ଛମାଣ ଆଠଗୁଣ୍ଠ/ଅହଂ ନିଜଃ ପରୋବେତ୍ତି

ଉଇକିପାଠାଗାର ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ଅହଂ ନିଜଃ ପରୋବେତ୍ତି

ଚତୁର୍ଥ ପରିଚ୍ଛେଦ

ଅହଂ ନିଜଃ ପରୋବେତ୍ତି

ଅହଂ ନିଜଃ ପରୋବେତ୍ତି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସେଥିରୁ ସବୁ ଜାଣିଯିବେ । ଭାତହାଣ୍ତିରୁ ଗୋଟିଏ ଚିପିଲେ ସବୁ ଜଣାପଡ଼େ । ସରଦାର ହଳିଆ ଗୋବିନ୍ଦ ପୁହାଣ ସକାଳେ ଆସି ଜଣାଇଲା, ଆଜ୍ଞା, ଦେଢ଼ମାଣ ବିଲ ଅରୁଆ ରହିଲା, ତଳି ନିଅଣ୍ଟ । ସାଆନ୍ତେ ହୁଁ କହି ତୁନି ହେଲେ । ହଳିଆ ହାତଯୋଡ଼ି ଦୁଆରେ ଛିଡ଼ାହେଲା ।

ସାଆନ୍ତେ ବିଲ ବୁଲି ବାହାରିଛନ୍ତି । ପରିଧାନ ଖଣ୍ତିଏ ତେଲ ଚିକିଟା ମଠାଲୁଗା, ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛାଭିଡ଼ା, କାନ୍ଧରେ ବିଶାଳ ତାଳପତ୍ର ଛତା । ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି ଚାଲୁଅଛି, ଆଉ ଜଣେ ହଳିଆ କାନ୍ଧରେ ଯୋଡ଼ାଏ ଯୁଆଳି ପକାଇ ଚାଲିଅଛି, ତାହାର ନାମ ପାଣ୍ତିଆ । ଗାଁର ସବୁ ଲୋକ ଉଠି ନାହାଁନ୍ତି । ଶିବୁ ପଣ୍ତିତଙ୍କ ସଙ୍ଗରେ ଭେଟ ହେଲା ।

ପଣ୍ତିତେ ନାଶ ସୁଙ୍ଘି ସୁଙ୍ଘି ବାଁ ହାତରେ ଢାଳଟିଏ ଧରି ପୋଖରୀପାଣି ବାହାରିଛନ୍ତି । ସାଆନ୍ତଙ୍କୁ ହଠାତ୍ ପଛରେ ଦେଖି ତରବର ହୋଇ ସାଢ଼େ ସାତହାତ ଆଡ଼ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାରଧାରଣ ପୂର୍ବକ 'ଅଞ୍ଜଳିବଧ୍ୱୋ ଭୂତ୍ୱା' ସାଆନ୍ତଙ୍କର 'କୀର୍ତ୍ତିମାୟୁର୍ଯଶଃଶ୍ରିୟଂ' କାମନା କଲେ । ସାଆନ୍ତଙ୍କର ତେଣିକି ଦୃଷ୍ଟି ନାହିଁ, ଏକମୁହାଁ ଚାଲିଛନ୍ତି । ସାଆନ୍ତେ ଖଣ୍ତେ ବାଟ ଚାଲିଗଲା ବାଦ୍ ପଣ୍ତିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢ଼ିଲେ, 'ଆଦ୍ୟ ପ୍ରାତରେବାନିଷ୍ଟ ଦର୍ଶନଂ ଜାତଂ ନ ଜାନେ କିମନଭିମତଂ ଦର୍ଶୟିଷ୍ୟତି ।' ପଣ୍ତିତମାନଙ୍କର ଶ୍ଳୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମ୍ଭେମାନେ କ'ଣ ପାଇବୁ ?

ଶ୍ୟାମ ଗୋଚ୍ଛାଇତ ଜାତିରେ ବାଉରୀ । ବିଲ ଗାଁ ତଳେ । ବିଲଗୁଡ଼ିକ ଆଗ ରୁଆ, ଶୁଆପକ୍ଷିଆ ବୁଲିଗଲାଣି । ଶ୍ୟାମ ନଇଁପଡ଼ି ହିଡ଼ ବାନ୍ଧୁଅଛି । ସାନ୍ତେ ପାଖରେ ଛିଡ଼ାହୋଇ ଯାଇ କଅଁଳ ଭାଷାରେ କହିଲେ, 'କି ରେ ବାପ ଶ୍ୟାମ', ଶ୍ୟାମ ହଠାତ୍ ସାଆନ୍ତଙ୍କୁ ଦେଖି ଚମକି ପଡ଼ିଲା । ପାଞ୍ଚହାତ ଦୂରକୁ କୋଡ଼ିଟା ଫୋପାଡ଼ିଦେଇ ଲଟକରି କାଦୁଅରେ ଶୋଇପଡ଼ି ଓଳଗି ହେଲା । 'ଆରେ ଉଠ୍, ଆରେ ଉଠ, ଆରେ ଉଠ୍' ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ । ତହିଁ ଉତ୍ତାରେ ଶ୍ୟାମ ହାତ ଯୋଡ଼ି ଦଶହାତ ଦୂରରେ ଛିଡ଼ାହେଲା । ତାହା ବାଦ୍ ଶ୍ୟାମ ଓ ସାଆନ୍ତଙ୍କ ମଧ୍ୟରେ ଢେର ବେଳ ଯାଏ ଦୁଃଖସୁଖ କଥାବାର୍ତ୍ତା ହେଲା । ସବୁ କଥାଗୁଡ଼ା ଲେଖିଲେ ପାଠକମାନେ ବିରକ୍ତ ହୋଇପାରନ୍ତି, ସେଥିସକାଶେ ସାରାଂଶ ମାତ୍ର ଲେଖୁଅଛୁ, ଅର୍ଥାତ୍ ଶ୍ୟାମ ବଂଶ ଉପରେ ସାଆନ୍ତଙ୍କର ଭାରି ନଜର । ଶ୍ୟାମ ବାପ ଅପର୍ତ୍ତିଆ ରୋଜ ରୋଜ ସଞ୍ଜବେଳେ ସାଆନ୍ତଙ୍କ ପାଖକୁ ଯାଇ ବିଲବାଡ଼ିର ହାଲଚାଲ ଜଣାଉଥିଲା ଏବଂ କିପରି ଚାଷକଲେ ଧାନ ଖୁବ୍ ଫଳିବ, ଏସବୁକଥା ପଚାରୁଥିଲା ଇତ୍ୟାଦି । ମାତ୍ର ଶ୍ୟାମ ସେପରି କରେ ନାହିଁ । ଇତ୍ୟବସରରେ ବିଲ ଉପରେ ସାଆନ୍ତଙ୍କ ନଜର ଅକସ୍ମାତ ପଡ଼ିଗଲା । ଚମକି ପଡ଼ିଲାପରି ମୁରବିପଣିଆ କରି କହିଲେ, 'ଆରେ ଶାମା ତୁ କଣ କରିଛୁ ? ତୁ ଟା ତ ନିହାତି ଓଲୁ । ଚାଷ କିଛି ଜାଣି ନାହୁଁ । ଆରେ, ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ? ଗଛ ନିଃଶ୍ୱାସ ମାରିବାକୁ ତ ବାଟ ରଖି ନାହୁଁ । ଉପାଡ଼ ଉପାଡ୍ ଅଧେ ଉପାଡ଼ିପକା ।' ଗୋବିନ୍ଦ ଭଲ କରି ଅନାଇ ସା'ନ୍ତଙ୍କର ପୋଷକତା କଲା । ଶ୍ୟାମ ଥରିଥରି ହାତଯୋଡ଼ି, 'ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏଁ, ସମସ୍ତେ ରୁଅନ୍ତି । ସା'ନ୍ତେ ବିରକ୍ତ ହୋଇ କହିଲେ, ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହି କହିଲେ, 'ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହିଁ କହିଲେ, "ଆରେ ଗୋବିନ୍ଦା ଦେଖାଇ ଦେ ତ ।" ଏହି କଥା ମୁହଁରୁ ନବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା ପଦା କରିପକାଇଲେ । ଶ୍ୟାମ ଡକାପଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇଲେଖା ସମ୍ବୋଧନ କରି କହିଲେ, "ତୁ ବିଲ କରି ଜାଣ ନ ଜାଣ, କରଜା ଧନର ମୂଳ କଳନ୍ତର ବିଶ୍ୱଏ ରଖିଲେ, ଜାଣିବୁ।" ଶ୍ୟାମ ଭୟରେ କାଠ ପିତୁଳି ପରି ଛିଡ଼ା ହୋଇଥାଏ । ସାଆନ୍ତେ "ଆରେ ଗୋବିନ୍ଦ, ଥାଉ ଥାଉ, ସେ ଯାହା ଇଚ୍ଛା କରୁ।" ଏହା କହି ଆପଣା ଅରୁଆ ବିଲ ଆଡ଼କୁ ଦୁଇ ଭାର ତଳି ଧରି ବାହାରି ଗଲେ ।