Jump to content

ଜାତି, ଜାଗୃତି ଓ ପ୍ରଗତି/ଓଡ଼ିଶାର ଦାରିଦ୍ର୍ୟ

ଉଇକିପାଠାଗାର‌ରୁ
ଜାତି, ଜାଗୃତି ଓ ପ୍ରଗତି  (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଓଡ଼ିଶାର ଦାରିଦ୍ର୍ୟ

୫୮ / ଜାତି, ଜାଗୃତି ଓ ପ୍ରଗତି


ଓଡ଼ିଶାର ଦାରିଦ୍ର୍ୟ


ଆମ ରାଜ୍ୟ ଓଡ଼ିଶା । ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଛି ଯାହାକୁ ଘେରି ରହିଛି ଅସଂଖ୍ୟ ପ୍ରଶ୍ନ । ଏ ପ୍ରଶ୍ନର ସୃଷ୍ଟି ହୋଇଛି ଆମ ରାଜ୍ୟରେ ଦେଖାଦେଇଥିବା କେତେଗୁଡ଼ିଏ ସମସ୍ୟା ଯୋଗୁଁ । ଏହି ସମସ୍ୟାଗୁଡ଼ିକ କେବଳ ଖାଦ୍ୟ, ବସ୍ତ୍ର, ବାସଗୃହରେ ସୀମିତ ନୁହେଁ, ବରଂ ଭାଷାର ଭବିଷ୍ୟତକୁ ନେଇ, ସାହିତ୍ୟର ସମୃଦ୍ଧିକୁ ନେଇ, ଜାତିଗତ ହିଂସା ଦ୍ୱେଷକୁ ନେଇ, ନିଜ ନ୍ୟାଯ୍ୟ ଦାବୀକୁ ସଂଘୀୟ କ୍ଷେତ୍ରରେ ଉପସ୍ଥାପନାକୁ ନେଇ କିମ୍ବା ନିଜର ଗୋଡ଼ଟଣା ପ୍ରକୃତି ଓ ପ୍ରବୃତ୍ତିକୁ ନେଇ । ତେବେ ଏସବୁ ଭିତରେ ଯେଉଁ ସୂକ୍ଷ୍ମ ଚେତନାଟି ସଂଯୋଗର ସେତୁ ରୂପେ କାମ କରୁଛି, ତାହା ହେଉଛି ଦାରିଦ୍ର୍ୟ । ଏ ଦାରିଦ୍ର୍ୟ ଆମ ମାନସିକତାକୁ ଏତେ ପରିମାଣରେ ଆକ୍ରାନ୍ତ କରିସାରିଛି ଯେ, ସ୍ୱଚ୍ଛଳ ବର୍ଗର ଓଡ଼ିଶାବାସୀମାନେ ମଧ୍ୟ ନିଜକୁ ଦରିଦ୍ର ବୋଲି ସଗର୍ବେ ଘୋଷଣା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ତେଣୁ ଏତେ ସବୁ ପ୍ରଶ୍ନର ଏକମାତ୍ର ସମାଧାନର ସୂତ୍ର ହେଲା ଦାରିଦ୍ର୍ୟକୁ ଚିହ୍ନିବା ଓ ଏହାର ନିରାକରଣପାଇଁ ସ୍ୱତଃପ୍ରବୃତ୍ତ ଭାବେ ଉଦ୍ୟମ କରିବା ।

ଦାରିଦ୍ର୍ୟ କ’ଣ? - ଦାରିଦ୍ର୍ୟ ହେଉଛି ଜୀବନ୍ତ ଅଭିଶାପ । ଏହାକୁ କେବଳ ମଣିଷ ସମାଜରେ ଉପଲବ୍‌ଧି କରିହୁଏ । ବିଶ୍ୱର କୋଣ ଅନୁକୋଣରେ ଏହାର ଛାୟା ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ସ୍ଥାନ ଭେଦରେ ଏହାର ସଂଜ୍ଞାରେ ଭିନ୍ନତା ପରିଲକ୍ଷିତ ହୁଏ । ଦାରିଦ୍ର୍ୟ କହିଲେ ସାଧାରଣତଃ ଆୟଭିତ୍ତିକ ଦାରିଦ୍ର୍ୟକୁ ବୁଝାଇଥାଏ । କିନ୍ତୁ ଏହି ମତ ତ୍ରୁଟିଯୁକ୍ତ । ଅର୍ଥ ରୋଜଗାର କରିବାର ଅଯୋଗ୍ୟତା ବା ଅକ୍ଷମତା ହେଉଛି ଦାରିଦ୍ର୍ୟ । ଜୀବନଧାରଣପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ ନିମନ୍ତେ ଯେଉଁମାନେ ଅର୍ଥ ପାଇ ନ ଥାନ୍ତି, ସେମାନଙ୍କପାଇଁ ପ୍ରଗତି ଓ ବିକାଶର ନାରା ସ୍ୱପ୍ନ ମାତ୍ର । ଏହି ଶ୍ରେଣୀର ବ୍ୟକ୍ତିମାନଙ୍କପାଇଁ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଶୁଦ୍ଧ ପାନୀୟ ଜଳ, ବିଜୁଳି,


ଜାତି, ଜାଗୃତି ଓ ପ୍ରଗତି / ୫୯
ଖାଦ୍ୟ ସୁରକ୍ଷା ଆଦି ସରକାର ଯୋଗାଇ ଦେଉଥିବାବେଳେ ଏମାନେ ଏହି ମୌଳିକ ସୁବିଧାର ସୁଯୋଗ ନେଇପାରନ୍ତି ନାହିଁ । ଏହା କେବଳ ଗ୍ରାମାଞ୍ଚାଳରେ ନୁହେଁ, ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ । ସବୁଠାରୁ ଦୁଃଖର କଥା ହେଲା, ଆମ ଦେଶରେ ଥିବା ଏହି ଶ୍ରେଣୀର ଅଧିକାଂଶ ବ୍ୟକ୍ତି ଦାରିଦ୍ର୍ୟ ବିଷୟରେ ଏ ପର୍ଯ୍ୟନ୍ତ ସଚେତନ ହୋଇପାରି ନାହାନ୍ତି । ସେଥିପାଇଁ ଏହାକୁ ଦୂର କରିବାପାଇଁ ବ୍ୟକ୍ତିଗତ ପ୍ରୟାସ ହୁଏ ନାହିଁ । ଆମ ରାଜ୍ୟରେ ଏହି ଧରଣର ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରାକୃତିକ ସଂପଦରେ ପୂର୍ଣ୍ଣଗର୍ଭା ହୋଇ ମଧ୍ୟ ଦାରିଦ୍ର୍ୟ ଏଠି ସବୁଠାରୁ ଶକ୍ତିଶାଳୀ ।

ଓଡ଼ିଶାରେ ଦାରିଦ୍ର୍ୟ - ପ୍ରକୃତିର ପ୍ରାଚୁର୍ଯ୍ୟ ମଧ୍ୟରେ ଥିବା ଓଡ଼ିଶାର ଅଧିବାସୀ ପରିବର୍ତ୍ତନଶୀଳ ସମାଜ ସହିତ ତାଳ ଦେଇ ନ ପାରି କେବଳ ଦରିଦ୍ର ହୋଇ ନାହାନ୍ତି, ଅନାହାର ମୃତ୍ୟୁକୁ ବି ଗ୍ରହଣ କରି ନେଉଛନ୍ତି । ସ୍ୱାଧୀନତା ସମୟର ୧ କୋଟି ୪୬ ଲକ୍ଷ ଜନସଂଖ୍ୟାବିଶିଷ୍ଟ ଏହି ରାଜ୍ୟ, ୫୦ ବର୍ଷ ପରେ ୩ କୋଟି ୭୦ ଲକ୍ଷରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରେ ଗରିବଙ୍କ ସଂଖ୍ୟା ହେଉଛି ୪୭.୧୫ ଶତାଂଶ । ସମଗ୍ର ଜନସଂଖ୍ୟାର ୯ ଭାଗ ପରିବାର ପାଇପ୍ ଯୋଗେ ଜଳ ପାଇଥାନ୍ତି । ସେହିଭଳି ୨୦ ଭାଗ ପରିବାରର ପକ୍କା ଘର ରହିଛି । ତନ୍ମଧ୍ୟରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଇନ୍ଦିରା ଆବାସ ଘର ୬ ଭାଗ । ଏବେ ମଧ୍ୟ ଆମ ରାଜ୍ୟରେ ୭୦ ଭାଗ ଲୋକ କାଠ, ପତ୍ର, ଗୋବର ଘଷିକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି । ମୋଟ୍ ୯ ଭାଗ ପରିବାରରେ ଟି.ଭି.ସେଟ୍ ଥିବାବେଳେ ୦.୫୫ ଭାଗ ଲୋକ କମ୍ପ୍ୟୁଟର ବ୍ୟବହାର ଜାଣିଛନ୍ତି । ସବୁଠାରୁ ଦୁଃଖର କଥା ହେଲା ଗ୍ରାମାଞ୍ଚଳର ୯୩ ଭାଗ ପରିବାରରେ ଶୌଚାଳୟ ନାହିଁ । ସହରାଞ୍ଚଳରେ ଏହାର ସଂଖ୍ୟା ୪୬ ଭାଗ । ଏହା ବ୍ୟତୀତ ଆମ ରାଜ୍ୟର ମୁଣ୍ଡପିଛା ଆୟ ଦୈନିକ ମାତ୍ର ୧୭ ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ହେଉଛି ୧୫ ଟଙ୍କା । କିନ୍ତୁ ପାରିବାରିକ ହିସାବ ଅନୁସାରେ ପାଞ୍ଚଜଣ ସଦସ୍ୟ ଥିବା ପରିବାରର ମାସିକ ଖର୍ଚ୍ଚ ୨୨୫୦ ଟଙ୍କା ଥିବାବେଳେ ଆୟ ହେଉଛି ମାତ୍ର ୫୦୯ଟଙ୍କା । ଏଭଳି ସ୍ଥିତିରେ ଓଡ଼ିଶାରେ ଦାରିଦ୍ର୍ୟର ସ୍ୱରୂପକୁ ଉପଲବ୍ଧି କରିହୁଏ ।

ଦାରିଦ୍ର୍ୟ କାରଣ - ଓଡ଼ିଶାବାସୀଙ୍କର ଏ ପର୍ଯ୍ୟନ୍ତ କୃଷି ହୋଇ ରହିଛି ପ୍ରଧାନ ଜୀବିକା । ଅଥଚ ଓଡ଼ିଶାରେ ରହିଛି ସୁ-ବିସ୍ତୃତ ବେଳାଭୂମି, ପର୍ଯ୍ୟାପ୍ତ ଜଳସଂପଦ, ବିପୁଳ ଅରଣ୍ୟ ସଂପଦ ଏବଂ ମାଟିତଳେ ଗଚ୍ଛିତ ଥିବା ଖଣିଜ ସଂପଦ । ଏ ପର୍ଯ୍ୟନ୍ତ ଏଗୁଡ଼ିକୁ ଓଡ଼ିଶାର ମୁଖ୍ୟ ଆୟର ସ୍ରୋତ ଭାବରେ ଚିହ୍ନଟ କରାଯାଇ ନାହିଁ । କେବଳ ଖଣିଜ ସଂପଦକୁ ଉେତ୍ତୋଳନ କରି ବିକ୍ରି ବାବରେ ରୟାଲିଟି ଭାବେ ମିଳୁଥିବା କିଛି ରାଜସ୍ୱ

୬୦ / ଜାତି, ଜାଗୃତି ଓ ପ୍ରଗତି
ତଥା ଓଡ଼ିଶା ସରକାରଙ୍କଦ୍ୱାରା ସଂଗୃହୀତ ରାଜ୍ୟ ଟିକସ, କେନ୍ଦ୍ରୀୟ ଅନୁଦାନ ଏବଂ ଋଣ ଉପରେ ଓଡ଼ିଶାର ଅର୍ଥ ନୀତି ନିର୍ଭରଶୀଳ । କୃଷି ଓଡ଼ିଶା ମୁଖ୍ୟ ଜୀବିକା ହୋଇଥିବାବେଳେ, ଫସଲ ଉତ୍ପାଦନପାଇଁ ପାରମ୍ପରିକ ପଦ୍ଧତି ଅନୁସରଣ, ସରକାରୀ ବିହନ ଯୋଗାଣରେ ଚାଷୀର ସନ୍ଦେହ, ଜଳସେଚନର ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ଉପରେ କୃଷକର ନିର୍ଭରଶୀଳତା, ସର୍ବୋପରି ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଜୀବିକାର ବିକାଶ କ୍ଷେତ୍ରରେ ପ୍ରଶ୍ନ ଚିହ୍ନ ଆଙ୍କିିଦିଏ । ଆମ ରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟ ଅଛି । ମାତ୍ର ତାହା କେବଳ କେତେକ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେବାପାଇଁ । କୃଷି ବିଶେଷଜ୍ଞମାନଙ୍କ ସହିତ ଚାଷୀମାନଙ୍କର କୌଣସି ସମ୍ପର୍କ ନାହିଁ । ଏ ଦିଗରେ ସରକାର ମଧ୍ୟ ଉଉାସୀନ । ପୁନଶ୍ଚ ଗୁଜୁରାଟ, ପଶ୍ଚିମବଙ୍ଗ ରାଜ୍ୟ ଭଳି ଆମ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପପାଇଁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ । କେବଳ କେତୋଟି ଚିନି କଳ, କାଗଜ କଳ କିମ୍ବା ଲୁହା କଳ ଖୋଲିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଭାବିଲେ ହେବ ନାହିଁ । ବରଂ କଳକାରଖାନା ଉପଯୁକ୍ତ ପରିଚାଳନା କରିବା ଦରକାର । ନଚେତ୍ ଚୌଦ୍ୱାର ଲୁଗାକଳ କିମ୍ବା ବଡ଼ମ୍ବା, ନୟାଗଡ଼ ଚିନିକଳ ଭଳି ସରକାରୀ କଳକାରଖାନାର ଅବସ୍ଥା ହେବ ।

ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା - ସଂଘୀୟ ରାଷ୍ଟ୍ର ଭାରତର ଏକ ଅଂଶ ହେଉଛି ଆମ ରାଜ୍ୟ ଓଡ଼ିଶା । ତେଣୁ ସ୍ୱାଧୀନ ଭାରତର ସରକାର ସମଗ୍ର ଭାରତବର୍ଷର ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଦାରିଦ୍ର୍ୟ ଦୂରୀକରଣପାଇଁ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସଫଳତା କେତେ, ତାହା କେବଳ ଜନସାଧାରଣ ନୁହେଁ, ସରକାର ମଧ୍ୟ ଉପଲବ୍ଧି କରି ସାରିଲେଣି । ଆବଶ୍ୟକ ଅନୁସାରେ ଯୋଜନା ପ୍ରସ୍ତୁତ ନ କରିବା, ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କ୍ଷେତ୍ରରେ ଅସଙ୍ଗତି ରହିବା, ଭ୍ରଷ୍ଟାଚାର, ସରକାରୀ ଉଦାସୀନତା, ସର୍ବୋପରି ଜନ-ସାଧାରଣଙ୍କ ଅସହଯୋଗ ମନୋବୃତ୍ତିରୁ ଏହିସବୁ ଯୋଜନା ବିଫଳ ହୋଇଯାଉଛି । ତେଣୁ ଅତୀତର ଅଭିଜ୍ଞତାକୁ ଆଖି ଆଗରେ ରଖି ସରକାର ବର୍ତ୍ତମାନ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ପ୍ରଥମେ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଛି । ଏପରି କି କେବଳ ଅଫିସର୍ ନୁହେଁ, ସର୍ବସାଧାରଣଙ୍କ ମତ ମଧ୍ୟ ଆବଶ୍ୟକ କରୁଛନ୍ତି । ଗଣତନ୍ତ୍ରର ସର୍ବପଥ୍ରମ ମିଳିତ କେନ୍ଦ୍ର ପଞ୍ଚାୟତକୁ ସେଥିପାଇଁ ଅଧିକ କ୍ଷମତା ଦିଆଯାଇ ପଲ୍ଲୀସଭା ବା ଗ୍ରାମସଭା ମାଧ୍ୟମରେ ସିଧାସଳଖ ଏହି ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଚେଷ୍ଟା କରୁଛନ୍ତି । ଏଥି ସହିତ ଓଡ଼ିଶା ସରକାର ‘ଓଡ଼ିଶା ଡେଭଲପମେଣ୍ଟ ଜାତି, ଜାଗୃତି ଓ ପ୍ରଗତି / ୬୧
ଅଥରିଟି (ଓ.ଡି.ଏ.) ଆଇନ୍-୧୯୮୨’ ପ୍ରଣୟନ କରି କେତେକ ଉନ୍ନୟନ ସଂସ୍ଥା ଖୋଲି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବିକଶିତ କରିବାପାଇଁ ଚେଷ୍ଟା କରୁଛନ୍ତି ।

ଦାରିଦ୍ର୍ୟ ଦୂରୀକରଣରେ ଗ୍ରାମ୍ୟ ନାରୀଙ୍କ ଭୂମିକା - ବାସ୍ତବରେ କହିବାକୁ ଗଲେ ଦାରିଦ୍ର୍ୟର ଏକ ବଡ଼ କାରଣ ହେଉଛି ଗ୍ରାମୀଣ ମହିଳାଙ୍କ ଅଜ୍ଞାନତା । ପରିବାର ପରିଚାଳନାରେ ସେମାନଙ୍କ ଭୂମିକା ମୁଖ୍ୟ ଥିବାବେଳେ ସେମାନଙ୍କ ଉଦାସୀନତା ହିଁ ପାରିବାରିକ ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ପକାଉଛି । ବିନା ଖାଦ୍ୟରେ ଏମାନେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବାବେଳେ, ପୁରୁଷମାନେ ମଦ ପିଇ, ତାସ ଓ ପଶା ଖେଳି, କୁକୁଡ଼ା ଲଢେଇରେ ସମୟ ଅତିବାହିତ କରିଥାନ୍ତି । ନାରୀଗଣ ପୁରୁଷଙ୍କ ଭଳି କାର୍ଯ୍ୟ କରୁଥିଲେ ମଧ୍ୟ କମ୍ ମଜୁରି ମିଳିବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନ ଥା’ନ୍ତି । କମ୍ ବୟସରେ କିଶୋରୀ କନ୍ୟାଙ୍କୁ ବିବାହ ଦେବା ଯୋଗୁଁ ପୁଷ୍ଟିହୀନତାଦ୍ୱାରା ଏମାନେ କେବଳ ରୋଗରେ ପଡ଼ୁନାହାନ୍ତି, ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଉଛନ୍ତି । ତେଣୁ ଏ ବିଷୟରେ ଏମାନଙ୍କୁ ସଚେତନ କରିବା ସର୍ବ ପ୍ରଥମେ ଆବଶ୍ୟକ । କୃଷି ଉତ୍ପାଦନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିବାରୁ ଏ ସଂପର୍କରେ ଅଧିକ ପ୍ରଶିକ୍ଷଣ ଦେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏମାନଙ୍କୁ ସଚେତନ ଓ କ୍ରିୟାଶୀଳ କରିବା ଆବଶ୍ୟକ ।

ଯୁଗରୁଚି ଅନୁଯାୟୀ ବିଭିନ୍ନ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରିବା, ଏଥିପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଦାୟିତ୍ୱ ସରକାର ନେବା ଉଚିତ । ଲୁଙ୍ଗି, ଗାମୁଛା ବୁଣିବା, ବିଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ ପ୍ରସ୍ତୁତି ବଳରେ ଚୀନ୍, ଜାପାନ ଭଳି ରପ୍ତାନୀ ଭିତ୍ତିକ ଇଲେକ୍ଟ୍ରୋନିକ୍ ସାଜ ସରଂଜାମ, ଆଧୁନିକ ଗୃହୋପକରଣ ନିର୍ମାଣକୁ କୁଟୀରଶିଳ୍ପର ମର୍ଯ୍ୟାଦା ଦେଇ ଗ୍ରାମ୍ୟ ମହିଳାମାନଙ୍କୁ ଏ ଦିଗରେ ପ୍ରଶିକ୍ଷିତ କରିପାରିଲେ, ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ହେବ ।

ଏଠାରେ ମନେରଖିବାକୁ ହେବ ଯେ, ଯେ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ପାଇନାହିଁ, ସେ ପର୍ଯ୍ୟନ୍ତ ଓଡ଼ିଶାରୁ ଦାରିଦ୍ର୍ୟ ଲୋପ ପାଇବ ନାହିଁ ।
****