ଜଗମୋହନ ରାମାୟଣ/୨
ଜଗମୋହନ ରାମାୟଣ ଲେଖକ/କବି: ଅଯୋଧ୍ୟା କାଣ୍ଡ |
ଅରଣ୍ୟକାଣ୍ଡ→ |
ଶ୍ରୀରାମଙ୍କ ଅଭିଷେକର ଉଦଯୋଗ
[ସମ୍ପାଦନା]ରାମ-ବନବାସ
[ସମ୍ପାଦନା]ଗୂହକର ମିଳନ
[ସମ୍ପାଦନା]ରାମଙ୍କ ଚିତ୍ରକୂଟ-ପ୍ରବେଶ
[ସମ୍ପାଦନା]ଭରତଙ୍କ ମାମୁଁଘର-ବାହୁଡା
[ସମ୍ପାଦନା]ଭରତଙ୍କ ଭରଦ୍ୱାଜ-ଭେଟ
[ସମ୍ପାଦନା]ତୁମ୍ଭେ ଭ୍ରତବୀର ଏ ମୋହର ବୋଲ ଶୁଣ । ତୁମ୍ଭର ଏ ଥାଟକୁ ମୁଁ ଦେବଇଁ ଭୋଜନ ॥
ଯେ ଯାହାର ବାଞ୍ଛା ପୂରୋଇବି ଏହିକ୍ଷଣି । ଭରତ ବୋଲଇ ମୁନିଙ୍କର ବୋଲ ଶୂଣି ॥
ଅପରିମିତ ମୋ ଥାଟ ଲୋକ ଯେ ବହୁତ । ତୋତେ କିମ୍ପା ଘଞ୍ଚାଳ କରିବି ତପୋବନ୍ତ ॥
ମୁନି ବୋଇଲେ ହୋ ତୁମ୍ଭେ ନ ଜାଣ ଯେ କିଛି । ତପୋବଳରେ ଆମ୍ବର ଉପାୟ ଯେ ଅଛି ॥
ଏତେ ବୋଲି ମୁନି ଗଲେ ମଢ଼ୀଆରେ ପଶି । ଦୋହରା ଘର ଅଗ୍ନି ସନ୍ନିଧ୍ୟେ ଯାଇଁ ବସି ॥
ଦକ୍ଷିଣ କରରେ ଜପ କଲେ ଘେନି ଜଳ । ତତକ୍ଷଣେ ନିର୍ମାଣ ସେ କଲେକ ସକଳ ॥
ଭ୍ରତ ଶତ୍ରୁଘ୍ନକୁ ନୂଆ ନବର ଉଆସ । ଆବରଜନଙ୍କୁ ଯେଝା ଅନୁରୁପେ ବାସ ॥
ରାଜାର ନବରକୁ ମଣ୍ଡିଲେ ଯତ୍ନ କରି ।ବସ୍ତ୍ର ଚାମର କୁଙ୍କୁମ ସର୍ବ ଅଛି ପୂରି ॥
ସୁବର୍ଣ୍ଣର କଳଶ ଯେ ନେତର ଚାମର । ତୋରଣା ଲମ୍ବାଇଲେ ମୁକୁତା ମାଳ ମାଳ ॥
ସୁବର୍ଣ୍ଣ ବାଡରେ ନାନାଚିତ୍ର ଯେ ଲିଖନ । କେବଣ ପୁର ଦିଶଇ ଅରୁଣ ଯେ ବର୍ଣ୍ଣ ॥
କେହି ହିଙ୍ଗୁଳା ବର୍ଣ୍ଣ କେ ସ୍ଫଟିକ ବର୍ଣ୍ଣ ।କେଵଣ ଘର ହୋଇଛି ମର୍କତେ ରସାଣ ॥
ଦେଖିଣ ତା ଭ୍ରତବୀର ହୋଇଲା ହରଷ । ବଇକୁଣ୍ଠ ପୁର କି ଦେବତାଙ୍କର ବାସ ॥
ଏତେକ ବୋଲି ଯାଇଁ ସେ ଜଗତିରେ ଉଠି ।ଦେଖିଲାକ ନବରତ୍ନ ମଣ୍ତପ ଯେ ଗୋଟି ॥
ଗଜଦନ୍ତ ଖଟୁଲୀ ହୋଇଛି ତହିଁ ଦୋଳା । ତଳେ ପାରି ଅଛନ୍ତି ଯେ ଚଉଦନ୍ତ ନୀଳା ॥
ଉପରେ ଶେଯାଇ ଅଛଇ ଯେ ଦିବ୍ଯ ଶେଯ । ଦେଖିଣ ଭରତ ବୀର ହୋଇଲେ ଆଶ୍ଚର୍ଯ୍ୟ ॥
ଚାନ୍ଦୁଆ କିରିଣ ଚନ୍ଦ୍ରାତପ ପଟାନ୍ତର । ଚଉପାଶେ ମଣ୍ତନ ଯେ ଶ୍ୱେତର ଚାମର ॥
ଭରତ ବୋଇଲା ଏ ଦେବତାଙ୍କ ଆସନ । ଶ୍ରୀରାମ ଯେ ବସିବକୁ ଏଥିରେ ଭାଜନ ॥
ନମସ୍କାର କରି ଭ୍ରତ ବାହୁଡିଣ ଗଲା । ଆନ ପରଙ୍କରେ ସୁଖେ ଶୟନ ଯେ କଲା ॥
ଶତ୍ରୁଘନକୁଇଁ ଯେ ନବର ଚାରି ଘର । ତହିରେ ରହିଲେ ଯାଇଁ ସୁମିତ୍ରା-କୁମର ॥
ମାୟା ଲୋକେ ଆସିଣ ବଶିଷ୍ଠଙ୍କୁ ନିଅନ୍ତି । ଜାବାଳି କାଶ୍ୟପ ବାମଦେବଙ୍କୁ ରଖାନ୍ତି ॥
ସୁମନ୍ତ୍ର ସହିତେ ମନ୍ତ୍ରୀଗଣ ତହୁଁ ଗଲେ । ଯେ ଯାହାର ଅନୁରୁପେ ଥାଟେ ଠାବ ଦେଲେ ॥
ତଇଳର ନଦୀ ଏକ ବହିଲାକ ତହିଁ । ଘୃତ ନଦୀ ଏକ ତାର ଥଳ କୂଳ ନାହିଁ ॥
ଥୋକାଏକ ଦୁରରେ ବହଇ ନଦୀ ସୁରା । ପର୍ବତ ସମାନେ ମାଂସ ବଖରା ବଖରା ॥
ଅଏଁଳା ହଳଦୀ ଗଦା ପର୍ବତ ସମାନ ।ସୁଗନ୍ଧ ଯେ ଚତୁଃସମ ଅତି ଅନୁପମ ॥
ପୁଷ୍ପମାଳ କୁଢ କୁଢ ତାମ୍ବୁଳ ଭଙ୍ଗାଇ । ମାୟାଲୋକମାନେ ଯାଚି ଦିଅନ୍ତି ଯେ ନେଇ ॥
ଜଣକୁ ଏଗାର ଜଣ ଲେଖାଏଁ ଯେ ନାରୀ । ତଇଳ ଲଗାଇ ଦିଏ କେ ମର୍ଦ୍ଦନ କରି ॥
କାହାକୁ ବା ପାଞ୍ନସ୍ତିରୀ କରନ୍ତି ଢମାଳି । କାହାକୁ ସ୍ନାନ କରାନ୍ତି ମିଳି ଷଡ ବାଳି ॥
ଦିବ୍ୟ ବସନ ପିନ୍ଧାନ୍ତି କେହି ମନ ମୋହି । ଚତୁଃସମ ଲେପି କେହି ଗଭା ଯେ ସଜାଇ ॥
ନବରତ୍ନ ଖଟ କେହି ଅଳଙ୍କାର ଦେଲେ । ମାୟା ବ୍ରାହ୍ମଣେ ଯେ ଅନ୍ନ ଆଣି ପରଶିଲେ ॥
ବସିଲା ଘୃତ ଆବର ଦେଲେ ଅଦା ଲୁଣ । ନିରମିଷ ଆମିଷ ଯେ ଅନେକ ତିଉଣ॥
ହେଙ୍ଗୁ ଜିରା ମରିଚ ନଡ଼ିଆ ଦୁଧ ଛେନା । ଘୃତରେ କରି ନାନାଦି ପିଷ୍ଟକ ରଚନା ॥
ମାନ୍ଥ ମାଏଁସ ଯେ ଛଡା ଝଡ଼ା ଜଣ ପ୍ରତି । ପଣା ପଇଡ଼ ଯେ ଆଣି ବଳେ ଯାଚି ଦ୍ୟନ୍ତି ॥
କ୍ଷୀରି କ୍ଷୀରିଷ। ଶାକର ପରସନ୍ତି ଆଣି । ଏମନ୍ତେ ଅନେକ ଦ୍ରବ୍ୟ କେ ପାରେ ବଖାଣି ॥
ନାଡୀ ସରପୁଳି ଯେ ଆରିଷା ଛେନାପୁରି । କାକରା ଛେନା ଲଡୁ ଯେ ମାଲପୁଆ ପୁରି ॥
ସଜମର ଘିଅ ଆଣି ଦ୍ୟନ୍ତି ବଢ଼ା ବଢ଼ା । ଗଜା କଚୁରି ପଣସ ଖୋସା ବିରିବରା ॥
କୋରା ରସଗୋଲା ଯେ ଅମୃତ ରସାବଳୀ । ମଣ୍ତା ନାନମାନ ଅମୃତପାଣି କଦଳୀ ॥
ଝୁମ୍ପା ଝରିରେ ଭରି ନାନାତିର୍ଥ-ଜଳ । ତହିରେ ଦେଇ ସୁବାସ ଦ୍ରବ୍ଯ ଯେ ସକଳ ॥
ପଣସିଆ ମଣ୍ଡା ଯେ ଲଵଣୀ ପାଣି ପଣା । କେ ଘୃତରେ ଭଜା କେହି ଘୃତରେ ଯେ ଛଣା ॥
ଫେଣା ଖୁଡୁମୁଆଁ ସର ନାନାବର୍ନେ ପିଠା । ଖାଇ ଖାଇ ଲୋକଙ୍କୁ ଯେ ମାଡିଲାକ ଚିଟା ॥
ପରଷନ୍ତି ଲୋକେ ଯେ ଭୁଞ୍ଜନ୍ତି ଛେନା ମଣ୍ତା । କେହି ମୁଗମଣ୍ତା କେହି ପେଷି ଖସା ମଣ୍ଡା ॥
କାହକୁ ନଡ଼ିଆପୁର ମଣ୍ତା ପରଷନ୍ତି । କାହା ଆଗରେ ପଣସ ଦୋରୁଅ ଭସାନ୍ତି ॥
ସାରେ କେ ଖଣ୍ତ ଶାକର କେହି ଛତୁ ନାଳି । ଫେଣା ଖଣ୍ତ ଖଜା ତିଳ ମୁଆଁ ସରପୂଳି ॥
କେ ଭୁଂଜେ ମୁଗ ମରିଚ ଦୁଧସରମାନ । ଛେନା ତରଡା ଗୋଟିକା ଲବଣୀ ଅଧାମ ॥
ଘୋଳଦହି ବସାଦହି କେ ଆଣି ଦିଅନ୍ତି । ନାନା କାର ଚଟଣୀ କେହି ପରଷନ୍ତି ॥
ଅମୃତପାଣି କଦଳୀ କେହି ପାଉଁଶିଆ । ବନ୍ତଳ ଗନ୍ଧତୁଳସୀ ସଙ୍କରା କାଠିଆ ॥