାଣି ଏଠି ଦାନାପାଣି । ଯେ ରାଜା ହେବ, ତା'ର ପ୍ରଜା ହେବୁଁ, ଆପଣା ଗଣ୍ତାକ କିଏ ଛାଡ଼ିବ ?" ମାତ୍ର ଦୁଶ୍‌ମନ୍ ପକ୍ଷିଆ ଲୋକମାନେ ଭାରିଖୁସି । ଆପଣା ଅସୁଲ ତ ଥାଉ, ଡରରେ ଲାଜରେ ମଙ୍ଗରାଜଙ୍କ ପାଇକ ଗାଁରେ ଛିଡ଼ାହୋଇପାରୁ ନାହାନ୍ତି । ବେଗଡ଼ା ଲୋକେ ପାଇକମାନଙ୍କୁ ଦେଖିଲେ ଗଛ ପତ୍ରକୁ ଲଗାଇ ଦୁଇପଦ କଥା ଶୁଣାଇଦିଅନ୍ତି ।