ଛମାଣ ଆଠଗୁଣ୍ଠ/ମଙ୍ଗରାଜଙ୍କ କୁଟୁମ୍ବ

ଉଇକିପାଠାଗାର‌ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ମଙ୍ଗରାଜଙ୍କ କୁଟୁମ୍ବ


ମଙ୍ଗରାଜଙ୍କ କୁଟୁମ୍ବ:

ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡ଼ି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ କି ବାଇଶ, ଏହିପରି ତିରିଶ ଲଗାଲଗି । ପ୍ରତି ଜଣର କଥା ଲେଖିବାକୁ ଗଲେ ଢେର ଲେଖିବା ହେବ । ମାତ୍ର ଆପଣ ତ ଆମ୍ଭମାନଙ୍କ ସ୍ୱଭାବ ଜାଣନ୍ତି, ମିଛକଥା ଲେଖିବା, କଥା ବଢ଼େଇ ଲେଖିବା, ଅକାରଣ କଥା ଲେଖିବା ଆମ୍ଭମାନଙ୍କ ଧାତୁରେ ଚଳେ ନାହିଁ । ମଧ୍ୟ "ମା ଲିଖତ୍ ସତ୍ୟମପ୍ରିୟଂ" ଅର୍ଥାତ ସତ୍ୟ କଥାରୁ ମଧ୍ୟ ଅଧାଅଧି ଛାଡ଼ିଦେବାକୁ ହୁଏ । ଉଆସ ମଧ୍ୟରେ ସ୍ତ୍ରୀ ସଂଖ୍ୟା ବେଶି, ରାମା ଭଣ୍ଡାରିକୁ ଛାଡ଼ି ପୁରୁଷ ତୁଣ୍ଡ ପ୍ରାୟ ଶୁଭେ ନାହିଁ । ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି । ତିନି ପୁଅ ଯୁଆଣ । ଚଉପଟ ଖେଳିବା, ଗୋବର ଚଢ଼େଇଧରିବା ଲୋକଙ୍କ ସହିତ ଦଙ୍ଗା ଫିସାଦ କରିବାରେ ସେମାନଙ୍କୁ ବେଳ ଅଣ୍ଟେ ନାହିଁ । ଗଞ୍ଜେଇ ପତ୍ର ଖାଇବାକୁ ମଧ୍ୟ କିଛି ବେଳ ଲୋଡ଼ା । ଗୋବିନ୍ଦପୁର ହାଟର ଗଞ୍ଜେଇଦୋକାନୀ ଜଣେ ଗହକି ଉପରେ ଖପା ହୋଇ କହିଲା, "ଆରେ ଯା ମ । ମାଲ୍ ନ ନେ, ଏକା ସାଆନ୍ତଘର ବାବୁମାନଙ୍କ ପାଇଁ ମାଲ ନିଅଣ୍ଟ । ବାପ ପୁଅଙ୍କର ପ୍ରାୟ ଭେଟ ହୁଏ ନାହିଁ । ଜଣେ ମୁରବି ଭଳିଆ ଲୋକ କହିଥିଲା, "ଆହେ ମଙ୍ଗରାଜେ, ପୁଅମାନଙ୍କୁ କ୍ୟା ପାଖପୁରାଅ ନାହିଁ ?" ମଙ୍ଗରାଜେ ଉତ୍ତର ଦେଲେ, "ଆହା ତୁମ୍ଭେ କି ଶାସ୍ତ୍ର ଶୁଣି ନାହିଁ ?"

"ଲାଳୟେତେ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍ ।
ପ୍ରାପ୍ତେ ତୁ ଷୋଡ଼ଶ ବର୍ଷେ ପୁତ୍ରଂ ମିତ୍ରବଦାଚରତେ ।"

ଅର୍ଥାତ୍ ପୁଅମାନଙ୍କ ପାଟିରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଲାଳବହେ, ଦଶବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିବ, ଷୋଳବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ଆଉ ମିତ୍ରମାନଙ୍କ ସହିତ ବଦ୍ ଅର୍ଥାତ ଖରାପ ଆଚରଣ କରିବ । "ବାସ୍ତବରେ ଦେଖାଯାଉଛି ସାଆନ୍ତେ କାହାରି କାହାରି ସହିତ ସଙ୍ଗାତ ମିତ୍ର ବସି ମାଲିମକଦ୍ଦମା କରି ସେମାନଙ୍କ ସମ୍ବନ୍ଧରେ ଯେଉଁ ଶାସ୍ତ୍ରୀୟ ପ୍ରମାଣ ପ୍ରୟୋଗ କଲେ, ତାହା ଠିକ ବୋଧ ଦେଉ ନାହିଁ । ଶୁଣାଯାଏ, ପୁଅମାନେ ନିଶାପାଣିରେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼ । ଉଆସ ମଧ୍ୟରେ ସାଆନ୍ତାଣୀ ଗୋଟାଏ କୋଠରୀରେ ପଡ଼ିଥାନ୍ତି, କାହାରି ସହିତ କଥା ନାହିଁ । କେବଳ ଭାଟ, ଭିକାରୀ, ଭୋକୀ, ଶୋଷୀ ଆସିଲେ ତାହାଙ୍କୁ ଖୋଜନ୍ତି । ବୋହୂମାନଙ୍କ କଥା ଲେଖିବା ଅନୁଚିତ । ବଡ଼ ଲୋକ ଘରର ବୋହୂ ଭୂଆସୁଣୀ କଥା ଦାଣ୍ତରେ ପକାଇଲେ ଲୋକେ ଆମ୍ଭମାନଙ୍କୁ କ'ଣ କହିବେ ? ସେମାନେ ଯେପରି ଦିନ ପହରକେ ବିଛଣାରୁ ଉଠି ଦୁଇ ତିନି ଘଣ୍ଟା ମଧ୍ୟରେ ଦାନ୍ତପତ୍ର ଘଷି, ମର୍ଦ୍ଦନ ସ୍ନାନ ସାରି ଭୋଜନ କରି ଦିନବେଳେ ବେଳବୁଡ଼ ଯାଏ ଶୋଇପଡ଼ନ୍ତି, ସେ କଥା ଗୁଡ଼ିକ ଲେଖିଲେ କ'ଣ ହେବ ? ବେଳବୁଡ଼ ସରିକି ପୁଣିଉଠି ପଖାଳ ଦିଶୁ ଦିଶୁ ସାରି ତାହା ବାଦ ଗାଁ କଥାଶୁଣିବା, ପୋଇଲୀ ମାନଙ୍କ ମଧ୍ୟରେ କଳିଲଗାଇ ଦେବା, କଳି ଭାଙ୍ଗିବା, ହସିବା, ବସିବାରେ ଅଧରାତି ହୋଇଯାଏ । ରୁକୁଣୀ, ଚେମୀ, ନାକଫୋଡ଼ୀ, ଟେରୀ, ବିମଳୀ, ଶୁକୀ, ପାଟକୁ ଛାଡ଼ି ଆହୁରି କେତେଗୁଡ଼ିଏ ପୋଇଲୀ ଅଛନ୍ତି । ସେମାନଙ୍କ ନାମ ଆମ୍ଭମାନଙ୍କୁ ଅଜଣା । କେହି ବାଳ ବିଧବା, କେହି ଯୁବତୀ ବିଧବା, କେହି ଆଜନ୍ମବିଧବା, କେହି ବା ସଧବା, ନାନା ପକ୍ଷୀ ଏକ ବୃକ୍ଷରେ ବାସ କଲା ପରି ମଙ୍ଗରାଜଙ୍କ ଘରେ ଆଶ୍ରୟ ନେଇଛନ୍ତି । ମଧ୍ୟ କେତେକ ଆସୁଛନ୍ତି । କେତେ ଯାଉଛନ୍ତି, ତାହାର ଠିକଣା ନାହିଁ । ଅନେକ ଗୁଡ଼ିଏ ନିଷ୍କର୍ମା ପୋଇଲୀ ରୁଣ୍ତ ହେଲେ ପୃଥିବୀର କଳି ଜାତ ହୁଏ, ମଙ୍ଗରାଜ ଉଆସ ଏହି ସନାତନ ବିଧିକୁ ଲଙ୍ଘି ନଥିଲା । ରାତି ଅଧଯାଏ ଉଆସ ମଧ୍ୟରେ ମାଛ ହାଟ ବସିଲା ପରି ଘୋ ଘୋ ଶବ୍ଦ ଶୁଭୁଥାଏ ।