ତପସ୍ଵିନୀ/ତୃତୀୟ ସର୍ଗ

ଉଇକିପାଠାଗାର‌ରୁ
Jump to navigation Jump to search
ତପସ୍ୱିନୀ ଲେଖକ/କବି: ଗଙ୍ଗାଧର ମେହେର
ତୃତୀୟ ସର୍ଗ

[ ରାଗ: ବଙ୍ଗଳାଶ୍ରୀ ]

ଭାଗୀରଥୀ-କୂଳେ ଲକ୍ଷ୍ମଣ ଯେ କାଳେ
ବୈଦେହୀ ବିସର୍ଜି ଗଲେ,
ବ୍ୟାପିଥିଲା ଖରା ସସାଗରା ଧରା
ନିର୍ମଳ ଅମ୍ବର ତଳେ | ୧ |
ରାଘବ-ବଧୂର ନିର୍ଯାତନ ସୁର-
ପୁରକୁ ଦିଶିଲେ ଲଜ୍ଜା
ହେବ ବୋଲି ଦିବା- ନାଥଙ୍କ ସେ କିବା
ଶୁଭ୍ର ଯବନିକା-ସଜ୍ଜା | ୨ |
ଜାଣିସେ ରହସ୍ୟ କରିବାକୁ ଦୃଶ୍ୟ
ଭାସ୍କର-ବଂଶର ଦୋଷ,
ଅଚିରେ ଅବନୀ ପୃଷ୍ଠୁ ସେ ଯବନୀ
ଉଠାଇ ଦେଲା ପ୍ରଦୋଷ | ୩ |
ବିହଙ୍ଗମଗଣ ଡାକନ୍ତେ ଗଗନ-
ପ୍ରାଙ୍ଗଣେ ତାରକାକୁଳ,
ଏକ ପଛେ ଏକ ତା ପଛେ ଅନେକ
ଆସି ହୋଇଗଲେ ଠୁଳ | ୪ |
ଦେଖିଲେ ବିଜନେ ପ୍ରଶସ୍ତ ପ୍ରାଙ୍ଗଣେ
ରାମଚନ୍ଦ୍ର ରବି-ବଂଶୀ,
ବିଷଣ୍ଣ-ବଦନେସଜଳ-ନୟନେ
ଏକାକୀ ଅଛନ୍ତି ବସି | ୫ |
ଭାବୁଥିଲେ ରାଜ- ଅଧିକାର ବ୍ୟାଜ
ଅଟେ ମହାଦାସତ୍ୱର,
ଏହି ଉଚ୍ଚ ପଦେ ପ୍ରକୃତିର ପଦେ
ଖଟିବା ହୁଏ ମାତର | ୬ |
ମିଥ୍ୟା କଥା ଯେବେପ୍ରଜାଏ କହିବେ
ମେଳ ହୋଇ ଶତ ଶତ,
ମିଥ୍ୟା ଜାଣି ଜାଣି ତାଙ୍କୁ ମାନି ମାନି
ବୋଲାଯାଏ ସତ ସତ | ୭ |
ପ୍ରକୃତିର ଶାନ୍ତି- ଯଜ୍ଞରେ ନୃପତି-
ସୁଖଟି ସ୍ୱଭାବେ ବଳି,
ଦୃଢ଼ ଧର୍ମ-ଦାମେବଦ୍ଧ ନିଜ କାମେ
ପାଦେ ନ ପାରଇ ଚଳି | ୮ |
ଅଭିଷେକ ଯାହା କରିଥାନ୍ତି ତାହା
ପ୍ରୋକ୍ଷଣ ମାତର ସିନା,
ଚାମର ଢାଳିବାଅନ୍ୟ କି ବୋଲିବା
ମକ୍ଷିକା ତଡ଼ିବା ବିନା ? ୯ |
ସୁଖେ ନଇରାଶ୍ୟ ନ ଥିବ ଅବଶ୍ୟ
ଦେବତା ହୃଦୟେ ସୁଦ୍ଧା,
ସେ ହେତୁ ମହତୀ ଦେବତା ନୃପତି
ସେବଇ କୀରତି-ସୁଧା | ୧୦ |
ପ୍ରଜା ରକ୍ତ ଜଳ- କଣିକା ପଟଳ
ସିନା ଉଚ୍ଚାସନ ପାଇ,
ଜଳଧର ରୂପ ହୋଇଥାଏ ନୃପ
ପରଜାଙ୍କ ହିତ ପାଇଁ | ୧୧ |
ଭୂମିଜଳେ ବଜ୍ର ନ ଥାଏ, ସହଜ
ମାତ୍ର ତାହା ଜଳଧରେ,
ପ୍ରଜା-କର-ଦଣ୍ଡ ନ ହୁଁ ପ୍ରଚଣ୍ଡ
ପ୍ରଚଣ଼୍ଡ ନୃପତି କରେ | ୧୨ |
ହୃଦ ପଛେ ଜ୍ୱଳେ ବିଦ୍ୟୁତ-ଅନଳେ
ଜଳାଦାନେ ଘନ ବାଧ୍ୟ,
ସୁଖ ତେଜି ରାଜାତୋଷିବ-ପରଜା
ତେବେ ତ ପରମାରାଧ୍ୟ | ୧୩ |
ସ୍ୱର୍ଗନିଶ୍ରେଣୀର ସମୁନ୍ନତ ଶିର
ରାଜପଦ ଭୂମଣ୍ଡଳେ,
ହେଲେ ଲକ୍ଷ୍ୟଭ୍ରଷ୍ଟ, ପଡ଼ି ହୁଏ ନଷ୍ଟ
ନୃପତି ଗଭୀର ତଳେ | ୧୪ |
ମାୟାକର ପରି ଦଣ୍ଡଗୋଟି ଧରି
ସମ ଦୃଷ୍ଟି ସମ ଭାବେ,
ରାଜତ୍ୱ ରଜ୍ଜୁରେବିଳସି ଋଜ୍ଜୁରେ
ନିଜ ଜୀବନ ନ ଭାବେ | ୧୫ |
ଯଦି ବାଜୀକର ରଜ୍ଜୁରେ ପୟର
ଦେଲାରୁ ନ ଯିବ ଚାଳି,
ତାଳି ମାରି ଥୋକେ ହସିଦେବେ ଲୋକ
ବାଦ୍ୟକାର ଦେବ ଗାଳି | ୧୬ |
ପ୍ରିୟା ମଇଥିଳୀ- ବିରହେ ଶିଥିଳୀ
କୃତ କରି ପ୍ରାଣ ଯେବେ,
ନ କରିବ କାର୍ଯ୍ୟ ମାନବ-ସମାଜ
ଆହୁରି ଗଞ୍ଜିବେ ତେବେ | ୧୭ |
ବୋଲିବ ସଂସାର ରାମ କୁଳାଙ୍ଗାର
ଜନ୍ମ ଲଭି ରଘୁବଂଶେ,
ବିଚାର କୃପଣ ହୋଇ ରାଜପଣ
ତ୍ୟାଗ କଲା ବଧୂବଶେ | ୧୮ |
ବାନପ୍ରସ୍ଥାଶ୍ରମ ହେଲେ ହେଁ ଉତ୍ତମ
ସମୟ ମୋ ହୋଇ ନାହିଁ,
ମୋ କାର୍ଯେ ଭରତହେବାକୁ ନିରତ
ସମ୍ମତ ବା ହେବ କାହିଁ | ୧୯ |
ଅଙ୍କତ୍ରବ୍ୟେ ପ୍ରୀତି ହ୍ରାସ ନିତି ନିତି
ଦେଖି ଦେଖି ପୁନଃ ପୁନଃ,
ହେଲେ ଶୂନ୍ୟ ଅଙ୍କ ଶୂନ୍ୟ ଯୋଗେ ଅଙ୍କ
ପରି ହୃଦପ୍ରୀତି ଗୁଣ | ୨୦ |
ସ୍ଥୂଳ କଳେବର ନୁହଇ ଅମର,
ଅମର କେବଳ ମନ,
ମନେ ଯେବେ ସଙ୍ଗ ହୋଇ ନାହିଁ ଭଙ୍ଗ
ସେହି ସୁଖ ସୁଖେ ଗଣ୍ୟ | ୨୧ |
କେ ରହିଛି ଭବେ ବାସ୍ତବ ବିଭବେ
ସୁବର୍ଣ୍ଣ ମୁକୁଟ ବାନ୍ଧି ?
ଯଶ ଅପଯଶ ନୋହି କାଳବଶ
ହୁଅନ୍ତି ତା ପ୍ରତିବାଦୀ | ୨୨ |
ସ୍ୱରଗ-ନରକ- ଗତି-ନିର୍ଦ୍ଧାରକ
ସ୍ୱଭାବେ ଜଗତ-ଜନ,
ଏଡ଼ି ଜନରବ ଅନିତ୍ୟ ବାସ୍ତବ
ସୁଖ ଲୋଡ଼େ ନୀଚ ମନ | ୨୩ |
ନାହିଁ ସିନା ଘରେ ହୃଦ-ପ୍ରେମ-ସରେ
ମୋ ପ୍ରିୟା-କମଳ-କଳି,
ପଡ଼ିଅଛି ଫୁଟି, ମକରନ୍ଦ ଲୁଟି
କରୁଅଛି ମନ-ଅଳି | ୨୪ |
ନୟନ-ଯୁଗଳ କାହିଁକି ବିକଳ
ହୋଇ ଛାଡ଼ୁଅଛି ଜଳ,
ଶୁଖିଗଲେ ସରକମଳିନୀ ମୋର
ହୋଇଯିବ ଟଳଟଳ | ୨୫ |
ବକ୍ଷ ତୁ ପଥର- ବନ୍ଧ ହୋଇ କର
ରୁଦ୍ଧ ନେତ୍ର-ଜଳ-ନାଳୀ,
ନାସିକା-ପବନ ନ ବହିବୁ ଘନ
କମ୍ପିବ-ପ୍ରାଣ-ସଙ୍ଖାଳି | ୨୬ |
ଲକ୍ଷ୍ମଣ ଆସିବ ସମସ୍ତ ଭାଷିବ
ଜୀବନ-ସଙ୍ଗିନୀ କଥା,
ଶ୍ରବଣ ଯୁଗଳ ନ ହୁଅ ଚଞ୍ଚଳ
ଶୁଣିବ ମୁଞ୍ଚିବ ବ୍ୟଥା | ୨୭ |
ରେ ସନ୍ତପ୍ତ ଚର୍ମ ! ନାଶିବ ତୋ ଘର୍ମ
ସମୀର ଆସୁଛି ବହି,
ସନ୍ତାପ ନାଶିନୀ ସରେଜ ଯାମିନୀ
ଶ୍ରୀଅଙ୍ଗ-ସୌରଭ ବହି | ୨୮ |
ଆଉ ଏକ କଥା କହୁଛି, ଏକତା
ବାନ୍ଧି ତୁମ୍ଭେ ମନ ସଙ୍ଗେ,
ଚାଲ ହୃଦସରେ ଅନନ୍ତ ବାସରେ
ବିଳସିବ ରଙ୍ଗରସେ | ୨୯ |
ମୋ ପ୍ରାଣ-ସଙ୍ଗିନୀ ନବ କମଳିନୀ
ଫୁଟି ରହିଅଛି ତହିଁ,
ସ୍ମରଣ-ଭାସ୍କର ଚିର ତେଜସ୍କର
ଅସ୍ତ ତାର ନାହିଁ ଯହିଁ | ୩୦ |
ମୋ ବୋଲେ ରସନା ତୁ ତହିଁ ରସ ନା,
ଖାଇଛୁ ପରଜା ବିତ୍ତ;
ଯା ଧନେ ପାଳିତ- ତା ନାମେ ଚାଳିତ
ହେବାରେ ନୁହ ଭାବିତ | ୩୧ |
ଲୋକେ ଲୋକହିତ- ସାଧନ ବିହିତ
ବୋଲି ସିନା ଅଛି ପ୍ରାଣ,
ନ ହେଲେ କି ପବି- ଦ୍ରବ କରି ହବି
ପ୍ରାୟେ କରିଥାନ୍ତା ପାନ | ୩୨ |
ପିଞ୍ଜରୁ ବାହାରି ଯିବେ ଶୁକ ସାରୀ,
ଛାଡ଼ିଦେବି ରାତି ପାହୁ,
ତୋତେ ଉତ୍ତେଜିତ କରିବା ନିମିତ୍ତ
ନ ବୋଲିବେ "ସୀତା" ଆଉ | ୩୩ |
ହରିଣ-ଶାବକ ଯିବ ସେ ଯାବକ-
ରଞ୍ଜିତ ଚରଣା ପାଶ,
ଅଲକ୍ତକ ଧାର ଅଟେ ତା ଗଳାର
ରଙ୍ଗ ପାଟ-ଡୋରି-ଫାଶ | ୩୪ |
ମୟୂର-ଯୁଗଳ ରାବି ଅନର୍ଗଳ
କାହିଁକି ରହିବେ ଆଉ,
ଉଚ୍ଚାରିବା ସ୍ୱନ କା' ଅନୁକରଣ
କରି, ଭୀମରାଜ ଯାଉ | ୩୫ |
ସଙ୍ଗୀତ-ପ୍ରବୀଣା କଣ୍ଠ ସଙ୍ଗ ବିନା
ପାଇବ ନାହିଁ ଗୌରବ ?
ବୀଣା ତାହା ଜାଣି ଭାଗ୍ୟ-ଦୋଷ ମାନି
ରହିବ ହୋଇ ନୀରବ | ୩୬ |
ତହୁଁ ରାମ କ୍ଷଣେ ମୁଦ୍ରିତ ଈକ୍ଷଣେ
ଚିନ୍ତାଚଳ-ଚୂଳେ ଚଢ଼ି,
ଦେଖିଲେ କାଳର ସ୍ରୋତ ଭୟଙ୍କର
ବେଗେ ଯାଉଅଛି ଗଡ଼ି | ୩୭ |
ଚରାଚର ସର୍ବେ ତାଗଭୀର ଗର୍ଭେ
ଉଇଁ ହେଉଛନ୍ତି ଲୀନ,
ବୁଦବୁଦ ପରାଏ କେହି କ୍ଷଣେ ଥାଏ
କେବା ରହେ କିଛି ଦିନ | ୩୮ |
କୀରତି-ଶଇଳ ସେ ଘୋର ସଲିଳ-
ସ୍ରୋତ ମଧ୍ୟେ ଟେକି ଶିର,
ନ ଗଣି ଆପଦ ଚୁମ୍ବି ବିଷ୍ଣୁପଦ
ରହିଅଛି ହୋଇ ସ୍ଥିର | ୩୯ |
ଶୈଳ-ସାନୁଦେଶେ ଜ୍ୟୋତିର୍ମୟ ବେଶେ
ପତି ସଙ୍ଗେ ସତୀଗଣ,
ହୋଇ ଯୁଗ ଯୁଗ ସୁଖେ ଯୁଗ ଯୁଗ
କରୁଛନ୍ତି ବିଚରଣ | ୪୦ |
ଅନେକ ନୃପତି ତହିଁ ପନ୍ତି ପନ୍ତି
ରତ୍ନମୟ-ସିଂହାସନେ,
ଅଛନ୍ତି ରାଜିତ ହୋଇ ବିଭ୍ରାଜିତ
ଅମର-ପୁଷ୍ପ-ଭୂଷଣେ | ୪୧ |
ଅସାଧ୍ୟ ସାଧନ- ଲବ୍ଧ ପୁଣ୍ୟଧନ
ବହିଛି ଯା' ତନୁ-ତରୀ,
ଶଇଳ ନିବାସୀ କବିବୃନ୍ଦ ଆସି
ନେଉଛନ୍ତି କର ଧରି | ୪୨ |
ଧର୍ମ ନ ବିଚାରି କେତେ ଦୁରାଚାରୀ
ଆରୋହି ତହିଁକି ବଳେ,
କବିଙ୍କର ପବି- ସମ ମୁଷ୍ଟି ଲଭି
ରହୁଛନ୍ତି କଳବଳେ | ୪୩ |
ତାଙ୍କ ସେ ଦୁର୍ଦ୍ଦଶା ଅନାଇ ସହାସା
ଦିଅନ୍ତେ ନୟନ ଫେଡ଼ି,
ଦେଖିଲେ ଶ୍ରୀରାମ ବସୁନ୍ଧରା-ଧାମ
ରହିଛି ତିମିର ବେଢ଼ି | ୪୪ |
ସୁନୀଳ ଗଗନ ମଣ୍ଡି ତାରାଗଣ
ଅଛନ୍ତି ଉଜ୍ଜ୍ୱଳ ମୁଖେ,
ନାହିଁ ସୁଧାକର କିନ୍ତୁ ତାହାଙ୍କର
ବାଧା ହୋଇନାହିଁ ସୁଖେ | ୪୫ |
ବୋଇଲେ, "ହେ ତାରା- ବୃନ୍ଦା ପ୍ରେମକାରା-
ବଦ୍ଧ ନୋହି ଚନ୍ଦ୍ରମାର,
ବିଧିର ବିଧାନ ଘେନି ପ୍ରଣିଧାନ
ଚିତ୍ତେ ଭ୍ରମ ଶିଶୁମାର | ୪୬ |
ବଲ୍ଲଭ ବିରହ- ବେଦନା ଦୁଃସହ
ହେଲେ ହେଁ ଜଗତ ଲାଗି,
ସେ ଦୁଃଖ ବିସ୍ମରିକର୍ମ ଅନୁସରି
ଦ୍ୟୁତି-ଦାନେ ଅଛ ଲାଗି | ୪୭ |
ତୁମ୍ଭ ଧର୍ମ-ଦୀକ୍ଷା ବେଗେ ଦିଅ ଶିକ୍ଷା
ବାଲ୍ମୀକି-ଆଶ୍ରମେ ଯାଇ,
ମୋ ହୃଦ-ଚନ୍ଦ୍ରିକା ତହିଁ ବସି ଏକା
କାନ୍ଦୁଥିବ ମୋତେ ଧ୍ୟାୟି | ୪୮ |
ଏ ରାତ୍ର ସମୟେ ବ୍ୟାକୁଳ ହୃଦୟେ
ରାବୁଥିଲେ ଚକ୍ରବାକୀ,
କରୁଣା-ପ୍ରବଣା ହୋଇ ଜ୍ଞାନବଣା
ପ୍ରାଣ ନ ରଖିବ ବାକି | ୪୯ |
ସର ପ୍ରଦର୍ଶନ କରି ନିଦର୍ଶନ
ଦେବ କୁମୁଦିନୀ ବନ,
ଚନ୍ଦ୍ରମା ଉଦୟ ନ ହେଲେ ଅଥୟ
ନ କରି ଧରେ ଜୀବନ | ୫୦ |
ପୁନଃ ସମାଗମ- ବିଷୟ ବିଷମ
ସମସ୍ୟା ମଣିବ ନାହିଁ
ହୃଦୟ-ସଙ୍ଗମ ଅତି ମନୋରମ
ଜାଣ ତ, ଦେବ ବୁଝାଇ | ୫୧ |
ଏ କଥାରେ ଦ୍ୱଧା ଭାବିବା ସୁବିଧା
ନ ପାଇବ ସାରସାକ୍ଷୀ
କହିବ ନିଶ୍ଚୟ ମୋ' ଭାବ ନିଚୟ
ଦେଖୁଛ ତ ହେବ ସାକ୍ଷୀ | ୫୨ |
ଅଧିକନ୍ତୁ ତାର ଗର୍ଭେ ମୋ ଆତ୍ମାର
ସ୍ରୋତ ଲାଗିଅଛି ଯାଇଁ
କହିଲେ ଏ କଥା କଦାଚ ଅଯଥା
ବୋଲି ସେ ପାରିବ ନାହିଁ | ୫୩ |
ଏଥିରେ ରାଘବ ହୃଦକୁ ଲାଘବ
ସ୍ପରଶେ ଥିଲା କି କ୍ଷମ ?
ବୃଥା ତାରାଗଣ କଲେ ନିରୀକ୍ଷଣ
ଦୃଷ୍ଟି ପଥେ ଆଣି ତମ | ୫୪ |
ଗୁଣୀର ସଦଗୁଣ ନ ବୁଝି ନିପୁଣ
ହେଲେ ଦୋଷ ଦରଶନେ,
ବିଧି ବିଡ଼ମ୍ବନା ଭୋଗ ସମ୍ଭାବନା
ହୁଏ ତାର ଉଚ୍ଚାସନେ | ୫୫ |
ଦେଖି ରାମ ଦୋଷ ପାଇବେ ସନ୍ତୋଷ
ଭାବିଥିଲେ ତାରା-ତତି,
ହୃଦୟ-ଉଚ୍ଚତା ଚାହିଁ ପୋତି ମଥା
ଲାଭ କଲେ ନୀଚ ଗତି | ୫୬ |
ଦାଶରଥି-ଦୁଃଖ- ଦର୍ଶନ-ବିମୁଖ
ଖେଦ-ଖଣ୍ଡ-ହୃଦ-ବିଧୁ,
ନିଶୀଥ ସମୟ ହେଲାରୁ ଉଦୟ
ହେଲେ ତେଜି କ୍ଷୀରସିନ୍ଧୁ | ୫୭ |
ଜୀବଞ୍ଜୀବ ଡାକ ଦେଲା ଚକ୍ରବାକ-
ପ୍ରୀତି କରି ଉପହାସ,
ନ ଭାଳ, ନ ଭାଳ ଲେଖାଅଛି ଭାଲ-
ପଟେ ତୋର ଉପବାସ | ୫୮ |
କିମ୍ପା ନ କହିବ ଦେଇଛି ଦଇବ
ତା' ମୁଖେ ଅମୃତ ଢାଳି
ପରର ବିପତ୍ତି ଚାହିଁଲେ ସମ୍ପତ୍ତି-
ଶାଳିଏ ମାରନ୍ତି ତାଳି | ୫୯ |
ଏଣେ ବିରହିଣୀ ଶ୍ରୀରାମ ଗୃହିଣୀ
ମଣି ଦୀପ୍ତିମୟ ପୁର,
ଗଜେନ୍ଦ୍ର-ଦର୍ଶନ- ରମ୍ୟ ସୁଖାସନ
ସୁଖ ଭୋଗୁଁ ହୋଇ ଦୂର | ୬୦ |
ପୂର୍ବ ପରିଚିତ ପଲ୍ଲବ ରଚିତ
ଉଟଜେ ଅଜନାସନେ,
କରି ଅବସ୍ଥାନ ପୂର୍ବ କଥାମାନ
ଭାବୁଛନ୍ତି ମନେ ମନେ | ୬୧ |
ପ୍ରାଣନାଥଙ୍କରପ୍ରେମ-ଜରଜର
ମଧୁମୟ ସମ୍ଭାଷଣ,
ହୃଦ ଫନୋଗ୍ରାଫେ ପରବେଶି ଆପେ
ତୋଳୁଛି ନିର୍ମଳ ସ୍ୱନ | ୬୨ |
ସର୍ବ ଭୟ-ହର ସରଳ ସୁନ୍ଦର
ମରକତ-ପ୍ରଭୁ ବାହୁ,
ମାନସିକ ଧ୍ୟାନେ ଶିର ସନ୍ନିଧ୍ୟାନେ
ଦିଶୁଅଛି ଦାଉ ଦାଉ | ୬୩ |
ନିଦ୍ରା ପରିହରି ଥାଆନ୍ତି ପ୍ରହରୀ
ଯେ ରୂପେ ଲକ୍ଷ୍ମଣ ସଙ୍ଗୀ,
ସ୍ମରଣ-ମୁକୁରେ ଦିଶନ୍ତି ଅଦୂରେ
ସେ ରୂପେ ହୋଇ-ନିଷଙ୍ଗୀ | ୬୪ |
ସେ ସ୍ୱାମୀ ଦେବର କରିଛନ୍ତି ଦୂର
ଏ କଥା ଦେବାରୁ ଭାବି,
ହିମାକ୍ତ ନଳିନ ସଦୃଶ ମଳିନ
ନେତ୍ର ହେଲା ନୀରସ୍ରାବୀ | ୬୫ |
ଖଜୁରିଆ କର- କ୍ଷୋଭ ଆଘାତରେ
ସତୀ ଦଶା ହେଲା ତଥା | ୬୬ |
ଏହି ରୂପେ ପ୍ରିୟ ପ୍ରିୟାଭାବ ପ୍ରିୟ-
ଭାବ ପ୍ରିୟା ସ୍ମରି ସ୍ମରି,
ଦୁଃଖାସନେ ବସି ଧରି ଧୈର୍ଯ୍ୟ-ଅସି
କାଟୁଥିଲେ ବିଭାବରୀ | ୬୭ |
ଆତ୍ମା ଶିର-ଶ୍ରମ ସମୁଦ୍ଭୂତ ଘର୍ମ
ବହି ବହି ଅବିରଳ,
ପକ୍ଷ୍ମ-ଗୁଳ୍ମ-ରାଶି ଧୌତ କରି ଆସି
ପ୍ଳାବୁଥିଲା ଗଣ୍ଡସ୍ଥଳ | ୬୮ |
ରାବିଲା ଶର୍ବରୀ ପେଚା-ବେଶ ଧରି
କ୍ରମେ ହୋଇ କ୍ଷୀଣପ୍ରାଣ,
ରକତେ ଗଗନ ପ୍ଲାବି ପଳାୟନ
ଉପାୟେ ପାଇଲା ତ୍ରାଣ | ୬୯ |
ପ୍ରେମିକ ପ୍ରେମିକା ପଦେ ଅହମିକା
ବିକି ଦେଇ ତାରାଗଣ,
ପୁଷ୍ପ ବେଶେ ଝଡ଼ି ଅବନୀରେ ପଡ଼ି
ଲୋଡ଼ିଲେ ତାଙ୍କ ଶରଣ | ୭୦ |
ଶରଣ-ବତ୍ସଳ ରଘୁନାଥ ଛଳି
ନ ଧରି ରଖିଲେ ମାନ,
ଦେଲେ ଏହି ବର- "ଯୁଗ ଯୁଗାନ୍ତର
ମସ୍ତକେ ପାଇବ ସ୍ଥାନ |" ୭୧ |