ଛମାଣ ଆଠଗୁଣ୍ଠ/ଜମିଦାର ସେଖ୍ ଦିଲବାର୍ ମିଆଁ

ଉଇକିପାଠାଗାର ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ଜମିଦାର ସେଖ୍ ଦିଲବାର୍ ମିଆଁ

ଅଷ୍ଟମ ପରିଚ୍ଛେଦ

ଜମିଦାର ସେଖ୍ ଦିଲବାର୍ ମିଆଁ :

ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ସମସ୍ତେ ଆଲିମିଆଁ ବୋଲି ଡାକନ୍ତି, ଆମ୍ଭେମାନେ ସେହି ନାମ ଲେଖିବୁ । ଆଲିମିଆଁ ପ୍ରଥମେ ଯୋଡ଼ାର ସୌଦାଗର ଥିଲେ । ପଶ୍ଚିମ ହରିହର ଛତର ମେଳାରୁ ଘୋଡ଼ା କିଣିଆଣି ବଙ୍ଗଳା, ଓଡ଼ିଶାରେ ବିକ୍ରି କରିବା ତାଙ୍କର ବ୍ୟବସାୟ ଥିଲା । ମେଦିନୀପୁର ଜିଲ୍ଲାର ବଡ଼ ସାହେବକୁ ଗୋଟିଏ ଘୋଡ଼ାବିକି ଥିଲେ ସେ । ଘୋଡ଼ାଟି ଭଲ ପଡ଼ିବାରୁ ସାହେବ ମଉସୁଫ ଭାରି ଖୁସି ହୋଇ ମିଆଁଙ୍କ ବ୍ୟବସାୟ ଓ ରୋଜଗାର ବିଷୟରେ ଅନେକ କଥା ମେହରବାନି କରି ପଚାରିଲେ ଏବଂ ସୌଦାଗରରୁ ବିଶେଷ ଲାଭ ନ ଥିବାର ଶୁଣି ତାକୁ ଗୋଟିଏ ଚାକିର ଦେବାକୁ ଇଚ୍ଛାକରି ସେ (ଆଲିମିଆଁ) ଲେଖାପଢ଼ି ଜାଣନ୍ତି କି ନାହିଁ ପଚାରିଲେ । ମିଆଁ କହିଲେ, "ହଜୁର,ମୁଁ ପାରସି ଜାଣେ; କାଗଜ କଲମ ଦେଉନ୍ତୁ, ମୋ ନାମ ପୂରା ଲେଖିଦେବି । "ପୂର୍ବେ ପାର୍ସିବିଦ୍ୟାର ଭାରି ଆଦର ଥିଲା । ଅଦାଲତର ଚଳିତ ବିଦ୍ୟା ଥିଲା ପାର୍ସି । ଭାରତ ଭାଗ୍ୟରେ ବିଧାତା ଏହିପରି ଲେଖନ ମୁନ ମାରିଛନ୍ତି; କାଲି ଥିଲା ପାର୍ସି, ଆଜି ହେଲା ଇଂରାଜୀ, ଏ ଉତ୍ତାରେ କ'ଣ ତାଙ୍କୁ ଜଣା, ଏ କଥା ନିଶ୍ଚିତ, ଦେବନାଗରୀ କପାଳ ପଥରତଳେ । ଇଂରାଜୀ ପଣ୍ତିତମାନେ କହନ୍ତି, 'ସଂସ୍କୃତ ମୃତ ଭାଷା ।' ଆମ୍ଭେମାନେ ସେ କଥା ଆଉ ଟିକିଏ ସଫାକରି ବୋଲୁଅଛୁ , ଏହା ଦରମଲା ଲୋକଙ୍କ ଭାଷା । ସେ କଥା ଥାଉ, ସାହେବ ମଉସୁଫଙ୍କ ମେହରବାନିରୁ ମିଆଁ ସାହେବ ଗୋଟିଏ ଚାକିରି ପାଇଲେ, ସେ ଚାକିରର ନାମ ଥାନା ଦାରୋଗା ମିଆଁ ସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ ତିରିଶବର୍ଷ ପର୍ଯ୍ୟନ୍ତ ଚାକିରି କରି ଅନେକ ବିଷୟ ସମ୍ପତ୍ତି ଅର୍ଜନ କରିଯାଇଥିଲେ । ଘର, ବାଗବଗିଚା ଘର ଆସବାବମାନେ ଛାଡ଼ି ଜମିଦାରୀ ତାଲୁକା ଚାରିଗୋଟା । ପୂର୍ବେ ଓଡ଼ିଶା ଜମିଦାରୀ ସବୁ କଲିକତାରେ ନିଲାମ ହେଉଥିଲା । ମିଆଁ ଥରେ କଲିକତାକୁ ଗୋଟିଏ ଖୁଣିମାମଲା ଚଲାଣ ଘେନି ଯାଇ ତାଲୁକେ ଫତେପୁର ସରଷଣ୍ତ ନିଲାମରେ କିଣିଥିଲେ । ଆପଣମାନଙ୍କ ମନରେ ଆମ୍ଭମାନଙ୍କ କଥା ପ୍ରତି ସନ୍ଦେହ ହୋଇପାରେ । ଥାନା ଦରୋଗା ବର୍ତ୍ତମାନ ବେଙ୍ଗଲ ପୋଲିସରେ ଇନ୍‌ସପେକଟର ତ ? ଏତେ ଟଙ୍କା କାହିଁ ଅର୍ଜିଲା ? ମାତ୍ର ଆପଣ ଆଖିବୁଜି ପଢ଼ିଯାନ୍ତୁ, ଆମ୍ଭମାନଙ୍କ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ । ଏ କଥା ସମସ୍ତେ ଜାଣନ୍ତି, ଜଣେ ଦିପୋଟି ଗୋବିନ୍ଦ ପଣ୍ତା ବ୍ରାହ୍ମଣ ଗୋଟିଏ ମକଦ୍ଦମା ଡିଗ୍ରୀ କରିଦେବାରୁ ପଣ୍ତେ କଲ୍ୟାଣ କରି କହିଥିଲେ "ଦୋପତି ବାବୁ, ତମେ ଦାରୋଗା ହୁଏ ।" ଆପଣା କଥାଟାର ହାଲ ବୁଝିଲେ ତ ? ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯାନ୍ତି । କଲିକତାର ପ୍ରସିଦ୍ଧ ଧନୀ ମୋତିଶୀଳ ପ୍ରଥମେ ଖାଲି ବୋତଲ ବିକି କ୍ରୋଡ଼ପତି, ମୁଁ ପୁରା ବୋତଲ ବିକି କାଙ୍ଗାଳୀ । "ଆମ୍ଭମାନଙ୍କର ଭୟ, କୌଣସି ବି:ଏ: ଏମ୍:ଏ: ପାଶିଆ ବାବୁ ଆଲିମିଆଁଙ୍କ କଥା ଶୁଣି ଶୁଣ୍ତୀ ପର ବିଳାପ କରିବେ, ହାୟ, ହାୟ, ମିଆଁ ଓଲଟା କଲମରେ ତୁଚ୍ଛା ନାମଟା ଲେଖି ଜମିଦାର, ଆମକଭ ସଳଖ କଲମରେ ଲମ୍ବା ଲମ୍ବା ଏତେ ଲେଖି ଖାଇବାକୁ ପାଉନାହୁଁ । କଥାଟା କଣ ବାବୁ ଜଣନ୍ତି, "ଭାଗ୍ୟଫଳତି ସର୍ବତ୍ରାଣ ବିଦ୍ୟା ନ ଚ ପୌରୁଷଂ । "ଆଲିମିଆଁଙ୍କ ଗୋଟିଏ ମାତ୍ର ପୁତ୍ର, ନାମ ସେଖ୍ ଦିଲ୍‌କାର ମିଆଁ ଓରଫ ଛୋଟମିଆଁ । ପୁଅକୁ ଲାଏକ ଏବଂ ଇଲମଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲୟତି ନ ଥିଲା । ପାରସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ ନିଯୁକ୍ତି ଥିଲେ । ଛୋଟମିଆଁ ପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲକୁଲ ବର୍ଣ୍ଣମାଳା ଓ ବନାନ ଶିଖିପକାଇଥିଲେ । ଛୋଟା ମିଆଁଙ୍କର ବାଇଶ ବରଷ ପୁରିଲାଣି, ଏତେବେଳେ ଆଖୁଞ୍ଜୀ ଆଗରେ ବସି ଝୁଲି ଝୁଲି ପଢ଼ିଲେ ଲୋକେ କଣ ବୋଲିବେ ? ପୁଣି ଦୋସ୍ତମାନେ ଆସି ଅକାରଣେ ବସି ରହନ୍ତି, ସେମାନଙ୍କର କଷ୍ଟ ଦେଖିବା ମିଆଁଙ୍କ ବରଦାସ୍ତ ହେଉ ନଥିଲା । ବିଶେଷରେ ଆଖୁନଜୀ କେବେ କେବେ ବୋଲନ୍ତି "ନିଶା ଖାନେସେ ଆଦାମୀ ଜାନୁଆର ହୋ ଯାତା ହୈ । ଏ କଥା ନିହାଏତ୍ ବେବରଦାସ୍ତ ।

ଦିନେ ଓପରଓଳି ଆଖୁନଜୀ ସାହେବ ଖାନା ଖାଇ ଚିତ୍ ହୋଇ ଶୋଇଥିଲେ; କେଉଟମାନେ ଯେପରି ତାଗ କାଟିବା ସକାଶେ ଛଣପଟ ବିଡ଼ା ମେଲା ଦେଇଥାନ୍ତି, ସେହିପରି ବିଡ଼ାଏ ପାଚିଲା ଦାଢ଼ି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡ଼ାଇ ପକାଇଥିଲା । ଗୋଟିଏ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡି ପଡ୍ ପଡ୍ କରି ପୋଡ଼ି ଲାଗିଯିବାରୁ ଆଖୁନଜୀ ଧଡ଼ପଡ଼ ହୋଇ ଉଠିପଡି "ତୋବା ତୋବା" କହି ଦାଢ଼ି ଝାଡ଼ିବାକୁ ଲାଗିଲେ । ଟିକିଆଖଣ୍ତ ଭାଙ୍ଗି ନିଆଁ ଝୁଲସବୁ ଲୁଗାପଟାଯାକ ବୁଣିପଡ଼ିଲା । ପାଚିଲା ଦାଢ଼ି ଗୁଡାକ ଝରିବାଣପରି ଚାରିଆଡ଼େ ଉଡୁଥାଏ । "ଆ ମେରି ତୋବା ରେଆ ମେରି ତୋବାରେ" କହି ମିଆଁ ଘର ଯାକ ଡିଆଁ ମାରି ନିଆଁ ଲିଭାଉଥାନ୍ତି । ଲଙ୍କା ପୋଡ଼ିବାବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା, ମହର୍ଷି ବାଲ୍ମିକୀ ସେ କଥା ଖୋଲସା କରି ଲେଖିଯାଇ ନାହାନ୍ତି; ତେଣୁ ଆମ୍ଭମାନେ ଉପମା ଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁଁ 'ସର୍ବନାଶଂ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ତିତଃ ।' ଆଖୂନଜୀସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢ଼ି ଆୟତ୍ତପୂର୍ବକ "ବିସମିଲ୍ଲା ବିସମିଲ୍ଲା" କହି ସେଦିନ ରାତିରେ କବାଟ କିଳି ରହିଲେ ତହିଁଆରଦିନ ସକାଳଠାରୁ ତାଙ୍କୁ କେହି ମେଦିନୀପୁର ମଧ୍ୟରେ ଦେଖିନାହିଁ । ଆଲିମିଆଁଙ୍କ କାନରେ ଏକଥା ପଡ଼ିବାରୁ ସେ କହିଲେ "କୁଛ ପରବାୟ ନେହିଁ, ମେରି ଦିଲୁ ତ ଇଲମ ହାସଲ କରିନେଇଛି । ମୁଁ କେବଳ ମୋ ନାମ ଲେଖି ଜାଣେ, ଏତେ ଦୌଲତ କମାଇଲି । ମେରି ଦିଲୁ ତ ବହୁତ ଶିଖିଲାଣି । ସେ ଦିନ ମୋ ଆଗରେ ଇମତାନ୍ ଦେଲା, ଆପଣା ନାମ ଲେଖିଲା, କଲିକତା, ମେଦିନୀପୁର, ହାତୀ, ଘୋଡା, ବାଗ-ବଗିଚା କେତେ କଥା ଲେଖିଗଲା । ବଡ଼ ସାହେବ ଖବର ପାଇଲେ ଏଇଲାଗେ ତାକୁ ଦାରୋଗାଗିରି ଦେବେ; ମାତ୍ର ମୁଁ ଏକଥା ଲୁଚାଇଛି । ମୁଁ ଦିଲୁକୁ ଚାକିର କରିବାକୁ ଦେବି ନାହିଁ । ସେ ପିଲାଲୋକ, ଏତେ ମେହେନତ୍ ଉଠାଇପାରିବ ନାହିଁ । "ତାହା ବାଦ ଆଲିମିଆଁ ଲଡ୍କାକୁ ପାଖରେ ବସାଇ ବିଷୟକର୍ମ ଚଳାଇବା ବିଷୟରେ ଅନେକ ଉପଦେଶ ଦେଲେ । ବିଶେଷରେ ଓଡ଼ିଆ ଜମିଦାରୀ ବିଷୟରେ ବହୁତ ହୁସିଆରି ସକାଶେ ଉପଦେଶ ଦେଇ କହିଲେ,"ଦେଖ୍, ସେ ଦେଶର ଯେଉଁ ମହନ୍ତମାନେ ଅଛନ୍ତି, ସେମାନେ ବଡ଼ ଚୋର, ମୁଁ ହିସାବ-କିତାବରେ କୁବ୍ ମଜବୁତ ବୋଲି ମୋତେ ଠକାଇପାରନ୍ତି ନାହିଁ । ସେମାନଙ୍କ ଠକପଣିଆ ଶୁଣିବୁ ? ଏକ, ଦୁଇ, ତିନି ଆଉ ଚାରି ଏହି ଦୁନିଆର ହିସାବ; ମାତ୍ର ସେମାନଙ୍କ ହିସାବ କଣ ଜାଣ -ଏକକେ ଏକ, ଦୁଇକେ ଦୁଇ, ଦୁଣେ ଚାରି । ଦେଖ ଏକ,ଦୁଇ ଚାରି ହେଲା, ବିଚେମେ ତିନ୍ କାହା ଗେୟା ? ଏହି ତିନିରୂପେୟା ଚୋରୀ ଇତ୍ୟାଦି । ଜମିଦାର ବଂଶର ପରିଚୟ ନିମନ୍ତେ ଏତେ ଗୁଡ଼ାଏ କଥା ଲେଖିବାକୁ ହେଲା, ମାତ୍ର ଏହା ସବୁ ପୁରୁଣା କଥା । ଆଜକୁ ପାଞ୍ଚ ବର୍ଷ ହେଲା ଶେଖ୍ କେରାମତ ଆଲି ଫୌତ ହୋଇଗଲାଣି । ଛୋଟ ମିଆଁ ଓରଫ ଶେଖ ଦିଲଦାର ବର୍ତ୍ତମାନ ଖୋଦ୍ ମାଲିକ । ରାତି ଅନ୍ଦାଜ ଘଡ଼ିକ ଭିତରେ ଜମିଦାର ଶେଖ୍ ଦିଲ୍‌ଦାର ମିଆଁ କଚେରୀ ଘରେ ବସିଛନ୍ତି, ଘରଟା କୋଠା । ସେହିପରି ଛୋଟମୋଟିଆ କୋଠରୀ ନୁହେଁ । ଖୁବ୍ ଲମ୍ବାଚଉଡ଼ା କୋଠା । ଘରତଳେ ଗୋଟିଏ ବଡ଼ ଶତରଞ୍ଜି ବିଛଣା ହୋଇଅଛି । ସେଟା ହୁଏତ ବଡ଼ ପୁରୁଣା, ଦଶ କି ବାର ଜାଗାରେ ତେଳଢଳା ଦାଗ, ଟିକିଆପୋଡ଼ା ଜାଗା ପନ୍ଦର କି କୋଡ଼ିଏ ଧଡ଼ି ଚିରା । ସେହି ଶତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା କାନ୍ଥକୁ ଭିଡ଼ି ବଡ ଗୋଟାଏ ବନାରସୀ ତକିଆ, ଦୁଇପାଖର ଚକା ବୋଇତି କଖାରୁ ପରି ଦୁଇଗୋଟି ସାନ ବନାରସୀ ତକିଆ, ସେହି ବିଛଣାରେ ଖୋଦ୍ ଜମିଦାର ସେଖ୍ ଦିଲ୍‌ଦାର ମିଆଁ ବସିଛନ୍ତି । ପୋଷାକ କିନ୍‌ଖାପା, ଢିଲା, ପାଜୁମା, ସାଟିନ୍ ଚପ୍‌କନ ମୁଣ୍ତରେ ବନାରସୀ ଟୋପି, କାନରେ ଅତର ତୁଳାକାଠି, ଆଗରେ ରୂପା ଅତର ଦାନୀ, ଗୋଲାପଦାନୀ, ତା ପାଖରେ ବଡ଼ ଏକ ସାତ ହାତି ନଳଯୁକ୍ତ ଗୁଡ଼ଗୁଡ଼ି ହୁକା, ହୁକା ଉପରେ ସାନ ଆଟିକା ପରି ଚିଲମ, ତହିଁ ଉପରେ ସରପୋଷା ସେଥିରୁ ଚାରିକେରା ରୂପା ଶିକୁଳି ଝୁଲିଆସି ମାଟି ସ୍ପର୍ଶ କରିଅଛି । ମହାଦେବଙ୍କଠାରେ ରୋଗା ଧାରଣ ଦେଲାପରି ନଳଟା ମିଆଁଙ୍କ ପାଦ ସ୍ପର୍ଶକରି ପଡ଼ିଅଛି, ଆଜି ତାହାର ଆଦର ନାହିଁ । ଚକ୍ରନେମିକ୍ରମେଣ ମନୁଷ୍ୟମାନଙ୍କର ପରି ଅଚେତନ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ଛିଣ୍ତାଛାଞ୍ଚୁଣି, ଜଳପୂର୍ଣ୍ଣ ବଦ୍‌ନା, ଦୁଇ ଚାରିଟା ମଦକି ହୁକା, ଗୁଡ଼ାଖ ଗୁଲ ମଦତ ଓ ଗଞ୍ଜେଇ ପାଉଁଶ, ପିଆଜଚୋପା, ଛେଳିଲଣ୍ତି ଆବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡିଅଛି । ସବୁଠାରୁ ବେଶି ଭାଗ ପାନପିକ, ପାନସିଠା । ଆମ୍ଭେମାନେ ସ୍ୱକୀୟ ବୁଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଅଛୁଁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣୀ ବୁଲେ, ନୋହିଲେ କୋଣରେ ଏତେ ଅଳିଆ କାହୁଁ ଠୁଳ ହେଲା । ଘର ଉପର ଭଙ୍ଗା । କାର୍ଣ୍ଣିସ ମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରୀରେ ଆଇନ ପୋଥି ସଜାଡ଼ିଦେଇ ତକିଆରେ ଆଉଜି ଓ ମକେଲକୁ ଚାହିଁ ବସିଥାନ୍ତି, ବୁଢ଼ିଆଣୀମାନେ ସେହିପରି ଜାଲ ଟାଙ୍ଗୀ ମଶାଟି, ମାଛିଟିକୁ ଚାହିଁ ବସିଅଛନ୍ତି । କଡ଼ି ଫାଙ୍କମାନଙ୍କରେ ଘରଚଟିଆ ମାନଙ୍କର ମଜଲିସ୍ । ସେହି ମଜଲିସ୍‌ରୁ ବେଳେବେଳେ ଯାହା କୁଟାକେରାଏ, ଖଡ଼ିକାଖଣ୍ତେ ଖସୁଅଛି । ତଳେ ମଜଲିସ ଆଜି ନିସ୍ତବ୍‌ଧ । ମିଆଁ ସାହେବ ଗାଲରେ ହାତ ଦେଇ ଗୁମ ଖାଇ ବସିଛନ୍ତି; ଓୟାଟର୍ଲ ଯୁଦ୍ଧରେ ହାରି ନେପୋଲିଅନ ଏପରି ଭାବନାରେ ବସିପାରି ନଥିଲେ । କାରଣ ସେଣ୍ଟ୍ ହେଲେନା ପଠାଇବା ପାଇଁ ଇଂରେଜମାନେ ତାହାଙ୍କୁ ଧରପଗଡ଼ କରୁଥିଲେ । ଆଗରେ ସାତ ଜଣ ମୋସାହେବ ଭାବନାରେ ବସି ଢ଼ୋଳା ଉଛନ୍ତି, ଓସ୍ତାଦ୍ ଜୀ ବକାଉଲା ଖାଁ ଦୁଇଗୋଡ଼ କୁଣ୍ତାଇ ଦାଢ଼ିଟିକୁ ଆଣ୍ଠୁ ଉପରେ ନଦିଦେଇ ବସିଅଛନ୍ତି । ପଠାଣ ଘର ତଲାକଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡ଼ିଆରେ ବାଇଜିହାଣ୍ତି ପରି ତବଲା ଦୁଇଟା ଗଡୁଅଛି । ଘରର ଗୋଟିଏ କୋଣରେ ଖିଜ୍ମତ୍ଦାର ଫତୁଆ ବାଁ ହାତରେ କଣ ଗୋଟାଏ ପଦାର୍ଥ ରଖି ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ଚିପୁଛି, ବେଳେବେଳେ ମଝି ଆଙ୍ଗଳିରେ ବୁନ୍ଦା ବୁନ୍ଦା ପାଣି ପକାଇଛି, ମୁନ୍‌ସୀ ଜାଦେର ବକସ ଏକ ଖଣ୍ତ କାଗଜରେ ଲେଖା ଡାବ ଧରି ଦିପୋଟୀ ଆଗରେ ଚୋର ଆସାମୀ ପରି ଛିଡା ହୋଇଅଛନ୍ତି । ମିଆଁ ସାହେବ କହିଲେ --"ବନ୍ଦେ ନୱାଜ, ମୁଁ ଦିନଯାକ ବୁଲିଲାଣି, କାହିଁ କିଛି ପଟିଲା ନାହିଁ । "ମହାଜନ ରାମଦାସ କହିଲା," ତାହାର ତମସୁକ କୋଡ଼ିଏ ହଜାର ଓ ହାତ ଉଧାର ବାବଦ ଚାରି ହଜାର ଟଙ୍କା ହେଲାଣି, ଆଉ କରଜ ଦେବାକୁ ସେ ନାରାଜ ହେଲା । ବଜାରର ମୁଦି ଦୋକାନମାନଙ୍କର ପାଉଣା ଚାରିହଜାର, ସେମାନେ ସଉଦାକାଳି ଦେଲେ ନାହିଁ । "ମିଆଁ କହିଲେ "ବେକୁବ, କମ୍‌ବକ୍ତ, ନାଲାଏକ୍" । ବାପାଙ୍କ ଅମଳରୁ ରାମସରକାର କୋଡ଼ିଏ ବର୍ଷ ଚାକର ଥିଲା, ତାକୁ ବାହାର କରି ତୁମେ ଦୋସ୍ତ ଓ ଲାଏକ୍ ମନୁଷ୍ୟ ବୋଲି ବେବର୍ତ୍ତା କାମ ଦେଲି, ଗରଜ ଚଳାଇପାରୁ ନାହିଁ ?"ମୁନସୀ ଜାହେର ବକସ କହିଲେ,"ହଜୁର୍! ମୁଁ କିପରି ନାଲାଏକ ହେଲି ? ରାମ ସରକାର କିଛି କରଜ କରି ଆଣିପାରୁ ନ ଥିଲା; ମୁଁ ପାଞ୍ଚବରଷ ମଧ୍ୟରେ ପଚିଶ ହଜାର କରଜ ଆଣିଦେଲି । "ମିଆଁ କହିଲେ --" ସେ କଥା ଯାଉ, ଏବେ ଇଜ୍ଜତ କିପରି ରହେ? "ସମ୍ପତ୍ତି ଯାଉ ମହତ୍ ଥାଉ, ମହତ୍ ଗଲେ ନ ମିଳେ ଆଉ ।"ମୋ ସାହେବମାନେ ଢୋଳାଉଥିଲେ, ଏ କଥା ଶୁଣି ପାଟିକରି ଏକାବେଳକେ କହିଲେ--"ଅଲବତ୍, ଅଲବତ୍, ଉଆଜିବ୍ ଉଆଜିବ୍ । ମିଆଁ କହିଲେ,"ଯାଅ ଆସବାବ ହେଉ ବା ଜମିଦାରୀ ହେଉ ବନ୍ଧକ ଦେଇ ଆଜିକା ମଜଲିସ୍ ବନ୍ଦୋବସ୍ତ କର । ଦେଖ ଜଲଦି, ରାତି ହୋଇଗଲା । ବେଶି ଟଙ୍କା ଦରକାର ନାହିଁ । ବାଈଜୀ ରୋକଶତ ଶଏ ଟଙ୍କା ଓ ବାଈଜୀ ସାଙ୍ଗଲୋକ ଓ ଦୋସ୍ତମାନଙ୍କ ଖାନା ପଲାଓ ସକାଶେ ଏକଶ ଟଙ୍କା ବହୁତ ହେବ । "ଦୋସ୍ତମାନେ କହିଲେ" ଉଆଜିବ୍, ଉଆଜିବ୍ ବହୁତ ରୂପେୟାର ଦରକାର କଣ?" ଦୋସ୍ତ ହନୁମିଆଁ କହିଲେ,"ହଜୁର, ଏହି ଯେ ଖେମତାବାଲୀ, ଖାତୁମ ଉନ୍ମିସା ଆସିଛନ୍ତି, ଏ ବହୁତ ଇଲମଦାର । କାଶ୍ମୀରର ଅଉଲ ନମ୍ବର ବାଈ -ଏହାଙ୍କର ଇଲମ ଓ ରାଗରାଜଣୀର କସରତ୍ ହଦରେ ହଦ୍ । ସେ କିଏ ଦେଶକୁ ପସନ୍ଦ କରନ୍ତି ? କେବଳ ମୂସାଫେରି ସକାଶେ ଆସିଛନ୍ତି । ମୁର୍ଶିଦାବାଦ ନବାବ, ଲକ୍ଷ୍ମୌ ନବାବ, ରୋମକା ବାଦ୍‌ସାହାମାନେ ଏହାଙ୍କ ଗୀତ ଶୁଣିବାକୁ ଡାକି ପଠାନ୍ତି; ମାତ୍ର ବୀବୀଙ୍କ ଖାତର ରଦାରଦ୍ । ହଜୁରଙ୍କ କେରାମତ୍ ନେକ୍‌ନାମି ଦୁନିଆରେ ଜାହେର, ସେଥିସକାଶେ ଆପେ ଆସି ଏଠାରେ ମଜଲିସ୍ କହିବାକୁ କହିଅଛି । "ମଜଲିସ୍ ସାରା ଲୋକ ଏକାବେଳକେ କହିଲେ ହଜୁରଙ୍କୁ ଦୁନିଆଁରେ କିଏ ନ ଜାଣେ ? ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି, ଜିନ୍‌ଦିଗ୍ ଭରି ସେ ଇୟାଦ୍ କରିଥିବ । ପିଆଦା ଶେଖ ସଲାମ କରିଜଣାଇଲା, "ହଜୁର ଓଡ଼ିଶା ଜମିଦାରରୁ ଜଣେ ମହାଜନ ମୁଲାକାତ୍ ସକାଶେ ଆସିଛି ।"ହୁକୁମ ହେଲା,"ତାହାକୁ ହାଜର କରାଅ"। ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ନଗଦ ପାଞ୍ଚ ଟଙ୍କା ନାଜରାଣା ଥୋଇ ଦେଇ ଭୂମିରେ ହାତ ଲଗାଇ ତିନି ଥର ସଲାମ୍ କଲେ । ମଜଲିସ୍ ମଧ୍ୟରେ ଯେତେଜଣ ସଭ୍ୟ ବସିଥିଲେ, ସମସ୍ତଙ୍କୁ ଏକ ଏକ ସଲାକ କଲେ; ଖିଜମଦ୍‌ଦାର ମଧ୍ୟ ଛାଡ଼ିଗଲା ନାହିଁ । ମିଆଁ ହୁକୁମ କଲେ, "ବହୁତ କଦରଦାନ୍ ଆଦିମ୍ । "ପାଲାବାଲା ପାଳିଆମାନେ ଏକ ସ୍ୱରେ ଗୀତ ଧରିଲାପରି ସମସ୍ତେ ପାଳି ଦେଲେ, "ବହୁତ କଦରଦାନ୍ ବହୁତ ହୁସିଆର ଆଦମ୍ ।"
ମିଆଁ ପଚାରିଲେ,"ତୁମର ନାମ କଅଣ ?"
"ରାମଚନ୍ଦ୍ର ମଙ୍ଗରାଜ ।"
"କ୍ୟା ? ରାମଚନ୍ଦ୍ରର ମାମ୍‌ଲାବାଜ୍?"
"ନା ହଜୁର! ମଙ୍ଗରାଜ ।"
"ଆଚ୍ଛା, ଓଇ ହୁଆ, ରାମଚନ୍ଦ୍ରର୍ ମଙ୍ଗରାଜ "
ମଙ୍ଗରାଜ ଜଣାଇଲେ, "ମୁଁ ନିହାତି ଅଳ୍ପ କିଛି ଜିନିଷ ନଜର ଆଣିଅଛି ।" ହୁକୁମ ଦେଲେ ହାଜର କରିବି ।" "ବହୁତ ଆଚ୍ଛା ଘେନିଆସ ।" ଭେଟିବାର ଡାବ ତାଳପତ୍ର ଖଣ୍ତକରେ ଲେଖାଥିଲା, ପଢ଼ାଗଲା ପାଞ୍ଚଟା ଓଳିଆରେ ସରୁ ଅରୁଆ ଚାଉଳ ଭରଣେ ଆଠ ନଉତି, ମୁଗଜାଇ ଦୁଇ ଓଳିଆରେ ବତ୍ରିଶ ନଉତି, ହରଡ଼ ଜାଇ ଏକ ଓଳିଆକୁ ଅଠର ନଉତି, ଘିଅ ଏକ ମାଠିଆକୁ ପଚିଶ ସେର, ବନ୍ତଳ କାଠିଆ ପାଞ୍ଚ କାନ୍ଦି, ପାଚିଲା କଦଳୀ ଦୁଇକାନ୍ଦି, ଆଳୁ ଆଠବିଷା । ମିଆଁ ହୁକୁମ କଲେ, "ବହୁତ ଆଚ୍ଛା ଚାଉଳ, ପଲାଉ, ପଲାଇ ଲାଏକ, ଘିଅ ମଧ୍ୟ ବହୁତ ଭଲ ।" ମଙ୍ଗରାଜ କହିଲେ, "ହଜୁର ଆମ ଦୁନିଆର ମାଲିକ, ହଜୁରଙ୍କ ଦାନା ପନ୍ଦର ପୁରୁଷ ହେଲା ଖାଇ ଆସୁଅଛୁ । ଏ ତ ସାମାନ୍ୟ ଜିନିଷ, ମେହେରବାନି ହେଲେ ପଲାଉ ଚାଉଳ, ଘିଅ, ଡାଲି ବରାବର ହାଜର କରିବି । "ମିଆଁ ଓ ମିଆଁ ଓ ଓସ୍ତାତଜୀ ଭାରି ଖୁସିଟା ହୋଇ ତାନପୁରା କାନ ବା ହାତରେ ମୋଡ଼ି ସୁର ଦେଇବସିଲେ । ଗୁମ୍-ଗୁମ୍ ଗୁମ୍ ତାକ୍-ଧିନ୍ ଧିନ୍ ଧିନ୍ ତାକ୍ ଧିନ୍ ଧିନ୍ ଚାମ -ତାବଲା ବାଜି ଉଠିଲା । ମିଆଁ ହୁକୁମ ଦେଲେ, "ଯଲଦି ପଲାଉର ବନ୍ଦୋବସ୍ତ କର । "ଖ୍ରୀଷ୍ଟିୟାନମାନେ କହନ୍ତି ପୃଥିବୀର ଶେଷ ଦିନରେ ସ୍ୱର୍ଗର ଦୂତ ବଂଶୀ ବଜାଇଲେ ସମସ୍ତ ମୃତଲୋକ କବରରୁ ଉଠି ବସିବେ । ମଜଲିସ ଅବଶୋଷରେ ମରି ପଡ଼ିଥିଲା, ମଙ୍ଗରାଜଙ୍କ ଟଙ୍କାର ଝଣ ଝଣ ଶବ୍ଦରେ ବଞ୍ଚିଉଠିଲା । ମିଆଁ ସାହାବ ନଳ ମୁହଁରେ ଦେଇ ଦୁଇ ଚାରି ଥର ଭଲ କରି ଟାଣିଲେ । କଳା ପର୍ବତରେ କୁହୁଡ଼ି ବୁଲିଲା ପରି ଦାଢ଼ିସାରା ଧୁଆଁ ଖେଳିଗଲା । ସରକାର କେନାଲ ଦ୍ୱାରା ଯେପରି ପରଗନା ପରଗନା କରି ମହାନଦୀର ଜଳ ବାଣ୍ଟୁ ଅଛନ୍ତି ନଳଯୋଗରେ ହୁକା ଭିତରେ ଜମାଥିବା ଧଆଁ ସମସ୍ତଙ୍କ ମୁହଁକୁ ବାଣ୍ଟିଗଲା । ମେଁ ଏ ମେଁ ଏ । ପଲାଉ ସକାଶେ ଗୋଟିଏ ଖାସି ଅଣାଗଲା । ମଜଲିସ ଆଗରେ ଦର ଛିଣ୍ତିଲା ଅଢ଼େଇ ଟଙ୍କା । ମଙ୍ଗରାଜ ଚମକିପଡ଼ି କହିଲେ, "କଣ ଏହି ଛେଳିଟାର ଦାମ ଅଢ଼େଇ ଟଙ୍କା । ବାପରେ ! କେତେ ଦାମ !" ମିଆଁ ପଚାରିଲେ ତୁମ ଗ୍ରାମରେ ଦାମ କେତେ ? "ଡାକ୍ତର ମଳୁ ପରୀକ୍ଷା କଲାପରି ଛେଳିର ଅଗ୍ର ପଶ୍ଚାତ ବାମ ଦକ୍ଷିଣ ଉତ୍ତମରୂପେ ନିରୀକ୍ଷଣପୁର୍ବକ ମଙ୍ଗରାଜ କହିଲେ। "ଛେଳିଟାର ଦାମ କଣ ଚାରି ପଇସା କି ଛଅ ପଇସା ହେବ ।" ହୁକୁମ ହେଲେ ପଲାଉ ସକାଶେ ଦଶଗଣ୍ତା କି ପନ୍ଦର ଗଣ୍ତା ପଠାଇ ଦେଇପାରେ । ହଜୁର ଲୋକ ଚିହ୍ନି ଜମିଦାରୀ ଚାକର ରଖି ନାହାନ୍ତି ସେଥି ସକାଶେ ଏତେ ଟଙ୍କା ବରବାଦ । ଅଢ଼େଇ ଟଙ୍କା ଛେଳି । ବାପରେ !" ଏ କଥା ଶୁଣି ମଜଲିସରେ ଯେ କିପରି ଆନନ୍ଦ କୋଳାହଳ ଉଠିଲା, ତାହା ବର୍ଣ୍ଣନାତୀତ । କ୍ଳାଇବ ସାହେବଙ୍କ ପଲାସୀ ଯୁଦ୍ଧ ଜୟ ସମ୍ବାଦ ଶୁଣି ବିଲାତରେ ଡାଇରେକଟର ସଭା ନିଶ୍ଚିୟ ଏତେ ଦୂର ଆନନ୍ଦିତ ହୋଇନଥିଲେ । କାରଣ ସେତେବେଳେ ଦିଲ୍ଲୀ ଦରବାରର ଡର ସେମାନଙ୍କୁ ମନରୁ ଛାଡ଼ି ନଥିଲା । ଓସ୍ତାଦ୍ ଜୀ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ । ସମସ୍ତେ ଆନନ୍ଦରେ ଉନ୍ନତ୍ତ, ସମସ୍ତଙ୍କ ମୁହଁରୁ ହସ ଉଚ୍ଛୁଳିପଡୁଛି କେବଳ ମଙ୍ଗରାଜେ ହାତ ଯୋଡ଼ି ମୁହଁ ଶୁଖାଇ ବସିଛନ୍ତି । ଜାଲ ମଧ୍ୟରେ ବୁଣା ଚାଉଳ ଖାଇଲା ବେଳେ ପକ୍ଷୀମାନଙ୍କ ଆନନ୍ଦ ବ୍ୟାଧ ତୁନିହୋଇ ଦେଖୁଥାଏ । ଆମ୍ଭେମାନେ ମଙ୍ଗରାଜ ମନର କଥା ଭଲରୂପେ ବୁଝିପାରୁ । ସେ ସମୟରେ ବୋଧହୂଏ ଭାଳୁଥିଲେ, "ଆ ବାପ ଚଢ଼େଇ ଆ କାଣ୍ତିଆ ପାଖକୁ ଆ ।" ଜଣେ ଚାକର ଧାଇଁଆସି ବାଇଜୀଙ୍କ ଶୁଭାଗମନର ସମ୍ବାଦ ଦେଲା । ଯାଃ ସର୍ବନାଶ । ଏ କଥାଟା କାହାର ମନରେ ନାହିଁ । ଓସ୍ତାଦଜୀ ପୁରୁଣା ହୁସିଆର ଲୋକ, ସେହି କେବଳ ଏ କଥା ମନେ କରାଇଦେଲେ, ବାଇଜୀଙ୍କ ଶହେ ଟଙ୍କା ନଜରାନା ଦେବାକୁ ହେବ । ପୁନର୍ବାର ଆନ୍ଦୋଳନ । ଭାରତ ବର୍ଷର ବ୍ୟୟ ସଂଙ୍କଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୂଏ ଏହିଠାରୁ ଅଧିକ ଆନ୍ଦୋଳନ ହୋଇନଥାଏ । କିଛି ସ୍ଥିର ହୋଇପାରିଲା ନାହିଁ, ବେଳ ନାହିଁ । ବେଳ ଉଣ୍ତି ମଙ୍ଗରାଜ ହାତ ଯୋଡ଼ି କହିଲେ, "ହଜୁର" ଗୋଲାମ ହାଜର ଥାଉଁ ଥାଉଁ ଏତେ ଚିନ୍ତା କି ସକାଶେ ? "ପୁନର୍ବାର ପ୍ରଶଂସା ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ଢାଳିପଡିଲା । ମିଆଁ ହୁକୁମ ଦେଲେ, "ଆଚ୍ଛା ମଙ୍ଗରାଜ, ତୁମେ ବର୍ତ୍ତମାନ ଯେ ଉପକାର କଲ, ସେଥିରେ ଇନାମ ଅଲାହିଦା ପାଇବ, ଏ ସିବାଏ ଟଙ୍କାକୁ ସୁଧ ଚାରିଅଣା ହିସାବରେ ପାଇବ ।" ମଙ୍ଗରାଜ କହିଲେ, "ରାମ ରାମ ରାମ । ହଜୁର ମୁଁ ପିଆଜ ଆଉ ବିଆଜ ଖାଏ ନାହିଁ । "ଓସ୍ତାଦଜୀ କହିଲେ, କଣ ବିଆଜ ଖାଏ ନାହିଁ ? ବହୁତ ଇମାନଦାର ଲୋକ, କୋରାନରେ ଯେ ପଚିଶ ହାରାମ ବୟାନ ଅଛି; ବିଆଜ ସେଥିମଧ୍ୟରୁ ଗୋଟାଏ ।"

ଇତିହାସ ଲେଖକ ବୋଲନ୍ତି କ୍ଳାଇବ ଦିଲ୍ଲୀ ବାଦଶାହାଙ୍କ ପାଖରୁ ବଙ୍ଗଳାର ସୁବାଦାରୀ ନେବାବେଳେ ଏତେ ଅଳ୍ପ ସମୟ ଲାଗିଥିଲା ଯେ ଗୋଟାଏ ଗଧ ବିକାକିଣାରେ ତାହା ଠାରି ଅଧିକ ସମୟ ଦରକାର । ତେବେ ଫତେପୂର ସରଷଣ୍ତର ସରବରାକାରୀ ଓ ସମସ୍ତ କ୍ଷମତା ପାଇବା ମଙ୍ଗରାଜଙ୍କ ପକ୍ଷରେ ବିଳମ୍ବ କଣ ?