Jump to content

ଜାତି, ଜାଗୃତି ଓ ପ୍ରଗତି/ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି

ଉଇକିପାଠାଗାର‌ରୁ
ଜାତି, ଜାଗୃତି ଓ ପ୍ରଗତି  (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି

୮୨ / ଜାତି, ଜାଗୃତି ଓ ପ୍ରଗତି


ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି

ରାଜ୍ୟରେ ବ୍ୟାପକ ଜଙ୍ଗଲ କ୍ଷୟ, କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ, ସ୍ପଞ୍ଜ୍ ଆଇରନ୍ ଶିଳ୍ପ, କ୍ରସରଗୁଣ୍ଡ ମିଶୁଥିବା ବିଷାକ୍ତ ଧୂଳିକଣା ରାଜ୍ୟର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି । ବିସ୍ତୀର୍ଣ୍ଣ ସବୁଜ ପରିବେଶ କ୍ରମେ ହ୍ରାସ ପାଇ ଚାଲିଥିବା ବେଳେ, କଂକ୍ରିଟ୍ ଜଙ୍ଗଲ ଦୃତଗତିରେ ବୃଦ୍ଧି ପାଇ ଚାଲିଛି । ସବୁଜ ଗୃହ ବାଷ୍ପ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି ଏବଂ ରାଜ୍ୟର ପରିବେଶ ପ୍ରତିିଦିନ ଅଧିକରୁ ଅଧିକ ପ୍ରଦୂଷିତ ହୋଇଚାଲିଛି । କ୍ରମେ ବିଷାକ୍ତ ହୋଇପଡୁଥିବା ବାୟୁମଣ୍ଡଳ ଯୋଗୁଁ ଲୋକେ ବିଭିନ୍ନ ରୋଗର ଶିକାର ହୋଇପଡୁଥିବା ବେଳେ ପରିବେଶକୁ ପ୍ରଦୂଷଣମୁକ୍ତ କରିବାପାଇଁ ଯେଉଁ ଉଉ୍ୟମ ହେବା କଥା ତାହା ହେଉନଥିବାରୁ ପରିବେଶବିତ୍‌ମାନେ ଉଦ‌ବେଗ ପ୍ରକାଶ କରିଛନ୍ତି ।

ଶିଳ୍ପ ପ୍ରଦୂଷଣ :

ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧୦୦ଟି ସ୍ପଞ୍ଜ୍ ଆଇରନ୍ କାରଖାନା ଓ ୧୨୦୦ କ୍ରସର କାର୍ଯ୍ୟ କରୁଛି । ସେଗୁଡ଼ିକ ମଧ୍ୟରୁ ଅଳ୍ପ କେତେକ ସ୍ପଞ୍ଜ୍ ଆଇରନ୍ ଓ କ୍ରସର ପ୍ରଦୂଷଣ ନିୟମ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁ ନ ଥିବା ଶିଳ୍ପ ବିରୋଧରେ ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ହେଲେ ମଧ୍ୟ ବହୁ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟରେ ବର୍ତ୍ତମାନ ବାର୍ଷିକ ପ୍ରାୟ ୩ ନିୟୁତ ଟନ୍ ଇସ୍ପାତ୍ ଉତ୍ପାଦନ ହେଉଥିବା ବେଳେ ଇସ୍ପାତ୍ ଉତ୍ପାଦନକୁ ୫୬ ନିୟୁତ ଟନ‌କୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୫୪ଟି ଦେଶୀ ଓ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛିି । ପରିବେଶବିତ୍‌ଙ୍କ ମତରେ ୫୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫୫ ନିୟୁତ ଟନ୍ ଫସିଲ କୋଇଲା


ଜାତି, ଜାଗୃତି ଓ ପ୍ରଗତି / ୮୩
ଜାଳି କୋକ୍ ଉତ୍ପାଦନ କରିବାକୁ ହେବ । କୋକ୍ ଉତ୍ପାଦନ ବେଳେ ସେଥିରୁ ବେଞ୍ଜିନ୍, ମିଥେନ, ଆସିଟିଲିନ୍, ହାଇଡ୍ରୋଜେନ୍, ସଲଫାଇଟ୍ ଓ ଟାର ଭେପର ସୃଷ୍ଟି ହେବ । ଏତଦ୍‌ବ୍ୟତୀତ ସେଥିରୁ ୪ ନିୟୁତ ଟନ୍ ଫ୍ଲାଇଆସ ବା ହାଲୁକା ପାଉଁଶଗୁଣ୍ଡ ସୃଷ୍ଟି ହେବ । ସେହିପରି ଆଲୁମିନିିୟମ କ୍ଷେତ୍ରରେ ରାଜ୍ୟରେ ବର୍ତ୍ତମାନ ୦.୪୨ ନିୟତୁ ଟନ୍ ଆଲୁମିନିିୟମ ଉତ୍ପାଦନ ହେଉଥିବା ବେଳେ, ଆଗାମୀ ଦିନରେ ଏହି ଉତ୍ପାଦନକୁ ୮.୫ଗୁଣ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ୩ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ପରିବେଶବିତ୍‌ଙ୍କ ମତରେ ପ୍ରତି ଟନ୍ ଆଲୁମିନିୟମ ଉତ୍ପାଦନ ବେଳେ ୧୨ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ ସୃଷ୍ଟି ହୋଇଥାଏ । ସେହିପରି ଆଲୁମିନିୟମ ସ୍ମେଲଟର ବିଷାକ୍ତ ଗ୍ରୀନ୍‌ହାଉସ ବାଷ୍ପ ନିର୍ଗତ ହୋଇଥାଏ । ଏହା ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ସେହିପରି ରାଜ୍ୟରେ ଏନ୍‌ଟିପିସି କଣିହାଁ, ଏନ୍‌ଟିପିସି (ତାଳଚେର) ଓ ଇବ୍‌ଥର୍ମାଲ ଭଳି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବାବେଳେ ରାଜ୍ୟରେ ଆଉ ୧୩ଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି । ଆହୁରି ଅନେକ ତାପଜ ବିଦ୍ୟୁତ୍ ସଂସ୍ଥା ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହିସବୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମୁଖ୍ୟତଃ କୋଇଲାକୁ ଇନ୍ଧନ ଭାବେ ବ୍ୟବହାର କରିବାର ଯୋଜନା ରଖିଛନ୍ତି । କୋଇଲା ଜଳିବା ଫଳରେ ସେଥିରୁ ଫ୍ଲାଇଆସ୍ ଓ ନିର୍ଗତ ବିଷାକ୍ତ ବାଷ୍ପ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରିବ ।

ବ୍ୟାପକ ଜଙ୍ଗଲ କ୍ଷୟ :

ପରିବେଶକୁ ସମତୁଲ କରି ରଖୁଥିବା ଜଙ୍ଗଲ ମଧ୍ୟ ରାଜ୍ୟରୁ ଦ୍ରୁତଗତିରେ ଲୋପ ପାଇଚାଲିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ୪୭୨ ବର୍ଗ କି.ମି. ଜଙ୍ଗଲ ହ୍ରାସ ପାଇଛି । ସେହିପରି ଗତ ମହାବାତ୍ୟାରେ ସୁରକ୍ଷିତ ରଖିଥିବା ତଟ ଅଞ୍ଚଳର ଥିବା ପ୍ରାୟ ୧୬ ବର୍ଗ କି.ମି. ହେନ୍ତାଳବଣ ମଧ୍ୟରୁ ଅଧିକାଂଶ ଲୋପ ପାଇଯାଇଛି । ଡେରାଡୁନ୍‌ସ୍ଥିତ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୫୨୯୬୩ ବର୍ଗ କି.ମି. ଜଙ୍ଗଲ ଅଞ୍ଚଳ ରହିଥିବା ବେଳେ ଏହାର ମାତ୍ର ୧.୧୧ ପ୍ରତଶତ, ଅର୍ଥାତ୍ ୫୩୮ ବର୍ଗ କି.ମି. ଘଞ୍ଚ ଜଙ୍ଗଲ ରହିଛି । ଘଞ୍ଚ ଜଙ୍ଗଲର ପରିମାଣ ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମଧ୍ୟମ ଧରଣର ଜଙ୍ଗଲ ୫୭.୧୭% ଅର୍ଥାତ୍ ୨୭୬୫୬ ବର୍ଗ କି.ମି. ଓ ଖୋଲା ଜଙ୍ଗଲ ୪୧.୬୧% ଅର୍ଥାତ୍ ୨୦୧୮୦ ବର୍ଗ କି.ମି. ରହିଛି । ବାତ୍ୟା ମହାବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହିତ ଖଣି ଖାଦାନ, ଶିଳ୍ପ ସମେତ କାଠ

୮୪ / ଜାତି, ଜାଗୃତି ଓ ପ୍ରଗତି
ମାଫିଆଙ୍କଦ୍ୱାରା ମୂଲ୍ୟବାନ ପୁରୁଣା କାଠଗଛ ସବୁ କଟାଯାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ନୂତନ ଜଙ୍ଗଲ ସୃଷ୍ଟିପାଇଁ ପ୍ରତିବର୍ଷ ସରକାର ଅର୍ଥ ପ୍ରଦାନ କରୁଥିଲେ ମଧ୍ୟ ଆମ୍ବ, ପଣସ, ଶାଳ, ପିଆଶାଳ, ଶାଗୁଆନ ଭଳି ଗଛ ଅଧିକ ସଂଖ୍ୟାରେ ଲଗାଯିବାପାଇଁ ଗୁରୁତ୍ୱପ୍ରଦାନ କରାଯାଉନାହିଁ । ୨୦୦୪-୦୫ରେ ବନ ପ୍ରକଳ୍ପପାଇଁ ଯୋଜନା ଓ ଅଣଯୋଜନା ବାବରେ ୯୧କୋଟି ୬୫ଲକ୍ଷ ୨୩ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ୨୦୦୫-୦୬ ମସିହାରେ ୯୯କୋଟି ୬୧ଲକ୍ଷ ୨୭ହଜାର, ୨୦୦୬-୦୭ରେ ସର୍ବାଧିକ ୧୨୪ କୋଟି ୪୧ଲକ୍ଷ ୧୭ ହଜାର ଏବଂ ୨୦୦୭-୦୮ ଡିସେମ୍ବର ଶେଷ ସୁଦ୍ଧା ୭୬କୋଟି ୪୫ଲକ୍ଷ ୮୪ହଜାର ଟଙ୍କା ବିନିଯୋଗ କରାଯାଇଛି । ତେବେ ଏହି ଅର୍ଥରେ କେତେ ଅଞ୍ଚଳ ଶାଳ, ପିଆଶାଳ, ଶାଗୁଆନ କିମ୍ବା ସେହିଭଳି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି ଏବଂ ସେଥିରୁ କେତେ ବଞ୍ଚିଛି ସେ ସଂପର୍କରେ ସରକାରଙ୍କ ପାଖରେ ହିସାବ ନାହିଁ ।

ବ୍ୟାପକ ଜଙ୍ଗଲକ୍ଷୟ ଓ ପରିବେଶ ସନ୍ତୁଳନ ଅଭାବରୁ ଗତ କିଛିବର୍ଷ ହେବ ଋତୁଚକ୍ରରେ ବ୍ୟାପକ ବ୍ୟତିକ୍ରମ ସୃଷ୍ଟି ହୋଇଛି । ବର୍ଷାଦିନେ ଆବଶ୍ୟକ ପରିମାଣରେ ବର୍ଷା ହେଉ ନ ଥିବା ବେଳେ ଶୀତଦିନେ ମଧ୍ୟ ଯେଭଳି ଶୀତ ହେବା କଥା ସେଭଳି ହେଉନାହିଁ । ତେଣୁ ରାଜ୍ୟରେ ଶିଳ୍ପର ବିକାଶ ସହିତ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରା ନ ଗଲେ, ଓଡ଼ିଶା ଆଗାମୀ ଦିନରେ ବିଷାକ୍ତ ବଳୟରେ ପରିଣତ ହେବ ଓ ଆମେ ବିଶୁଦ୍ଧ ପାନୀୟ ଜଳ, ବିଶୁଦ୍ଧ ବାୟୁ ପାଇପାରିବା ନାହିଁ । ଫଳରେ ଆମର ସାଧାରଣ ଜୀବନ ନିର୍ବାହ ପଦ୍ଧତି ପ୍ରଭାବିତ ହେବ । ତା’ଛଡ଼ା ଆମର ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ଆମେ ବିଶୁଦ୍ଧ ପାଣି କିମ୍ବା ବାୟୁ କିଣିପାରିବା ନାହିଁ । କେବଳ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିବା । ତେଣୁ ଯଦି ସୁସ୍ଥ, ସୁନ୍ଦର ଓ ନିରାମୟ ଜୀବନ ଯାପନ କରିବାକୁ ଚାହିଁବା, ତେବେ ଗଛକୁ ନ କାଟି ପ୍ରଚୁର ଗଛ ଲଗାଇବା, ଶିଳ୍ପ ନାଁରେ ଜଙ୍ଗଲ ଉଜାଡ଼ିବା ନୀତିରୁ ସରକାରଙ୍କୁ ପ୍ରବର୍ତ୍ତାଇବା । ସ୍ୱାର୍ଥୀ ଶିଳ୍ପପତିଙ୍କ କୁଚକ୍ରରେ ପଡ଼ି ସରକାର ଯଦି ଉଚିତ ପକ୍ଷେପ ନ ନିଅନ୍ତି, ତେବେ ବ୍ୟାପକ ଜନଆନ୍ଦୋଳଦ୍ୱାରା ଏହି କାର୍ଯ୍ୟ କରିବାକୁ ହେବ ।

                           ***