ତପସ୍ଵିନୀ/ଚତୁର୍ଥ ସର୍ଗ

ଉଇକିପାଠାଗାର‌ରୁ
Jump to navigation Jump to search
ତପସ୍ୱିନୀ ଲେଖକ/କବି: ଗଙ୍ଗାଧର ମେହେର
ଚତୁର୍ଥ ସର୍ଗ

[ ରାଗ: ଚୋଖି ]

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା
ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାର
ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,
କଳକଣ୍ଠ-କଣ୍ଠେ-କହିଲା,
"ଦରଶନ ଦିଅ ସତୀ, ରାତି ପାହିଲା" | ୧ |
ଅରୁଣ କଷାୟବାସ, କୁସୁମ କାନ୍ତି-ବିକାଶ
ପ୍ରଶାନ୍ତ-ରୂପ, ବିଶ୍ବାସ ଦିଅନ୍ତି ମନେ,
କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି
ଡାକୁଛନ୍ତି ଦୁଃଖରାଶି-ଉପଶମନେ,
ଦେବା ପାଇଁ ନବ ଜୀବନ
ସ୍ୱର୍ଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନେ | ୨ |
ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ,
ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ,
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
"ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା" | ୩ |
ମୁନି-ମୁଖ-ବେଦ-ସ୍ୱନ ପୂର୍ଣ୍ଣ କଲା ଶ୍ୟାମବନ
ଉଠିଲା ଭେଦି ଗଗନ ଉଚ୍ଚ ଓଁକାର,
ବୈକୁଣ୍ଠେ ଦେଇ ତୃପତିଅନନ୍ତ ଶ୍ରୂତିକି ଗତି
ବିହିଲା କି ସରସ୍ୱତୀ ବୀଣା ଝଙ୍କାର;
ବେଳୁଁ ବେଳ ବନ ଉଜ୍ଜ୍ୱଳ,
ମନ୍ତ୍ରବଳେ ଯେହ୍ନେ ବଢ଼ି ଆସିଲା ବଳ | ୪ |
ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ
ଆସି ଜନକନନ୍ଦିନୀ ପାଶେ ଗମ୍ଭୀରେ,
ବୋଇଲେ, "ଉଠ ବୈଦେହୀ,ଉଷା ସୁକୁମାର ଦେହୀ
ଆସିଛି, ଦର୍ଶନ ଦେଇ ତୋଷ ବିଧିରେ,
ତମସା ରହିଛି ଅନାଇ
କୋଳ କରି ଥରେ ସୁଖ ଲଭିବା ପାଇଁ |" ୫ |
ପଦ୍ମିନୀ-ହୃଦ-ଶିଶିର- ବିନ୍ଦୁରେ ଖର-ରଶ୍ମିର
ପ୍ରତିବିମ୍ବ ପରି, ବୀର ରାମ ମୂରତି,
ଶୋକ ଜର୍ଜରିତ ଚିତ୍ତ- ଫଳକେ କରି ଚିତ୍ରିତ
ହେଲେ ଆସନୁଉତ୍ଥିତ ଜାନକୀ-ସତୀ;
ନମି ଅନକମ୍ପା ପୟରେ
ବନ୍ଦିଲେ ଉଷାର ପଦ ସବିନୟରେ | ୬ |
ବୋଇଲେ ତାକୁ ପ୍ରଶଂସି,"ତୁମ୍ଭେ ତିମିର-ବିଧ୍ୱଂସି
ରବି-ଆଗମନ-ଶଂସୀ ହୁଅ ସଂସାରେ,
ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ
ତହିଁ ଯାଉଛି ଶରଣ ଦୃଢ଼ ଆଶାରେ,
ଶୁଭ୍ର-ସଉରଭ ରସିକେ,
ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ | ୭ |
ଉତ୍ସୁକ ହୃଦୟେ ରାତ୍ରୀ ଶେଷରେ ଆଶ୍ରମ ଧାତ୍ରୀ
ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧରା
ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି
ମଙ୍ଗଳପ୍ରଦୀପ ରଚି ପ୍ରଭାତୀ ତାରା,
ମୁହୁର୍ମୁହୁଃ ମୀନ-ନୟନେ
ଚାହୁଁଥିଲା ସୀତା-ସତୀ-ଶୁଭାଗମନେ | ୮ |
ଉଟଜୁ ତାପସ-କନ୍ୟା- ଗଣଙ୍କ ଆଦର ବନ୍ୟା
ପ୍ଲାବନେ ଜଗତ-ଧନ୍ୟା-ସତୀ-ରତନ
ବାହାରି ଅବଗାହନେ ଅନୁକମ୍ପାଙ୍କ ଗହଣେ
ତମସା ଧାର ବହନେ କଲେ ଗମନ;
ସତୀଙ୍କି ତମସା ଅଙ୍କରେ
ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ | ୯ |
ଅମୃତ ମଧୁର ସ୍ୱରେ ଭାଷିଲା ପରିତୋଷରେ,
"ମାଆ ଗୋ, ମୋ ମାନସରେ ନ ଥିଲା ଆଶା,
କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ-ହୃଦହାର
ସୀତା କରି ପରିହାର ଭୋଗ-ପିପାସା,
ଭାଗ୍ୟବତୀ ମୋତେ ସଂସାରେ
ବୋଲିବେ ତୋ' ଯୋଗୁଁ ଏକା ପରଶଂସାରେ | ୧୦ |
ବନେ ବନେ ଭ୍ରମି ଭ୍ରମି ଗଣ୍ଡ-କୁହୁକେ ନ ଭ୍ରମି
ବହୁ ବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,
ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣି
ଚାଲିଛିଁ ଦୂର ସରଣୀ ନତ ବଦନେ;
ଜନମ କରୁଛି ସଫଳ
ତୋୟ ଦାନେ ତୋଷି ତୀରବାସୀ ସକଳ | ୧୧ |
ମନ୍ଦାକିନୀ, ଗୋଦାବରୀ ସେସବୁ ଗୁଣେ ମୋ' ସରି
ତଥାପି ବର୍ଦ୍ଧନ କରିଛନ୍ତି ଗୌରବ
ଲଭି ତୋ ପବିତ୍ର ପଦ ଚିହ୍ନ ଅକ୍ଷୟ ସମ୍ପଦ
ଦିବିଷଦ-ପଦ-ପ୍ରଦ ଅଙ୍କ ସୌରଭ,
ତାହା ଥିଲା ମୋର ବାଞ୍ଛିତ,
ତଦଭାବେ ହେଉଁଥିଲି ମନେ ଲାଞ୍ଛିତ | ୧୨ |
କରିଥିଲି ଶୁଭ କର୍ମ ବୋଲି ଆଣିଦେଲା ଧର୍ମ
ସମୟେ ତୋତେ ମୋ ମର୍ମବାସନା ଜାଣି,
ପାଇଛି ଦୁର୍ଲଭ ଧନ କରିବି ତୃପ୍ତି ସାଧନ
ନିତି କରି ସମ୍ବୋଧନ କୋଳକୁ ଆଣି;
ଅଙ୍ଗ ପରିମଳ ତୋହର
ହେବ ମୋର ଜୀବନର କଳୁଷ-ହର | ୧୩ |
ମୋ କୋଳ-କେଳି ଚପଳ ସାରସ ମରାଳଦଳ
କୋକ ଯୁଗଳ ଯୁଗଳ ବକ ପଂକତି
ତୋ ପୁଣ୍ୟମୟ ଶରୀର କ୍ଷାଳନେ ପୂତ ମୋ' ନୀର
ପାନେ ବଞ୍ଚିଥିବେ ଚିରଦିନ ମୋ କତି,
କଳନାଦ ଛଳେ ତୋ ଯଶଃ
ଗାଇ ମୋ ଶ୍ରୂତିକି ତୋଷୁଥିବେ ଅଜସ୍ର | ୧୪ |
ପତିବ୍ରତା ଅଙ୍ଗେ ଲାଗି ପବିତ୍ର ହେବାର ଲାଗି
ବ୍ରତତୀ-ବାସ-ବିରାଗୀ ପ୍ରସୂନମାନ
ଦୂରୁଁ ଦୂରୁଁ ଝାସି ଝାସି ଧାଇଁଥିବେ ଭାସି ଭାସି
ଭ୍ରମୁଥିବେ ଆସି ଆସି ତୋ ସନ୍ନିଧନ;
ସ୍ନାନ ସମୟେ ମୋ ପୟରେ
ଦୟାମୟି ! ନ ପେଲିବୁ ତାଙ୍କୁ ପୟରେ | ୧୫ |
ମୋ କୂଳେ ଚାଳି ଚରଣ କରିବୁ ମୋ ବିଚରଣ
ବ୍ୟପଦେଶେ ବିତରିଣ ଅମରକାନ୍ତି,
ତା' ଲଭି ବନ ପାଦପ- ରାଜି ହୋଇ ଦପଦପ
ବହିବେ ଅମର-ଦର୍ପ ବିହିବେ ଶାନ୍ତି,
ପଲ୍ଲଲେ ପାଟଳ ଶ୍ୟାମଳ,
ରୁଚିର ରୁଚି ରହିବ ଚିର ନିର୍ମଳ |" ୧୬ |
ସୀତା ବୋଇଲେ, "ପନୀର- ମଧୁର ଏ ସ୍ୱଚ୍ଛନୀର;
ନୀର ନୁହେଁ, ଜନନୀର କ୍ଷୀର ପ୍ରତ୍ୟକ୍ଷେ,
ଗିରି-ସ୍ତନୁ ବିନିସୃତ ହୋଇ ଆସୁଛି ଅମୃତ
ଧାରା ପରି ସୀତାମୃତକଳପା ଲକ୍ଷେ,
ଓହୋ ତୁ ତ ମୋ ମା ଏ ଦେଶେ,
ମୋ' ଦୁଃଖେ ବିଦୀର୍ଣ୍ଣ-ବକ୍ଷା ତମସା ବେଶେ | ୧୭ |
ଛେଦ ଭେଦିଅଛି ପୃଷ୍ଠ ସେ ପାଖ ହେଉଛି ଦୃଷ୍ଟ
ତଥାପି ସୁତାକୁ ତୁଷ୍ଟ କରିବା ପାଇଁ
ଫିଟାଇ ସ୍ନେହ-ଲୋଚନ ପ୍ରୀତି-ମଧୁର-ବଚନ
ବିନ୍ୟାସେ ଚାଟୁ ରଚନ କରୁ ଗେହ୍ଲାଇଁ;
ଧନ୍ୟ ଧନ୍ୟ ମା ତୋ ହୃଦୟ,
ମୋ'ଦୁଃଖ-ଆତପ ପାଇଁ ବାଲୁକାମୟ | ୧୮ |
ରାମ-ସାମ୍ରାଜ୍ୟେ ଯେ ସୀତା ଲୋକ-ଲୋଚନେ ଦୂଷିତା
ହୋଇ ଚିର ନିର୍ବାସିତା ସେ ତୋର ମତେ |
ନିଜ ପତିବ୍ରତା ଧର୍ମ- ବଳେ ସ୍ଥାବରଜଙ୍ଗମ
ପବିତ୍ରକରଣେ କ୍ଷମ ହେବ ଜଗତେ;
ମାତା ବୁଝେ ସୁତା ବେଦନା
ମାତା-ନେତ୍ରେ-ଦଗ୍ଧ ମୁଖୀ ଚନ୍ଦ୍ରବଦନା | ୧୯ |
ତୋ' ତୀର ଚିର ଆଶ୍ରୟ ହେଲାଣି ମୋର ନିଶ୍ଚୟ;
ଭରସା ତୋ' ଶାନ୍ତିମୟ ପଦକମଳେ;
ଶୂନ୍ୟ ଯାର ଚରାଚର ଜନନୀ କୋଳ ମାତର
ତାର ଆଦର-ଆକର ମହୀମଣ୍ଡଳେ,
ଜନନୀ ଯା ରତ୍ନଗରଭା,
କାହିଁକି ସେ ଅନ୍ୟ ସ୍ଥନ ଲୋଡ଼ିବ ଅବା" | ୨୦ |
ସୁଶୀତଳ ସୁନିର୍ମଳ ପବିତ୍ର ତମସା-ଜଳ
ତଥା ସ୍ୱଭାବ ସକଳ ମୁନିସୁତାଙ୍କ,
ସ୍ନେହେ ତମସା ଚଞ୍ଚଳ କରି ପ୍ରତିବିମ୍ବ ଛଳ
ହୋଇଗଲା ଅବିକଳ ସ୍ୱରୂପ ତାଙ୍କ,
ଆଲିଙ୍ଗନେ ତାଙ୍କ ବିଗ୍ରହେ
ବିଗ୍ରହ ମିଶାଇ ଦେଲା ଶୀଘ୍ର ସାଗ୍ରହେ | ୨୧ |
ସତତ ସୀତା ସକାଶ ରହି ଚାହିଁବା ସକାଶ
ପାଇ ଶୁଭ ଅବକାଶ ଏହି ଉପାୟେ,
ହୋଇ ବହୁନେତ୍ରବତୀ ବହୁ ହୃଦ ବହୁ ମତି
ଲାଭ କଲା, ବୁଦ୍ଧିମତୀ, ଅନେକ କାୟେ;
ସମଧର୍ମ ସମଗୁଣରେ
ମିଶି ମନ ତୋଷ ଲଭେ ବହୁ ଗୁଣରେ | ୨୨ |
ସମସ୍ତେ ଅବଗାହନ ବଢ଼ାଇ ପ୍ରତ୍ୟାଗମନ
କରି ବାଲ୍ମୀକି ଚରଣ କଲେ ବନ୍ଦନା;
ଆଶିଷେ ମୁନି-ପୁଙ୍ଗବ ବୋଇଲେ; " ଜ୍ଞାନ ବିଭବ-
ଅର୍ଜନେ ସୁସିଦ୍ଧି ଲଭ କରି ସାଧନ;"
ବିଶେଷେ ସୀତାଙ୍କୁ ସାଦରେ
ବୋଇଲେ, ବୀରସୂ ହୁଅ ଅପ୍ରମାଦରେ | ୨୩ |
ନନ୍ଦିନି ! ତୁ ଏ ଆଶ୍ରମ- ପାଦପଙ୍କୁ ସ୍ନହ-ଶ୍ରମ
ପ୍ରୟୋଗେ ନନ୍ଦନୋପମ କର ଯତନ,
ସେ ଭାବେ ତୋ ଅନୁଭବ ସ୍ୱଭାବେ ହେବ ସମ୍ଭବ
ଭବେ କେମନ୍ତ ଦୁର୍ଲଭ ସୁତ-ରତନ;
ଅନୁକମ୍ପା ଥିବେ ନିୟତ
ସକଳ ଅଭାବ ତୋର ମୋଚନେ ରତ |" ୨୪ |
ମୁନୀନ୍ଦ୍ର-ଆଦେଶ-ମତେ ତହୁଁ ଚଳିଲେ ସମସ୍ତେ
କମଳ-କୋମଳ ହସ୍ତେ କଳସୀ ଧରି,
କନ୍ୟାମଣ୍ଡଳେ ଜନକ- ସୁତା-କାନ୍ତି ଜକଜକ
ସ୍ଫଟିକ ମଧ୍ୟେ ହୀରକ-ପ୍ରତିଭା ପରି,
ଉପବନେ କଲେ ଗମନ,
ବଢ଼ାଇଲା ବନ-ଶୋଭା ପାଇ ସେ ଧନ | ୨୫ |
ବନ-ଲକ୍ଷ୍ମୀ-ଦ୍ୱାରେ ସୀତା ରାଜନ୍ତେ ସେ ଉଲ୍ଲସିତା
ମତିରେ ହୋଇ ଭୂଷିତା ରବି-କିରଣେ,
ହାସ-ପଲ୍ଲବ ଅଧରେ ମଞ୍ଜୁ ମଧୁକରଦରେ
ମଣ୍ଡି ଲାଗିଲା ଆଦରେ ଚିତ୍ତ ହରଣେ;
ଅର୍ଘ୍ୟ ଦେଇ ରଙ୍ଗ ସାଳ୍ମଳୀ,
ପାଦ୍ୟ ଦେଲା ଦୁର୍ବାଦଳ ହିମ-ପଟଳୀ | ୨୬ |
ସ୍ଥଳକମଳ ଆସନ- ଦେଇ, ପ୍ରୀତି ସମ୍ଭାଷଣ
କଲା, ଶାରିକା ଭାଷଣ ଛଳେ ମଧୁରେ;
ଶରଦ ସରସୀ ଜଳ ଫୁଟାଇ ନବକମଳ
ଅଳିସ୍ୱନେ ଯଥା କଳହଂସ-ବଧୂରେ;
ବୋଇଲା, "ପାହିଲା ସଜନିଚ
ତୋ-ପଦ ଅରୁଣେ ମୋର ଖେଦ-ରଜନୀ | ୨୭ |
ତୋତେ ମୁଁ ଭାଗ୍ୟବଶତଃ ଲଭି ନଭପୁଷ୍ପ ସତ-
କରି ଅସୀମ ଉଷତ ଅନ୍ତଃକରଣେ,
ଚିତ୍ରକୂଟ ଉପତ୍ୟକା ସିଦ୍ଧ ସେବିତ ଦଣ୍ଡକା
ପାରାବାର ପାର ଲଙ୍କା ଅଶୋକାରଣ୍ୟେ,
ଆଗେ ଥୋଇ ତୋତେ ଆଦର୍ଶ,
ଘଢ଼ିଲି ପ୍ରୀତି ପ୍ରତିମା ଚଉଦ ବର୍ଷ | ୨୮ |
ଯେତେବେଳେ ପୁଷ୍ପକରେ ବାହୁଡ଼ିଗଲୁ ପୁଷ୍କରେ
ଉଭା ହୋଇ ପୁଷ୍ପକରେ ମୃଗନୟନେ,
ଊର୍ଦ୍ଧ୍ୱେ ଚାହିଁ ବିଷାଦରେ ତୋତେ ମୟୂରୀନାଦରେ
ଡାକୁ ଯେ ଥିଲି ସାଦରେ ଦୀର୍ଘ ଅୟନେ,
ସଖୀ କଥା ସ୍ମରି ମନରେ
ଆସିଲୁ କି ସଖି ! ଆଜି ଏତେ ଦିନରେ | ୨୯ |
ଦୀର୍ଘ ବିରହ ବିଶେଷ ସହି, ମୁଁ ନ ସହି ଶେଷ
ଚିନ୍ତାରେ ତାପସୀ ବେଶ କରି ଧାରଣ,
ତୋ ହୃଦୟ ଆଦରଶେ ପ୍ରତିବିମ୍ବି ସ୍ନେହରସେ
ମଜ୍ଜାଇ ତୋତେ ହରଷେ କଲି ବରଣ;
ଧନ୍ୟବାଦ କର ଗ୍ରହଣ;
ଶ୍ରଦ୍ଧା ସହ କଲୁ ଯା' ମୋ' ବାଞ୍ଛା ପୂରଣ | ୩୦ |
ପାଇଥିଲେ ସାଧୁ ସଙ୍ଗ ସଦ୍ଭାବ ଚିର ଅଭଙ୍ଗ
ରହେ, ସ୍ଥିର ନୀଳରଙ୍ଗ ଯଦା ଗଗନେ,
ସାଧୁ ମିତ୍ରେ ମନୋରଥ କଦାଚ ନ ହୁଏ ବ୍ୟର୍ଥ
ତେଣୁ ମୁଁ ହେଲି ସମର୍ଥ ତୋର ଦର୍ଶନେ;
ଭାଗ୍ୟେ ଥିଲେ ହୁଏ ଏ ଲାଭ,
ଭାଗ୍ୟବତୀ କଲା ସଖି ! ମତେ ତୋ ଭାବ" | ୩୧ |
ବନଶ୍ରୀ ମଧୁ ମୋହନ ସୀତା ହୃଦୟ ଗହନ
ବିରହ ଦାବ ଦହନ ଶାନ୍ତି କରଣେ,
ନବୀନ ଉଦୀୟମାନ ଘନ ପଟଳ ସମାନ
ମାନସେ ପ୍ରତୀୟମାନ ହେଲା ସେ କ୍ଷଣେ,
ବୋଇଲେ ଜନକନନ୍ଦିନୀ"
"ଆଜୀବନ ହେଲି ତୋର କାରା-ବନ୍ଦିନୀ" | ୩୨ |