ଝୁଲ୍ ହାତୀ ଝୁଲ୍

ଉଇକିପାଠାଗାର ରୁ
Jump to navigation Jump to search
ଝୁଲ୍ ହାତୀ ଝୁଲ୍
ଲେଖକ/କବି: ଗୋପାଳ ପ୍ରହରାଜ

ଝୁଲ୍ ହାତୀ ଝୁଲ୍


ହାତୀ ଝୁଲୁଥାଏ ରାଜା ବଗିଚାରେ
କିଆ କନ୍ଦା ଖାଇବାକୁ,
କହ୍ନେଇ ଝୁଲଇ ମୋହରି କୋଳରେ
ଦୁଧ କଳେ ପିଇବାକୁ ।

ଝୁଲୁ ଝୁଲୁ ହାତୀ ଢୁଳାଇ ପଡୁଛି
ଧୂଳିରେ ଧୂସର ଦେହ,
ବାଆ ପାଣି ଖାଇ ପଙ୍କେ ଲୋଟି ହୋଇ
ଫୁଲୁଛୁ କିପରି କହ ।

ହାତୀ ବନସ୍ତରେ ଥିଲେ ରଜାଙ୍କର
ନାହିକିରେ ତୋତେ ଜଣା,
ତୁହି ଭୋଳ ହୋଇ ଧାଇଁଅଛୁ କାହିଁ
ହେବୁ ପରା ବାଟବଣା ।

ହାତୀ ଝୁଲୁଥାଇ କୁକୁର ଭୁକଇ
ହାତୀକି ନ ମାଡେ ଡର,
ହାତୀ ଉପରକୁ ମାହୁନ୍ତ ବସିଲେ
ହାତୀ ଚାଲୁଥାଇ ଖର ।

ହାତୀ ଖୋଜ ତଳେ ପିମ୍ପୁଡି ନ ମରେ
ପାହୁଣ୍ଡ ପକାଏ ଧୀରା,
ଝୁଲି ଝୁଲି ହାତୀ ଯାଉଥାଏ ଚାଲି
ନ ମାନି ବରଷା ଖରା ।

ଝୁଲ୍ ଝୁଲ୍ ହାତୀ ଝୁଲୁଥା ଝୁଲୁଥା
ପିଉଥାଆ ବାଆ ପାଣି,
ମାହୁନ୍ତ ଆସିଲେ ଲଦନ ପକାଇ
ଯିବୁ ବରଡାଳ ଆଣି ।

ରଜା ବିଜେ କଲେ ପାଟହାତୀ ଚାଲେ
ଦେଖିବ କେ ଦେଖ ଚାଲି,
ଘଣ୍ଟି ଝୁଣୁ ଝୁଣୁ ବାଜଇ ଦାଣ୍ଡରେ
ଚାଲୁଥାଏ ଢଳି ଢଳି ।

ରାଇଜ ଯାକରେ ରାଜା ନ ମିଳିଲେ
ବାଜଇ ତେଲିଙ୍ଗି ବାଜା,
ସୁବର୍ଣ୍ଣ କଳସ ଢାଳୁ ଯାହା ମୁଣ୍ଡେ
ସେହି ତ ହୁଅଇ ରଜା ।

ମନ ହେଲା ବେଳେ ବାୟା ହେଉ ତୁହି
ଦେଖିଲେ ମାରଇ ଡର,
ପଲାଶିଲା ବେଳେ ପାହୁଣ୍ଡକେ କୋଶେ
ଚାଲୁଥାଉ ତରତର ।

ହାତୀ ପରା ଜୀବ ଛାର ମାହୁନ୍ତକୁ
ଠୁଳେ କି ଡରନ୍ତା ସେହି,
ମନ ମାନିଅଛି ବୋଲି ସେ ରହିଛି
ଆଙ୍କୁଶା ଶିକୁଳି ସହି ।