ଜାତି, ଜାଗୃତି ଓ ପ୍ରଗତି/ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା

ଜାତି, ଜାଗୃତି ଓ ପ୍ରଗତି / ୪୭

ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା

ଭାଷାକୁ ନେଇ ଆଞ୍ଚଳିକ ବିଭେଦ କେବଳ ଓଡ଼ଶାରେ ନୁହେଁ ବରଂ ଭାରତବର୍ଷର ସମସ୍ତ ରାଜ୍ୟରେ ଊଣା ଅଧିକେ ମୁଣ୍ଡ ଟେକିଛି । ଏପରିକି ଜାତୀୟ ସଂଗୀତ ‘ବନ୍ଦେମାତରଂ’ ଓ ‘ଜନଗଣମନ’କୁ ନେଇ ମଧ୍ୟ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି । ତେବେ ସଂସ୍କୃତ ଭାଷାର ‘ବନ୍ଦେମାତରଂ’ ହେଉ ବା ସରକାରୀ ମୋହରରେ ଖୋଦିତ ‘ସତ୍ୟମେବ ଜୟତେ’ ହେଉ କିମ୍ବା ସଂସ୍କୃତ ମିଶ୍ରିତ ବଙ୍ଗଳା ଭାଷାର ‘ଜନଗଣମନ’ ହେଉ; ଏହାକୁ ଯଦି ଭାଷା ବିଭେଦ ଭିତ୍ତିରେ ଆମ ସମ୍ମୁଖରୁ ହଟାଇ ଦିଆଯାଏ, ତେବେ ଜାତୀୟତାକୁ ଅନୁଭବ କରିବା ଆମପାଇଁ କଷ୍ଟକର ହୋଇପଡ଼ିବ । ସେହିପରି ଏକା ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପତ୍ରିକା ଏକ ଆଞ୍ଚଳିକ ଭାଷା ‘ମାଲାୟାଲମ’ରେ ମୁଦ୍ରିତ ହେଉଥିବାବେଳେ ତଥା ଉତ୍ତର ଭାରତରେ କଥିତ ଏକ ଆଞ୍ଚଳିକ ଭାଷା ହିନ୍ଦୀକୁ ରାଷ୍ଟ୍ରଭାଷା ଭାବରେ ଚିହ୍ନିତ କରି ସର୍ବଭାରତୀୟ ସ୍ତରରେ ପ୍ରସାର ଓ ପ୍ରଚାର କରିବାଦ୍ୱାରା ଏହା ଭାରତବାସୀଙ୍କ ନିକଟତର ହେଉଥିବାବେଳେ, ଓଡ଼ିଆ ଭାଷାର ସ୍ଥିତି କେଉଁଠି ? ତାହା ପ୍ରତ୍ୟେକ ଓଡ଼ିଆ ଅନୁଶୀଳନ କରିବା ଆବଶ୍ୟକ ।

ସଂସାରର ଆଧୁନିକ ମାଧ୍ୟମ ଲେଖନ ପଦ୍ଧତି ପ୍ରଚଳନ ଭାରତ ମାଟିରେ ସର୍ବ ପ୍ରଥମେ ଓଡ଼ିଶାର ପଡୋଶୀ ବଙ୍ଗ ରାଜ୍ୟରେ ହୋଇଥିଲା । ୟୁରୋପୀୟ-ନବଜାଗରଣ ଛିଟାକୁ ବହନ କରିଥିବା ଇଂରେଜ ଜାତି ବଙ୍ଗ ଅଧିକାର ପରେ, ନିଜ ସୁବିଧାପାଇଁ ଏହି ଆଧୁନିକ ସଂସ୍କାର ମାଧ୍ୟମର ପୂର୍ଣ୍ଣ ପ୍ରୟୋଗ କରିବାରୁ ଭାରତରେ ପ୍ରଥମ କରି ଦ୍ୱିଭାିଷିକ ଦେଶୀ ଭଦ୍ରଲୋକଙ୍କ ଉଦ୍ଭବ ଘଟିଲା । ଏମାନେ ଏସିଆର ପ୍ରଥମ ମଧ୍ୟମ ବର୍ଗ ଥିଲେ, ଯେଉଁମାନେ ଦ୍ୱିଭାଷୀ ବା ପ୍ରାଞ୍ଜଳ ଭାବରେ ନିଜ ମାତୃଭାଷା ସହ ବିଦେଶୀ ଇଂରେଜୀ ୪୮ / ଜାତି, ଜାଗୃତି ଓ ପ୍ରଗତି
ଭାଷା କହିପାରୁଥିଲେ । ଏହି ସମୟରେ ଉତ୍ତର ଭାରତ ନିଜସ୍ୱ ପରିଚୟ ସ୍ଥାପନପାଇଁ ହିନ୍ଦୀକୁ କିମ୍ବା ଊର୍ଦ୍ଦୁ ଭାଷାକୁ ଗ୍ରହଣ କରିବା ବିବାଦ ମଧ୍ୟରେ ଦୋଦୁଲ୍ୟମାନ ହେଉଥିଲା । ଏ ସଂପର୍କରେ ପ୍ରଫେସର ବସୁଧା ଡାଲମିଆଁ ବିସ୍ତୃତ ଗବେଷଣା କରି ମତ ଦିଅନ୍ତି ଯେ “ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ନେତୃତ୍ୱରେ ପୁନରୁତ୍ଥାପିତ ହିନ୍ଦୀ ସାହିତ୍ୟ ହିଁ ଉତ୍ତର ଭାରତରେ ବିକଶିତ ହୋଇଥିବା ନୂତନ ମଧ୍ୟମ ବର୍ଗକୁ ଏକ ନୂତନ ଇତିହାସବୋଧ ଏବଂ ଭବିଷ୍ୟତ ପ୍ରତି ଏକ ନୂଆ ଆତ୍ମବିଶ୍ୱାସ ପ୍ରଦାନ କଲା । ଏହି ସମୟର ସାହିତ୍ୟରେ ମଧ୍ୟମ ବର୍ଗଙ୍କୁ ନିଜସ୍ୱ ପରିଚୟପାଇଁ କେତେକ ସରଳ ସହଜ ସମୀକରଣ ମଧ୍ୟ ପ୍ରଦାନ କଲା । ଯେପରି ହିନ୍ଦୀ ଅର୍ଥାତ୍ ହିନ୍ଦୁ ଏବଂ ଉତ୍ତରଭାରତ ଅର୍ଥାତ୍ ସମଗ୍ର ଭାରତବର୍ଷ ।”

ଭାରତ ସ୍ୱାଧୀନତା ହାସଲ ପରେ କେନ୍ଦ୍ର ସରକାରଙ୍କଦ୍ୱାରା ନିଯୁକ୍ତ ସରକାରୀ ଭାଷାମାମଲାର ପରାମର୍ଶଦାତା ହରିବଂଶ ରାୟ ବଚ୍ଚନ ମତ ଦେଇଥିଲେ ଯେ-‘ହିନ୍ଦୀରେ ସଂସ୍କୃତ, ଊର୍ଦ୍ଧୁ ଓ ପାର୍ଶୀ ଭାଷାର ମହକ ରହିଛି ।’ ମାତ୍ର ପରେ ଏହି ମହକକୁ ଲୋପ କରିବାକୁ ଯାଇ ବି.ୱାଇ. କେସ୍କର ଅଧ୍ୟକ୍ଷତାରେ ଗଠିତ ସମିତିର ପରାମର୍ଶରେ ପ୍ରଥମେ ଆକାଶବାଣୀ ଓ ପରେ ଦୂରଦର୍ଶନରେ ସଂସ୍କୃତ ଶବ୍ଦାବଳୀକୁ ହିନ୍ଦୀ ଭାଷାରେ ପ୍ରାଧାନ୍ୟ ଦେବା, ତଥା ସରକାରୀ ନଥିପତ୍ରରେ ଏହାର ବ୍ୟାପକ ପ୍ରୟୋଗ ଯୋଗୁଁ ହିନ୍ଦୀର ସଂସ୍କୃତକରଣ ପ୍ରକ୍ରିୟା ଆରମ୍ଭ ହୋଇଗଲା । ତେବେ ୬ଷ୍ଟ ଦଶକରେ ରାଷ୍ଟ୍ରଭାଷାକୁ ନେଇ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଯେଉଁ ଭୟଙ୍କର ବିବାଦ ଦେଖାଦେଲା, ସେଥିରେ ଲାଭାନ୍ୱିତ ହେଲା ନିଜସ୍ୱ ଲିପି ନ ଥିବା ଅସ୍ଥାୟୀ ବିଦେଶୀ ଇଂରେଜୀଭାଷା । ଏହାର ସ୍ଥାୟିତ୍ୱକୁ ସ୍ୱୀକାର କରାଗଲା ହିନ୍ଦୀକୁ ରାଷ୍ଟ୍ରଭାଷା ମର୍ଯ୍ୟାଦା ଦେବା ପ୍ରତି ବଦଳରେ ।

ମାତ୍ର ପ୍ରକୃତରେ ହିନ୍ଦୀ କେବେ ମଧ୍ୟ ଭାରତର ରାଷ୍ଟ୍ର ଭାଷା ହୋଇ ରହିନାହିଁ । କାରଣ ଯେପର୍ଯ୍ୟନ୍ତ ଏହାକୁ ଭାରତରେ ସମସ୍ତ ରାଜ୍ୟ ଗ୍ରହଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ହିନ୍ଦୀ ଭାଷା ଅନ୍ୟ ୨୧ଟି ଆଞ୍ଚଳିକ ଭାଷା ସହ ସମାନ ବୋଲି ସାମ୍ବିଧାନିକ ସ୍ଥିତିରୁ ଜଣାପଡ଼େ । ତେଣୁ ହିନ୍ଦୀ ଆଜି ପର୍ଯ୍ୟନ୍ତ କେବଳ ଏକ ଆଧିକାରୀକ ଭାଷା ରୂପରେ ତଥା କିଛି ଅଞ୍ଚଳର କଥିତ ଭାଷା ରୂପରେ ନିଜର ସ୍ଥତିକୁ ସୁଦୃଢ଼ କରିବାପାଇଁ ସଂଘର୍ଷ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଂରେଜୀ ଭଳି ହିନ୍ଦୀକୁ କିଛି ଅଞ୍ଚଳର ଲୋକଙ୍କପାଇଁ ରଖାଯାଇଥିଲା; ଯେଉଁମାନେ ପାରସ୍ପରିକ ସଂପର୍କପାଇଁ ନିଜ ମାତୃଭାଷା ବ୍ୟତୀତ ଆଉ ଏକ ବୃହତ୍ ଭାଷାର ଆବଶ୍ୟକ କରିଥାନ୍ତି । ମାତୃଭାଷାର ବିକାଶପାଇଁ ପୁନଶ୍ଚ ଯେଉଁଭଳି ଭାବରେ ତ୍ରିଭାଷା ନିୟମ ଗ୍ରହଣ କରାଗଲା, ତାହା ମଧ୍ୟ ଏକ କୌତୁକ ହୋଇ ରହିଗଲା । ପ୍ରଥମ ଭାଷା ମାତୃଭାଷା, ୨ୟଟି ଇଂରେଜୀ ତଥା ତୃତୀୟ ଭାଷା ରୂପରେ ଅନ୍ୟ କୌଣସି ଆଧୁନିକ ଭାରତୀୟ ଭାଷା ରଖିବା କଥା । କିନ୍ତୁ କେତେକ ରାଜ୍ୟ ସାଧାରଣରେ ଅପ୍ରଚଳିତ

ଜାତି, ଜାଗୃତି ଓ ପ୍ରଗତି / ୪୯
ସଂସ୍କୃତ ଭାଷାକୁ ତୃତୀୟ ଭାଷା ଭାବରେ ଗ୍ରହଣ କଲେ । କେବଳ ବୋଲାଲ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ହରିଆଣାର ୩ୟ ଭାଷା ରୂପରେ ତେଲୁଗୁକୁ ଗ୍ରହଣ କରିଥିଲେ ।

ଏଠାରେ ପ୍ରଶ୍ନ ଉଠେ, ଭାରତର ମୂଳ ଭାଷା କିଏ ? ସଂସ୍କୃତ କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହଁ । କାରଣ ଏହା ପୂର୍ବରୁ ସିନ୍ଧୁ ସଭ୍ୟତାରେ ଏକ ଉତ୍କୃଷ୍ଟ, ପରିଷ୍କୃତ ଓ ବଳିଷ୍ଠ ଭାଷା ପ୍ରଚଳିତ ଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନ‌ଦ୍ୱାରା ପ୍ରମାଣ ମିଳିସାରିଛି । ବୈିଦିକ ସାହିତ୍ୟର ଭାଷା ଯଦିଓ ସଂସ୍କୃତ, ମାତ୍ର ଏହାର ଲିପି ଏପର୍ଯ୍ୟନ୍ତ ଅନାବିଷ୍କୃତ । ଏହାପରେ ଆମେ ଯେଉଁ ବ୍ରାହ୍ମିଲିପିକୁ ଦେଖୁ, ତାହା ମଧ୍ୟ କେଉଁ ଭାଷାର ଏହା ଏପର୍ଯ୍ୟନ୍ତ ବିବାଦାସ୍ପଦ । ବର୍ତ୍ତମାନ ଆମେ ଯେଉଁ ସଂସ୍କୃତ ବ୍ୟବହାର କରୁଛୁ ତା’ର ଭୂୟୋବିକାଶ ଗୁପ୍ତ କାଳରେ ଘଟିଥିବାର ଭାଷାବିତ୍‌ମାନେ ମତବ୍ୟକ୍ତ କରୁଥିବାବେଳେ ବ୍ରାହ୍ମିଲିପି କିନ୍ତୁ ଭାରତବର୍ଷରୁ ଏପରି ଦୁରେଇ ଗଲା ଯେ, ଏକ ହଜାର ବର୍ଷ ପରେ ଆମେ ତାକୁ ଆଉ ଚିହ୍ନିପାରିଲୁ ନାହିଁ । ଏହାପରେ ଭାଷା ବିବର୍ତ୍ତନ ଫଳରେ ଅନେକ ଆଞ୍ଚଳିକ ଭାଷା ସୃଷ୍ଟି ହୋଇ ସମୃଦ୍ଧ ହେବା ବେଳକୁ ମୁସଲମାନ ଶାସକଦ୍ୱାରା ଆରବୀ, ପାର୍ଶୀକୁ ସର୍ବ ଭାରତୀୟ ଭାଷା ଭାବରେ ଲଦି ଦେବାର ଯେଉଁ ପ୍ରକ୍ରିୟା ଆରମ୍ଭ ହେଲା, ତାହା ଠିକ୍ ସଂସ୍କୃତଭାଷା ପରି ଆଭିଜାତ ବର୍ଗଙ୍କ ଭାଷା ହେବା ସହ ହିନ୍ଦୀ ଭଳି ନୂତନ ଆଞ୍ଚଳିକ ଭାଷାକୁ ଜନ୍ମ ଦେଲା ସିନା, ଭାରତବାସୀଙ୍କ ହୃଦୟର ଭାଷା ହୋଇପାରିଲା ନାହିଁ । ତେଣୁ ଭାରତ ଇତିହାସକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ଗୋଟିଏ ଭାଷା କେବେ ମଧ୍ୟ ସମଗ୍ର ରୂପରେ ଭାରତୀୟଙ୍କ ମୁଖର ଭାଷା ହୋଇପାରିି ନାହିଁ । “ଏକ ରାଷ୍ଟ୍ର-ଏକ ଭାଷା” ଅର୍ଥାତ୍ ସମଗ୍ର ରାଷ୍ଟ୍ରକୁ ଏକତା ସୂତ୍ରରେ ଯୋଡ଼ିବାପାଇଁ ଗୋଟିଏ ଭାଷାର ପ୍ରଚଳନ ଭଳି ବିକୃତ ଚିନ୍ତାଧାରା ୟୁରୋପୀୟ ଇତିହାସରୁ ଧାର ସୂତ୍ରରେ ଅଣାଯାଇ ଅଯଥାରେ ବାସ୍ତବ ରୂପ ଦେବାର ପ୍ରୟାସ କରାଯାଉଛି ।

ତେବେ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପାଇବା ପରେ ଉତ୍‌ଫୁଲ୍ଲିତ ହିନ୍ଦୀ ଭାଷୀ ଜନତା ଇଂରେଜୀ ଭାଷାକୁ ବ୍ୟାପକ ଅବହେଳା କରିବାଦ୍ୱାରା ଭାରତରେ ଏହି ବୃହତ ଗୋଷ୍ଠୀ ଆଧୁନିକ ଶ୍ରମବଜାରଠାରୁ ଦୂରେଇ ରହିଛି । କେନ୍ଦ୍ରଠାରୁ ଏହି ଭାଷାଭାଷୀ ଅଞ୍ଚଳ ସର୍ବାଧିକ ଅନୁଦାନ ବିଭିନ୍ନ ଉପାୟରେ ହାସଲ କରୁଥିଲେ ମଧ୍ୟ, ଏହି ଅଞ୍ଚଳ ଅନଗ୍ରସର ହେବାର କାରଣ ହେଲା-ଏ ପର୍ଯ୍ୟନ୍ତ ପ୍ରତିଷ୍ଠାର ପ୍ରତୀକ ଥିବା ତଥା ବିଭିନ୍ନ ନିଯୁକ୍ତିର ମାଧ୍ୟମ ଭାବେ ଇଂରେଜ ଭାଷା ଥିବାରୁ ଇଂରେଜୀ ଭାଷାରେ ଦୁର୍ବଳ ହିନ୍ଦୀ ଭାଷୀ ବିଦ୍ୟାର୍ଥୀ ନିଯୁକ୍ତିର ଏହି ସଫଳତାଠାରୁ ବହୁ ଦୁରରେ ଅଛନ୍ତି । ଏପରିକି ସର୍ବଭାରତୀୟ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମାଧ୍ୟମଠାରୁ ଉଚ୍ଚ I.A.S. ଓ S.S.C. ପରୀକ୍ଷାରେ ହିନ୍ଦୀ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସଫଳତା ହାର ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମାଧ୍ୟମରୁ ଉଚ୍ଚ ଥିଲେ ମଧ୍ୟ,

୫୦ / ଜାତି, ଜାଗୃତି ଓ ପ୍ରଗତି
ଅଧିକାଂଶ ବିଦ୍ୟାର୍ଥୀଙ୍କର ଇଂରେଜୀ ଭାଷାରେ ଦକ୍ଷତା ନ ଥିବାରୁ ସର୍ବାଧିକ ସାଫଲ୍ୟ ମିଳିପାରୁ ନାହିଁ । ଏହି ବର୍ଷ I.A.S. ପରୀକ୍ଷାରେ ବାଧ୍ୟତାମୂଳକ ଥିବା ଏକମାତ୍ର ଇଂରେଜୀ ପତ୍ରରେ ସର୍ବନିମ୍ନ ନମ୍ବର ରଖି ନ ପାରିବାରୁ ୧୫୦୦ ବିଦ୍ୟାର୍ଥୀଙ୍କ ପରୀକ୍ଷା ଖାତା ଦେଖାଯାଇ ନ ଥିଲା । ନଚେତ୍ ହିନ୍ଦୀ ମାଧ୍ୟମର ସଫଳତା ହାର ନିଶ୍ଚିତ ଭାବରେ ୯୦% ହୋଇଥାନ୍ତା । ହିନ୍ଦୀ ଭାଷୀ ରାଜ୍ୟ ସରକାର ମଧ୍ୟ ଇଂରେଜୀ ଭାଷାକୁ ତ୍ୟାଗ କରି କିରାଣୀଠାରୁ ଶିକ୍ଷକ, ଅଧ୍ୟାପକ, ବିଚାରପତି, ପ୍ରଶାସନିକ ଅଧିକାରୀ ଭଳି ଉଚ୍ଚ ପଦାଧିକାରୀଙ୍କ ଚୟନ ନିମିତ୍ତ ପରୀକ୍ଷା କେବଳ ହିନ୍ଦୀ ମାଧ୍ୟମରେ କରୁଥିବାରୁ ଇଂରେଜୀ ଶିକ୍ଷାକୁ ବିଦ୍ୟାର୍ଥୀ ଅନାବଶ୍ୟକ ମନେ କରୁଛନ୍ତି । ସେମାନେ ଏକଥା ବୁଝିବାକୁ ଅଜ୍ଞ ଯେ, ବିଦେଶୀ ଇଂରେଜୀ ଭାଷା ଯେତେ ତ୍ରୁଟିଯୁକ୍ତ ହେଲେ ମଧ୍ୟ ଏହାର ଆବଶ୍ୟକତା ଆମ ଦେଶରେ ଆହୁରି କିଛି ବର୍ଷପାଇଁ ରହିଛି ।

ତେବେ ଏପରି ସ୍ଥିତି ଆମ ଓଡ଼ିଶାରେ ନାହିଁ । ଛାତ୍ରଠାରୁ ଅଭିଭାବକ ପର୍ଯ୍ୟନ୍ତ ଇଂରେଜୀ ଭାଷା ଶିକ୍ଷା ପ୍ରତି ଯେତିକି ଯତ୍ନଶୀଳ, ସେତିକି ମଧ୍ୟ ସଚେତନ । ମାତ୍ର ଆମମାନଙ୍କଠାରେ ଯେଉଁ ଭୟଙ୍କର ତ୍ରୁଟି ଦେଖାଦେଇଛି, ତାହା ହେଉଛି ମାତୃଭାଷା ପ୍ରତି ଉଦାସୀନତା । ମାତୃଭାଷା ସଂପର୍କରେ ଅଧିକ ଚିନ୍ତା କରିବା କର୍ମହୀନଙ୍କ ପ୍ରମୁଖ କାର୍ଯ୍ୟ ବୋଲି ଆମ ଶିକ୍ଷିତବର୍ଗଙ୍କ ଧାରଣା । ସେମାନେ ଏ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ଯେ, ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷା ବିନା ବର୍ତ୍ତମାନର ଶିକ୍ଷା ମୂଲ୍ୟହୀନ । ସେମାନେ ଏକଥା ବୁଝିବାକୁ ଅକ୍ଷମ ଯେ, ଆଜିର କମ୍ପ୍ୟୁଟର ତଥା ବୈଶ୍ୱିକରଣ ଯୁଗରେ ସେମାନଙ୍କ ମାତୃଭାଷାର ମୂଲ୍ୟ କେତେ? କମ୍ପ୍ୟୁଟର ଭାଷା ଆଉ ଇଂରେଜୀ ନାହିଁ, ବରଂ ବିଶ୍ୱର ପ୍ରମୁଖ ଆଞ୍ଚଳିକ ଭାଷାକୁ କମ୍ପ୍ୟୁଟର ଗ୍ରହଣ କଲାଣି । ଜାପାନର ପ୍ରଧାନମନ୍ତ୍ରୀ ଜାପାନ ଭାଷାରେ ଓଡ଼ିଶାରେ ଭାଷଣ ଦେଲେ ଓଡ଼ିଶାବାସୀ ତାହା ଓଡ଼ିଆରେ ଶୁଣି ପାରିବାର କୌଶଳ ଆବିଷ୍କୃତ ହୋଇସାରିଲାଣି । ତୀବ୍ର ବଜାରୀକରଣ ଯୋଗୁଁ ବଡ଼ବଡ଼ କମ୍ପାନୀଗଣ ନିଜ ଉତ୍ପାଦିତ ସାମଗ୍ରୀର ତ୍ୱରିତ ବିକ୍ରିପାଇଁ ଆଞ୍ଚଳିକ ଭାଷାର ପ୍ରାଧାନ୍ୟକୁ ସ୍ୱୀକାର କଲେଣି । ଭାରତୀୟ ଭାଷାଗୁଡ଼ିକ ଇଂରେଜୀଠାରୁ କମ୍ ତ୍ରୁଟିଯୁକ୍ତ ଥିବାରୁ କମ୍ପ୍ୟୁଟରଦ୍ୱାରା ସହଜରେ ଗ୍ରହଣଯୋଗ୍ୟ ହେବା ଲକ୍ଷ୍ୟ କରି ତଥା ବଜାର ଚାହିଦାକୁ ଭିତ୍ତିକରି I.B.M., Microsoft ଭଳି ଭଳି ବୃହତ କମ୍ପ୍ୟୁଟର କମ୍ପାନୀଗଣ ଭାରତୀୟ ଆଞ୍ଚଳିକ ଭାଷାରେ ବିଭିନ୍ନ ପୋଗ୍ରାମ ଓ ସଫ୍ଟୱେର ପ୍ରସ୍ତୁତ କଲେଣି । ଏହାକୁ ଲକ୍ଷ୍ୟ କରି ଭାରତର ଅନ୍ୟାନ୍ୟ ରାଜ୍ୟଗଣ ନିଜ ନିଜ ମାତୃଭାଷାକୁ ବଳିଷ୍ଠ ଓ ଲୋକମୁଖର କରିବାପାଇଁ ବିଭିନ୍ନ ପଦକ୍ଷେପ ନେଇ ସାରିଲେଣି । ତେଣୁ ଭାରତର ଏକ ସମୃଦ୍ଧ ଆଞ୍ଚଳିକ ଭାଷା ରୂପରେ ପରିଚିତ ଓଡ଼ିଆ ଭାଷା ପ୍ରତି ଓଡ଼ିଆଙ୍କ ଅବହେଳାଦ୍ୱାରା ଯେଉଁ ଅପୂରଣୀୟ କ୍ଷତି ଘଟିବ, ତାହା ଆମ ଭବିଷ୍ୟତ ପିଢ଼ି କେବେ ବି ଆମକୁ କ୍ଷମା ଦେବେ ନାହିଁ । ଜାତି, ଜାଗୃତି ଓ ପ୍ରଗତି / ୫୧

ଆମେ ହିନ୍ଦୀଭାଷୀଙ୍କ ଭଳି ସଂକୀର୍ଣ୍ଣମନା ନୋହୁଁ । ଆମଠାରେ ତେଲୁଗୁ, ତାମିଲ, ମରାଠୀ, ବଙ୍ଗାଳୀଙ୍କ ପରି ଅନ୍ଧ ଭାଷାପ୍ରୀତି ନାହିଁ । ଇଂରେଜୀଭାଷାକୁ ଭଲ ପାଉଥିଲେ ମଧ୍ୟ ଦକ୍ଷିଣ ଭାରତୀୟଙ୍କପରି ଆମ ଶିକ୍ଷିତବର୍ଗଙ୍କଠାରେ ଇଂରେଜୀଭାଷାରେ ବଳିଷ୍ଠ ଦକ୍ଷତା ନାହିଁ । ଆମେ କେବଳ ଇଂରେଜୀ, ହିନ୍ଦୀର ଗୋଡ଼ାଣିଆ ହୋଇଚାଲିଛୁ ଓ ନିଜ ବିଶାଳ ହୃୟୟବତ୍ତାର ପ୍ରମାଣ ଦେବାକୁ ଯାଇ ନିଜ ମାତୃଭାଷାକୁ ଅବହେଳା କରୁଛୁ । ବୋଧହୁଏ ସେଥିପାଇଁ ଓଡ଼ିଶା ଦରିଦ୍ରତା ଓ ବୁଭୁକ୍ଷୁ କଳହାଣ୍ଡିପାଇଁ ଚିହ୍ନିତ ହୋଇଛି ସିନା, ନିଜର ସମୃଦ୍ଧ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସର୍ବୋକ୍ରୃଷ୍ଟ ସାମାଜିକ ଚଳଣୀ ତଥା ସଂସ୍କୃତି ନିକଟରେ ଉକ୍ରୃଷ୍ଟ ଭାଷାକୁ ନେଇ ସ୍ୱତନ୍ତ୍ର ପରିଚୟ ସ୍ଥାପିତ କରିପାରିନାହିଁ ।

ସମୟର ଆହ୍ୱାନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆମେ ଇଂରେଜୀ ଭାଷାକୁ ଛାଡ଼ିପାରିବା ନାହିଁ । ମାତ୍ର ଏକ ଆଞ୍ଚଳିକ ଭାଷା ହିନ୍ଦୀକୁ ଶିକ୍ଷା କରିବାରେ କି ଯଥାର୍ଥତା ରହିଛି । ଏପରିକି ସଂସ୍କୃତ ଭାଷା ପ୍ରତି ଅନ୍ୟ ରାଜ୍ୟଗୁଡ଼ିକର ଯେଉଁ ବ୍ୟବହାରିକ ଦୃଷ୍ଟି ରହିଛି, ସେତିକି କେବଳ ଆମଠାରେ ରହିବା ଆବଶ୍ୟକ । ପ୍ରତିବଦଳରେ ଭାରତର ସମ୍ବିଧାନ ଆମକୁ ଆମ ମାତୃଭାଷା ବିକାଶପାଇଁ ଯେଉଁ ସୁଯୋଗ ଦେଇଛି, ଏବଂ ଦେଉଛି ତାହାର ଫାଇଦା ଉଠାଇବା ଆମପାଇଁ ବୁଦ୍ଧିମତ୍ତାର କାର୍ଯ୍ୟ ହେବ । ବିଭିନ୍ନ କେନ୍ଦ୍ରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ମାତୃଭାଷା ମାଧ୍ୟମରେ ହେବା ସୁଯୋଗକୁ ପ୍ରତ୍ୟେକ ଓଡ଼ିଆ ବିଦ୍ୟାର୍ଥୀ ଗ୍ରହଣ କରିନେବା ଆବଶ୍ୟକ । ଓଡ଼ିଶା ସରକାର ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଇଂରେଜୀ ସହିତ ଓଡ଼ିଆ ଭାଷା ମାଧ୍ୟମରେ ଦେବାର ସୁଯୋଗ ପ୍ରଦାନ କରି ମାତୃଭାଷାକୁ ପ୍ରୋତ୍ସାହିତ କରିବା ସହ I.A.S ଏବଂ S.S.C. ପରୀକ୍ଷାପାଇଁ ଓଡ଼ିଶାର ମେଧାବୀଙ୍କ ପ୍ରାକ୍ ପ୍ରସ୍ତୁତିରେ ପରୋକ୍ଷ ସହାୟତା କରନ୍ତୁ।

ଶେଷରେ ଗୋଟିଏ କଥା ଚିନ୍ତା କରିବା ବେଳ ଆସିଛି ଯେ - ଓଡ଼ିଶାବାସୀ ଯେତେ ଚେଷ୍ଟା କଲେ ମଧ୍ୟ ସଂସ୍କୃତ ଭାଷାର ଭୂୟୋବିକାଶ କରିପାରିବେ ନାହିଁ । କିମ୍ବା ହିନ୍ଦୀଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେବାରେ ସହାୟତା କରିପାରିବେ ନାହିଁ । ଏପରିକି ଭବିଷ୍ୟତରେ ଭାରତ ମାଟିରୁ ଉନ୍ମୁଳିତ ହେବାକୁ ଥିବା ଇଂରେଜୀଭାଷାକୁ ରକ୍ଷା କରିପାରିବେ ନାହିଁ । ତେଣୁ ଭାଷାର ଏଭଳି ମିଥ୍ୟା ମୋହରେ ପଡ଼ି ନିଜ ମାତୃଭାଷାକୁ ଅବହେଳା କରିବା ଫଳରେ, କାୟାବିସ୍ତାର କରୁଥିବା ସୀମାନ୍ତର ବଙ୍ଗଳା, ତେଲୁଗୁ ଓ ହିନ୍ଦୀଭାଷାଦ୍ୱାରା କବଳିତ ହୋଇ ଓଡ଼ିଆ ଭାଷା ଯେ ତା’ର ଅସ୍ତିତ୍ୱ ହରାଇବ, ଏଥିରେ ସନ୍ଦେହ ନାହିଁ ।
****