ଛମାଣ ଆଠଗୁଣ୍ଠ/ଗାଁ ହାଲଚାଲ

ଉଇକିପାଠାଗାର‌ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ଗାଁ ହାଲଚାଲ


ଗାଁ ହାଲଚାଲ :

ତାଲୁକେ ଫତେପୁର ସରଷଣ୍ତ ଗୋଟାଏ ଭାରି ବଡ଼ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢ଼େଇ ପଟ । ଫାଉ ଫଉରାତ୍ ଛାଡ଼ିଦିଅ । ଏଥିରେ ପାଞ୍ଚଗୋଟି ମୌଜା --ମୌଚା ରାମଙ୍ଗ, ବାଲିଆ ହାଣ୍ତିଖାଇ ସଉତୁଣିଆ ଓ ଗୋବିନ୍ଦପୁର । ଗୋବିନ୍ଦପୁର ସବୁଠାରୁ ବଡ଼, ଊଣା ଅଧିକରେ ପାଞ୍ଚଶ ଘର ବସ୍ତି ସବୁ ଜାତିର ଲୋକ ଅଛନ୍ତି, ଗୋଟାଏ ଦୋକାନ ଅଛି, ସେ ଦୋକାନରେ ସବୁ ଜିନିଷ ମିଳେ - ଡାଲି, ଚାଉଳ, ଧୂଆଁ ପତ୍ର, ଲୁଣ, ତେଲ ଯାହା ଖୋଜ ପାଇବ; ଦୁଇ ଚାରି ପଇସାର ଘିଅ ଖୋଜିଲେ ମଧ୍ୟ ମିଳିପାରେ । ଦୋକାନୀର ତିନି ପୁରୁଷରୁ ଦଶମୂଳ ସାଇତା ଅଛି । ଦୁଇ ତିନି କୋଶରୁ ବୈଦ୍ୟମାନଙ୍କର ଡାବ ଆସେ । ଗ୍ରାମଟି ଲମ୍ବାଲମ୍ବି; କିନ୍ତୁ ସିଧାସଳଖ ନୁହେଁ; ଆଠଟଙ୍କିଆ । ଅସୁରଦୀଘିର ଉତ୍ତର ଆଉ ପଶ୍ଚିମଆଡ଼ିର ଅଧେ ମାଡ଼ିବସିଅଛି । ମଝିରେ ଗୋହିରୀ; ଦୁଇ ମାହାଲା ଘର, ମଝି ଗୋହିରୀଟା ଖୁବ୍ ଓସାରିଆ ହେଲେ ମଧ୍ୟ ଯିବାଆସିବା ବାଟ ଦଶ ବାର ହାତରୁ ବେଶି ନୁହେଁ । ବାଟ ଦୁଇପାଖ ସମସ୍ତଙ୍କ ଦୁଆର ଆଗରେ ଖତଗାଡ଼, ଖଣ୍ତେ ଖଣ୍ତେ ଖାଲି ଜାଗା ଅଛି, ସକାଳେ ସେଠାରେ ଗାଈ ବଳଦ ବନ୍ଧା ହୁଅନ୍ତି । ସ୍ଥାନେ ସ୍ଥାନେ ଖଣ୍ତେ ଖଣ୍ତେ ଶଗଡ଼ ଥୁଆ ହୋଇଛି । ଗୋହିରୀରୁ ସମସ୍ତଙ୍କ ଦୁଆରକୁ ଯିବାପାଇଁ ଅଲଗା ଅଲଗା ବାଟ ଅଛି । ଗ୍ରାମଟି ତିନି ଭାଗରେ ବିଭକ୍ତ - ସାଆନ୍ତ ସାଇ, ତନ୍ତୀ ସାଇ, ବ୍ରାହ୍ମଣ ସାଇ ।

ସାଆନ୍ତ ସାଇରେ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜଙ୍କ ଘର; ଏଥିପାଇଁ ଖୁବ୍ ଡାକ । ରାତି ଛ'ଘଡ଼ି ପର୍ଯ୍ୟନ୍ତ କଚେରୀ ଜାରୀ । ଦୋକାନଟା ମଧ୍ୟ ଏଇ ସାଇରେ । ରାତି ପ୍ରହରକ ସରିକି ଆଉ ସବୁ ସାଇ ତୁନିତାନ । ବ୍ରାହ୍ମଣସାହିର ପ୍ରକୃତ ନାମ ଶାସନ । ଶାସନ ଭାଗ ପାଞ୍ଚଶ ଗୋଟା ପୁଅଭାୟା ବାସ୍ତରୀ ଘର । ଶାସନ ଗୋହିରୀ ଦୁଇ ପାଖରେ ଦେଢ଼ଶ ଅନ୍ଦାଜ ନଡ଼ିଆ ଗଛ; ମୁଣ୍ତରେ ବଡ଼ ପିଣ୍ତିବନ୍ଧା ଅଛି, ସେଠାରେ ବଳଦେବ ପୂଜା ହୁଏ । ପିଣ୍ତିଠାରୁ ଦଶ ପନ୍ଦର ହାତ ଛାଡ଼ି କେତେଗୁଡ଼ିଏ ଗଜାଭଳିଆ ନଡ଼ିଆ ଗଛ, ମୂଳ ସଫାସୁତୁରା । ସେଇଟା ଗୋସାଇଁ ମାନଙ୍କ ବୈଠକଜାଗା । ନାସସୁଙ୍ଗା, ଭାଙ୍ଗ ଘୋଟା, ଯଜମାନ ଘର କଥା, ଅରଜନ କଥା ଇତ୍ୟାଦି କଥାମାନ ସେହିଠାରେ ସମାଧାନ ହୁଏ । ଦିନେ ଦିନେ ସେଠାରେ ବଡ଼ ଗୋଳମାଳ ହୁଏ; ସେଦିନ ଯଜମାନ ଘରୁ ମିଳିଥିବା ଶ୍ରାଦ୍ଧ ଚାଉଳ ବା ସଭ୍ୟ ମାନ୍ୟ ଦକ୍ଷିଣା ବାଣ୍ଟ ହେଉଥିବାରୁ ସହଜରେ ଜଣା ପଡ଼ିଯାଏ । ସେ କଳି ଶୁଣି ଲୋକମାନେ କହନ୍ତି, "ବ୍ରାହ୍ମଣ ଗୁଡ଼ାକ ଚାଉଳ ମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି ।" ମାତ୍ର ଲୋକମାନଙ୍କର ଏପରି କଥାଟା ଆମ୍ଭମାନଙ୍କୁ କିଛି ସୁଖ ଲାଗେ ନାହିଁ । ତାହାର କାରଣ, ଏମାନେ ନିପଟ ମୂର୍ଖ, ଗତରକୁଢ଼ି, ବ୍ରାହ୍ମଣ କର୍ମହୀନ ହେଲେ ମଧ୍ୟ ଛତିଶ ବର୍ଣ୍ଣର ରଜା ତ! ଏମାନଙ୍କୁ କୁକୁର ସଙ୍ଗେ ତୁଳିବା କେତେବେଳେ ହେଲେ ଉଚିତ୍ ନୁହେଁ । ଉପମାଟା ମଧ୍ୟ ଭଲ ହେଲା ନାହିଁ, କାରଣ ପ୍ରେତ ଉଦ୍ଦେଶ୍ୟରେ ଉତ୍ସୁଷ୍ଟ ଓଦା ଚାଉଳ ସକାଶେ ବ୍ରାହ୍ମଣ ମାନଙ୍କ କଳି ଆଉ କୁକୁରଙ୍କ କଳି ଅଇଁଠାଭାତ ସକାଶେ । ଦେଖନ୍ତୁ, ପ୍ରେତ ଉଚ୍ଛିଷ୍ଟ ଆଉ ମନୁଷ୍ୟ ଉଚ୍ଛିଷ୍ଟ, ଓଦା ଚାଉଳ ସିଝାଚାଉଳ କଥାଟା କେତେ ଛାଡ଼ିଲା । ଆଉ କୁକୁରମାନେ କାମୁଡ଼ା କାମୁଡ଼ି ଲଗାନ୍ତି; ବ୍ରାହ୍ମଣମାନେ ବାଡ଼ିଆବାଡ଼େଇ ହୁଅନ୍ତି ସିନା, ଗୋଟାଏ ବ୍ରାହ୍ମଣ ଆଉ ଗୋଟାକୁ କାମୁଡ଼ିବାର ବା ରାମ୍ପୁଡ଼ିବାର ତ ଦେଖାନାହିଁ । ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକବେଳେ ଗୋସେଇଁମାନେ ଚିତା ପଇତା ହୋଇ ପଲ ପଲ ବାହାରିଲେ କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି ।

ପାଣିଗ୍ରାହୀ ଭାଗବାଚିକା ମିଶି ଶାସନ ଭାଗ ଜମି ପାଞ୍ଚଶ ମାଣ । ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦାଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର ତମ୍ବାପାତିଆ ସନନ୍ଦ ଦେଇଅଛନ୍ତି । ତ୍ରିକାଳ ବୋଇଲେ ଭୂତ, ଭବିଷ୍ୟତ, ବର୍ତ୍ତମାନ । ଭୂତ କଥା ଭୂତଙ୍କୁ ଜଣା, ଭବିଷ୍ୟତ କଥା କୌଣସି ମନୁଷ୍ୟ ଜାଣନ୍ତି ନାହିଁ, ବର୍ତ୍ତମାନ କଥା ଆମ୍ଭେମାନେ ଜାଣୁଁ । ଗୋରୁ ଗାଈ ଖୋଜିଆଣି ବାନ୍ଧିବା, ଗୁହାଳରେ ଧୂଆଁ ଦେବା, ହଳିଆକୁ ପଖାଳପାଣି ଦେବାରେ ସନ୍ଧ୍ୟାବେଳଟା ଗଡ଼ିଯାଏ, ଭୂମିଦାତାଙ୍କୁ ଆର୍ଶୀବାଦ କରିବେ କେତେବେଳେ ? କଥା ପଡିବାରୁ ଦିନେ ଭୋବନି ବାହିନୀ ପତି କହିବସିଲେ, "ଆମ୍ଭର ଭୂମି କାହିଁ ହେ, ସନ୍ଧ୍ୟାରେ ଆଶିର୍ବାଦ କରିବୁ ?" କଥାଟା ମଧ୍ୟ ନିହାତି ମିଛ ନୁହେଁ । ଶାସନ ଭାଗ ପାଞ୍ଚଶ ମାଣ ମଧ୍ୟରୁ ଦଶ ବର୍ଷ ଭିତରେ ଚାରିଶ ମାଣ ବିକା ଭଙ୍ଗା ସରିଲାଣି । ବାକି ଯେ କେତେ ମାଣ ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି । 'ଗୋ ବ୍ରାହ୍ମଣ ହିତାୟ ଚ' ମଙ୍ଗରାଜଙ୍ଗର ଭାରି ଯତ୍ନ । ବୁଲା ଗୋରୁଗୁଡ଼ିକ ମଙ୍ଗରାଜେ ସାବଧାନ କରି ଆପଣା ଗୋଠରେ ରଖନ୍ତି, କେହି ପାଣ ଏପରି ନା ଉଆରସୀ ଗୋରୁ ଆଣି ବକ୍‌ସିସ୍ ରୂପ କିଛି କିଛି ନେବାର ସଚରାଚର ଦାଖାଯାଏ । ବଳଦ ଛାଡ଼ି କେବଳ ଗାଈ ସଂଖ୍ୟା ତିନିଶହରୁ ଟପିଲାଣି । ଗୋମାତା ବାର ଜାଗାରେ ବୁଲି କଷ୍ଟ ପାଇବେ, ସେଥିସକାଶେ ସମ୍ଭାଳିଛନ୍ତି, ନିହାତି ବଳିପଡ଼ିଲେ ବର୍ଷକୁ ବର୍ଷ ପଠାଣ ଗୋଆଲାଙ୍କୁ ଅଧାଅଧି ଦେବାକୁ ପଡ଼େ । ସେପରି ବ୍ରାହ୍ମଣମାନଙ୍କ ଜମିଗୁଡ଼ିକ କିଣିନେଇଛନ୍ତି, ସମ୍ଭାଳି ରଖିଛନ୍ତି । ଗୋସାଇଁମାନେ ଜମି ନ ବିକି କ'ଣ କରିବେ । ଏକ ବ୍ରାହ୍ମଣିଆ ଚାଷ, ତାହା ବାଦ୍ ଚୋରଗୁଡ଼ାକ ବାଛି ବାଛି ବ୍ରାହ୍ମଣ ଜମିର ଧାନ ଚୋରି କଲେ । ମଙ୍ଗରାଜଙ୍କୁ କିଛି ଜମି ବିକିଦେଲେ ଚୋରମାନେ ଡରରେ ପାଖ ପଶିପାରନ୍ତି ନାହିଁ । ଆଉ ମଙ୍ଗରାଜେ ପାଞ୍ଚ ପାଞ୍ଚ ଟଙ୍କାରେ ପାଞ୍ଚମାଣ ଜମି କିଣିଲେ ବୋଲି କେହିକେହି କହନ୍ତି । ଏକଥାଟା ସେମାନଙ୍କର ବୁଝିବା ଭୁଲ । ଆଛା, ତୁମ୍ଭେ ଭରଣେ ବୁଣିଲେ ପାଞ୍ଚଭରଣ କାଟ ତ? ମଙ୍ଗରାଜଙ୍କ ଟଙ୍କାଟା କି ବାଞ୍ଝ ? ସେଥିରେ କଣ କଳନ୍ତର ନାହିଁ ? ଶାସନ ମଝିରେ ଶିକବୁ ପଣ୍ତିତଙ୍କ ଘର । ଏହାଙ୍କ ଜେଜେ ବିକି ଖାଡ଼ଙ୍ଗା । ପୂରା ସାତପାଦ ବ୍ୟାକରଣ ମୁହେଁ ମୁହେଁ କହିଯାଉଥିବାର ପଣ୍ତିତଙ୍କ ଠାରୁ ଶୁଣାଯାଏ । ନୈଷଧାନ୍ତ ପାଠ ତାହାଙ୍କଠାରେ ଅଟକୁ ନଥିଲା । ପଣ୍ତିତଙ୍କ ନନା ବ୍ୟାକରଣ ଶଦ୍ଦ ଓ ସନ୍ଧିଗୁଡ଼ାକ କୋଇଲି - ଗୀତ ପରି ହାକିଯାଉଥିଲେ । ସେମାନଙ୍କ ପୋଥି ସବୁ ଖଟୁଲିରେ ସାଇତା ଅଛି । ପଣ୍ତିତେ ପ୍ରତିଦିନ ପୂଜା କରନ୍ତି । ଆପେ ପଣ୍ତିତେ ମଧ୍ୟ ଜଣେ ଟାଣ ପଣ୍ତିତ । ପୋଥିରୁ ଡୋରି ନ ଫିଟାଇ ପାଞ୍ଚ ବର୍ଗ ଅଭିଯାନ କରାଯାଇପାରନ୍ତି । ପଣ୍ତିତଙ୍କ ସାଆନ୍ତବାପାଙ୍କର ମଉଳା ପୁଅ ଭାଇଙ୍କର ଭିଣୋଇର ମାଉସୀପୁଅ ଭାଇ ନବଦ୍ୱୀପ ଯାଇ ନ୍ୟାୟଶାସ୍ତ୍ର ପଢ଼ି ଆସିଥିଲେ । ସାରକଥା, ଖାଡ଼ଙ୍ଗାବଂଶ ସକାଶେ ଶାସନର ବିଦ୍ୟା କେତେବେଳେ ଛାଡ଼ ନାହିଁ । ଏହାଙ୍କ ଦାଣ୍ତ ପିଣ୍ତାରେ ଚୌପାଢ଼ୀ, ଶାସନ ପିଲାମାନେ ଦୁଇଓଳି ପଢ଼ନ୍ତି, ଏକଚାଳିଶ କର୍ମ କର୍ମାଙ୍ଗ ଷୋଳ ପଣ ଏହିଠାରେ ପଢ଼ାହୁଏ । କେହି କେହି ପିଲା ବର୍ଗେ ଦୁଇ ବର୍ଗ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମଧ୍ୟ ଲାଭକରନ୍ତି ।

ପଶ୍ଚିମ ସାହାଲା ତନ୍ତୀ ସାହିରେ ତନ୍ତୀ ଦେଢ଼ଶ ଘର, ଏହି ସାହିର ଗୋହରୀଟା ସଫାସୁତୁରା, ଖତଗାଡ଼, ଗୋବରଗଦା କିଛିନାହିଁ ଆପଣ ମନେକଲେଣି, ଏଠାରେ ପାଞ୍ଚ ଆଇନ ଜାରି ଅଛି । ମିଉନିସିପାଲିଟିର ଶଗଡ଼ ଆସି ଅଳିଆ ସବୁ ଉଠାଇ ନେଇଯାଏ । ଆପଣଙ୍କୁ ସାବଧାନ କରିଦେଉଛୁଁ, ଆମ୍ଭମାନଙ୍କଠାରୁ ନ ଶୁଣି କୌଣସି କଥା ସିଦ୍ଧାନ୍ତ କରିପକାଇବେ ନାହିଁ । ଅନେକ ଅନୁସନ୍ଧାନ, ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ । ଆପଣ ମାନଙ୍କର ଏପରି ଭ୍ରମ ଅପନୋଦନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ, ନୋହିଲେ ପ୍ରୟୋଜନ କ"ଣ ? ପୁଣି ଏଣୁ ତେଣୁ ଗୁଡ଼ାଏ ଲେଖିପକାଇବା ଆମ୍ଭମାନଙ୍କ ଅଭ୍ୟାସର ବୀପରୀତ । ଆକଟ୍ୟ ପ୍ରମାଣ ନ ପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ରସଙ୍ଗତ ନୁହେଁ, ଏମାନଙ୍କ କଥାଗୁଡାକ ଆମ୍ଭେମାନେ ଶୁଣୁନାହୁଁ । ଯାହା ଲେଖିବୁ, ସେ କଥାଗୁଡ଼ିକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇ ଦେବୁଁ, ଆପଣଙ୍କର ପାଟି ଫିଟାଇବା ବାଟ ନଥିବ । ଦେଖନ୍ତୁ ପ୍ରମାଣ ପ୍ରୟୋଗ ନିମନ୍ତେ ନ୍ୟାୟଶାସ୍ତ୍ର କହନ୍ତି, "ପର୍ବତୋବହ୍ନିମାନ୍ ଧୂମାତ୍" ଅର୍ଥାତ୍ ପର୍ବତରୁ ଧୂଆଁ ବାହାରୁଛି କିପାଁ ? ନା, ଭିତରେ ନିଆଁ ଅଛି । ମହାନଦୀର ପାଣି ବଢ଼ିଆସୁଛି । ଦେଖିଲେ ଜାଣିବ, ଉପରେ ଭାରି ବର୍ଷା ହୋଇଗଲାଣି । କାର୍ଯ୍ୟକାରଣର ଗୋଟିଏ ଏମନ୍ତ ନିତ୍ୟ ସମ୍ବନ୍ଧ ଅଛି । 'ନ କାର୍ଯ୍ୟଂ କାରଣଂ ବିନା' କାରଣ ନ ଥିଲେ କାର୍ଯ୍ୟ ହୁଏ ନାହିଁ । ଏଠାରେ ନଦୀ ବୃଦ୍ଧିର କାରଣ ହେଲା ବୃଷ୍ଟି । ସେହିପରି ଆମ୍ଭେମାନେ ଅକାଟ୍ୟ ଯୁକ୍ତି ଦେଖାଇ ପ୍ରମାଣ କରିଦେଇପାରୁ ଗୋଚର ସହିତ ଗୋରୁର ନିତ୍ୟ ସମ୍ବନ୍ଧ ଅଛି । କାରଣ ଅଭାବ ହେଲେ କାର୍ଯ୍ୟର ଅଭାବ ହେବ, ଏ କଥା ଆପଣ ଅବଶ୍ୟ ସ୍ୱୀକାର କରିବେ ।

ସୁତରାଂ ତନ୍ତୀସାଇରେ ଗୋବରଗଦା ଅଭାବର କାରଣ ଗୋରୁର ଅଭାବ ଅର୍ଥାତ୍ ତନ୍ତୀ ସାଇରେ ଗୋରୁ ନାହିଁ ; ସୁତରାଂ ଗୋବର ନାହିଁ । ଆପଣମାନଙ୍କ ମନରେ ଆଉ ଗୋଟାଏ ଭାରି ଖଟ୍‌କା ଲାଗିପାରେ । ଗୋରୁଗୁଡ଼ାକ ବାଘ ଭାଲୁ ନୁହନ୍ତି ଯେ ବଣରେ ରହିବେ, ଏମାନେ ଗ୍ରାମ୍ୟ ପଶୁ, ଗ୍ରାମରେ ରହିବା ଏମାନଙ୍କର ସ୍ୱଭାବ । ଯେଉଁଠାରେ ପାଣି, ସେହିଠାରେ ମାଛ, ସେହିପରି ଗ୍ରାମରେ ଗ୍ରାମ୍ୟ ପଶୁ ଏଟା ଧରାବନ୍ଧା କଥା । ତନ୍ତୀସାଇ ଗୋଟିଏ ଗ୍ରାମ, ତେବେ ଗ୍ରାମ୍ୟ ପଶୁ ନାହାଁନ୍ତି କି ସକାଶେ? ଆମ୍ଭେମାନେ ପରମେଶ୍ୱରଙ୍କ ସୃଷ୍ଟି କୌଶଳରେ ଅନେକ ବ୍ୟଭିଚାର ଦେଖିବାକୁ ପାଉ, ହୁଏତ ତାହାଙ୍କର କାର୍ଯ୍ୟରେ ଗଫଲତି ନହୁଏ, ଢିଲା । ଦେଖନ୍ତୁ, ପଶୁ କହ, ପକ୍ଷୀ କହ, କୀଟ ବୋଲ, ପତଙ୍ଗ ବୋଲ, ସବୁ ଜାତିରେ ଅଣ୍ତିରା ମାଈ ଅଛନ୍ତି । ସେଥି ମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ ଦେଖାଯାଏ । ସେହିପରି ତନ୍ତୀସାହି ଗ୍ରାମ ହେଲେ ମଧ୍ୟ ଏଥିରେ ଗ୍ରାମ୍ୟ ପଶୁ କିହିଁ । ପଶୁ ସମ୍ବନ୍ଧରେ ଏଟା ହିଞ୍ଜଳ, ଅର୍ଥାତ୍ ଏଠାରେ ବନ୍ୟ ପଶୁ ବାଘ, ଭାଲୁ କିମ୍ବା ଗ୍ରାମ୍ୟ ପଶୁ ଗାଈ ଗୋରୁ କେହି ନାହାଁନ୍ତି । ତାହାର ମଧ୍ୟ କାରଣ ଥାଇପାରେ । କାରଣ ବିନା କାର୍ଯ୍ୟ ନାହିଁ, ଏହା ନ୍ୟାୟଶାସ୍ତ୍ରର ସୂତ୍ର ଅଟେ । ବ୍ୟାକରଣ ରଚକମାନେ ସୂତ୍ର ଠିକ୍ କରି ନପାରିଲେ ନିପାତନସିଦ୍ଧ ବୋଲି ଗୋଟିଏ କଥା କହି କାର୍ଯ୍ୟ ସାରିଦିଅନ୍ତି । ମାତ୍ର ଏହା ଏକ ପ୍ରକାର ଠକ ପଣିଆ । ତାହା ଆମ୍ଭମାନଙ୍କ ହାତରେ ହେବ ନାହିଁ । ସେକଥା ଥାଉ । ତନ୍ତୀସାଇରେ ଗୋରୁ କ୍ୟାଁ ନାହିଁ, ତାହାର କାରଣ ବୁଝନ୍ତୁ । ବାଇବେଲରେ ଲେଖାଅଛି 'ଜଣେ ସେବକ ଦୁଇଜଣ ସାଆନ୍ତଙ୍କର ସେବା କରିପାରେ ନାହିଁ ।' ସଚରାଚର ଦେଖାଯାଏ, ଶାସ୍ତ୍ରକାରମାନେ ଠିକେ ଠିକେ ଦୁଇ କଥା କହି କାର୍ଯ୍ୟ ସାରି ବସନ୍ତି । ଟୀକାକାର ନଥିଲେ ମୂଳଗ୍ରନ୍ଥ ବୁଝିବା ନିତାନ୍ତ କଠିନ । ମଲ୍ଲୀନାଥ, ମଥୁରାନାଥ, ଶ୍ରୀଧର ବାଖ୍ୟା କରିଦେଇ ନ ଥିଲେ ରଘୁବଂଶ ନ୍ୟାୟ, ଭାଗବତ ପରି ଗ୍ରନ୍ଥମାନ ଆଜିଯାଏ ଡୋରି ଭିଡ଼ାହୋଇ ପଡ଼ିଥାନ୍ତା, ସେହିପରି ଆମ୍ଭେମାନେ ବାଇବେଲର ବ୍ୟାଖ୍ୟା କରି ନ ଦେଲେ ବୁଝିବା ସହଜ ନୁହେଁ । ଆପଣ ନହୁଏ ଟାଣି ଟୁଣି ଏକପ୍ରକାର ପାଠ ଲଗାଇଯିବେ; ମାତ୍ର ସମସ୍ତଙ୍କ ହାତରେ ତ ସବୁ କଥା ହୁଏ ନାହିଁ । ବାଇବେଲ ସୂତ୍ରର ଅର୍ଥ ଏହି କି, ଜଣେ ମନୁଷ୍ୟ ଏକ ସମୟରେ ଦୁଇ କାର୍ଯ୍ୟ କରିପାରେ ନାହିଁ, ଅର୍ଥାତ୍ ଲୁଗାବୁଣାରେ ତନ୍ତୀ ମାନଙ୍କର ଦିନ ଯାଏ, ଚାଷ କରିବରକୁ ବେଳ ନାହିଁ ? ଚାଷ ଯଦି ନ କଲେ ବଳଦ ଦରକାର କଣ ? ବଳଦ ନ ଥିଲେ ଗୋବର କାହୁଁ ଆସିବ? ଗୋବର ଅଭାବରୁ ଖତଗଦା ନଥିବାରୁ ଦାଣ୍ତ ସଫା ।

ଆଜିକାଲି ଊଣାଇଶ ଶହ ସମ୍ବତ୍ସରେ ବିଜ୍ଞାନଶାସ୍ତ୍ରର ଖୁବ୍ ମର୍ଯ୍ୟାଦା; କାରଣ ଏହି ଶାସ୍ତ୍ର ସବୁ ଉନ୍ନତିର ମୂଳ ଅଟେ । ଦେଖନ୍ତୁ, ଇଂରେଜମାନେ କେଡ଼େ ଗୋରା ଆଉ ଓଡ଼ିଆ ମାନଙ୍କ ଦେହ କାଳିଆ । ସେଥିର କାରଣ, ସେମାନେ ବିଜ୍ଞାନ ଶାସ୍ତ୍ର ପଢ଼ିଅଛନ୍ତି; ଓଡ଼ିଆ ମାନେ ଜାଣନ୍ତି ନାହିଁ । ଆମ୍ଭେମାନେ ହାଲ ବିଜ୍ଞାନର ଚର୍ଚ୍ଚା ଆରମ୍ଭ କରିଅଛୁଁ । ବର୍ତ୍ତମାନ ପ୍ରସଙ୍ଗଟା ଆମ୍ଭେମାନେ ସେହି ଶାସ୍ତ୍ର ଅନୁସାରେ ପ୍ରମାଣ କରିଦେଇପାରୁଁ । ଆପଣ ପାଠରେ ମନ ଦେଉନ୍ତୁ, ବିଜ୍ଞାନଶାସ୍ତ୍ର ଯେ କେଡ଼େ ଠିକ୍, ତାହା ବୁଝିପାରିବେ । ଉକ୍ତ ଶାସ୍ତ୍ରର ସୂତ୍ର ଏକ-ଏକ ସ୍ଥାନରେ ଦୁଇ ଗୋଟି ବସ୍ତୁ ରହି ନପାରେ । ଆପଣଙ୍କ ଦୁଧ ପିଆ ଗିନାରେ ପାଣି ରହେ ତ ? ଏ କଥା ବୋଲିବେ, ସେଥିପାଇଁ ଭକ୍ତ ସୂତ୍ର ବ୍ୟାଖ୍ୟା ଆବଶ୍ୟକ, ଅର୍ଥାତ୍ ଗୋଟିଏ ସ୍ଥାନରେ ଏକ ସମୟରେ ଦୁଇଗୋଟି ପଦାର୍ଥ ରହି ନପାରେ । ଗିନାରେ ଦୁଧ ପୂର୍ଣ୍ଣ ଥିଲେ ଆଉ ପାଣି ରହି ପାରିବ ନାହିଁ । ଲୁଗାବୁଣା ସକାଶେ ବାହାର ଭିତର ଦୁଇ ଜାଗା ଦରକାର । ଘର ଭିତରେ ଲୁଗା ବୁଣାଯାଏ; ଲୁଣ୍ତି କାଟିବା, ତାଗୀ କରିବା ଇତ୍ୟାଦି କର୍ମ ବାହାରେ ହୁଏ । ସୁତରାଂ ତାସଣ ଜାଗାରେ ଗୋବରଗଦା ରହିବା ନିତାନ୍ତ ଅସମ୍ଭବ । ଆଉ ସ୍ତ୍ରୀ ପୁରୁଷ ମିଳିତ ନହେଲେ ଲୁଗା ପ୍ରସ୍ତୁତ ହୋଇପାରେ ନାହିଁ । ସୂତାରେ ତୋରାଣି ଦେବା, ନେଟଇ ବା ଚରଖିରେ ଚଢ଼ାଇବା, ନଳି ବଳିବା ଏସବୁ ତନ୍ତୀଆଣୀମାନଙ୍କର କାର୍ଯ୍ୟ । ଗାଈ ବଳଦ ଦାଣ୍ତରୁ ଖୋଜିଆଣି ବାନ୍ଧିବାକୁ ସେମାନଙ୍କର ବେଳ କାହିଁ ଇତ୍ୟାଦି ଆହୁରି ମଧ୍ୟ କାରଣ ଅଛି; ମାତ୍ର କଥା ବଢ଼େଇ ଲେଖିବା ଆମ୍ଭମାନଙ୍କର ଦେହରେ ଚଳେନାହିଁ, ସେଥିପାଇଁ ଠିକେ ଠିକେ ସବୁକଥା ଲେଖି ପକାଉଁ ।