ଛମାଣ ଆଠଗୁଣ୍ଠ/ଚମ୍ପା

ଉଇକିପାଠାଗାର ରୁ
Jump to navigation Jump to search

ଷଷ୍ଠ ପରିଚ୍ଛେଦ

ଚମ୍ପା :

ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥିମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ, ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅନଭିଜ୍ଞ । ଚମ୍ପା ମଙ୍ଗରାଜ ଘରେ ଦାସୀ କି ସାଆନ୍ତାଣୀ, ବ୍ୟବହାରଦ୍ୱାରା ବୁଝିବାର କାହାରି ଶକ୍ତି ନାହିଁ । କେବଳ ଏତିକି ମାତ୍ର କହିପାରୁ ଯେ, ମଙ୍ଗରାଜଙ୍କ ଉଆସ ମଧ୍ୟରେ ଚମ୍ପାର କ୍ଷମତା ସୀମାତୀତ । ଅଧିକ କଣ ସାଆନ୍ତାଣୀଙ୍କ କ୍ଷମତାଠାରୁ ଢେର ବେଶୀ । ବାହାରେ ହଳିଆ, ମୂଲିଆ, କଚେରୀ କରଣଯାଏ ତାହା ଠାରେ ହାତ ଯୋଡ଼ିଥାନ୍ତି । ଚମ୍ପାର ଗୋଟିଏ ନାମ ହରକଳା । ସତ କଥା କହିବାକୁ ଗଲେ ଏହିନାମ ଧରି ତାହାକୁ କେହି ଡାକିବାର ଶୁଣିନାହୁଁ । ହରକଳା ଶଦ୍ଦର ବ୍ୟୁତ୍ପତ୍ତି କଣ, ଏହି ନାମଟି ନିନ୍ଦ୍ୟ କି ପ୍ରଶଂସନୀୟ, ଏହା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ; ମାତ୍ର ଚମ୍ପାର କାନରେ ଦିନେ କିଏ ପକାଇଲା ଲୋକମାନେ ତାହାକୁ 'ହରକଳା' ବୋଲନ୍ତି । ସେ ଶୁଣି ଭାରି ଖପା ହେଲା, କାନ୍ଦି କାନ୍ଦି ମଙ୍ଗରାଜଠାରେ ଗୁହାରି କଲା, ଖୁବ୍ ଧରପଗଡ଼ ହେଲା, ଦୁଇଦିନ ପର୍ଯ୍ୟନ୍ତ ଖୋଜା ତଲାସ ହେଲା; ମାତ୍ର ହରକଳା ନାମର ଉତ୍ପତ୍ତି କେତେ ଦୂର ବିସ୍ତୃତ କିଛି ଠିକଣା ମିଳିଲା ନାହିଁ । ଅବଶେଷରେ ସାଆନ୍ତ କହିଲେ, "ହେଉ ହେଉଦେଖାଯିବ । ଖବରଦାର । ଚମ୍ପାକୁ କେହି ହରକଳା କହିବ ନାହିଁ ।" ସେ ଦିନ ଗ୍ରାମର ଏ ମୁଣ୍ତଠାରୁ ସେ ମୁଣ୍ତଯାଏ ଆଖପାଖ ଦୁଇ ଚାରି ଗ୍ରାମରେ ସମସ୍ତଙ୍କୁ ସମସ୍ତେ ସାବଧାନ କରାଇଦେଲେ --'ଖବରଦାର୍! ଚମ୍ପାକୁ କେହି ହରକଳା କହିବ ନାହିଁ ।' ମାସେ, ଦୁଇମାସ, ଚାରିମାସ, ଛ'ମାସ ଟୋକୀଠାରୁ ବୁଢ଼ୀ, ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନମିଳାପ ଲୋକ ଦେଖିଲେ ଚାରିଆଡ଼କୁ ଅନାଇ ମୁରୁକି ହସି ପରସ୍ପରକୁ ସାବଧାନ କରିଦିଅନ୍ତି,"ଖବରଦାର୍" ! ଚମ୍ପାକୁ କେହି ହରକଳା କହିବ ନାହିଁ । "କ୍ରମଶଃ ସେହିକଥା ସଂକ୍ଷିପ୍ତ ସାରରୂପ ଧାରଣ କଲା, ଯଥା--ଖବରଦାର୍ କେହି ଚମ୍ପାକୁ, ଖବରଦାର୍ କେହି, ଖବରଦାର୍ ଇତ୍ୟାଦି । ପିଲାଗୁଡ଼ାକ ହାତରେ ତାଳିଦେଇ ଦାଣ୍ତରେ ନାଚନ୍ତି ---

'ଖବରଦାର ! ଗୋବରା ଜେନା ଚଉକିଦାର ।'

ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ, ସେମାନଙ୍କ କଥା କ'ଣ ଧରିବେ ? ଯାଉ, ସେ ବାଜେ କଥାରୁ କ'ଣ ହେବ ? ହେଲେ ସାଆନ୍ତଙ୍କ ଘର ସହିତ ଚମ୍ପାର ଖୁବ୍ ଘନିଷ୍ଠ ସମ୍ବନ୍ଧ ଥିବାରୁ ପାଠକମାନେ ତାହାର ନାମ ଅନେକଥର ଶୁଣିବାକୁ ପାଇବେ । ଏଥର ତାହାର ରୂପ ଗୁଣ ସମ୍ବନ୍ଧରେ ସମସ୍ତ କଥା ଫେଡ଼ି କହିଦେବା ଆମ୍ଭମାନଙ୍କ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ ହେଉଅଛି । ଆଉ ଗ୍ରନ୍ଥସ୍ଥ ନାୟକ ନାୟିକାମାନଙ୍କ ରୂପ ଗୁଣ ବର୍ଣ୍ଣନା କରିବାକୁ ଲେଖକମାନେ ସାହିତ୍ୟ ଆଇନାନୁସାରେ ବାଧ୍ୟ । ସୁତରାଂ, ଏହି ସନାତନ ରୀତି ଲଙ୍ଘନ କରିବାକୁ ଆମ୍ଭମାନଙ୍କର ଆପତ୍ତି ନାହିଁ । ପୁଣି ଗ୍ରନ୍ଥମାନଙ୍କରେ ଖସଲତ ଅଛି, ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ଼ ପାଇଲା ପରି ସବୁକଥା ପାସୋରିଯାଇ ତାହାର ରୂପ ବର୍ଣ୍ଣନା କରିବାକୁ ତରବରହୋଇ ବସିଯାନ୍ତି । ଆମ୍ଭେମାନେ ଯେ ରୂପ ବର୍ଣ୍ଣନା କରିବା ବିଷୟରେ ଅକ୍ଷମ, ତାହା ନୁହେଁ । ଏହି ଦେଖ କଦଳୀ, ପଣସ, ରମ୍ଭା, ଆମ୍ବ, ଡାଳିମ୍ବ, ଟଭା ଏହିପରି ଯେ ସବୁ ଗଛ, ପତ୍ର, ଫଳ, ଫୁଲ ଅଛି, ଚମ୍ପାର ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇଦେଲେ ତ ରୂପବର୍ଣ୍ଣନା ଛିଡ଼ିଲା । ମାତ୍ର, ଆଜିକାଲି ସେପରି ମରହଟ୍ଟୀ ବର୍ଣ୍ଣନା ଚଳିବ ନାହିଁ । ଇଂରାଜୀ ପଢୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରାଜୀ ଧରଣର ରୂପ ବର୍ଣ୍ଣନା ଆବଶ୍ୟକ । ଭାରତର କବିମାନେ ସୁନ୍ଦର ସ୍ତ୍ରୀ ମାନଙ୍କୁ କହନ୍ତି 'ଗଜେନ୍ଦ୍ରଗାମିନୀ'; ଇଂରାଜ କହିବେ, "ଛି ଛି ! ତାହା ତ ନୁହେଁ, ଘୋଡ଼ାପରି ଯେ 'ଗେଲପ ଚାଲିପାରେ, ସେହି ସିନା ପରମ ସୁନ୍ଦରୀ ! ଆମ୍ଭେମାନେ ଦେଖୁଅଛୁ ଆଜିକାଲି ପହିଲି ଆଷାଢ଼ର ମହାନଦୀର ବଢ଼ିପାଣି ପରି ଏ ଦେଶକୁ ଇଂରାଜୀ ସଭ୍ୟତା ଯେପରି ପେଲିଆସୁଅଛି, ସେଥିରେ ଖୁବ୍ ସମ୍ଭବ ନବ୍ୟ ସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ 'ଗେଲପ୍' ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନିଯୁକ୍ତ କରିବାକୁ ପସ୍ତାବ କରିବସିବେ । ସେ କଥା ଯାହା ହେଉ, ଆମ୍ଭେମାନେ କହୁଁ, ସୁନ୍ଦରୀମାନଙ୍କ ଚାଲିରୁ ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ କରିପାରି ନାହାନ୍ତି । ବିଚାର କରନ୍ତି ଘୋଡ଼ା ଆଉ ହାତୀମାନେ ଚାରି ଗୋଡ଼ରେ ଚାଲନ୍ତି; ମାତ୍ର ଆମ୍ଭମାନଙ୍କର ଚମ୍ପାର ଦୁଇଗୋଟି ଗୋଡ଼ରୁ ବେଶି ନାହିଁ । ସୁତରାଂ ତାହାକୁ ଗଜେନ୍ଦ୍ରଗାମିନୀ ବା ଅଶ୍ୱବରଗାମିନୀ ବୋଲିବା ନିତାନ୍ତ ଅସଙ୍ଗତ ଅଟେ । ତେବେ ଚମ୍ପା ହାମୁଡ଼ି ଚାଲିଲେ କିପରି ଦିଶନ୍ତା, ସେ କଥା ଅନୁମାନ କରି କହିବାକୁ ଆମ୍ଭେମାନେ ସମ୍ପ୍ରତି ଅକ୍ଷମ । ପୁଣି ପଦସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାର ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ । ଅଳଙ୍କାର ଶାସ୍ତ୍ରର ମର୍ଯ୍ୟଦା ରକ୍ଷାପାଇଁ ଉପମାନ ଉପମେୟ ଠିକ୍ ରଖି କହିବାକୁ ଗଲେ, ମରାଳ କେତେବେଳେ ଖାଲି ଗୋଡ଼ରେ କେତେବେଳେ ଡେଣା ମେଲାଇ ଖଣ୍ଡିଉଡ଼ା ଦେଲାପରି ଚାଲେ । ଆମ୍ଭମାନଙ୍କ ଚମ୍ପା ଗୋହିରୀ ମଝିରେ ମାଣିଆବନ୍ଧୀ ପଣତକାନୀ ଉଡ଼ାଇ, ଦୁଇଡେଣା ଦୋହଲାଇ ଚାଲିବାବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲାଯାଇପାରେ । ଚମ୍ପାର ବୟସ ଆମ୍ଭେମାନେ ଅନୁମାନ କରୁ ତିରିଶ ଲଗାଲଗି; ମାତ୍ର ତାହାର ନିଜ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସାଆନ୍ତାଣିଙ୍କ ମଙ୍ଗଳକୃତ୍ୟ ଦିନ ତାହାର ଏକୋଇଶା ହୋଇଥିଲା । ଏହି ହିସାବରେ ଚମ୍ପାର ବୟସ ଢେର କମ । ଏଠାରେ ଯୁବତୀର ରୂପ ବର୍ଣ୍ଣନା କରିବାକୁ ହେଲେ ସାବଧାନତା, ଖୁବ୍ ବିଜ୍ଞତା, ଖୁବ୍ ବହୁଦର୍ଶିତା ଆବଶ୍ୟକ । ବିଲାତି ଜିନିସାତ୍ ସହିତ ରୁଚିନାମଧେୟ ପଦାର୍ଥବିଶେଷ ଏ ଦେଶକୁ ନୂଆ ଆମଦାନୀ ହୋଇଅଛି । ତାହା ପ୍ରତି ନଜର ରଖି ନ ଚଳିଲେ ତୁମର ପାଠ ସରିଲା । ତୁମେ ମୁର୍ଖ ଅସଭ୍ୟ ତଳେ ଗଲ । ସେଦିନ ଉପେନ୍ଦ୍ରଭଞ୍ଜଙ୍କ ଦୁର୍ଦ୍ଦଶାରୁ ଆମ୍ଭେମାନେ ଏହି ଶିକ୍ଷା ପାଇଅଛୁ । ବାପ ମା ପୂଣ୍ୟବଳରୁ ସେ ବିଚରା ଖସି ଯାଇଛି, ନୋହିଲେ ଇସ୍ତକ ମହାପାତ୍ରଠାରୁ ମହାରାଜା ଯାଏ ଯେପରି ପିଛା ଧରିଥିଲେ, ତାହା କପାଳରେ ଯେ କ'ଣ ଘଟିଥାନ୍ତା, ଠାକୁରଙ୍କୁ ଜଣା । ଏପରି ମହାରଥୀର ତ ଏହି ଦଶା, ଆମ୍ଭେମାନେ ବା କେତେ କଡ଼ାରେ ଗଣ୍ତାର । 'ଗୁରୁ-ବିପ୍ରସାଦେନ' ଆମ୍ଭେମାନେ ସୁରୁଚି କବିତା କଛି କଛି ରଚନା କରିବାକୁ କ୍ଷମା ଆପଣମାନେ କହିବେ, ଏଇଡା ମିଛୁଆ, କିଛି ଜାଣେ ନାହିଁ । ଆଛା, ନମୁନା ଦେଖିନ୍ତୁ --"ଅର୍ଦ୍ଦ ବକ୍ଷ ଉଲ୍ଲଙ୍ଗିନୀ, ମୁରୁକିହାସିନୀ ବସ୍ତ୍ରଶୂନ୍ୟା, ରିକ୍ତହସ୍ତା, ତୁରଙ୍ଗଗାମିନୀ, ମାର୍ଜାରନୟନା ତାମ୍ରକେଶା, ଅଣ୍ଟାଭିଡା, ସ୍ୱାଧୀନକର୍ତ୍ତୃକା, ପାଞ୍ଚଜଣ ଆଗେ ଛିଡ଼ା, ପରପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ, ଆହା ଆହା ଅପରୂପ ସ୍ୱର୍ଗବିଦ୍ୟାଧରୀ ! ଆଉ କୁରୁଚିପୂର୍ଣ୍ଣ ଉପେନ୍ଦ୍ରଭଞ୍ଜ ଶୁଣିବେ ? "ଓଲଟ କଦଳୀ ପ୍ରାୟ ଜାନୁ ନିତମ୍ବ ଯୁଗଳ ଜିଣି ସାନୁ ।" ଆଉ ଲେଖିବାକୁ ସାହାସ ଅଣ୍ଟିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ । ଆମ୍ଭେମାନେ ସୁରୁଚି କବିତା ଲେଖିବା ଜାଣୁ ସତ୍ୟ, ହେଲେ ଦିନ ଦୁଇ ପ୍ରହରେ ତୁଚ୍ଛା ମିଛ ଲେଖିବାକୁ ସାହସ ହେଉନାହିଁ । ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଚେମୀ ବେହେରା ଠାରୁ ବେଥୁନ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍ ଏସ୍. ଏମ୍. ରେ ଓରେଫ କୁମାରୀ ଶଶିମୁଖୀ ରାୟ ପରର୍ଯ୍ୟନ୍ତ ଦେଖିଲୁ । କେହି ସୁରୁଚିସମ୍ପନ୍ନ ସୌନ୍ଦର୍ଯ୍ୟ ବଢ଼ାଇ ବିରାଡ଼ି ଆଖି ପରି କରିପାରି ନାହାନ୍ତି । ଏଣେ ସତ ଲେଖିଲେ ଅସଭ୍ୟ ତଳେ ଯିବୁ, ମିଛ କଥାତ କଲମରୁ ବାହାରିବ ନାହିଁ । ଉପାୟ କଣ? କାଳିଦାସେ ରଘୁବଂଶ ଲେଖିଲାବେଳେ କଲମ ଅଚଳ ହେବାରୁ କହିବସିଲେ ---

"ଅଥବା କୃତବାଗ୍‌ଦ୍ଵାରେ ବଂଶେଽସ୍ମିନ ପୂର୍ବସୁରିଭିଃ
ମଣୌ ବଜ୍ରସମୁତ୍କୀର୍ଣ୍ଣେ ସୂତ୍ରସ୍ୟେବସ୍ତି ମେ ଗତିଃ ।"

ଏବେ ତ ବାଟ ଦିଶିଗଲା, ନିଜେ କାଳିଦାସ ଚମ୍ପାରୂପ - ବର୍ଣ୍ଣନାର ନମୁନା ରଖିଯାଇଅଛନ୍ତି । ଦାସେ ବୋଇଲେ --"ତନ୍ମୀ ଶ୍ୟାମା ଶିଖିରିଦଶନା ପକବବିମ୍ବାଧ୍ୟରୋଷ୍ଠୀ ।" ଅସ୍ୟାଥଃ --ତନୁ ବୋଲନ୍ତେ ଶରୀର, ଚମ୍ପାର ତନୁ ଥିବାର ସେ ତନ୍ମୀ । ଶ୍ୟାମ ବୋଲନ୍ତେ କାଳିଆ ନୁହେଁ, ଗୋରା ନୁହେଁ, ଶ୍ୟାମଳ ବର୍ଣ୍ଣ । ଚମ୍ପା ଶ୍ୟାମଳ ବର୍ଣ୍ଣ । ଶିଖିରିଦଶନା-ଶିଖରୀ ବୋଲନ୍ତେ ଦାନ୍ତ; ଚମ୍ପାର ଛାମୁଦାନ୍ତ ଦୁଇଗୋଟି: ବାହାଡ଼ା ହୋଇ ଗୋଟିକ ଉପରେ ଗୋଟିଏ ଚଢ଼ିଯାଇ ପର୍ବତଶୃଙ୍ଗପରି ଟେକି ରହୁଥିବାରୁ ସେ ଶିଖରିଦଶନା । ଆଉ ପକ୍ୱବିମ୍ବାଧରୋଷ୍ଠୀ --ପକ୍ୱ ବୋଲନ୍ତି ପାଚିଲା, ବିମ୍ବ ବୋଲନ୍ତେ କୁଆମଇତା, ଅଧରଓଷ୍ଠ ବୋଲନ୍ତେ ତଳଉପର ଓଠ ଅର୍ଥାତ୍ ପାନବୋଳରେ ଚମ୍ପାର ଦୁଇ ଓଠ ଲାଲ ହୋଇଯିବାରୁ ସେ ପକ୍ୱବିମ୍ବାଧରୋଷ୍ଠୀ ଇତ୍ୟାଦି । ପୁଣି ଦାସେ "ମଧ୍ୟେ କ୍ଷାମା--ସ୍ତୋକନମ୍ରା --ପ୍ରଭୃତି ଢେର କଥା କହିଅଛନ୍ତି, ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ ଅର୍ଥାତ୍ ଆମ୍ଭେ ମାନେ ଯେ ସବୁ ଅଙ୍ଗ ଦେଖି ନାହୁଁ, ସେ ସମସ୍ତ ଅଙ୍ଗ ବର୍ଣ୍ଣନା କରିବାକୁ ନିତାନ୍ତ ନାରାଜ । ଦାସେ ତ ଦାସେ 'ଯାହା ନ ଦେଖୁଛୁ ଦୁଇ ନୟନେ, ତାହା ନ ଲେଖିବୁ ଗୁରୁବଚନ' ତେବେ ଦେଖା ସ୍ଥାନଗୁଡ଼ିକୁ ବର୍ଣ୍ଣନା କରିବାକୁ ଛାଡ଼ିବା ପାତ୍ର ଆମ୍ଭେମାନେ ନୋହୁଁ; ଯଥା --

"କଜ୍ଜଳପୂରିତ ଲୋଚନ ଭାଲେ,
ଗୁଣ୍ତିମିଶା ଖିଲୀ ଗୁଞ୍ଜିତ ଗାଲେ ।୧।
ତୈଳ-ହରିଦ୍ରାବୋଳିତ ଦେହେ,
କୁକ୍‌କୁରୀବ ଶୀଘ୍ରଂ ଧାବତି ଗେହେ ।୨।
ଷୋଳହାତୀ ଶାଢ଼ୀ ବିସ୍ତୃତ କଚ୍ଛେ,
ଥୋପଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।୩।
ଦୁମୁ ଦୁମୁ ଗୁମୁ ଗୁମୁ ଚଳନ ତସ୍ୟା,
ଚଳିତ ବା ଧାବତି ବିଷମ ସମସ୍ୟା ।୪।
କଙ୍କଣ ଚୁଡ଼ି ହସ୍ତେ ବିରାଜେ,
ଝମ ଝମ ଝମ ଝୁଣ୍ଟିଆ ବାଜେ ।୫।
ସା ଯଦା ଗଚ୍ଛତି ଗୋହିରୀଦାଣ୍ତେ,
ହସ୍ତ ହଲାଇ ଚାଣ୍ତେ ଚାଣ୍ତେ ।୬।
ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ,
ଡରି ମରି ପଳାଇଯାନ୍ତି ଥୋକେ ।୭।
ଇତି ରୂପବର୍ଣ୍ଣନଂ ପଜ୍‌ଝଟୀ ଛନ୍ଦେ,
ଅତଃ ଗୁଣ ବର୍ଣ୍ଣତେ ବିବିଧପ୍ରବନ୍ଧେ ।୮।