ଛମାଣ ଆଠଗୁଣ୍ଠ/ବୁଢ଼ୀ ମଙ୍ଗଳା

ଉଇକିପାଠାଗାର‌ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ବୁଢ଼ୀ ମଙ୍ଗଳା


ବୁଢ଼ୀ ମଙ୍ଗଳା :

"ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।
ମୃତ୍ତିକାଶ୍ୱଗଜାରୂଢ଼ା ବନ୍ଧ୍ୟାୟାଃ ପୁତ୍ରଦାୟିନୀ,
ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।"

ଅସୁରଦିଘିର ପଶ୍ଚିମକୋଣ ଗାଆଁ ଭିତରୁ ଦିଘିକୁ ଯିବା ବାଟର ଡାହାଣୀ ହାତ ପାଖରେ ଗୋଟିଏ ଭାରି ବରଗଛ ଅଛି । ଗଛମୂଳର ଚିହ୍ନ ନାହିଁ, କୋଡ଼ିଏ ପଚିଶ ଗୋଟା ଓର ପଡ଼ି ଡାଳଗୁଡିକ ପରସ୍ପର ଛନ୍ଦାଚନ୍ଦି ହୋଇ ଗଛଟି ପ୍ରାୟ ବାର ତେରଗୁଣ୍ଠ ଜମି ମାଡ଼ି ବସିଅଛି । ସାନ ସାନ ଡାଳ ପତ୍ରଗୁଡିକ ଏପରି ନିଘଞ୍ଚ ହୋଇଅଛି ଯେ,ଖରା ତେଜ ମୂଳକୁ ବାଜେ ନାହିଁ । ଗଛଟି ବହୁକାଳର । ପୁରୁଖା ପୁରୁଖା ଲୋକମାନେ କହନ୍ତି, ଏଇଟି ସତ୍ୟଯୁଗର ଠାକୁରାଣୀ ଗଛ । ସେମାନେ ପିଲାକାଳରୁ ଦେଖିଆସୁଛନ୍ତି, ଏହା ବଢ଼ିବାକୁ ବା ଛିଣ୍ତିବାକୁ ନାହିଁ । ଗଲା ସାତଅଙ୍କ ତୁଳାମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା, ଗାଆଁର ସମସ୍ତ ସଜନାଗଛ ଓ କଦଳୀଗଛ ପ୍ରଭୃତି ଉପୁଡ଼ିଗଲା, ଏ ଗଛରୁ ଗୋଟିଏ ପତର ମଧ୍ୟ ଝଡ଼ିଲାନାହିଁ । ଠାକୁରାଣୀଙ୍କ ମହିମା! ମଝିରେ ଚାରିଗୋଟି ଓର ଗଛପରି ଛିଡ଼ାହୋଇଅଛି, ତାହା ମୂଳରେ ଗ୍ରାମ ଦେବତୀଙ୍କ ଆସ୍ଥାନ । ଠାକୁରାଣୀଙ୍କ ନାମ ବୁଢ଼ୀମଙ୍ଗଳା । ମଙ୍ଗଳାଙ୍କର ଅଢ଼େଇମାଣ ଦେବୋତ୍ତର ଜମି ଅଛି । ବାରଗୁଣ୍ଠ ଆଠଗୁଣ୍ଠ ବିଜେ ଆସ୍ଥାନ ତଳି ବାକି ଦୁଇମାଣ ଜଳଜମି, ଦେଉରୀ ଭୋଗକରେ ଓ ଠାକୁରାଣୀ ପୂଜାକରେ । ଗ୍ରାମରେ ବିଶେଷରେ ମାଇକିନିଆମାନଙ୍କ ମଧ୍ୟରେ ଦେଉରୀର ଭାରି ମହିମା । ଠାକୁରାଣୀ ସ୍ୱପ୍ନରେ ଦେଉରୀକୁ ଦେଖାଦିଅନ୍ତି, ସବୁ କଥାକହନ୍ତି । ବାଡ଼ିରେ କଦଳୀଟାଏ, ବାଇଗଣଟାଏ, କଖାରୁଟାଏ ଫଳିରେ ଆଗ ଫଳଟା ଠାକୁରାଣୀଙ୍କୁ ନ ଦେଲେ ସେ ଖାଏ ନାହିଁ । ମଣ୍ଡପଟି ପକ୍କାରେ ତୟାରି । ମଝିରେ ଠାକୁରାଣୀଙ୍କର ନିଜ ମୂର୍ତ୍ତି । ମୂର୍ତ୍ତିଟି ଖୁବ୍ ବଡ଼, ଓଜନରେ ଦଶ ପଶୁରିରୁ ଊଣା ହେବ ନାହିଁ, ଦୁଇ ଚାରିଟା ହଳଦୀଶିଳ ମିଶିଲେ ଯେତେ ବଡ଼ ତହିଁରୁ ବଳିପଡ଼ିବ । ଗୋଟାଯାକ ଚାରିଆଙ୍ଗୁଳି ବହଳ ସିନ୍ଦୂରବୋଳା । ବଡ଼ ଠାକୁରାଣୀଙ୍କୁ ଛାଡ଼ି ଆଉ ଚାରିଗୋଟି ସାନ ମୂର୍ତ୍ତି ଅଛନ୍ତି । ମଣ୍ତପ ଡାହାଣ ଭାଗରେ କିଛିଦୂରରେ ଭଙ୍ଗା, ଦଦରା, ଦଢ଼ ମାଟିର ହାତୀ, ଘୋଡ଼ା ପଣେ କି ଦୁଇପଣ ଜମା ହୋଇଅଛି । ଠାକୁରାଣୀଙ୍କୁ ମାଟିର ହାତୀ ବା ଘୋଡା ଚଢ଼ିବାକୁ ଦେଲେ ପିଲାମାନଙ୍କର ପୀଡ଼ା ଛାଡିଯାଏ । ବଡ଼ ବଡ଼ ଲୋକଙ୍କର ପୀଡ଼ା ଛାଡ଼ିବାର ମଧ୍ୟ ଦେଖା ଶୁଣାଅଛି । ଏଥିସକାଶେ ଠାକୁରାଣୀଙ୍କ ଜାଗା କେଭେଁ ଖାଲିଥାଏ ନାହିଁ । ଦେବୀଙ୍କର ପୂଜା ପ୍ରତିଦିନ ହୁଏ ନାହିଁ । ଶୁଖିଲାପତ୍ର ଆଉ ଅଳିଆରେ ଢାଙ୍କି ହୋଇଥାନ୍ତି । ବିଭା, ପୁହାଣିଘର କାହାରି ପୁଅଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ । ଗାଁରେ ବାଡ଼ିପଡିଲେ ପୂଜାର ଧୂମ୍ ଲାଗୁଥାଏ । କିରାଣିମାନଙ୍କ ପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ । ବିପଦ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆରପରି ଠାକୁରାଣୀଙ୍କ ଆସ୍ଥାନ ଚମକିଉଠେ । ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜାଖର୍ଚ୍ଚ ଚଲେ । ଠାକୁରାଣୀ ଭାରି ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦବିପଦ ଘଟେ ନାହିଁ । କେବେ କେବେ ମାଉସୀ ବୁଢ଼ୀ ପ୍ରବଳ ହୋଇ ଗ୍ରାମରେ ପଶିଯାଏ; ମାତ୍ର ଭଲକରି ପୂଜା ଦେଲେ ଶଏ ପଚାଶ ଜଣରୁ ବେଶି ନେଇପାରେନାହିଁ ଛାଡ଼ି ପଳାଏ । ଆପଣ ସଭ୍ୟ ପାଠକ, ଏ କଥା ଶୁଣି ହସିବେ, ବିଜ୍ଞାନଶାସ୍ତ୍ର ଯୋଖିଦେଇ କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କର ପୂଜା କ'ଣ ? ଆଚ୍ଛା, ଆମ୍ଭେମାନେ ପଚାରୁଁ, ବଙ୍ଗଳା ଏପିଡେମିକ୍ ଫିଭର ଓ ବୋମ୍ବେ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ । କେଉଁ କେଉଁ ବା କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ରଲାଭ କରିଅଛନ୍ତି; ସେଥିରେ ବିଶେଷ ଡାବ ଦେଇପାରିବୁ ନାହିଁ । ମାତ୍ର ଅମ୍ଭେମାନେ ନିର୍ମାଲ୍ୟ ଛୁଇଁ କହିପାରୁ, ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଅଛନ୍ତି, ପ୍ରଥମେ ବିବାହ ସମୟରେ ବନ୍ଧ୍ୟାଥିଲେ ସେମାନେ । ପୂର୍ବେ ବୋଲିଅଛୁ; ଦୀଘିକୁ ଯିବାପାଇଁ ଠାକୁରାଣୀଙ୍କ ଆଗରେ ଗୋଟିଏ ବାଟ ଅଛି । ଗ୍ରାମର ମାଇକିନିଆମାନେ ସେହିବାଟେ ଯିବାଆସିବା କରନ୍ତି । ଗୋଟିଏ ସ୍ତ୍ରୀ ବୟସ ଅନ୍ଦାଜ ୩୦ ହେବ, ପ୍ରତିଦିନ ସ୍ନାନ କରିଆସି କାଖରୁ ମାଠିଆଟି ଓହ୍ଲାଇ ଠାକୁରାଣୀଙ୍କ ଆଗରେ ଥୋଇଦିଏ, ପହଁରାରେ ଦେବୀଙ୍କ ଆଗଟି ପହଁରିଦେଇ ମାଠିଆରୁ ପୋଷେ ପାଣି ନେଇ ଠାକୁରାଣୀ ଗଛମୂଳେ ଦିଏ ଓ ଭୂଇଁରେ ମୁଣ୍ତିଆ ମାରି ତୁନି ତୁନି କ'ଣ ଜଣାଏ ଏବଂ ପ୍ରତିଦିନ ସଞ୍ଜବେଳେ ଗୋଟିଏ ବଳିତା ଜାଳିଆଣି ଠାକୁରାଣୀ ସ୍ଥାନରେ ସଞ୍ଜଦିଏ ଏବଂ କ'ଣ ପ୍ରାର୍ଥନା କରେ । ଏହିପରି କରୁଥିବାର ଛମାସ ହେଲା ଲୋକମାନେ ଦେଖି ଆସୁଛନ୍ତି । ତାହା ମନର କଥା କେହି ଜାଣେ ନାହିଁ, କାରଣ ସେ ସ୍ତ୍ରୀ ବଡ଼ ଲାଜକୁଳୀ, ସବୁବେଳେ ଓଢ଼ଣା ପକାଇଥାଏ, କାହାରି ସହିତ ମିଶେ ନାହିଁ, କାହାରି ସହିତ କଥା କହେ ନାହିଁ ।

ଗ୍ରାମରୁ ଗୋରୁଜଗା ପିଲାମାନେ ଖରାବେଳେ ପଡ଼ିଆରେ ଗୋରୁ ଛାଡ଼ିଦେଇ ଠାକୁରାଣୀଙ୍କ ନିକଟ ଗଛମୂଳେ ଖେଳନ୍ତି, ହଠାତ୍ ଖେଳ ଛାଡ଼ି ପାଞ୍ଚଣ ଧରି ସମସ୍ତେ ଘେରି ଛିଡ଼ା ହୋଇଗଲେ । ସେମାନଙ୍କ ଦେଖା ଦେଖି ଗ୍ରାମର ୧୦।୧୫ ଜଣ ଲୋକ ରୁଣ୍ତ ହୋଇଗଲେଣି; କାଲିତ ପୂଜା ହୋଇନାହିଁ, ଠାକୁରାଣୀଙ୍କ ଠାରେ ପୂଜାସରଞ୍ଜାମ କାହୁଁ ପଡ଼ିଲା ? ମନ୍ଦାର ଫୁଲ, ଶତବର୍ଗ ଫୁଲର ମାଳ, ଖଇ, ଉଖୁଡ଼ା ଚାରିଆଡ଼େ ବୁଣି ପଡ଼ିଅଛି, ଠାକୁରାଣୀ ଦେହରେ ତଟକା ହଳଦୀ ଲାଗିଅଛି । ଠାକୁରାଣୀ ପୂଜା ଗ୍ରାମ ମଧ୍ୟରେ ଗୋଟିଏ ବିଶେଷ ଘଟଣା । ଭେଦା ହୁଏ, ବାଇଦ ବାଜେ, ଗ୍ରାମର ସମସ୍ତେ ଦେଖିବାକୁ ଆସନ୍ତି । ପୂଜା ସନ୍ଧ୍ୟା ସମୟରେ ହୁଏ, ମାନସିକ ପୂଜା ମଧ୍ୟ ସେହିପରି ହୁଏ । କାହିଁ, କାଲି ତ ବାଇଦ ବାଜି ନାହିଁ, ସଞ୍ଜବେଳେ ପୂଜା ହୋଇନାହିଁ, ଏସବୁ କାହୁଁ ଅଇଲା ? ଗୋଟାଏ ପିଲା ଡକାପଡ଼ି କହିଲା, ଏଟା କ'ଣ ଏଟା କ'ଣ? ସମସ୍ତେ ଧାଇଁଯାଇ ଦେଖିଲେ, ଠାକୁରାଣୀ ପଛରେ ଭାରି ଗୋଟିଏ ବିଳ । ବିଳମୁହଁ ଠାକୁରାଣୀ ମଣ୍ତପଠାରୁ ତିନି ହାତ ଦୂରରେ । ତାହାର ମୁହଁଟା ଖୁବ୍ ବଡ଼, ଜଣେ ମନୁଷ୍ୟ ଯାଇ ବସିପାରେ । ଗାଁ ଯାକ ଏ କଥା ଖେଳିଗଲା । ଲୋକମାନେ ଦେଖିବାକୁ ଧାଇଁଲେ, ମଙ୍ଗରାଜେ ମଧ୍ୟ ଶୁଣିପାରି ଧାଇଁଅଇଲେ । ନାନା କଥା ହୋଇ ଶେଷରେ ସ୍ଥର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ କାଲି ନିଶାଭାଦ ରାତିରେ ବିଜେ ହୋଇଥିଲେ । ବିଳଟା ତାଙ୍କ ବାଘ ଖୋଳିପକାଇଛି । ମଙ୍ଗରାଜେ କହିଲେ "ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘ ଥିବାର ଜଣାଯାଉଅଛି ।" ବାଘ ନାମ ଶୁଣି ସମସ୍ତେ ପଳାଇଲେ । ଶେଷରେ ମଙ୍ଗରାଜେ ରାମା ମୁହକୁ ଚାହିଁ ଚାହିଁ ଚାଲିଗଲେ । ବୋଧ କରୁ, ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ । ତହିଁଆରଦିନ ଆଉ କେହିବିଳ ଦେଖିଲେ ନାହିଁ । ଏହି କଥାଟା ଗ୍ରାମରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଭୀମା ମା ଭଣ୍ତାରୁଣୀ କହିଲା, "ମୋର ବୟସ ସାତଗଣ୍ତା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମର ଯେତେ ବୁଢ଼ା ଦେଖିଛ, ମୁଁ ସମସ୍ତଙ୍କୁ ବିଭା କରାଇଅଛି, ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀ ଏଥରକୁ ଲଗାଇ ଚାରିଥର ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଥିଲି, ଗୋହିରୀ ମଝିରେ ଝୁଣାଗନ୍ଧ ଆସିଲା, ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଛନ୍ତି । ବାପରେ ! ସେ ବାଘଟା କେଡେ ! ମୁଁ କେତେ ବାଘ ଦେଖିଛି, ଏତେ ବଡ଼ ବାଘ କାହିଁ ଦେଖିବାର ନାହିଁ । ତା'ର ଲମ୍ବଟା ସାତ କି ଆଠ ହାତ ହେବ । ମୁଣ୍ତଟା ବଡ଼ପଣ୍ତା ମୁଣ୍ତପରି ତ୍ରିପଣ୍ତ କଳା । ବାଘଟି ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳିପକାଇଲି । "ଅଧରାତିରେ ଦାଣ୍ତରେ ବାଘ ଚାଲିବା ଶବ୍ଦ ଶୁଣିବାର ଆହୁରି ମଧ୍ୟ ଚାରି ପାଞ୍ଚ ବୁଢ଼ା ମନୁଷ୍ୟ ସାକ୍ଷ୍ୟ ଦେଲେ । ସକାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିର ହେଲା ।