ଜାତି, ଜାଗୃତି ଓ ପ୍ରଗତି/ଆମେ ନିଶ୍ଚିତ ପାରିବା

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଆମେ ନିଶ୍ଚିତ ପାରିବା

୧୩୮ / ଜାତି, ଜାଗୃତି ଓ ପ୍ରଗତି


ଆମେ ନିଶ୍ଚିତ ପାରିବା

ବିଶ୍ୱକୁ ଏକା ଦିଗଦର୍ଶନ ପ୍ରଦାନ କରିଥିବା ଆମ ଦେଶ ଭାରତବର୍ଷ ଯେ ଦିନେ ଦାସତ୍ୱର ଶୃଙ୍ଖଳରେ ବାନ୍ଧିହୋଇ ଆଉ କାହାର ଅଧୀନତାକୁ ସ୍ୱୀକାର କରିଥିଲା, ତାହା ଆମକୁ ଜଣାଇଦିଏ ଏହି ‘ଗଣତନ୍ତ୍ର ଦିବସ’ ଓ ସ୍ୱାଧୀନତା ଦିବସ ପାଳନ ମହୋତ୍ସବ ଏବଂ ମନେ ପକାଇିଏ ଅତୀତର କଳଙ୍କିତ ଇତିହାସ ।

ସମଗ୍ର ବିଶ୍ୱ ଯେତେବେଳେ ଏକ ବିସ୍ଫୋରଣମୁଖୀ ସମୟକୁ ଅତିକ୍ରାନ୍ତ କରି ଚାଲିଥିଲା, ସେତେବେଳେ ଭାରତ ବର୍ଷରେ ଦେଖାଦେଇଥିଲା ମୁକ୍ତି ସଂଗ୍ରାମର ଅନ୍ତିମ ପ୍ରହର । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ, ବିଶ୍ୱର ପ୍ରଥମ ଆଣବିକ ଅସ୍ତ୍ର କ୍ଷେପଣରେ ଜାପାନର ହୀରୋସୀମା ଓ ନାଗାସାକୀ ଧ୍ୱଂସ୍ତ ବିଧ୍ୱଂସ୍ତ, ବିଶ୍ୱବ୍ୟାପୀ ଅର୍ଥାଭାବ, ଅନାହାର ବ୍ୟାଧି, ରକ୍ତପାତ ଓ ହିଂସାର ଦାବାନଳ ଦେଖାଦେଇଥିବାବେଳେ ଅନୁରୂପ ଭାବରେ ପ୍ରତିଛାୟା ପଡ଼ିଥିଲା ସୁନାର ଭାରତ ମାଟିରେ । ଫଳତଃ ସ୍ୱାଧୀନତାର ସ୍ୱାଦକୁ ଆସ୍ୱାଦନ କରିବା ପୂର୍ବରୁ ଖୋେଇଥିଲା ଜାତିଗତ ଦଙ୍ଗା ସ୍ୱାଧୀନତାର ଜନ୍ମକାଳରେ ଜାତକ ୨ଖଣ୍ଡ ହୋଇଗଲାପରି ଶହ ଶହ ବର୍ଷ ଧରି ଏକତ୍ର ବସବାସ କରିଆସୁଥିବା ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସଞ୍ଚରିତ ହେଲା ଆକଣ୍ଠ ବିଦ୍ୱେଷ, ହଳାହଳର ଅନ୍ତିମ ପ୍ଲାବନ । ସୃଷ୍ଟିହେଲା ସାର୍ବଭୌମ ରାଷ୍ଟ୍ର; ଭାରତ ଓ ପାକିସ୍ଥାନ । ଦାରିଦ୍ର୍ୟ, ଅସହାୟତା, ଆର୍ତ୍ତନାଦ ଓ ରକ୍ତପାତ ମଧ୍ୟରେ ଭାରତର ମୁକ୍ତିର ସୂର୍ଯ୍ୟ ଉଉଁଲା ଅର୍ଦ୍ଧରାତ୍ରରେ । ମାତ୍ର ରାତ୍ରିରେ କ’ଣ ସୂର୍ଯ୍ୟ ଉଇଁପାରେ? ଯଦିବା ଉଁଏ, ସେ ସୂର୍ଯ୍ୟର କିରଣ କିପରି ବିଛୁରିତ ହୋଇ ଜୀବଜଗତକୁ ଆଲୋକ ପ୍ରଦାନ କରିବ? ଠିକ୍ ସେୟା ହିଁ ଘଟିଲା ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତବର୍ଷରେ । ପଞ୍ଜୁରୀ ଛାଡ଼ି ପକ୍ଷୀଟି ମୁକ୍ତ ହେଲା ସିନା, ହେଲେ ତା’ର ଡେଣା କଟା ସରିଛି । ତେଣୁ ସେ ଉଡ଼ିବ କିପରି? ନିଃସ୍ୱାର୍ଥପର


ଜାତି, ଜାଗୃତି ଓ ପ୍ରଗତି / ୧୩୯
ସଂଗ୍ରାମୀମାନଙ୍କ ତ୍ୟାଗ ତପସ୍ୟାରେ ଭାରତ ମାଟିରେ ଯେଉଁ ମୁକ୍ତିର ମଞ୍ଜି ପୋତାଗଲା, ତାହା ଫଳଦାନ କରିବା ତ ଦୁରର କଥା ବରଂ ଶାଖା ପ୍ରଶାଖା ମେଲାଇ ମାଟିକୁ ଛାୟାଚ୍ଛନ୍ନ କରିବାରେ ସୁଦ୍ଧା ବିଫଳ ହେଲା ।

ହିଂସା, ଦ୍ୱେଷ, ରକ୍ତପାତରେ ଓଦା ହୋଇଯାଇଥିବା ମାଟି ଉପରେ ମୁକ୍ତିର ମଞ୍ଜି ପୋତାଗଲା-ଭାରତବର୍ଷ ପାଇଲା ସ୍ୱାଧୀନତା ଏବଂ ତତ୍ ସଙ୍ଗେ ସଙ୍ଗେ ପାଇଲା ସେ ନିଜକୁ ଶାସନ କରିବାର ଅଧିକାର । ଫଳରେ ସାମ୍ରାଜ୍ୟବାଦୀ ବ୍ରିଟିଶ ଶାସକଙ୍କ ଗୋଟିଏ ହସ୍ତ ଛେଦନ କରାଗଲା । ସେମାନେ ଏ ମାଟିରୁ ବିଦାୟ ନେଲେ । ମାତ୍ର ସମ୍ରାଟର ଅହଂକାରକୁ ଚିରଞ୍ଜିବୀ କରିବା ଉଦ୍ଦେଶ୍ୟରେ ପୋତି ଦେଇଗଲେ ଅପସଂସ୍କୃତିର ଚାରା; ଯାହା ଏବେ ଶାଖା ପ୍ରଶାଖା ବିସ୍ତାର କରି ଭାରତର ମାଟି ଉପରେ ସାମ୍ରାଜ୍ୟବାଦର ମହାକାଳ ଫଳ ବିଛେଇ ଦେଇ, ଘୋଡାଇ ପକାଇଛି ନିଃସ୍ୱାର୍ଥପର ସ୍ୱାଧୀନତା ସଂଗ୍ରାମୀଗଣଙ୍କ ବହୁ ଆକାଂକ୍ଷିତ ସ୍ୱାଧୀକାର, ସ୍ୱାଭିମାନ ଏବଂ ଗଣତନ୍ତ୍ରର ବୀଜକୁ ।

ସ୍ୱାଧୀନତା ପ୍ରାପ୍ତିର ଅର୍ଦ୍ଧରାତ୍ରରେ ସମଗ୍ର ଭାରତବାସୀ ସ୍ୱାଧୀନତାର ବିଜୟୋତ୍ସବକୁ ପାଳନ କରି ଆନନ୍ଦ ମୁଖରିତ ହୋଇଉଠୁଥିବାବେଳେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜାତି ଉଦ୍ଦେଶ୍ୟରେ କହିଥିଲେ “ସମଗ୍ର ବିଶ୍ୱ ଯେତେବେଳେ ସୁସୁପ୍ତ ନିଦ୍ରାରେ ଅଭିଭୂତ, ଭାରତ ଚେଇଁ ଉଠିବ ମୁକ୍ତି ଓ ଜୀବନ ପ୍ରବାହ ଭିତରେ । ମୁହୁର୍ତ୍ତଟିଏ ଆସେ । କିନ୍ତୁ ଖୁବ୍ କ୍ୱଚିତ ଆସେ ଇତିହାସର ଗର୍ଭକୁ, ଯେତେବେଳେ ଆମେ ପୁରାତନର ବଳୟ ଭିତରୁ ନୂତନତ୍ୱ ଭିତରକୁ ପାଦ ପକାଉ । ଶେଷ ହୁଏ ଗୋଟିଏ ଯୁଗ ଏବଂ ଦୀର୍ଘକାଳ ଧରି ଅବନତ ଏକ ଜାତିର ଆତ୍ମା ବାଙ୍ମୟ ହୋଇଉଠେ... । ସୁଦୂର ଅତୀତରେ ଆମେ ଭବିଷ୍ୟତ ସହ ଆରମ୍ଭ କରିଥିଲୁ ପ୍ରଚେଷ୍ଟା ଏବଂ ଆଜି ସମୟ ଆସିଛି ଆମେ ସେହି ସଂକଳ୍ପର ନୂଆପର୍ବ ଉନ୍ମୋଚନ କରିବୁ ।”

ସ୍ୱାଧୀନତାର ସଂଗ୍ରାମ ତଥା ସ୍ୱାଧୀନ ଭାରତର ପ୍ରଗତିର ଅଗ୍ରଦୂତ ନେହେରୁଙ୍କ ଏହି ଉକ୍ତ ଆଜି କ’ଣ ସଫଳ ହୋଇଛି? ନା ନିଜର ସଂସ୍କୃତି ଆମ ସ୍ୱାଧୀନତା ସଂଗ୍ରାମର ଆଭିମୁଖ୍ୟ ନିଜ ପବିତ୍ର ଆତ୍ମାର ଆହ୍ୱାନକୁ ପଛରେ ପକାଇ ଆମେ ସୁବର୍ଣ୍ଣ ମୃଗର ମାୟାରେ ବାଟବଣା ହେଉଛୁ!! ୬୦ ବର୍ଷ ବୟସ୍କ ଏହି ଦେଶର ପ୍ରଶାସନ ଭିତରେ କ’ଣ ଦୂର କରାଯାଇପାରିଛି ଭାରତ ମାଟିର କ୍ଷୁଧା, ଦାରିଦ୍ର୍ୟ, ଅସମତା, ବର୍ଣ୍ଣ ବୈଷମ୍ୟ??? ନା, ଏ ଦେଶର ଅସଂଖ୍ୟ କଳିକାଠାରେ ଜାଗରିତ କରାଯାଇପାରିଛି ଦେଶପ୍ରୀତି, ତ୍ୟାଗ, ସଂକଳ୍ପ, ସ୍ୱଦେଶ ଭାବନା, ଚରିତ୍ରବତ୍ତା, ଆଉ ଆପଣା ସଂସ୍କୃତି ପ୍ରତି ସମ୍ମାନବୋଧ!!!

ଭାରତର ପ୍ରତ୍ୟେକ ସ୍ୱାଧୀନଚେତା ଆତ୍ମାମାନଙ୍କରେ ଉଙ୍କି ଉଠୁଥିବା ଏହିଭଳି ଅସଂଖ୍ୟ ପ୍ରଶର୍ନ ଉ•ର ବୋକୁ ହେଲେ ଆମକୁ ଖୋଜିବାକୁ ପଡ଼ିବ ଅତୀତ ଭାରତର


୧୪୦ / ଜାତି, ଜାଗୃତି ଓ ପ୍ରଗତି
ସଂବୃଦ୍ଧ ସଂସ୍କୃତି ଓ ସାମ୍ରାଜ୍ୟବାଦର ଅନ୍ଧାରି ଶାସନ ଭିତରକୁ । ଯିବାକୁ ପଡ଼ିବ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଆତ୍ମତ୍ୟାଗର ଇତିହାସ ପାଖକୁ । ଟିକିନିକି କରିି ତୁଳନା କରିବାକୁ ହେବ, ସେ କାଳର ଭାରତ ଆଉ ଏ କାଳର ଭାରତକୁ ।

ଇତିହାସ କହେ ଆଜକୁ ପାଞ୍ଚ ହଜାର ବର୍ଷ ତଳେ ସମଗ୍ର ବିଶ୍ୱ ଯେତେବେଳେ ଆଦିମାନବର ପ୍ରବୃତ୍ତିକୁ ପ୍ରୟୋଗ କରୁଥିଲା, ସେତେବେଳେ ଭାରତବର୍ଷର ସୁସଂହତ ପବିତ୍ର ମାଟିରେ ଆର୍ଯ୍ୟ ମୁନି ଋଷିଙ୍କ ମୁଖରୁ ଉଚ୍ଚାରିତ ହେଉଥିଲା ମହାଜାଗତିକ ମନ୍ତ୍ର “ବସୁଧୈବ କୁଟୁମ୍ବକମ୍ ।” ଯାହା ଗୋଟିଏ ଜାତିକୁ ଜୀବନ୍ତ ସମୃଦ୍ଧ ତଥା ସୁସଂସ୍କୃତ କରି ରଖିଥିଲା, ଚେତନାକୁ କରିଥିଲା ଜାଗ୍ରତ । ଏଭଳି ଏକ ଜାତିର ଜନ୍ମଜାତକ ତିଆରି କରିବାକୁ ଇତିହାସ ଏବେ ମଧ୍ୟ ସମର୍ଥ ହୋଇପାରି ନାହିଁ । କେବଳ ସେ ଲେଖି ରଖିଛି ଗୌତମବୁଦ୍ଧଙ୍କ ଜନ୍ମ ପରଠାରୁ ଏପର୍ଯ୍ୟନ୍ତ ଘଟିତ ସମସ୍ୟା ବହୁଳ ଘଟଣାର ବିକାଶ କ୍ରମ । ଅର୍ଥାତ୍ ଆଜକୁ ପ୍ରାୟ ଅଢ଼େଇ ହଜାରରୁ କିଛି ଅଧିକ ବର୍ଷ ତଳର ଗୌରବମୟ ଇତିହାସ । କିନ୍ତୁ ଇତିହାସ ବି ସ୍ୱୀକାର କରିଛି ତା’ ପୂର୍ବରୁ ଉଚ୍ଚାରିତ ହେଉଥିଲା- ବେଦ, ବେଦାଙ୍ଗ, ଉପନିଷଦ ଓ ଦ୍ରାବିଡ଼ ସଭ୍ୟତାର କଳା, ସ୍ଥାପତ୍ୟ ଓ ବିଚାରର ପ୍ରଭାବଶାଳୀ ସାମାଜିକ ତ‌ତ୍ତ୍ୱ । ଗୋଟିଏ ଜାତି ସଂପୂର୍ଣ୍ଣ ଭାବେ ସବୁ କ୍ଷେତ୍ରରେ ସୁସଂସ୍କୃତ ତଥା ସଭ୍ୟ ନ ହେଲେ, ଏଭଳି ସାହିତ୍ୟ ଓ ସାମାଜିକ ଚେତନା ସୃଷ୍ଟି କରିବା ଅସମ୍ଭବ । ଅତଏବ ଏଥିରୁ ଜଣାପଡ଼େ ଯେ, ଏ ଦେଶର ସଂସ୍କୃତିର ଚେର ଆହୁରି ସୁଗଭୀର ।

ବହୁ ଶିଷ୍ୟ, ମହାଋଷି, ତପସ୍ୱୀଙ୍କ ତପସ୍ୟାର ଫଳରେ ମହୀୟାନ ହୋଇଛି ଏ ଭାରତବର୍ଷ । ପ୍ରଜ୍ଞାର ପ୍ରାବଲ୍ୟରେ ପରିପୁଷ୍ଟତା ଲାଭ କରିଛି ଏ ମାଟି । ମୌଳିକତା ଓ ମୂଲ୍ୟବୋଧର ଚିର ଭାସ୍ୱର ଏହି ଭାରତବର୍ଷ । ସେଥିପାଇଁ ଅତୀତରେ ଯେପରି ବହୁ ପରିବାର ଜକ, ବିଦ୍ୱାନ ଓ ଐତିହାସିକ ଏ ଭୂମି ପ୍ରତି ଆକର୍ଷତି ହୋଇ ଆସିଛନ୍ତି ଏବଂ ଲିପିବଦ୍ଧ କରିଛନ୍ତି ଏ ଦେଶର ପ୍ରଜ୍ଞା, ମୂଲ୍ୟବୋଧକୁ; ସେହିପରି ଏ ଦେଶରୁ ଦ୍ରାବିଡ଼ ସଭ୍ୟତାର ଗାଥା, ବେଦ ଓ ଉପନିଷଦର ପ୍ରଜ୍ଞା, ବୌଦ୍ଧ ଦର୍ଶନର ଅନ୍ତର୍ନିହିତ ସାମ୍ୟ-ମୈତ୍ରୀ ଓ ଭାତୃତ୍ୱର ବାଣୀ ପ୍ରସାରିତ ହୋଇଛି ସମଗ୍ର ଏସିଆ ଭୂଖଣ୍ଡକୁ । ଏ ଦେଶର କଳା, ସ୍ଥାପତ୍ୟ, ସାହିତ୍ୟ, ସଂପତ୍ତି ଯୁଗେ ଯୁଗେ ପ୍ରଲୋଭିତ କରିଛି ବିଦେଶୀ ଗୁଣିଜନକୁ, ଅର୍ଥପିପାସୀ ନରପତିମାନଙ୍କୁ । ସେଥିପାଇଁ ଭାରତକୁ ଆଲେକ୍ଜାଣ୍ଡାର, ମାମୁଦଗଜନୀ ଆକ୍ରମଣ କରି ଏ ଦେଶର ଅମୂଲ୍ୟ ରତ୍ନ ସଂପତ୍ତି ସହିତ ପଣ୍ଡିତ, ବିଦ୍ୱାନ, ତଥା ପୋଥିପତ୍ରକୁ ଲୁଣ୍ଠନ କରିନେଲେ । ଏହାପରେ ହିଁ ମହକି ଉଠିଛି ଭାରତର ସ୍ୱପ୍ନାୟିତ କଦମ୍ବର ମହମହ ବାତ୍ସ୍ନା, ଯାହାର ବାତ୍ସ୍ନାରେ ଶହଶହ ବୈଦେଶିକ ରାଜା ବିଭୋର ହୋଇ ପବିତ୍ର ମାଟିକୁ ଅଧିକାର କରିବାର ସ୍ୱପ୍ନ ଖେିଛନ୍ତି । କିନ୍ତୁ ସେମାନଙ୍କ ସ୍ୱପ୍ନ ଏହି ଶାନ୍ତିକାମୀ ଭୂଖଣ୍ଡ ଅଧିବାସୀଙ୍କୁ

ଜାତି, ଜାଗୃତି ଓ ପ୍ରଗତି / ୧୪୧
କରିଛି ଅଧିକ କ୍ଷତାକ୍ତ, ଯାହାର ଜ୍ୱଳନ ତୀବ୍ର, ଶାଣିତ ଏବଂ ମନ ଭିତରେ ଭରିଦେଇଛି ଜ୍ଞାନହୀନ କର୍ମଠତା, ହୀନବୀର୍ଯ୍ୟର ପ୍ରାବଲ୍ୟତା, ଯାହା ଅପୂରଣୀୟ ଏବଂ ଅନିର୍ବାପିତ ।

କିନ୍ତୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥିଲା ଏ ଦେଶ ମାଟିରେ ଇଂରେଜକମ୍ପାନୀର ଶୋଷଣ । ୧୭୫୭ ଗ୍ରୀଷ୍ମକାଳରେ ଛଅ ହଜାର ମାଇଲ ଦୂରରେ ସମୁଦ୍ରକୂଳରେ ଟାପୁପ୍ରାୟ ଭୂଖଣ୍ଡରେ ଅବସ୍ଥିତ ଏକ ବଣିକଜାତିର କିରାଣୀଟିଏ ମାତ୍ର ଆଠଶହ ସୈନ୍ୟ ବଳରେ ପଲାସୀର ଧାନ କିଆରୀରେ ବଙ୍ଗନବାବଙ୍କ ପଚାଶ ହଜାର ସୈନ୍ୟକୁ ପରାସ୍ତ କରି, ଏ ବିଶାଳ ଭୂଖଣ୍ଡର ଛାତି ଉପରେ ସ୍ଥାପନ କଲା ଉପନିବେଶ ଏବଂ ଶାସନ ନାମରେ ଶୋଷଣ କରିଥିଲା ନିରଙ୍କୁଶ ଭାବରେ ଦୀର୍ଘ ଦୁଇଶହ ବର୍ଷ ।

ଭାରତୀୟଙ୍କ ଅର୍ଥରେ ବପୁବନ୍ତ ଓ ଧନଶାଳୀ ହୋଇ ଗରିବ ବ୍ରିଟିଶ ଦେଶ ଓ ଶାସକ ନିଜ ଶାସକୀୟ ଶୋଷଣର ଢାଞ୍ଚା ବଦଳାଇ ଅମାନବିକତାକୁ ଧନ ଉପାର୍ଜନର ଧର୍ମ ଭାବରେ ଗ୍ରହଣ କରିବାରୁ ଭାରତରୁ ଧୀରେ ଧୀରେ ଉପନିବେଶବାଦ ପ୍ରତିଷ୍ଠାର ସୀମାକୁ ବ୍ୟାପ୍ତ କରିଛି ସମଗ୍ର ବିଶ୍ୱର କୋଣ ଅନୁକୋଣରେ । ତେଣୁ ଅନ୍ୟାନ୍ୟ ଦେଶର ସଂସ୍କୃତି ସଭ୍ୟତା ପରି ଭାରତର ପ୍ରାଚୀନ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ସଭ୍ୟତା ଉପରେ ଘନ ଘନ ପ୍ରହାର କରି ଚାଲିଛି ଆମର ନବ୍ୟ, ଶିକ୍ଷିତ ପିଢ଼ିର ଜୀବନ ଦର୍ଶନ, ଚିନ୍ତନ, ପୋଷାକ ପରିଚ୍ଛଦ ଓ ଚାଲିଚଳଣରେ ଏବଂ ସର୍ବଶେଷ ଧକ୍କା ଭାବେ ଆସିଛି ସାଂପ୍ରତିକ କାଳରେ ନୂଆ ଅର୍ଥନୀତି, ଜଗତିକରଣ, ମୁକ୍ତ ବଜାର, ବିଶ୍ୱକରଣ ନାମରେ । ଏ ଧାରାରେ ଚୂର୍ଣ୍ଣୀଭୂତ ହେଉଛି ଆମର ପ୍ରାଚୀନ ସମୃଦ୍ଧ ସଂସ୍କୃତି, ମୂଲ୍ୟବୋଧ, ଆଉ ବନ୍ଧାପଡ଼ିଛି ଆମର ଐତିହ୍ୟ, ପରମ୍ପରା । ବିଶ୍ୱ ବଜାରରେ ନିଲାମ ହେଉଛି ଆମର ପ୍ରାକୃତିକ ସଂପଦ ଆଉ ଦରିଦ୍ରତାର ଶ୍ରମ ସ୍ୱେଦ । ଅଙ୍ଗୁରୀୟମାଳ ଜୀବପରି ବୋଝେ ପ୍ରମାଣପତ୍ର ଦାଖଲକାରୀ ସେହି ପଶ୍ଚିମା ଶିକ୍ଷାର ଦ୍ୱାହିଦେଇ ଦେଶକୁ ନିଜର ମୌଳିକତା ବିହୀନ, ମୂଲ୍ୟବୋଧ ବିବର୍ଜିତ ଧାରକରା ସଂସ୍କୃତିର ଅବିକଳ ନକଲ ପଢ଼ିବାରେ ଏ ଦେଶର ଭବିଷ୍ୟତ ନାଗରିକଗଣ ବ୍ରତୀ ହୋଇଛନ୍ତି । ଦେଶକୁ ସେହି ମୁଣ୍ଡହୀନ ଅଜ୍ଞାନୀମାନେ ସ୍ୱାଧୀନତା ପରଠାରୁ ଗଢ଼ି ଚାଲିଛନ୍ତି । ସମସ୍ତ ପ୍ରକାରର ସାମାଜିକ ବିଭ୍ରାଟ, ବିପର୍ଯ୍ୟୟ ବିଶୃଙ୍ଖଳାର ସୂତ୍ରଧର ସାଜି ନୂଆପିଢ଼ିର ଶିକ୍ଷିତଙ୍କ ସାମ୍ନାରେ ଥୋଇଛନ୍ତି ପୁଞ୍ଜି ଓ ପଣ୍ୟର ଆଦର୍ଶ । ପୁଞ୍ଜି ହିଁ ଜୀବନ, ସ୍ୱଚ୍ଛନ୍ଦ ହିଁ ସମାଜ, ପଣ୍ୟ ହିଁ ମୂଲ୍ୟବୋଧ, ଆଉ ପ୍ରତିଷ୍ଠା ହିଁ ପ୍ରାପ୍ତି-ଏହା ହିଁ ସେମାନଙ୍କର ମୂଳମନ୍ତ୍ର । ମନରୁ ଲିଭାଇ ଦେବାକୁ ଚେଷ୍ଟା କରିବାରେ ଲାଗିଛନ୍ତି ସ୍ୱାଧୀନତା ସଂଗ୍ରାମର ତ୍ୟାଗ ଓ ତର୍ପଣର ମହାଭାରତୀୟ ସାଧନା ସଂକଳ୍ପର ଦୃଷ୍ଟାନ୍ତ ତଥା ‘ବସୁଧୈବ କୁଟୁମ୍ବକମ୍’ର ବୀଜ ମନ୍ତ୍ରକୁ ।


୧୪୨ / ଜାତି, ଜାଗୃତି ଓ ପ୍ରଗତି

ଇଂରେଜ ଶାସନର ଅନ୍ଧାରୀ ମୂଲକରୁ ମୁକୁଳି ମହାମନିଷୀଙ୍କ ଆତ୍ମୋତ୍ସର୍ଗ ଓ ସଂଗ୍ରାମରେ ସମଗ୍ର ବିଶ୍ୱପାଇଁ ଯେଉଁ ଦିଗ୍‌ଦର୍ଶନର ଆଲୋକ ଉଚ୍ଛ୍ୱାସକୁ ଆମ ଇତିହାସ ସୃଷ୍ଟି କରିଥିଲା, ସେ ଇତିହାସଠାରୁ ଆମର ନବକଳିକାମାନଙ୍କୁ ଜାଣିଶୁଣି ଦୂରେଇ ରଖାଯାଉଛି । ଏସବୁଥିରୁ ମୁକ୍ତ ହେବାର ପ୍ରେରଣା କେହିବି ଏମାନଙ୍କୁ ଦେଲେନାହିଁ । ବରଂ ଶ୍ରେୟ ମଣିଲେ ଏହି କଳିକାମାନଙ୍କ ବେକରେ ପାଣି ବୋତଲ ଏବଂ ପିଠିରେ ପାଶ୍ଚାତ୍ୟ ଅଭିମୁଖ୍ୟର ବୋଝ-ଶିକ୍ଷାଗ୍ରନ୍ଥ ଝୁଲାଇ ଦେଇ ଚିରଦିନ ଭାରବାହୀ ପଶୁ ଭାବେ ତାଲିମ ଦେବାକୁ । ସେମାନେ ଭୁଲିଗଲେ ଯେ ଯେଉଁମାନେ ଏ ଦେଶର ସ୍ୱାତନ୍ତ୍ର୍ୟତାକୁ ପ୍ରକାଶ କରିବାପାଇଁ ତୀବ୍ର ଆନ୍ଦୋଳନର ଲେଲୀହାନ ବହ୍ନି ପ୍ରଜ୍ୱଳିତ କରିଥିଲେ, ସେ ସମସ୍ତେ ଥିଲେ ଉଚ୍ଚ ଶିକ୍ଷିତ ଆଉ ବିଲାତ ଫେରନ୍ତା । ନେତାଜୀ ସୁଭାଷ, ଲୋକମାନ୍ୟ ତିଲକ, ଶ୍ରୀଅରବିନ୍ଦ, ମହାତ୍ମାଗାନ୍ଧୀ, ଗୋଖଲେ, ଦାଦାଭାଇ ନାରୋଜୀ, ଓଡ଼ଶାର ମଧୁସୂଦନ ଦାସ ଆଦି ବିଦେଶୀ ଶିକ୍ଷାରେ ଦୀକ୍ଷିତ ହୋଇ ବ୍ରିଟିଶ ଶାସନର ଅମାନୁଷିକତା, ଅବବେକିତା ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କଲେ । ସଂଗ୍ରାମ ଚଳାଇଥିଲେ । କେବଳ ଏମାନେ ନୁହନ୍ତି, ଏହିଭଳି ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀ; ଯେଉଁମାନେ ସଂପୂର୍ଣ୍ଣ ଭାବେ ଇଂରେଜ ଶିକ୍ଷାଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ୟୁରୋପୀୟ ପୁଞ୍ଜି ବା ପଣ୍ୟବାହୀ ସଂସ୍କୃତି ଏମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । କାରଣ ବିଲାତର ଉଚ୍ଚଶିକ୍ଷାଦ୍ୱାରା ଭାରତୀୟ ଦର୍ଶନ ଓ ସଂସ୍କୃତିର ଅଧ୍ୟୟନ ସେମାନଙ୍କ ଜୀବନକୁ ବଦଳାଇ ଦେଇଥିଲା । ସେଥିପାଇଁ ଗାନ୍ଧୀଙ୍କ ସ୍ୱଦେଶୀ ଡାକରା, ଲବଣ ସତ୍ୟାଗ୍ରହ ଏତେ ଜନପ୍ରିୟ ହୋଇପଡ଼ିଲା ଯେ, କ୍ଷମତାସୀନ ଇଂରେଜ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା । ନେତାଜୀ ସୁଭାଷଙ୍କ ଦିଲ୍ଲୀ ଚଲୋ...ର ଉଦ୍ଦାତ ଆହ୍ୱାନ ଛାତ୍ରଯୁବକଙ୍କ ମଧ୍ୟରେ ନୂତନ ପ୍ରାଣସ୍ପନ୍ଦନ ସୃଷ୍ଟି କରିଥିଲା । ଗାନ୍ଧିଜୀ, ତିଳକ, ବିନୋବା ଆଦି ସ୍ୱାଧୀନ ଚେତାଗଣ ବୁଝିଥିଲେ ଚେତନା ସ୍ତରରେ ୟୁରୋପୀୟ ସଂସ୍କୃତି ଭାରତୀୟ ସଂସ୍କୃତିକୁ କଳଙ୍କିତ କରିଥାଏ । ମାତ୍ର ଗାନ୍ଧିଙ୍କ ପଟ୍ଟଶିଷ୍ୟ ଜବାହର ‘ଭାରତ ଆବିଷ୍କାର’ ଗ୍ରନ୍ଥ ରଚନା କଲେ ସିନା, କିନ୍ତୁ ନିଜ ଭିତରେ ତାହା ଅନାବିଷ୍କୃତ ହୋଇପଡ଼ିଥିଲା । ବରଂ ତାଙ୍କଦ୍ୱାରା ଆବିଷ୍କୃତ ତଥା ସ୍ୱାଧୀନ ଭାରତବର୍ଷରେ ପ୍ରଚଳିତ ହେଲା ଭୋଗବାଦର ମୋହ । ଏସବୁ ପରୀକ୍ଷା ନିରୀକ୍ଷା କରି ମୁନିଋଷିଗଣ ନାନା ତ‌ତ୍ତ୍ୱ ଛଳରେ ଆମକୁ ଦିଗ୍‌ଦର୍ଶନ ଦେଇଯାଇଛନ୍ତି । ମାତ୍ର ଆମର ଶିକ୍ଷାବିତ୍‌ମାନେ ନିଜେ ଏକଥାର ମହତ୍ତ୍ୱକୁ ବୁଝି ନ ଥିବାବେଳେ ଶିକ୍ଷାର୍ଥୀକୁ ବୁଝାଇବେ କ’ଣ?

ରାସ୍ତାଘାଟ ସଂପ୍ରସାରଣ, ଶିଳ୍ପ ପ୍ରତିଷ୍ଠା ଆଦି ହେଉଛି ଦେଶର ଆଙ୍ଗିକ ବିକାଶ । ଆତ୍ମିକ ବିକାଶ ହେଉଛି ‘ଶିକ୍ଷା’ । ଆତ୍ମାଟି ଚାଲିଗଲା ପରେ ସବୁ ସମୃଦ୍ଧିର ପିଣ୍ଡଟି ମୃତ


ଜାତି, ଜାଗୃତି ଓ ପ୍ରଗତି / ୧୪୩
ତଥା ଶବରେ ରୂପାନ୍ତରୀତ ହୋଇଥାଏ । ଆଉ ଆଜି ପ୍ରାଚୀନର ସେହି ସୁସଂହତ ଭାରତବର୍ଷ ସେହି ଶବରେ ରୂପାନ୍ତରୀତ ହେବାକୁ ଯାଉଛି । ଏହାର ମୁଖ୍ୟ କାରଣ ହେଲା ଶିକ୍ଷକ ଓ ତା’ର ଶିକ୍ଷା ବ୍ୟବସ୍ଥା । ଆଜିର ଯୁବ ସମାଜକୁ ଦିଗ୍‌ଭ୍ରଷ୍ଟ ଓ କଳୁଷିତ କରୁଛନ୍ତି ଏହି ଶିକ୍ଷକଗୋଷ୍ଠୀ । ଛୋଟିଆ ପିଲାଟିଏ ବି ଜାଣୁଛି ମିଛ କହିବା ମହାପାପ । ମାତ୍ର ସତ୍ୟ କହିବାର ଯେଉଁ ଅଭୀପ୍ସା, ଆତ୍ମପ୍ରତ୍ୟୟ ଆବଶ୍ୟକ, ତାହା ତା’ ଠାରେ ସୃଷ୍ଟି କରାଯାଇପାରୁ ନାହିଁ । ଫଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଧୀରେ ଧୀରେ ଜମାଟ ବନ୍ଧା ବରଫରେ ପରିଣତ ହେବାକୁ ଯାଉଛି । ଯେଉଁ ଶିକ୍ଷା ଏ ଦେଶର ଜାତିକୁ ମହାନ୍ କରି ଗଢ଼ି ତୋଳିଥା’ନ୍ତା, ତାହାକୁ ଆମେ ଭୁଲିଗଲୁ । ଭୁଲିଗଲୁ ଆମର ପ୍ରାଚୀନ ଚିକିତ୍ସା ପଦ୍ଧତି, ଆୟୁର୍ବେଦ, ଚରକ ସଂହିତାର ମୂଳ ସୂକ୍ତିଗୁଡ଼ିକୁ । ସନ୍ତାନ ଉତ୍ପାଦନକୁ ଛାଡ଼ିଦେଲେ ଆଉ ସମସ୍ତ ଉତ୍ପାଦନକୁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛୁ । ଘର ବାଡ଼ିରେ ଲୁଣ, ପିଆଜ, ଚାଉଳ, ଗହମର ଦିଗନ୍ତ ବିସ୍ତୃତ ଗୋଦାମ ଏବଂ ମାଟିତଳେ ସୁନା, ରୂପା, କୋଇଲା, ଧାତବ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲେ ମଧ୍ୟ ଆଜି ଆମେ ଅନ୍ୟର ହାତଟେକାକୁ ଅନେଇ ବସିଛୁ ।

ଏ ସଂପର୍କରେ ଆଲୋଚନା କଲାବେଳେ ମନେପଡ଼େ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ମୁଖ୍ୟ ହେନେରିକ୍ ବ୍ଲୁମ ରିସ୍କଙ୍କ କଥା । ସଂସ୍କୃତ ଜାଣି ନ ଥିବା ଏହି ବୈଜ୍ଞାନିକଟି ମଙ୍ଗଳ ଗ୍ରହକୁ ଯାନ ପ୍ରେରଣପାଇଁ ଏହାର ନିର୍ମାଣ କୌଶଳ ଭାରତର ପ୍ରାଚୀନ ପରମ୍ପରା ଓ ସାହିତ୍ୟରୁ ନେଇଥିଲେ । ସଂସ୍କୃତ ପଣ୍ଡିତ କଣାଦ ରଚିତ “ବିମାନ ନିର୍ମାଣ ପଦ୍ଧତି” ଯାହା ଦେବନାଗରୀ ଲିପିରେ ତାଳପପତ୍ରରେ ଖୋଦିତ ହୋଇ ବାଙ୍ଗାଲୋରର “ପ୍ରାଚୀନ ପୋଥି ସଂରକ୍ଷଣ ସଂସ୍ଥାନ”ରେ ଗଚ୍ଛିତ ରହିଥିଲା । ସେଠାରେ ସେ ଦୀର୍ଘ ୧୨ ବର୍ଷ କାଳ ଏକନିଷ୍ଠ ଗବେଷଣା କରି ଦେବନାଗରୀ ଲିପି ସହ ସଂସ୍କୃତ ଭାଷାକୁ ଭଲ ଭାବରେ ଆୟତ୍ତ କରିବା ପରେ ନିଜର ଇପ୍‌ସିତ ସୂତ୍ରଟିକୁ ନେଇ ପ୍ରୟୋଗ କରି ସଫଳକାମୀ ହୋଇଥିଲେ । ମାତ୍ର ଆମେ! ସାଧାରଣ କ୍ରାୟୋଜେନିକ୍ ଇଂଜିନ୍‌ପାଇଁ ରୁଷ୍, ଆମେରିକା ଆଦି ଦେଶ ନିକଟରେ ହାତପାତି ଭିକ୍ଷା ମାଗୁଛୁ । ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନକୌଶଳ ଲାଭପାଇଁ ସେମାନଙ୍କର ସମସ୍ତ ଦାବୀକୁ ମଥାପାତି ସହ୍ୟ କରିନେଉଛୁ । ଯେଉଁ ଦେଶର ଜନସାଧାରଣ “ହିଂସା ପ୍ରଣୋଦିତ ତରବାରୀର ଜୟ, ପ୍ରକୃତ ଜୟ ନୁହେଁ; ସ୍ନେହ ପ୍ରୀତିଦ୍ୱାରା ଯେଉଁ ଜୟ ଲାଭ କରାଯାଏ, ତାହାହିଁ ପ୍ରକୃତ ଜୟ” ଏବଂ ବୁଦ୍ଧଙ୍କ “ଅହିଂସା ପରମ ଧର୍ମ”କୁ ପାଥେୟ କରି ପ୍ରଭୂତ ସଫଳତା ଲାଭ କରିଥିଲେ, ଅହିଂସା ରୂପକୁ ପ୍ରବର୍ତ୍ତନ କରି ସମଗ୍ର ବିଶ୍ୱର ଶ୍ରଦ୍ଧାଭାଜନ ହୋଇଉଠିଥିଲେ, ଅଥଚ ସେହି ଜାତିର ଦାୟାଦ ହୋଇ ଆମେ କିଛି ବର୍ଷ ପରେ ଉନ୍ନତି ନାଁରେ ହାତ ପାତି ଆମେରିକାଠାରୁ ୧୪୪ / ଜାତି, ଜାଗୃତି ଓ ପ୍ରଗତି
ଖାଦ୍ୟ, ଡେନ୍‌ମାର୍କଠାରୁ ପିଇବା ପାଣି, ଗୋବର ଓ ସର୍ବୋପରି ଓଡ଼ିଶା ଭଳି ରାଜ୍ୟର କ୍ଷୁଦ୍ର ଜିଲ୍ଲା ସହ ଆୟତନରେ ତୁଳନୀୟ ସୁଇଜରଲ୍ୟାଣ୍ଡଠାରୁ ଯେତେବେଳେ ସୂତା ମାଗିଲେ, ସେତେବେଳେ ବିଶ୍ୱ ଜନପ୍ରାଣଠାରୁ ସେ ଶ୍ରଦ୍ଧା କୁଆଡ଼େ ଉଭେଇଗଲା ବରଂ ସେ ସ୍ଥଳରେ ଦେଖାଦେଇଥିଲା ଘୃଣା । ଉପାଧି ମିଳିଲା ଆମେ ଭିକାରି ଦେଶର ଲୋକ, ମାଗିଖିଆ । ଏହା ହେଉଛି ବର୍ତ୍ତମାନ ଭାରତର ଜୀବନ, ଭାରତୀୟ ସ୍ୱାଭିମାନ ।

ଆମ ଦେଶକୁ ଗଢ଼ିଥିଲେ ଆମର ମହାମନିଷୀଗଣ । ଭାସ୍କର୍ଯ୍ୟ, ସଂସ୍କୃତି, ସାହିତ୍ୟ, କଳା ସହିତ ଆମ ଦେଶ ଶାସନର ମୂଳ ପ୍ରେରଣା ଥିଲା ଆଧ୍ୟାତ୍ମିକତା । ଆଜି ଯଦି ନୂଆ ସଭ୍ୟତା ଓ ଘୁଣଖିଆ ସମାଜ ଜୀବନ ଭିତରେ କିଛି ପ୍ରାଚୀନ ଶିକ୍ଷା, ମୂଲ୍ୟବୋଧ ବଞ୍ଚିଛି, ସେତକ ସୁରକ୍ଷିତ ରହିଛି ଦେଶର ଅଗଣିତ ଅଶିକ୍ଷିତ ଅପାଠୁଆ ମଣିଷଙ୍କ ନିକଟରେ । ସେମାନେ ହେଉଛନ୍ତି ପଶ୍ଚିମ ଶିକ୍ଷା ବିବର୍ଜିତ ମଣିଷ । ଆମର ଜେଜେ ବାପା, ଜେଜେମା ବରଂ ଆମଠାରୁ ଥିଲେ ଅଧିକ ସ୍ୱାଧୀନଚେତା । ସେମାନଙ୍କ ପ୍ରେରଣା, ଆଦର୍ଶ ହିଁ ସୃଷ୍ଟି କରିଥଲା ଅସଂଖ୍ୟ କ୍ରାନ୍ତିକାରୀ । ନିଜର ଦାବୀ ଓ ଅଧିକାରକୁ ସାବ୍ୟସ୍ତ କରିବାରେ ଏହି ମଳିମୁଣ୍ଡିଆଙ୍କ ଚେଷ୍ଟା ହିଁ ଭାରତବର୍ଷକୁ ଚଖାଇଥିଲା ସ୍ୱାଧୀନତାର ସ୍ୱାଦ, ଯାହାକୁ ଆମେ ନିଷ୍କଣ୍ଟକ ଭାବେ ଭୋଗ କରୁଥିଲେ ମଧ୍ୟ ନିଜ ଦେଶରେ ନିଜେ ପରାଧୀନ ହୋଇ ପଡ଼ିରହିଛୁ । ଅଦୃଶ୍ୟ ଶୃଙ୍ଖଳର ବେଡ଼ିକୁ ଜବରଦସ୍ତ ଆଣି ଆମ ହସ୍ତ ପାଦରେ ବାନ୍ଧି ଦେଉଛୁ । ଅବିଶ୍ୱାସ, ଛଳନା, ଅହଂକାରକୁ ବନ୍ଧୁ ଭାବେ ସ୍ୱୀକାର କରିଛୁ । ପ୍ରମାଣପତ୍ରକୁ ସର୍ବସ୍ୱ ମନେକରି ଅନ୍ୟକୁ ଶୋଷଣ କରୁଛୁ । ଅନ୍ୟର ଶ୍ରମ ସ୍ୱେଦର ବରଦାନରେ ନିଜର ସୌଧ ନିର୍ମାଣ କରୁଛୁ ।

ଗୋରା ସାହେବ ସିନା ବିଦା ହେଲେ, କିନ୍ତୁ ରଖିଗଲେ ସାହେବ ପଣିଆ । କ୍ଷମତା ହସ୍ତାନ୍ତର ପରେ ଗୋଟିଏ ଦଳ ସିନା ଚାଲିଗଲେ, ଆଉ ଗୋଟିଏ ବସିଲେ ଶାସନ ଗାଦିରେ । ବ୍ରିଟିଶ ଶାସନ ଅପରିବର୍ତ୍ତିତ ରହିଲା । ରହିଲା ମଧ୍ୟ ସମସ୍ତ ପ୍ରକାରର ଶୋଷଣ ଯନ୍ତ୍ର, ପୁରୁଣା ବ୍ରିଟିଶ ଆଇନ୍ । ସେମାନଙ୍କ କାଇଦା କଟକଣାର ଗୋଲାମୀ ଗନ୍ଧ । ମା’ ମୁହଁରୁ ପିଲାବେଳରୁ ଶିଖିଥିବା ଭାଷା, ଯାହାଦ୍ୱାରା ନିଜ ମନର ଭାବକୁ ସର୍ବପ୍ରଥମେ ପ୍ରକାଶ କରିଥିଲୁ, ସେ ଭାଷା କହିଲେ ନାକ ଟେକୁ । ଇଂରେଜୀ ଭାଷା ଲେଖିଲେ କିମ୍ବା କଥା କହିବାବେଳେ ଇଂରେଜୀ ଶବ୍ଦଟିଏ ଭକ୍ ଭକ୍ କରି ବାନ୍ତି କରିପକାଇଲେ ଆମେ ଗର୍ବ ଅନୁଭବ କରୁ । ରାଗିଲେ ଯଦି ଇଂରେଜୀ ଗାଳିଟିଏ ପାଟିରେ ନ ପଶିଲା, ତାହେଲେ ଶିକ୍ଷା ବେକାର ହେଲା । ମାତ୍ର ଆମେ ବୁଝିବାକୁ ପ୍ରସ୍ତୁତ ନାହୁଁ ଯେ, ଯାହାକୁ ସଂପୂର୍ଣ୍ଣ ଭାବେ ମୁଣ୍ଡରେ ମୁଣ୍ଡେଇ ବୁଲାଉଛୁ ସେହି ଇଂରେଜୀ ଭାଷାର ନିଜସ୍ୱ ଚେର ନାହିଁ, ଲିପି ନାହିଁ, ଲାଳିତ୍ୟ ନାହିଁ, ଶୁଦ୍ଧ ବ୍ୟାକରଣଟିଏ ମଧ୍ୟ ନାହିଁ । ୟାଠାରୁ, ତା’ଠାରୁ ଧାର କରି ନିଜେ ଇଂରେଜୀ ଭାଷା ଆଜି ବେଶ୍ ପ୍ରତିଷ୍ଠିତ । ଅଥଚ


ଜାତି, ଜାଗୃତି ଓ ପ୍ରଗତି / ୧୪୫
ଆଦିଭାଷା, ଯାହାର ମୂଳପିଣ୍ଡ ଭାରତବର୍ଷର ସ୍ୱର୍ଣ୍ଣିମ ମାଟି, ସେହି ସଂସ୍କୃତ ଓ ଅନ୍ୟାନ୍ୟ ଭାରତୀୟ ଭାଷାକୁ ଭୁଲିଯାଉଛୁ । “ବାଳକ” ଶବ୍ଦ ରୂପ ମୁଖସ୍ଥ ହେଉ ନ ଥିବା ବେଳେ ଗଳଦ୍‌ଘର୍ମ ହୋଇ ‘ଏ ଫର୍ ଆପୁଲ’, ‘ବି ଫର୍ ବ୍ୟାଟ୍’ ମୁଖସ୍ଥ କରିବାରେ ଲାଗିଛୁ । ଏପରିକି ଏ ମାଟିରେ ଜନ୍ମ ହେବା ପରେ ଶିଶୁ ମନର ଦରୋଟି ଓଠରେ ଉଚ୍ଚାରିତ ହୋଇ ଆମ ସମାଜର ପ୍ରତ୍ୟେକଟି ସହ ପରିଚିତ କରାଇଥିବା ମାତୃଭାଷାକୁ ଆମେ ଭୁଲିଯିବାକୁ ଆପ୍ରାଣ ଚେଷ୍ଟା କରୁଛୁ । ବିଦେଶୀ ପାନୀୟ, ବିଦେଶୀ ଖାଦ୍ୟ, ବିଦେଶୀ ପୋଷାକର ସଇତାନୀ ମାୟାରେ ମାତିଛୁ । ଦେହ ଭଳି ଆମର ମନ ଲଙ୍ଗଳା ହେଲାଣି ବୋଲି ନିଜକୁ ସଜେଇବାର ବିଭିନ୍ନ ଉପାୟ ପ୍ରୟୋଗ କରୁଛୁ । କିନ୍ତୁ ଭୁଲିଯାଉଛୁ ଯେ ଭାରତ କେବେ ମଧ୍ୟ ଦେହବାଦୀ ନ ଥିଲା । ଏଠାରେ ଋଷିଟିଏ ଦେହ ମନରେ ପରିଚ୍ଛନ୍ନ ଭାବରେ ଆବୃତ ବୋଲି କୌପିନୀ ଖଣ୍ଡକର ସାହାଯ୍ୟ ନେଇଥାଏ ।

କିନ୍ତୁ ଏ ଦେହବାଦୀ, ଭୋଗର ସଂସ୍କୃତି ଭାରତମାଟିରେ ବେଶୀ ଦିନ ଉଧେଇବ ନାହିଁ । ଏ ମାଟିରେ ଚେର ବିସ୍ତାର କରି ଓହଳ ଲମ୍ବେଇଛି ବହୁ ଶତାବ୍ଦୀ ଧରି ମହାଭାରତୀୟ ସଂସ୍କୃତିର ବଟବୃକ୍ଷ । ତା’ ତଳେ ଆଉ କିଛି ଚାରାର ଚେର ମାଟିକୁ ଧରି ପାରିବ ନାହିଁ । ତଥାପି ମନରେ ଆଶା ଅଛି-ଏ ଅଦିନଆ ବର୍ଷାରେ ଗଜୁରୁଥିବା ଅନାବନା ଗଛ ‘ଚେତନାର ସୂର୍ଯ୍ୟ ତାପ’ରେ ଜଳିଯିବ । ଏ ଚେତନାର ସୂର୍ଯ୍ୟ ଉଇଁବ ଆମର ପରବର୍ତ୍ତୀ ପିଢ଼ିର ଭାବନା ଓ ସଂକଳ୍ପରେ । କାରଣ ଆମେ ଯେ ସାଂସ୍କୃତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନେଇ ଚିନ୍ତିତ ଓ ସଚେତନ ଏବଂ ଏହା ସୂଚାଇ ଦେଉଛି ନିଶ୍ଚିତ ଭାବେ ନିକଟ ଭବିଷ୍ୟତରେ ଏକ ସୁସ୍ଥ ସଂହତି ଧାରାର ଅଭ୍ୟୁଦୟ ଘଟିବ । ଦୁର୍ନୀତି ଓ ଶୋଷଣର ଗନ୍ତାଘର ସାଜିଥିବା ଭାରତବର୍ଷର ଶାସକମାନେ ଶୋଷକରେ ରୂପାନ୍ତରୀତ ହୋଇଥିବା ରକ୍ତପାୟୀ ଲୋକମାନଙ୍କଠାରୁ ନିଜକୁ ରକ୍ଷା କରିବା, ତଥା ଦେଶର ମହାନ୍ ପରମ୍ପରାକୁ ଉଜ୍ଜିବୀତ କରିବାପାଇଁ ଯେ ଆଉ ଗୋଟିଏ ସଂଗ୍ରାମ ନିହାତି ଆବଶ୍ୟକ ତାହା ଯେ କେହି ସ୍ୱାଧୀନଚେତା ବ୍ୟକ୍ତି ମତବ୍ୟକ୍ତ କରିପାରିବ । କିନ୍ତୁ ଯେଉଁ ସ୍ୱାଧୀନତାର ଆହ୍ୱାନ ଘନ ଝଙ୍କାର ହେବ ଭାରତବର୍ଷରେ, ତାହା କୌଣସି ବିଦେଶୀ ବିରୁଦ୍ଧରେ ନୁହଁ ବରଂ ସ୍ୱଦେଶୀର ପରସ୍ୱାପହରଣକାରୀ, ସ୍ୱାର୍ଥଲେହନକାରୀ ତଥା ଅପସଂସ୍କୃତରି ବାହକ ଭାରତୀୟଙ୍କ ବିରୁଦ୍ଧରେ । ଯଦ୍ୱାରା ପୁଣିଥରେ ପ୍ରତଷ୍ଠା ହୋଇପାରିବ ବାପୁଙ୍କ ସ୍ୱପ୍ନର ରାମ ରାଜ୍ୟ, ଯେଉଁ ରାଜ୍ୟରେ ନ ଥିବ ଜାତି ଧର୍ମ ବର୍ଣ୍ଣକୁ ନେଇ ହିଂସା, ଦ୍ୱେଷ; ବରଂ ଥିବ ସମସ୍ତ ଭାବନାର ଊର୍ଦ୍ଧରେ ଏକ ମଣିଷ ପଣିଆ । ଏଣୁ ଏହି ମଣିଷ ପଣିଆର ଆଗମନପାଇଁ ଯେ, ଗଣତନ୍ତ୍ର ଦିବସ ପାଳନର ଅବସରରେ ଆଉ ଏକ ସଂଗ୍ରାମପାଇଁ ଶପଥ ନେବାକୁ ପଡିବ, ତାହା ଅନସ୍ୱୀକାର୍ଯ୍ୟ ଏବଂ ତାହା ନିଶ୍ଚିତ ଭାବରେ ଘଟିବ ।


୧୪୬ / ଜାତି, ଜାଗୃତି ଓ ପ୍ରଗତି

ହେଲେ ବିଶାଳ ସଂଘୀୟ ଭାରତବର୍ଷର ଏକ ଐତିହଶାଳୀ ସଦସ୍ୟ ଓଡ଼ିଶା? ୭୨ ବର୍ଷର ସ୍ୱତନ୍ତ୍ର ପ୍ରଦେଶ, ୬୧ବର୍ଷର ସ୍ୱାଧୀନତା, ୫୯ବର୍ଷର ଗଣତାନ୍ତ୍ରିକ ଶାସନ ପଦ୍ଧତି ହାସଲ କରିସାରିବା ପରେ ଓଡ଼ିଶାଭଳି ସମୃଦ୍ଧଶାଳୀ ମାଟି, ଆଉ ଓଡ଼ିଆଭଳି ସ୍ୱାଭିମାନୀ ଜାତିର ଅବସ୍ଥା କିଭଳି ରହିବ; ତାହା ମଧ୍ୟ ଆମେ ପ୍ରତ୍ୟେକ ଓଡ଼ିଆ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି । ଭାରତ ଗଣରାଜ୍ୟଗୁଡକର ଉନ୍ନତି ହେଉ, ଭାରତର ପ୍ରତ୍ୟେକ ବ୍ୟକ୍ତି ରୁଚିଶୀଳ ଓ ସମ୍ଭ୍ରାନ୍ତ ହୁଅନ୍ତୁ, ପ୍ରତ୍ୟେକ ରାଜ୍ୟ ମଧ୍ୟ ବିକଶିତ ହେଉ- ଏହା ଆମର କାମ୍ୟ, ଯାହା ଦୀର୍ଘ ୬୦ବର୍ଷ ଧରି ରହି ଆସିଛି । ମାତ୍ର ଏହି ମହାଭାରତୀୟ ଚେତନା ଭିତରେ ମଜ୍ଜି ରହି ଆମେ ଓଡ଼ିଶାବାସୀ ନିଜ ମାଟି, ନିଜ ଭାଷା, ନିଜ ସଂସ୍କୃତିର ବିକାଶକୁ ଭୁଲିଯାଉଛେ । ଭାରତର ଦାରିଦ୍ର୍ୟ କଥା କହିବାବେଳେ, ଓଡ଼ିଶାର ଦାରିଦ୍ର୍ୟ ତଥା ଏହାର କାରଣ ଓ ନିରାକରଣ ସଂପର୍କରେ କହିବାକୁ ଭୁଲିଯାଉଛୁ । ଭାରତର ଅର୍ଥନୀତି ଓ ଶିଳ୍ପର ବିକାଶ କଥା କହିବାବେଳେ, ଆମ ମାଟି ତଳେ ଗଚ୍ଛିତ ପ୍ରଚୁର ଖଣିଜ ପଦାର୍ଥର ସୁବିନିଯୋଗ କିମ୍ବା ଆମ ରାଜ୍ୟର ଦୁର୍ବଳ ଅର୍ଥନୈତିକ ସ୍ଥିତି ସଂପର୍କରେ ଚିନ୍ତା କରିବାକୁ ସଂକୋଚ ମନେ କରୁଛୁ । ଭାରତୀୟ ଶିଳ୍ପର ବିକାଶପାଇଁ ଅନ୍ୟ ରାଜ୍ୟରେ ଗଢ଼ି ଉଠୁଥିବା ଶିଳ୍ପ ସଂସ୍ଥାକୁ ବିୁଦ୍ୟୁତ୍, ଖଣିଜ ପଦାର୍ଥ, ଜାଳେଣି, ଆଉ ଜଳକୁ ବିନା ମୂଲ୍ୟରେ ବାଣ୍ଟି ଦେଉଛୁ । ଅଥଚ ଓଡ଼ିଶାର ବିକାଶପାଇଁ ଏ ସବୁକୁ ବିନିଯୋଗ କରିବାକୁ ଆମେମାନେ ଭୁଲିଯାଉଛୁ । ଏହାଠାରୁ ବଳି ଦୁଃଖର କଥା ହେଲା ଯେ, ଓଡ଼ିଶା ଏକ କଙ୍କଡ଼ା, ଗୋଡ଼ଟଣା ଜାତି କହି ନିଜକୁ ଭର୍ତ୍ସିିତ କରି ଆତ୍ମସନ୍ତୋଷ ପାଉଛୁ ଓ ଗରିବୀ ହେଉଛି ଓଡ଼ିଆଙ୍କ ଭାଗ୍ୟର ଫଳ କହି କର୍ମଫଳପ୍ରାପ୍ତି ରାସ୍ତାକୁ ବନ୍ଦ କରିଦେଉଛୁ ।

ତେଣୁ ଏଭଳି ସ୍ଥଳେ ଆମେ କ’ଣ ଆମ ମାଟିମା’ର ସଂପୂର୍ଣ୍ଣ ବିକାଶ ଆଶା କରିପାରିବା ନାହିଁ? ଆମେ କ’ଣ ସୁଖ, ଶାନ୍ତି, ସଦିଚ୍ଛା, ସ୍ୱାଭିମାନର ସହ ଆଉଥରେ ଠିଆ ହୋଇପାରିବା ନାହିଁ? କଥା ବଳରେ କର୍ମକୁ ଗୁରୁତ୍ୱ ଦେବାକୁ ଆମ ଓଡ଼ିଶାମାଟିରେ କାର୍ଯ୍ୟକାରୀ କରିପାରିବା ନାହିଁ? ଆମେ କ’ଣ କେବଳ ପ୍ରକୃତିର ଆଶୀର୍ବାଦକୁ ଅଭିଶାପରେ ପରିଣତ କରି ଏହିଭଳି ହତଭାଗ୍ୟର କଳଙ୍କିତ ବୋଝ ମୁଣ୍ଡାଇ ଚାଲିଥିବା?

ଏତେ ସବୁ ପ୍ରଶ୍ନ ଭିତରେ ଆମର କେବଳ ଗୋଟିଏ ମାତ୍ର ଉତ୍ତର ହେବା ଉଚିତ୍ । ତାହା ହେଉଛି- ଆମେ ପାରିବା, ହଁ ଆମେ ନିଶ୍ଚିତ ପାରିବା ।

***