ଛମାଣ ଆଠଗୁଣ୍ଠ/ରାମଚନ୍ଦ୍ର ମଙ୍ଗରାଜ

ଉଇକିପାଠାଗାର ରୁ
Jump to navigation Jump to search
ଛମାଣ ଆଠଗୁଣ୍ଠ ଲେଖକ/କବି: ଫକୀର ମୋହନ ସେନାପତି
ରାମଚନ୍ଦ୍ର ମଙ୍ଗରାଜ

ପ୍ରଥମ ପରିଚ୍ଛେଦ

ରାମଚନ୍ଦ୍ର ମଙ୍ଗରାଜ :

ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ ନଗଦ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍ମିକ । ବର୍ଷ ମଧ୍ୟରେ ୨୪ଟା ଏକାଦଶୀ, ୪୦ଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା, ଏକଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀପତ୍ର ଜଳମାତ୍ର ଅବଲମ୍ବନ । ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗା ଭଣ୍ଡାରୀ କଥା କହୁଁ କହୁଁ କହିପକାଇଲା, ପ୍ରତି ଏକାଦଶୀଦିନ ସଞ୍ଜବେଳେ ଦ୍ଵାଦଶୀ ପାରଣା ସକାଶେ ସାଆନ୍ତଙ୍କ ଘରେ ସେରେ ଦୁଧ, ଦିଶୁଖଇ, ନବାତ, ପାଚଲା କଦଳୀ ରଖାଯାଇଥାଏ । ସେ (ଜଗା) ଦ୍ଵାଦଶୀ ଦିନ ବଡ଼ି ସକାଳେ ତୁଚ୍ଛାବାସନ ମାଜେ । ଏକଥା ଶୁଣି ଜଣ କେତେ ମୁହଁ ଚାହାଁ ଚାହିଁ ହୋଇ ମୁରୁକି ହସୁଥିଲେ । ଜଣେ କହିପକାଇଲା, ଡୁବିପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବ ନାହିଁ । ଏ କଥାର ଅର୍ଥ ସଫା ବୁଝାଗଲା ନାହିଁ, ମାତ୍ର ଆମ୍ଭେମାନେ ଅନୁମାନ କରିନେଲୁ, ଏହା ନିନ୍ଦୁକର କଥା । ସେ କଥା ଛାଡ଼, ବରଞ୍ଚ ଆମ୍ଭେମାନେ ସାଆନ୍ତଙ୍କ ସପକ୍ଷରେ ଓକିଲାତି କରିପାରୁ । ଭାଣ୍ଡଶୂନ୍ୟ ହେବା କାର୍ଯ୍ୟଟା ଯେ ମଙ୍ଗରାଜଙ୍କ ଦ୍ଵାରା ଅନୁଷ୍ଠିତ ହୋଇଅଛି, ଏଥିର ଚାକ୍ଷୁଷ ସାକ୍ଷୀ କାହିଁ ? ଶୁଣିବା କଥା ବା ଅନୁମାନ କଥା ପ୍ରମାଣ ରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ । ଅଦାଲତରେ ହାକିମମାନଙ୍କର ତ ଏହି ରାୟ । ଆଉ ଗୋଟିଏ କଥା ଦେଖ ବିଜ୍ଞାନଶାସ୍ତ୍ର କହେ, ଜଳୀୟ ପଦାର୍ଥ ସବୁ ବାଷ୍ପାକାର ହୋଇ ଉଡ଼ିଯାଏ । ଦୁଧ ତ ଜଳୀୟ ପଦାର୍ଥ, ଜମିଦାର ଘର ଦୁଧ ବୋଲି ବିଜ୍ଞାନ ବିଧି ଡରିବ ପରା ! ପୁଣି ସେ ମୂଷା ଚୂଚୂନ୍ଦୁରା ଚୁଟିଆ ଥିଲେ ଛାରପୋକ ମଶାମାଛି ଅବା କେଉଁ ଘରେ ନ ଥାନ୍ତି ? ପେଟ ପାଟଣା ପାଇଁ ଜଗତର ସମସ୍ତପ୍ରାଣୀ ଧାଉଁଛନ୍ତି । ଶେଷରେ ସେମାନେ ମଙ୍ଗରାଜଙ୍କ ପରି ହରିଭକ୍ତି - ବିଳାସ ଗ୍ରନ୍ଥ ମାହାତ୍ମ୍ୟ ଶୁଣି ନାହାନ୍ତି । ଏଥକୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ପ୍ରତି ସନ୍ଦେହ କରିବା ମହାପାପ ବୋଲି ବିଚାର କରୁଁ । ଆହୁରି ମଧ୍ୟ ପାର୍ଶ୍ଵବର୍ତ୍ତି ଘଟଣାମାନଙ୍କ ପ୍ରତି ନଜର ରଖିବା ନିମନ୍ତେ ପ୍ରମାଣ ଆଇନରେ ବିଚାରକ ମାନଙ୍କ ପ୍ରତି ବିଶେଷ ବିଧି ଅଛି । ମଙ୍ଗରାଜେ ଉଷୁନା ଛୁଅନ୍ତି ନାହିଁ ମାଛ ଶୁଖୁଆ କଥାଛାଡ଼ । ଦ୍ଵାଦଶୀ ଦିନ ବାହ୍ମଣ ଭୋଜନ କରାଇ ତହିଁ ଉତ୍ତାରେ ପାରଣା କରନ୍ତି । ମଙ୍ଗରାଜେ ଭାରିହୁସିଆର ଲୋକ ଏହି ବାହ୍ମଣ ଭୋଜନ ରୂପ ମହତ୍ କାର୍ଯ୍ୟରେ କେତେ ବିଘ୍ନ ଘଟିପାରେ, ଏଥିସକାଶେ ଜଣେ କେଉଟକୁ ମାଣେ ଓ ଗୁଡ଼ିଆକୁ ମାଣେ ଏପରି ଦୁଇ ମାଣ ଜମି ଖଞ୍ଜି ଦେଇଛନ୍ତି । ଦ୍ଵାଦଶୀ ଦିନ ଭୋରରୁ କେଉଟ ଦୁଇ ନଉତି ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ ଗୁଡ଼ ଦାଖଲ କରିଯାଏ । ଗୋବିନ୍ଦପୁର ଶାସନ ୭ ଘର ବାହ୍ମଣ ସମସ୍ତେ ନିମନ୍ତ୍ରିତ ହୋଇ ଆସନ୍ତି । ବେଳ ଛଅଘଡ଼ି ମଧ୍ୟରେ ବାହ୍ମଣ ଭୋଜନି ହୋଇଯାଏ । ମଙ୍ଗରାଜେ ସ୍ୱୟଂ ବାହ୍ମଣ ମାନଙ୍କୁ ପରିବେଷଣ କରନ୍ତି । ଥରେ ପତ୍ରରେ ଚୂଡ଼ାଗୁଡ଼ ଲଗାଇ ଦେଲେ ମଙ୍ଗରାଜେ ଉଚ୍ଚପାଟିକରି ହାତ ଯୋଡ଼ି କହନ୍ତି, "ଗୋସେଇଁମାନେ କୁହନ୍ତୁ, ଆଉକିଛି ଲୋଡ଼ା କି ନାହିଁ, ଢେର ଜଳପାନ, ଢେର ଗୁଡ଼ ଅଛି, ମାତ୍ର ମୁଁ ଜାଣେ, ଆପଣ ମାନଙ୍କ ଆଖି ବଡ଼ ପେଟ ସାନ । ଆପଣ ମାନଙ୍କ ପେଟକୁ ବଳି ପଡ଼ିଲାଣି । ଏଥି ଉତ୍ତାରେ କୌଣସି ପେଟ ବିକିଳିଆ ବାହ୍ମଣ ଜଳପାନ ମାଗି ବସିଲେ ସାଆନ୍ତେ ତିନି ଆଙ୍ଗୁଳିଆ ପାଞ୍ଚ ସାତ ପୁଞ୍ଜାଚୂଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି । ତହିଁ ଉତ୍ତାରେ ଗୋସେଇଁମାନେ 'ପୂର୍ଣ୍ଣ ହେଲା, ପୂର୍ଣ୍ଣ ହେଲା' କହି ଲମ୍ବା ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି । ବାହ୍ମଣ ଭୋଜନ ଉତ୍ତାରେ ଯେଉଁ ଏକ ନଉତି ଚୂଡ଼ା ଓ ଅଧା ଅଧି ଗୁଡ଼ ବଳି ପଡ଼େ, ତାହା ଭକ୍ତି ପୂର୍ବକ ମଙ୍ଗରାଜେ ସେବାକରନ୍ତି । ପାଠକ ଆପଣ ପଚାରିବେ, ନଉତିଏ ଚୂଡ଼ାରେ ସତେଇଶ ଜଣ ବାହ୍ମଣଙ୍କର ପେଟ କିପରି ପୂରିଲା? ହରିବୋଲ ଭାଇ ହରିବୋଲ । ଏସବୁ କଥାରେ ଉତ୍ତର ଦେବାକୁ ଗଲେ ଆମ୍ଭମାନଙ୍କର ଆଉ ଲେଖା ଚଳିବ ନାହିଁ । ଯୀଶୁ ଖ୍ରୀଷ୍ଟ ଦୁଇ ଖଣ୍ଡ ରୁଟିରେ ବାରଶତ ଲୋକ ଖୁଆଇଲେ, ପୁଣି ଚାରି ପାଛିଆ ବଳିପଡ଼ିଲା । କାମ୍ୟକ ବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାର ହଜାର ଶିଷ୍ୟଙ୍କର ପେଟ ଟିକିଏ ଶାଗରେ ପୂରାଇ ଦେଇଥିଲେ । ଏହି ମହାପୁରୁଷଙ୍କ ହସ୍ତ ମହିମା ପ୍ରତି ଯଦି ଆପଣଙ୍କର ବିଶ୍ୱାସ ନଥାଏ, ତେବେ ଆମ୍ଭମାନଙ୍କ ମଙ୍ଗରାଜ ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ । ଏପରି ଶୁଣାଅଛି, ତାଙ୍କର ମାଉସି ପୁଅ ଭାଇ ଶ୍ୟାମ ମଲ୍ଲେ ସହରକୁ ଯାଇଥିଲେ -ପାପ ଛପା ରହେ ନାହିଁ ସେ କୁସଙ୍ଗରେ ପଡ଼ି ପିଆଜ ମିଶା କୋବି ଖାଇଥିବା ସାଆନ୍ତଙ୍କ ନିକଟରେ ଅଜଣା ରହିଲା ନାହିଁ । ଆଜିଯାଏ ରୂଢ଼ ବଢ଼ି ରହିଥାନ୍ତା, ମଙ୍ଗରାଜେ ଖୁବ କମ ଖରଚରେ ଅଥାତ୍ ଶ୍ୟାମଙ୍କ ଦେଢ଼ବାଟି ପୈତୃକ ଲାଖରାଜରୁ ୧୫ମାଣ ମାତ୍ର ନେଇ ଖଲାସ କରିଦେଲେ, ମଙ୍ଗରାଜେ ଦିନେ ଶ୍ୟାମକୁ ଡାକି ମୂରବୀ ପଣିଆ କରି କହିଲେ, "ଦେଖ ଶ୍ୟାମ, ଏଣିକି ହୁସିଆର ରହ, ମୁଁ ଥିଲି ବୋଲି ମୋ ମୁଲାଜାରେ ପାଞ୍ଚଜଣ ତୋତେ ଟେକିନେଲେ ସିନା ନୋହିଲେ ତୁ ଏକାବେଳକେ କିରସ୍ତାନ ହୋଇ ଯାଇଥାନ୍ତୁ ---ତୋ ସାତ ପୁରୁଷ ଅହିନରକରେ ପଡ଼ିଥାନ୍ତେ । ଆଉ ମୁଁ ବୋଲି ସିନା ତୋର ମାଣ ପାଞ୍ଚ ଟଙ୍କାରେ ନେଲି ଆଉ କେହି ଦୁଇ ଟଙ୍କାରେ ଛୁଅନ୍ତା ନାହିଁ । ଯେତେ ହେଲେ ତୁ ତ ଭାଇ, କ'ଣ ତୋତେ ଫୋପାଡ଼ି ଦେବି? ହେଲେ, ବିପଦ ଆପଦ ବେଳକୁ ମୁଁ --ଭଲବେଳେ କେହିନୁହେଁ । ଏହି ସେଦିନ ଭୀମା ଗଉଡ଼ର ଫୌଜଦାରୀ ମକଦ୍ଦମାରେ ତୋତେ ଗୁହା ହେବାକୁ କହିଲି, ଘରେ ଲୁଚିଲୁ, ଦେଖାଦେଲୁ ନାହିଁ ।

ହାୟ! ହାୟ! ଯେଉଁ ନିନ୍ଦୁକମାନେ ଖୀଷ୍ଟଙ୍କୁ କ୍ରୁଶରେ ଚଢାଇଲେ, ପରମା ସତୀ ସୀତାଙ୍କୁ ବଣକୁ ପଠାଇଲେ, ସେମାନଙ୍କ ବଂଶଧର ମାନେଯେ ହରିବାସର ଉପବାସୀ ପରୋପକାରୀ ମଙ୍ଗରାଜଙ୍କ ଅଖ୍ୟାତି ରଚନା କରିବେ, ଏହା କିଛି ବିଚିତ୍ର ନୁହେଁ । ନିନ୍ଦୁକମାନେ ଯେଉଁ କଥା କହି ବୁଲିବେ, ଆମ୍ଭମାନଙ୍କୁ ନାଚାର ହାଲତରେ ସେ କଥା ବୋଲିବାକୁ ହେଉଅଛି । ସେମାନେ କହନ୍ତି, ମଙ୍ଗରାଜେ ଚାରି କୋଶ ମଧ୍ୟରେ କାହାରି ଗୋଖୋଜରୁ ଖୋଜେ ଜମି ରଖିଲେ ନାହିଁ । ବାକି ଥିଲା ଭାଇ --ଓର ଖୋଜି ଖୋଜି ଏତେଦିନ ପାଇଲେ । ଶ୍ୟାମ ପିଆଜ ଖାଇ ବାହ୍ମଣ ଭୋଜନ କରାଇଲା, ମଙ୍ଗରାଜ ଘର ମାଇକିନିଆମାନେ ଯେ ଚମ୍ପାକୁ ପଠାଇ ହାଟରୁ ପିଆଜ କିଣି ଆଣନ୍ତି ! କଥା ଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣି ଆଣିଲା । ଖାଇବାର ପ୍ରମାଣ କାହିଁ ? "ପଲାଣ୍ଡୁ ଗୁଞ୍ଜନଞ୍ଚୈବ" ---ମନରେ ଖାଇବାକୁ ସିନା ମନା, କିଣିଲେ ପତିତ ହେବ, ଏ ବିଧି କାହିଁ ? ମାତ୍ର ଭଦ୍ରଲୋକ ଘର ମହିଳା ମାନଙ୍କ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମ୍ଭେମାନେ ସଂପୂର୍ଣ୍ଣ ନାରାଜ ।