Jump to content

ଛମାଣ ଆଠଗୁଣ୍ଠ/ସ୍ୱନାମ ପୁରୁଷ ଧନ୍ୟଃ

ଉଇକିପାଠାଗାର‌ରୁ
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ସ୍ୱନାମ ପୁରୁଷ ଧନ୍ୟଃ

ଦ୍ୱିତୀୟ ପରିଚ୍ଛେଦ

ସ୍ୱନାମ ପୁରୁଷ ଧନ୍ୟଃ:

ମଙ୍ଗରାଜେ ଗରିବ ପୁଅ ଥିଲେ । ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ । ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡ଼ା ନ ଉଠିବାରୁ କାନ୍ଥ ପଡ଼ିଯାଇଥିଲା । ଏହାଙ୍କ ବାଲ୍ୟଜୀବନ, ବିଦ୍ୟାଶିକ୍ଷା, କର୍ମକ୍ଷେତ୍ରରେ ପ୍ରବେଶ ପ୍ରଭୁତି ଘଟଣାମାନ ବିଚିତ୍ର ରକମର । ଜଗତର କୌଣସି ପ୍ରଧାନ ଲୋକଙ୍କ ଜୀବନ ଚରିତ ଅଲୌକିକ ଘଟଣାଶୂନ୍ୟ ନୁହେଁ । ସେ ସବୁ କଥା ଲେଖିବାକୁ ଗଲେ ଢେର କାଗଜ କଲମ, ଢେର ସମୟ ଆବଶ୍ୟକ ମାତ୍ର ପରିମିତବ୍ୟୟିତା ଯେ ଗୋଟିଏ ମହତ୍ ଗୁଣ, ଏ ବିଷୟରେ ଆମ୍ଭମାନଙ୍କର ଶିକ୍ଷାଗୁରୁ ମଙ୍ଗରାଜେ । ଅର୍ଥନୀତି ସମ୍ବନ୍ଧରେ ମହାପଣ୍ଡିତ ବେଞ୍ଜାମିନ ଫ୍ରାଙ୍କଲିନ ଯେଉଁ ଉପଦେଶ ଦେଇଯାଇଛନ୍ତି, ସେଥିର ମର୍ମ ଆମ୍ଭେମାନେ ଠିକେ ଠିକେ ସବୁକଥା ଲେଖି ମଙ୍ଗରାଜ ଅର୍ଥନୀତିର ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରିବୁଁ । ମଙ୍ଗରାଜଙ୍କ ଜମିଦାରୀ ନାମ ଫତେପୁର ସରଷଣ୍ଢ, ସଦରଜମା ପାଞ୍ଚ ହଜାର, ଅଠେଇଶ ବାଟି ବାହେଲ ଲାଖରାଜ, ବାଜିଆପ୍ତି ପନ୍ଦର ବାଟି ସତାଇଶ ମାଣ, କିମ୍ବା ଜାଣ, ଏଥିର ଜଣେ ସାତ ମାଣିଆ ସରିକଦାର ଥିବାର ଜଜ୍ ଅଦାଲତରେ ଅପିଲ ଦାୟର ଅଛି । ଲୋକେ କହନ୍ତି ଚାଳିଶ ପଚାଶ ହଜାର ଟଙ୍କା ମହାଜନୀରେ ଖେଳୁଅଛି । ବଡ଼ଲୋକ ଘରକଥା ବଡ଼ ଶୁଭେ । ଆମ୍ଭେମାନେ ଅନୁମାନ କରୁଁ ୧୫ ହଜାରରୁ ବେଶିନୁହେଁ । ମିଥ୍ୟା କଥା କହିବା ଆମ୍ଭମାନଙ୍କର ଧର୍ମନୁହେଁ । ଇନକମ୍ ଟିକସ ଇଲାକା ପିଆଦାଠାରୁ ଶୁଣି ଏକଥା କହୁଅଛୁ । ଧାନ ମହାଜନୀ କାଗଜ କୋଡ଼ିଏ ବରଷ ହେଲା ରଫା ହୋଇନାହିଁ । ଏଥର ସଠିକ ହିସାବ ଦେବାକୁ ଅକ୍ଷମ । ଗଲାଅଙ୍କ ସୁନିଆଁ ବାହାରେ ଧାନଘରିଆ ଯେଉଁ ପାଞ୍ଜି ଦାଖଲ କରିଥିଲା, ସେଥି ମଥୋଟରୁ ଆମ୍ଭେମାନେ ଜାଣିଅଛୁ ଯେ, ଦୁଇ ହଜାର ସାତ ଭରଣ ପନ୍ଦର ନଉତି ଛ ବିଶ୍ୱା ଦୁଇ କାଣି ଧାନ ଅମାରରେ ଜମା ଅଛି । ଘର ପାଞ୍ଚ ପରସ୍ତ । ତିନି ପୁଅ । ଏକ ପରସ୍ତରେ ସାଆନ୍ତ ସାଆନ୍ତାଣି ଓ ସାନଝିଅ ମାଳତି ଥାନ୍ତି, ବାହାର ପରସ୍ତ କଚେରୀ । କଚେରୀ ଘର ପାଞ୍ଚ ଶେଣିଆ, ଶେଣି ପଟାରେ ବାଘ, ହାତୀ, ବିରାଡ଼ି, ରାଧାକୃଷ୍ଣ, ମାଙ୍କଡ଼ ଖୋଳାଯାଇଅଛି । କାନ୍ଥ ସବୁରେ ନୀଳ, ଶୁକ୍ଳ, ରକ୍ତ, ହରୀତ, ପାଟଳ ବିବିଧ ରଂଗର ପଦ୍ମ, କହ୍ଲାର, କୁମୁଦ,ମାଳତି ପୁଷ୍ପମାଳା, ବାନରଯୁଥ, ରାକ୍ଷସ ଶ୍ରେଣୀ ସମ୍ବଳିତ ରାମ ରାବଣ ଯୁଦ୍ଧ ପ୍ରଭୁତି ପୌରାଣିକ ଘଟଣାମାନ ଅଙ୍କିତ ରହିଅଛି । ରାଜପୁତନାର କୌଣସି ସ୍ଥାନରେ ଗୋଟିଏ ଉଲଙ୍ଗ ସ୍ତୀ ମୂର୍ତ୍ତ ଦେଖି ଟଡ୍ ସାହେବ ଅନୁମାନ କରିଅଛନ୍ତି ଭାରତର ପୂର୍ବକାଳରେ ଅଙ୍ଗନାମାନେ ଉଲଙ୍ଗ ଥିଲେ । ହାୟ ! ହାୟ ! ଆମ୍ଭେମାନେ ମଙ୍ଗରାଜଙ୍କ କାନ୍ଥରେ ଚିତ୍ର ଦେଖାଇ ସାହେବଙ୍କ ମୂର୍ଖତା ଦୂର କରିପାରିଲୁ ନାହିଁ । ଭିତ୍ତିଚିତ୍ରିତ ସଖିମଣ୍ଡଳୀ ପରିବେଷ୍ଟିତ ରାଧିକାଙ୍କର ଗେରୁ ରଙ୍ଗରେ ହାଣ୍ଡିକଳା ବୁଟାଦାର ଘାଗରା ଦେଖିଲେ ଅବଶ୍ୟ ସାହେବଙ୍କର ମୂର୍ଖତା ଓ ଭ୍ରାନ୍ତି ବିଦୁରିତ ହୋଇଥାନ୍ତା । ଏହି ସମସ୍ତ ଚିତ୍ର ଅଙ୍କିତ କରାଇବା ନିମନ୍ତେ ଅନ୍ୟଦେଶରୁ ଚିତ୍ରକାର ଲୋଡ଼ିବାକୁ ହୋଇନାହିଁ । ସମସ୍ତ କାଯ୍ୟ ଚଂପାଙ୍କର ହୃହସ୍ତ ସଂପାଦିତ ଅଟେ । ଚଂପା ଏତେ ପ୍ରକାର ପଶୁର ଛବି ଚିତ୍ର କରିପାରେ ଯେ ସେପରି ପୂର୍ବର କଲିକତା ଜୁଲଜିକେଲ ଉଦ୍ୟାନରେ (ଚିଡ଼ିଆଖାନା)ତୁମ୍ଭେ ଖୋଜି ପାଇବନାହିଁ ।

ମଙ୍ଗରାଜ ଉଆସ ଲଗାଲଗି ପଛରେ ଗୋଟିଏ ବଡ଼ ବଗିଚା, ବାଡ଼ିଦୁଆର ଚାରି ପାଖରେ ଗୋଟିଏ, ପୋଖରୀ ----ପୋଖରୀ ଚାରିପାଖରେ ନଡ଼ିଆ ଗଛ, ତା ପଛକୁ କଦଳୀ, ଆମ୍ବ, ପଣସ, ଓଆଉ ଗଛ । ବଗିଚା ପଗାର ଚାରିପାଖ ସୁନାର ଖାଇ ବାଉଁଶ ବାଡ଼ ପ୍ରାଚୀର ପରି ବେଢ଼ି ରହିଅଛି । ମଙ୍ଗରାଜଙ୍କ ପରି ନିସ୍ୱାର୍ଥ ଲୋକ ଦୁନିଆରେ ଅଳ୍ପ ଦେଖିବ । ତାଙ୍କର ସବୁ କାର୍ଯ୍ୟ ପରୋପକାର ନିମନ୍ତେ । ସାଆନ୍ତଙ୍କର ଏହିବଡ଼ ବଗିଚାଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ । ବଗିଚାର ନଡ଼ିଆ, କଦଳୀ, ବାଇଗଣ, କଖାରୁ, ଖଡ଼ାଠାରୁ ଲଙ୍କାମରିଚ ପର୍ଯ୍ୟନ୍ତ ନ ଯାଉଥିଲେ ହାଟର ଏଡ଼େ ଜାରି ଦେଖନ୍ତି ନାହିଁ । ସାଆନ୍ତଙ୍କ ବଗିଚାର ପରିବା ବିକା ନ ସରିଲେ ଆଉ କାହାରି ବିକିବାର ଅଧିକାର ନାହିଁ । ସେ ତ ଠିକ କଥା । ଭଲ ଜିନିଷ ଗୁଡ଼ାକ ପଡ଼ିରହିବ, ଖରାପ ଜିନିଷ ଆଗେ ବିକ୍ରି ହେବ, ଏହା ତ ଉଚିତ୍ ନୁହେଁ । ହାଟ ଯେ ନିଜ ଜମିଦାରୀ ମଧ୍ୟରେ, ଅନ୍ୟ ଲୋକର ହୋଇ ଥିଲେ ଅନ୍ୟ କଥା । ସୁନିଆ ଓ ପର୍ବ ପର୍ବାଣୀରେ ଯେ ସବୁ କଖାରୁ, ବାଇଗଣ, କଖାରୁ ଭେଟି ଆସେ, ସେ ସବୁ ସଳଖେ ହାଟକୁ ଯାଏ । ଚୀନ୍ ଦେଶର ପ୍ରାଚୀର ତୟାରୀ ହେଲା ଉତ୍ତାରେ ସମ୍ରାଟ ସମସ୍ତ ଇତିହାସ ଲେଖକଙ୍କୁ ଧରିଆଣି ହତ୍ୟା କରିଥିଲେ; କାରଣ ପ୍ରାଚୀରରେ କେତେ ଟଙ୍କା ଖରଚ ହେଲା, କାଳେସେମାନେ ଲେଖିପକାଇବେ । ଏଥକୁ ଆମ୍ଭେମାନେ ସମ୍ରାଟଙ୍କୁ ନିରହଙ୍କାରି ପୁରୁଷ ବୋଲି କହୁ । ମହତ ଲୋକମାନେ ମହତ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖରଚ ହେଲା, କହିବୁଲନ୍ତି ନାହିଁ । ମଙ୍ଗରାଜଙ୍କୁ ପଚାର, ଆପଣଙ୍କ ନଅର ବନାରେ କେତେଟଙ୍କା ଲାଗିଲା? ଉତ୍ତର 'ଢ଼େର ଟଙ୍କା, ଢ଼େର ଟଙ୍କା, ମୁଁ ତ ସେଥିରେ ମରିଗଲି । ପାଠକ ନିରାଶ ହେବେ ନାହିଁ, ଅଧିର ହେବେ ନାହିଁ ।

ପ୍ରତ୍ନତତ୍ତ୍ୱ ବିଦ୍ୟାଳୟରେ ସବୁ ପୁରୁଣା କଥାର ଠିକଣା ଲାଗିଯାଏ । ନଅଶ ବରଶ ଉତ୍ତାରେ ଜଣେ ସାହେବ ଆସି ପୁରୀ ମନ୍ଦିର ତୟାରିରେ କେତେ ଟଙ୍କା ଖରଚ ହେଲା, ତାହା ହିସାବ କରି ତାଲିକା ଦେଖାଇଲେ । ମଙ୍ଗରାଜଙ୍କର ଲେଉଟିଆ ଶାଗ ବିକ୍ରି ପର୍ଯ୍ୟନ୍ତ ପତ୍ର ରହିଅଛି, ଘର ତୟାରି ଖରଚର କି ହିସାବ ମିଳିବ ନାହିଁ ? ଦେଓଆନ ଗଙ୍ଗାଗୋବିନ୍ଦ ସିଂହଙ୍କ ମାତୃ କ୍ରିୟା ପରି କ୍ରିୟା ଭାରତ ବର୍ଷରେ ଆଜିଯାଏ କେହି କରିନାହିଁ, କରିବ ନାହିଁ । ବଙ୍ଗଳା ହତାର ସମୁଦାୟ ଜିଲ୍ଲାର କିଲଟର ସାହେବ ଡାଲି, ଚାଉଳ, ମଇଦା, ତେଲ, ଘିଅ, ନଡ଼ିଆ, କଦଳୀ କିଣି ପଠାଇବେ ବୋଲି ବଡ଼ଲାଟ ସାହେବ ସେମାନଙ୍କ ଉପରେ ଚିଠା ଜାରି କରିଥିଲେ । ନବଦ୍ୱୀପର ରାଜା ଶିବଚନ୍ଦ୍ର ସେହିପରି ମାତୃକ୍ରିୟା କରିବାକୁ ଇଛାକରି ଖରଚର ଡାବ ମାଗି ପଠାଇଲେ । ଦେଓଆନ୍ ଗଙ୍ଗାଗୋବିନ୍ଦ କେବଳ ଗଞ୍ଜେଇ, ଆପୁ, ଧୂଆଁପତ୍ର ଖରଚର ଡାବ ପଠାଇଦେଇ ତାହା ଅନୁପାତରେ ସମସ୍ତ ଖରଚର ଠିକଣା ଲଗାଇବାକୁ ସଙ୍କେତ କରି ଭାଷା ଲେଖିଥିଲେ । ଏହିସବୁ ଜିନିଷ ଖରିଦରେ ବାସ୍ତରି ହଜାର ଟଙ୍କା କରଚ ପଡ଼ିଥିଲା । ନଗଦ ତ ଖରିଦ ଛାଡ଼ି ସମସ୍ତ ଜମିଦାରୀ ଭେଟିରେ ଅନେକ ଜିନିଷ ଦେଇଥିଲେ । ଆମ୍ଭେମାନେ ଘର ତୟାରିର ଗୋଟିଏ ହିସାବ ଦେଉଅଛୁ, ବୁଦ୍ଧିମାନ ପାଠକମାନେ ତାକୁ ଧରି ମୋଟ ଖରଚ କଥା ବୁଝିପାରିବେ । ଧାନଘର ପାଞ୍ଜିରୁ ଆମ୍ଭେମାନେ ଠିକ୍ ହିସାବ ପାଇଅଛୁ । ବଢ଼େଇ, କମାର ବେଠିଆଙ୍କ ପଛେ ପନ୍ଦର ଭରଣ ବାଇଶି ନଉତି ଧାନ ଖରଚ ପଡିଥିଲା ।

ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସେ କେବଳ ପରର ବିକଳ ସହିନପାରି ଧାନ ଟଙ୍କା କରଜ ଦିଅନ୍ତି । ନୋହିଲେ ସେଥିରେ ତାଙ୍କର ନିଜର କିଛିଲାଭ ନାହିଁ । ଆମ୍ଭେମାନେ କହୁ, ବରଞ୍ଚ ଲୋକସାନ । ଧାନ ଦେଢ଼ିରୁ ବେଶି କରଜା ନାହିଁ, ଏଥିରେ ଲାଭ କଣ? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେବା ବେଳକୁ ନୂଆ କଞ୍ଚା । ଆଛା ପାଠକ, ଆପଣଙ୍କ ଓଦା ଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା ଶୁଖିଲାର କେତେ ପ୍ରଭେଦ । ଗଲା ଅଙ୍କ ପାଞ୍ଜିଆ ଯେ ସାଲତମାମି ଦାଖଲ କରିଥିଲା, ସେଥିରେ ମହାଜନୀ କରଜରେ ଆଠ ଟଙ୍କା ଛଅଅଣା ଦୁଇକଡ଼ା ଦୁଇକ୍ରାନ୍ତି ଛାଡ଼ ତଳେ ପଡ଼ିଥିବାର ଦେଖାଯାଇଅଛି । ଏତେଗୁଡ଼ାଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳି ଖାଇ ଯେଉଁ ପରି କୈଫିୟତ୍ ଦେଇଥିଲେ, ସେଥିର ସାରମର୍ମ ଏହି ଭିକାରି ପଣ୍ଡା କରଜ ନେବାର ମୂଲ୍ୟ ପାଞ୍ଚଟଙ୍କା । ସେଥିରେ କଳନ୍ତର ଚକ୍ରବୃଦ୍ଧି ପ୍ରମାଣେ ବାରଟଙ୍କା ପାଞ୍ଚଅଣା ଏଗାର ଟଙ୍କା ଦୁଇକଡ଼ା, ଗାଏ ଦୁଇ ପଦକୁ ମୋଟ ଆଦାୟ ସତରଟଙ୍କା ପାଞ୍ଚ ଅଣା ଦୁଇପଇସା ବାଦେ ବାକି ଛାଡ଼ ଦେଢ଼ ଗଣ୍ଡା

--o-