ଛମାଣ ଆଠଗୁଣ୍ଠ/ବାଣିଜ୍ୟେ ବସତେ ଲକ୍ଷ୍ମୀ

ଉଇକିପାଠାଗାର‌ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ବାଣିଜ୍ୟେ ବସତେ ଲକ୍ଷ୍ମୀ


ବାଣିଜ୍ୟେ ବସତେ ଲକ୍ଷ୍ମୀ

ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି ।


ଅସ୍ୟାର୍ଥଃ 'ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ କଲେ ଚାଷ ।'

ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ, ଏହିପରି କହନ୍ତେ -''ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ ବି ଏଲ୍ ପାଶ'' ମଙ୍ଗରାଜଙ୍କ ନଅର ଦେଖି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶୟା ଓକିଲ ଘର, ବାଷଠି ଘର, ଭଗ୍ନାଶଂର ସମଷ୍ଠି ମାନ୍ତ୍ର । କଥା କଣ ଜାଣନ୍ତି 'ଭାଗ୍ୟ ଫାଳତି ସର୍ବନ୍ତ୍ର' । ଏହି ଯେ ଅଦାଲତର ଓଳିରେ ଗଣ୍ତା ଗଣ୍ତା ଶାଲପାଗିଆ, ବୁଲୁଛନ୍ତି, ମଙ୍ଗରାଜଙ୍କ ପଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେ କଣ ମିଳିବେ? ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି--ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ --ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶ ଦସ୍ତି ପଦିକାରେ ଚାରିବାଟି ଛ'ମାଣ, ଏହା ଛାଡ଼ି ତିରିଶି ବାଟି ସତର ମାଣ ଭାଗରେ ଲାଗିଅଛି । ଜମିସବୁ ଲାଖରାଜ, କିଛି ନିଷ୍ଠୀ ବାଜ୍ୟାପ୍ତି । ଅଧିକାଂଶ ଖରିଦା ବ୍ରହ୍ମୋତ୍ତର । ଚାଷ ବଳଦ ୫ ହଳ, ହଳିଆ ବାର ଜଣ, ଏମାନେ ବାର ମାସିଆ, ଜାତିରେ ବାଉରୀ -- ତିନି ଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ । ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ୱାସ୍ଥ୍ୟ - ବିଧାନ ଶାସ୍ତ୍ରର ବିଧି । ଖରା ହେଉ ବରଷା ହେଊ, ତୋଫାନ ହେଉ, ଝଡ଼ି ହେଉ ମଙ୍ଗରାଜେ ଏହି ବିଧି ଲଙ୍ଘନ କରିଥିବାର କେବେ କେହି ଦେଖିନାହିଁ । ଶାସ୍ତ୍ରରେ ଲେଖାଅଛି -

"ଯେତେକ ଦେଖ ନଦନଦୀ,
ସମସ୍ତେ ମିଳନ୍ତି ଜଳଧି ।
ଆପଣାଗୁଣ ପାସୋରନ୍ତି,
ଲବଣ ଗୁଣକୁ ଭଜନ୍ତି ।"

ଠିକ କଥା । ସେହିପରି ସ୍ତ୍ରୀ, ଦାସ ଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଉଣା ଅଧିକରେ ଲାଭ କରିଥାନ୍ତି । ଆମ୍ଭେମାନେ ସାଆନ୍ତଙ୍କ ଘର ଦାସ ଦାସୀ ମାନଙ୍କୁ ଦେଖି ଏହି ଶିକ୍ଷା ଲାଭ କରିଅଛୁଁ । ମଙ୍ଗରାଜ ବ୍ରାହ୍ମମୁହୂର୍ତ୍ତରେ ଉଠି ଦାନ୍ତ ଘଷି ପକାନ୍ତି । କଲିକତା ସହରରେ ଦୁଇ ଥର ତୋପ ପଡ଼େ । ପ୍ରାତଃ କାଳ ତୋପ ରାତ୍ରି ଶେଷଜ୍ଞାପକ । ମଙ୍ଗରାଜେ କଚେରୀ ପିଣ୍ଡାରେ ଠିଆହୋର ହଳିଆକୁ ଡାକିଦେଲେ ଗ୍ରାମର ଲୋଜେ ଆଖିବୁଜି ମଧ୍ୟ ଜାଣିପାରନ୍ତି, ରାତିପାହିଲାଣି, ବୋହୂ ଭୂଆଶୁଣିଏ ବାସିପାଇଟିରେ ଲାଗିଯାନ୍ତି । ମଫସଲରେ ଲୋକେ ଘଣ୍ଟା ଫଣ୍ଟା ବୁଝନ୍ତି ନାହିଁ । ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲେ ବଳଦ କାନ୍ଧରେ ଯୁଆଳି ବାହାରେ । ଆଖ ପାଖ ଚାଷିମାନେ ଦୂରରୁ ଅନାଇ ଦେଖନ୍ତି, ମଙ୍ଗରାଜଙ୍କ ବଡ଼ ତାଳ ପତ୍ର ଛତା ହିଡ଼ ଉପରୁ ଉଠିଲାଣି କି ନାହିଁ । ମଙ୍ଗରାଜେ ତାଙ୍କର ହଳିଆ ମାନଙ୍କୁ ପୁଅ ପରି ପାଳିଛନ୍ତି । ମା- ବାପ ପିଲାମାନଙ୍କ ଖିଆ ପିଆ ନିଜେ ନଦେଖିଲେ ସେମାନଙ୍କ ମନ ମାନେ ନାହିଁ । ହଳିଆମାନେ ଧାଡ଼ିହୋଇ ଖାଇବାକୁ ବସିଗଲେ ସାଆନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକ ଦିଅନ୍ତି, ଆରେ ତୋରାଣି ଆଣ, ଏମାନଙ୍କ ତଣ୍ଟି ଶୁଖିଯାଇଛି । ରାନ୍ଧୁଣିଆ ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣି ଦିଏ । ହଳିଆ ଏତେଗୁଡ଼ାଏ ତୋରାଣୀ ପିଇବାକୁ ନାରାଜ ହେଲେ ସାଆନ୍ତେ ତାହାର ଉପକାରିତା ଓ ବଳକାରିତ୍ୱ ସମ୍ବନ୍ଧରେ ଖୁବ୍ ବକୃତା କରି ତାହା ପିଆଇ ଦେଇ ତହିଁ ଉତ୍ତରେ ଭାତରବ୍ୟବସ୍ଥା କରି ଆପେ ସ୍ନାନ କରିବାକୁ ବାହାରିଯାନ୍ତି । ସାଆନ୍ତଙ୍କ ବଗିଚାରେ ସତରଟା ସଜନାଗଛ । ସଜନାଶାଗ ହଜମୀ, ବଳକାରକ, ରୋଗନାଶକ, ମୁଖରୋଚକ, ରୋଗୀର ପଥ୍ୟ । ନିର୍ଘଣ୍ଟୁରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ ଆମ୍ଭେମାନେ ଜାଣୁ ନାହିଁ କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ; କିନ୍ତୁ ସାଆନ୍ତଙ୍କ ମୁଖରୁ 'ଯଥା ଶ୍ରୁତଂ ତଥା ଲିଖିତଂ' । ସେଥି ସକାଶେ ବଗିଚାର ସଜନାଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ, ହଳିଆ ମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସମସ୍ତ ଉତ୍ସର୍ଗି କୃତ । ଏହି ଯେ ଫୁଲ ଦେଖୁ ଅଛ, ଏପରି ଉପାଦେୟ ପଦାର୍ଥ ପୃଥିବୀରେ ନାହିଁ । ପୁଞ୍ଜାଏ ରାଇ ଯଦି ସେଥିରେ ମିଶେ, ତା କଥା ଛାଡ଼ । ପରମେଶ୍ୱରଙ୍କ ସୃଷ୍ଟିରେ କେତେ ଭଲ ଅଛି - ସେଥିରେ ଭଲମନ୍ଦ ମିଶାମିଶି । ଦେଖ ପଣସ ଖୋସା ଗୁଡ଼ିକ ମଧୁର, କିନ୍ତୁ ତାହା ଭିତରେ ସୁତାଗୁଡ଼ାକ ବଦହଜମୀ । କିନ୍ତୁ ଲୋକଙ୍କଠାରେ କିଛି ଅଖଞ୍ଜ ରହେ ନାହିଁ, ଭଲକୁ ଭଲ, ମନ୍ଦକୁ ମନ୍ଦ, ବାଛିଦିଅନ୍ତି । ସଜନାର ସବୁ ଭଲ, କେବଳ ଛୁଇଁଗୁଡ଼ାକ ଖରାପ ଓ ବଦହଜମୀ । ସେଥିପାଇଁ ହଳିଆ କିମ୍ବା ଚାକରମାନଙ୍କ ପତ୍ର ଛୁଇଁପାରେ ନାହିଁ, ବାହାରେ ବାହାରେ ହାଟକୁଯାଏ ।