ତପସ୍ଵିନୀ/ଦ୍ଵିତୀୟ ସର୍ଗ

ଉଇକିପାଠାଗାର ରୁ
Jump to navigation Jump to search
ତପସ୍ୱିନୀ ଲେଖକ/କବି: ଗଙ୍ଗାଧର ମେହେର
ଦ୍ୱିତୀୟ ସର୍ଗ

[ ରାଗ: ରାମକେରୀ ]

ବାଲ୍ମୀକି-ଆଶ୍ରମ-ରାଜ୍ୟରେ
ଶାନ୍ତି ରାଜତ୍ୱ କରେ,
କୋଷ ପୂର୍ଣ୍ଣ କରି ପାଦପ-
ଦତ୍ତ ସୁଛାୟା କରେ | ୧ |
ଅକପଟେ ତାହା ଦିଅନ୍ତି,
ସେହି ପାଦପମାନେ,
ଅଯାଚିତେ ନିଜ ଶରୀର-
ମାନଦଣ୍ଡର ମାନେ | ୨ |
ପ୍ରକୃତି-ସମରେ ସେମାନେ
ପୁଣି ହୁଅନ୍ତି ସେନା,
ଆବରଣ କରି ଶରୀରେ
ଘନ-ପଲ୍ଲବ-ସେହ୍ନା | ୩ |
କରି ବରଷାର ବ୍ୟାୟାମେ
ଅଙ୍ଗ-ପୁଷ୍ଟି-ସାଧନ,
ଆତପକୁ ଜିଣି ଆଣନ୍ତି
ତାର ଆଲୋକ-ଧନ | ୪ |
ଶୀତ-ଆକ୍ରମଣୁ କରିବା
ପାଇଁ ରାଜ୍ୟକୁ ତ୍ରାଣ,
ଧୁନିରୂପେ ପୁଣି ହୁଅନ୍ତି
କେତେ ଅନଳ ବାଣ | ୫ |
ବିଜିତ ପ୍ରକୃତି ସମୟ
ଜାଣି ସମ୍ପାଦେ ତୋଷ,
ପାଦପଙ୍କ କରେ ସମର୍ପି
ଫଳ-ପ୍ରସୂନ-କୋଷ | ୬ |
ଗର୍ଭେ ଧରି ତାରା-ରତନ
ପୂର୍ଣ୍ଣ-ଗଗନ-ସିନ୍ଧୁ,
ଅଗସ୍ତ୍ୟ-ଗାରିମା ଶୋଷନ୍ତି
ପ୍ରତି ଶିଶିର-ବିନ୍ଦୁ | ୭ |
ସାଗର ଗରବେ ପାଦପ
ଆଳବାଳର ଜଳ,
ପୋଷି ରଖୁଥିଲେ ଗରଭେ
ସୁଧାକର ମଣ୍ଡଳ | ୮ |
ଅକସ୍ମାତ କରି ପ୍ରବେଶ
ରାମବଧୂ-ରୋଦନ
ଘନ ଘନ କରା କମ୍ପିତ
ଶାନ୍ତି-ଦେବୀ-ସଦନ | ୯ |
ବିଚଳିତ ହୋଇ କରୁଣା
ବତୀ ଶାନ୍ତି ବାହନ,
ଲୋଡ଼ିଲେ ରୋଦିନୀ-ଲକ୍ଷ୍ୟରେ
ଯିବାପାଇଁ ବହନ | ୧୦ |
ମୁନି-କୁମାରୀଏ ବାହାରି
ଲାଗିଥିଲେ ସେ କ୍ଷଣେ,
ବାତ-ବ୍ୟସ୍ତ ନବ ବିଟପି-
ବଲ୍ଲୀ ପର୍ଯ୍ୟବେକ୍ଷଣ | ୧୧ |
ନବ ରବ ଏକ କର୍ଣ୍ଣରେ
ତାଙ୍କ ଯିବାରୁ ଲାଗି,
ମନ ନିଯୋଜିଲେ ତାହାକୁ
ଧରି ଚିହ୍ନିବା ଲାଗି | ୧୨ |
ଧରି ମନ ତାକୁ ଦେଖିଲା
ନୁହେଁ କପୋତ-ସ୍ୱନ,
ନୁହଇ କୋକିଳ-କାକଳି,
କିମ୍ବା ବୀଣା-ନିକ୍ୱଣ | ୧୩ |
ନୁହେଁ ଶଙ୍ଖନାଦ, ନୁହଇ
ପୁଣି ମୟୂର କେକା,
ଲଳନା କରୁଣ-କଣ୍ଠର
ସ୍ୱର-ନିର୍ଝର ଏକା | ୧୪ |
ସେହି କୁମାରୀଙ୍କ ହୃଦୟ-
ରଥେ ବସି ଚଞ୍ଚଳ
ଚଳାଇଲା ଶାନ୍ତି, ଉଡ଼ିଲା
ଧ୍ୱଜ-ବଲକଳାଞ୍ଚଳ | ୧୫ |
ରୋଦନ-ତରଙ୍ଗ ଦର୍ଶନେ
ଶାନ୍ତି ଚକିତ ହେଲା,
ତଥାପି ସମୀପେ ଯିବାକୁ
ଲବେ ନ କଲା ହେଳା | ୧୬ |
କୁମାରୀଏ ଯାଇ ଅନତି-
ଦୂରେ କଲେ ଦର୍ଶନ,
ଅପୂର୍ବ ନାରୀଏ କରୁଛି
ଘୋର ଅଶ୍ରୁ-ବର୍ଷଣ | ୧୭ |
ଚକିତ ଚିତ୍ତେ କେ ଭାବିଲା,
"ଏ ତ ବିଚିତ୍ର କଥା,
ଏ ବନେ ଏଭଳି ମାନବୀ
ଅସମ୍ଭବ ସର୍ବଥା | ୧୮ |
ସ୍ୱର୍ଗ-ପୁରୁ କେଉଁ ଦେବୀ କି
ସଦ୍ୟ ଶାପର ଫଳେ,
ସଦେହରେ ଖସିପଡ଼ିଛି
ଆସି ଅବନୀ-ତଳେ ? ୧୯ |
ଭ୍ରମୁ ଭ୍ରମୁ କିବା ଅଭ୍ରରେ
ଅଭ୍ରମାତଙ୍ଗ ଚଢ଼ି,
ପୁରନ୍ଦର-ପୁର-ଶୋଭିନୀ
ପଡ଼ିଅଛନ୍ତି ଗଡ଼ି ?" ୨୦ |
କିଏ ବା ଭାବିଲା, "ଜାହ୍ନବୀ
ଅବା ମୂର୍ତ୍ତିମତୀ କି,
ଲୋତକ କଲ୍ଲୋଳ ଭସାଉ-
ଛନ୍ତି ବସୁମତୀ କି ? ୨୧ |
କରକା ପରାୟେ କରୁଣା
କିମ୍ବା ସ୍ୱର୍ଗରୁ ଗଳି,
ପର-ଦୁଃଖ ତାପେ କ୍ରମଶଃ
ଭବେ ଯାଉଛି ଗଳି ? ୨୨ |
ନ ହେଲେ ଏ ଘନ-କୁନ୍ତଳା
ଘନ ସହିତ ତାରା,
ଖସି ପଡ଼ିବାରୁ ଧରାରେ
ବହିଯାଉଛି ଧାରା | ୨୩ |
ହୋଇଥାନ୍ତା ଯଦି ରୋଦନ-
ଧ୍ୱନି ଚମକପ୍ରଦା,
ବୋଲନ୍ତୁ ଆସିଛି ଜଳଦ-
ସଙ୍ଗେ ଏ ଶତହ୍ରଦା | ୨୪ |
ଶିଶିର-ବର୍ଷିଣୀ ଚନ୍ଦ୍ରିକା
ପିକ-ସ୍ୱର-ମୁଖରା,
କାହିଁ, କାହିଁ ଝିଲ୍ଲୀ-ରାବିଣୀ
ଖର ନିଦାଘ ଖରା ? ୨୫ |
ବୀଣା ଥାନ୍ତା ଯଦି ହସ୍ତରେ
ବୋଲିଥାନ୍ତୁ ଭାରତୀ,
କାନ୍ଦୁଚନ୍ତି ବିଷ୍ଣୁ-ବିରହେ
ଅବା ହୋଇ ଆରତୀ ! ୨୬ |
ଭାବି ଭାବି ମୁନିସୁତାଏ
ଗଲେ ଜାନକୀ ପାଶ,
ସାହସ ନ ହେଲା ଦେବାକୁ
କିନ୍ତୁ ତାଙ୍କୁ ଆଶ୍ୱାସ | ୨୭ |
ବରଷାର ମହାନଦୀର
ଗାଢ଼ ଆବିଳ ଜଳ,
ସ୍ୱଚ୍ଛ କରିବାକୁ କି ରୂପେ
ହେବ ନିର୍ମଳା ବଳ ? ୨୮ |
ଇବ, ଅଙ୍ଗ ତେଲ ସଙ୍ଗରେ
ସେହି ନଦୀ ଯେସନ,
କୁମାରୀଙ୍କି ପାଇ ବଢ଼ିଲା
ସୀତା-ଶୋକ ତେସନ | ୨୯ |
କିଛି ନ ପଚାରି କୁମାରୀ-
ମାନେ ରହିଲେ ବେଢ଼ି,
ଯାଇ ନ ପାରିଲେ ସେନେହ
ହେଲା ପାଦକୁ ବେଡ଼ି | ୩୦ |
ବିକଳେ ଅନାଇ କେବଳ
ତାଙ୍କ ଶାନ୍ତ ଲୋଚନ,
କଲା କ୍ଷୁବ୍ଧ-ହୃଦ ବେଦନା-
ବୀଚି-ଜଳ-ମୋଚନ | ୩୧ |
ଲୋତକ-ପ୍ଲାବିତା କୁମାରୀ-
ବୃନ୍ଦ ମଧ୍ୟରେ ସତୀ,
ବିକଳ ପରାଣେ ବିଳପି
ଶୋକ-ଜଳେ ଭାସନ୍ତି | ୩୨ |
ଚକ୍ରବାତ-ଜାତ ପୃଷତ-
ସ୍ନାତ ପଦ୍ମିନୀବନେ,
କଳରାଜହଂସୀ କୂଜଇ
କିବା ଆରତ-ସ୍ୱନେ | ୩୩ |
ସହୀ ଏକ ସହି ନ ପରି
ଯାଇ ବାଲ୍ମୀକି ପାଶେ,
ଜଣାଇଲା ଖେଦପୂରିତ
କ୍ଲେଶ-ଚଞ୍ଚଳା ଭାଷେ | ୩୪ |
"ଭୋ ତାତ ଏ ବନେ ନାରୀଏ
ନବନୀତ-ପିତୁଳୀ-
ସମ ଦିଶେ, ଆସି କାନ୍ଦୁଛି
ଯେହ୍ନେ ହୋଇ ବାତୁଳୀ | ୩୫ |
ସମ୍ବୋଧନ କରି ଥରକୁ-
ଥର ତା ପ୍ରିୟ କାନ୍ତେ,
ପତି-ଗୁଣ, ପତି-ବାତ୍ସଲ୍ୟ
ସ୍ମରୁଅଛି ଏକାନ୍ତେ | ୩୬ |
ଲଳିତ ଦିଶୁଛି ଲଲାଟେ
ତାର ସିନ୍ଦୂର-ବିନ୍ଦ,
ମୁଖ-କମଳକୁ ହୋଇଛି
ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ | ୩୭ |
କରଯୁଗଳରେ ଶୋଭୁଛି
ଚାରୁ ରତନ ଚୂଡ଼,
ବିଷାଦ-ସାଗର-ପୁଲିନେ
ଝକୁଅଛି ନ ବୁଡ଼ି | ୩୮ |
ଦରବିକଶିତ କମଳେ
ବରାଟକ ପରାଏ,
ଶତଦଳ-ରୁଚି ରୁଚିର
ଚେଲେ ସେ ଶୋଭାପାଏ | ୩୯ |
ତିନ୍ତାଇ ଦେଉଛି ବାସକୁ
ତାର ନୟନ-ବାରି,
ଦେବୀ କି ମାନବୀ ସହଜେ
ହେଉ ନାହିଁ ତ ବାରି |" ୪୦ |
ଶୁଣି ମୁନିବର ମଉନେ
ନିମୀଳିତ ଈକ୍ଷଣେ,
କାୟ, ଶିର, ଗ୍ରବା, ସଳଖି
ବସି ରହିଲେ କ୍ଷଣେ | ୪୧ |
ଉଠି ପୁଣି "ଚାଲ ଦେଖିବା"
ବୋଲି ହେଲେ ବାହାର,
ମୁନି ପଛେ ପଛେ ଚାଲିଲେ
ବହୁ ମୁନି କୁମାର | ୪୨ |
କୌତୂହଳେ ଗଲେ ଯେ ଥିଲେ
ମଠେ ମୁନି ନନ୍ଦିନୀ,
ଡାକି ଆସିଥିଲା ଯେ ସଖୀ
ହୋଇ ତାର ସଙ୍ଗିନୀ | ୪୩ |
ଚାଲିଲେ ହରିଣ ହରିଣୀ
ତାଙ୍କ ସଙ୍ଗେ ସାବକ,
ବୃକ୍ଷୁଁ ବୃକ୍ଷେ ଡେଇଁ ଚଳିଲେ
ପିକ, ମୟୂର, ବକ | ୪୪ |
ସମୀର-ସାଗରେ ଛାଡ଼ିଲେ
ନିଜ ଶରୀର-ପୋତ,
ନୟନ-ରଞ୍ଜନ ଖଞ୍ଜନ,
ଶୁକ, ଶାରୀ, କପୋତ | ୪୫ |
ଅଭିଯାନ କଲା ଶାନ୍ତିର
ଏହା ବୀରବାହିନୀ,
ସୀତା-ଶୋକ-ଶିଳା ଶ୍ରେଣୀକୁ
ଯେହ୍ନେ ଘୋର ବାହିନୀ | ୪୬ |
ମହାନଦୀ ମହାନଦୀର
ମହା ପ୍ରବାହ ଆସି,
ରାମେଶ୍ୱର-ଶିଳା-ସବୁକୁ
ଦେଲେ ସଶିରେ ଗ୍ରାସି | ୪୭ |
ଟଳିବେ କି ଶିଳା ସକଳ
ସ୍ରୋତ କମ୍ପିବ ସିନା,
ବିଘୁର୍ଣ୍ଣିତ ଶିରେ ପଡ଼ିବ
ଗତି ପଦ୍ଧତି ବିନା | ୪୮ |
ସେ ଦଶା ଭୋଗିବ ନାହିଁ ତ
ଶାନ୍ତି ଏ ଅଭିଯାନେ ?
ଲାଗୁ, ଲାଗୁଛି ତ ପ୍ରମତ୍ତ
ହୋଇ ସ୍ୱ-ଅଭିମାନେ | ୪୯ |
କିଛି ଦୂରେ ଯାଇ ମିଳିଲେ
ମୁନି ଜାନକୀ ପାଶେ,
ଆଉମାନେ ବେଢ଼ି ରହିଲେ
ତଳେ, ଡାଳେ, ଆକାଶେ | ୫୦ |
ଶ୍ୱତ ଶୂଶ୍ରୁ-କେଶ-ବିଭୁତି-
ବପୁ ସୌମ୍ୟ-ମୂରତି
ବାଲ୍ମୀକି ମହର୍ଷି ସମୀପେ
ହେମଗଉରୀ ସତୀ | ୫୧ |
ଦିଶିଲେ ଯେମନ୍ତ ତୁଷାର-
ତନୁ ହିମାଦ୍ରି-ତଳେ,
ତପସ୍ୱିନୀ ଉମା ମଉନେ
ରହିଛନ୍ତି ନିଶ୍ଚଳେ | ୫୨ |
ମୁନି ଆଗମନେ ଜାନକୀ
ଶୋକ କଲେ ନିବର୍ତ୍ତ,
ହୃଦୟରେ ହେଲା ସ୍ଥଗିତ
ଚିନ୍ତା-ଚକ୍ର-ଆବର୍ତ୍ତ | ୫୩ |
ବୋଇଲେ ମହର୍ଷି ସୀତାଙ୍କୁ,
"ବତ୍ସେ, ପାରିଛି ଜାଣି,
ବିରହ-ବିପଦ ତୋହର
ବହିଅଛି ଉଜାଣି | ୫୪ |
ସ୍ରୋତସ୍ୱତୀ-ଗତି ସହଜ
ଥାଏ ସାଗର ଆଶେ,
ଲଙ୍ଘେ ଶିଳା-ଶୈଳ-ସଙ୍କଟ,
ଯେବେ ବିରୁଦ୍ଧେ ଆସେ | ୫୫ |
ବାରିଧି-ସଙ୍ଗମେ ବିସ୍ମରେ
ସବୁ ବିଗତ କ୍ଲେଶ,
ଉଭୟ ଜୀବନେ ନ ରହେ
ଆଉ ପ୍ରଭେଦ ଲେଶ | ୫୬ |
ବିଧିବଶେ ଉଠି ମଧ୍ୟରେ
ଯେବେ ଊର୍ଦ୍ଧ୍ୱକୁ ଭେଦି,
ବାଲୁସ୍ତୂପ ଦିଏ ସରିତ
ସିନ୍ଧୁ-ହୃଦୟ ଛେଦି | ୫୭ |
ସରିତ ମରି ତ ନ ପାରେ
ତାର ଜୀବନ-ଭାର,
ହୃଦୟ ପ୍ରସାରି ରଖଇ
ହୋଇ ହ୍ରଦ ଆକାର | ୫୮ |
ଅବିକଳ ସେହି ଦଶା ମା
ଭବେ ଘଟିଛି ତୋର,
ଚିନ୍ତାକୁ ତୁ ବୃଥା ନ କର
ଚିତା ସ୍ୱରୂପ ଘୋର | ୫୯ |
ଶ୍ୱଶୁର ତୋ ମୋର ସୁହୃଦ,
ସେହିପରି ତୋ ପିତା,
ଅସଂକୋଚେ ରହ ଆଶ୍ରମେ
ମଣି ସଂସାର ପିତା | ୬୦ |
ମୋ, ଆଶ୍ରମେ ତୋର ନ ଥିବ
କଉଣସି ଭାବନା,
ଜନମିବ ଯେଉଁ ସନ୍ତାନ
ତାର ପାଇଁ ଭାବନା |" ୬୧ |
ମୁନି-ବାଣୀ ଶୁଣି ଜାନକୀ
ମୁନି-ଚରଣ-ତଳେ,
ପଡ଼ି, ଉଠି ଗଣ୍ଡ ପୋଛିଲେ
ନିଜ ବସନାଞ୍ଚଳେ | ୬୨ |
"ବୀର ପ୍ରସବିନୀ ହୁଅ ମା"
ବୋଲି ଶୁଭ ଆଶିଷ,
ଦେଇ ଆଶ୍ୱାସିଲେ ମଧୁରେ
ମୁନି-ମଣ୍ଡଳାଧୀଶ | ୬୩ |
ପୁନଶ୍ଚ ବୋଇଲେ, "ଆସ ମା,
ଆଉ ନ କର ମଠ;
କୁମାରୀମଣ୍ଡଳ ମଧ୍ୟରେ
ରହି ମଣ୍ଡ ମୋ' ମଠ |" ୬୪ |
କିସ କିସ ଅଛି ଧର ଗୋ
ବେଗେ କୁମାରୀମାନେ,
ବୋଲନ୍ତେ ମହର୍ଷି, କନ୍ୟାଏ
ତାହା କଲେ ସମ୍ମାନେ | ୬୫ |
ଟଣାଟଣି ହୋଇ ସତୀଙ୍କ
ଚାରୁ ପେଟିକାମାନ,
ଧରି ବେଢ଼ି ତାଙ୍କୁ ସାଦରେ
କରାଇଲେ ପ୍ରସ୍ଥାନ | ୬୬ |
ପ୍ରହରି ପ୍ରହାରି ପାଦୁକା
ମୁନି ଦୁର୍ଗତି-ଶିରେ,
ରାମ-ହୃଦ-ପ୍ରେମ-ପ୍ରତିମା
ଆଗେ ଚାଲିଲେ ଧିରେ | ୬୭ |
କଷାୟ-ବସନ ମହର୍ଷି
ହେଲେ ଅନୁରୂପମ,
ପଛେ ବଇଦେହୀ ଦିଶିଲେ
ଭାନୁ-ଦୀଧିତି-ସମ | ୬୮ |
ବୁଡ଼ିଥିଲା ସେହି ଦୀଧିତି
ଦୁଃଖ-ଅର୍ଣ୍ଣବ-ଅର୍ଣ୍ଣେ,
ଅନୁରୁ ତହିଁରେ ବିରାଜୁ-
ଥିଲେ ଉଜ୍ଜ୍ୱଳ ବର୍ଣ୍ଣେ | ୬୯ |
ମହାଯତି ମହାସତୀଙ୍କ
କଥାବାର୍ତ୍ତା ସକଳ,
ଶୁଣୁଥିଲେ ବସି ବିହଙ୍ଗ-
ଦଳ ନ କରି କଳ | ୭୦ |
ଦେଖନ୍ତେ ତାହାଙ୍କ ଆଶ୍ରମ-
ଅଭିମୁଖେ ଗମନ,
ପ୍ରମୋଦରେ କଲେ ନିସ୍ୱନ
ହୋଇ ପ୍ରଫୁଲ୍ଲ ମନ | ୭୧ |
ବାଜିଗଲା ପରା ଶାନ୍ତିର
ରଣ-ବିଜୟ-ଘୋଷ !
ନାଚି ନାଚି ମୃଗ-ଶାବକେ
କଲେ ପ୍ରକାଶ ତୋଷ | ୭୨ |
ନବ ଅତିଥିଙ୍କ ମୁଖକୁ
ମଣି ସ୍ନେହ-ସାଗର,
ସତୃଷ୍ଣ ନୟନେ ଅନାଉ-
ଥାନ୍ତି ଥରକୁ ଥର | ୭୩ |
ଜୟ-ଲକ୍ଷ୍ମୀ-ରୂପେ କରନ୍ତି
ଶାନ୍ତି-ପୁରକୁ ବିଜେ,
ଅଶାନ୍ତି-ସାଗର-ଉତ୍ଥିତା
ରାମ-ରମଣୀ ନିଜେ | ୭୪ |
ଟେକି ଚନ୍ଦ୍ରକିତ ବରହ
ବେନି ବୀଥିରେ ରହି,
ଚାଲିଲେ ଉଭୟ ପାର୍ଶ୍ୱରେ
ଶତ ଶତ ବରହୀ | ୭୫ |
ସୁକୁମାର କରି-ଶାବକେ
କରେ ଟେକି କମଳ,
ଠେଲାଠେଲି ହୋଇ ଚାଲିଲେ
ସଙ୍ଗେ ଦଳକୁ ଦଳ | ୭୬ |
ପାଦପେ ଝୁଲିଲା ପଲ୍ଲବ
ଶୋଭି ପୁଷ୍ପ-ସ୍ତବକେ,
ଧାଡ଼ି ଧାଡ଼ି ଶ୍ୱେତ ପତାକା
ତହିଁ ହୋଇଲେ ବକେ | ୭୭ |
ମଧୁରେ ଗାଇଲେ କୋକିଳ
କୁଳ ମଙ୍ଗଳ ଗୀତ,
ଅଳି-ସ୍ୱନେ ଜୟ-ଶଙ୍ଖର
ଧ୍ୱନି ହେଲା ବ୍ୟଞ୍ଜିତ | ୭୮ |
ବାରମ୍ବାର ଉଡ଼ି ବୃକ୍ଷରୁ
ହୋଇ ଯୁକତୃ-ମୁଷ୍ଟି,
ଶୁକ ସାରୀ ଦଳ ମାର୍ଗରେ
କଲେ କୁସୁମ-ବୃଷ୍ଟି | ୭୯ |
ବନ୍ଦାପନା-ଦୀପ ଜଳିଲା,
ଏଣେ ଗୋଧୂଳି-ତାରା,
ବିରାଜିଲେ ଋଷି-ଆଶ୍ରମେ
ରାମ-ନୟନ-ତାରା | ୮୦ |
ବାଲ୍ମୀକି ନିଦେଶେ ଉଟଜେ
ସବୁ ପେଟିକା ଥୋଇ,
କନ୍ୟା ଏକ ଦେନା ସତୀଙ୍କ
ମୁଖ-ମଣ୍ଡଳ ଧୋଇ | ୮୧ |
କନ୍ୟା ଏକ ଜଳ-କଳସ
ଢାଳୁଁ ଢାଳୁଁ ଚରଣେ,
ତା' ହସ୍ତରୁ-ନେଇ ସ୍ୱପଦ
ପ୍ରକ୍ଷାଳିଲେ ଆପଣେ | ୮୨ |
ସତୀଙ୍କି ବସାଇ ସୁତାଏ
ମୃଦୁ ପଲ୍ଲବାସନେ,
ଫଳମୂଳ ଆଣି ସମକ୍ଷେ
ଦେଲା ପର୍ଣ୍ଣବାସନେ | ୮୩ |
ଅନୁକମ୍ପା ନାମେ ବୃଦ୍ଧାଏ
କରି ସତୀଙ୍କି କୋଳ,
ପୋଛି ଦେଲେ କର କମଳେ
ତାଙ୍କ ଭାଲ କପୋଳ | ୮୪ |
ମମତା-ପ୍ରପାତ-ସେନେହ
ସ୍ୱଚ୍ଛ ଉଜ୍ଜ୍ୱଳ ଜଳ,
ପକାଇ ସତୀଙ୍କ ପରାଣ
ପ୍ଳାବି କରି ଶୀତଳ | ୮୫ |
ମୁଖ ଚାହିଁ-ଚାହିଁ ବୋଇଲେ,
ଧୀର କୋମଳ ଭାଷେ,
"ମୋ ଭାଗ୍ୟକୁ ମାଆ ଆସିଛୁ
ଆଜି ତୁ ମୋର ପାଶେ | ୮୬ |
ରାଜ ରାଜେଶ୍ୱରୀ ମାଆ ତୁ
ସ୍ୱର୍ଣ୍ଣ ମନ୍ଦିର ତୋର,
ତମଃପୂର୍ଣ୍ଣ କରି ଉଜ୍ଜ୍ୱଳ
କଲୁ କୁଟୀର ମୋର | ୮୭ |
ଦିନଯାକ କରି ନ ଥିବୁ
ପରା କିଛି ଆହାର,
ପୁଅ କରୁଥିବ ଗରଭେ
ଚଳି ପାଦ-ପ୍ରହାର | ୮୮ |
ଖାଆ ମା'! ଖାଆ ମା' | ମା' ଘରେ
ତୋର କି ଅଛି ଲାଜ,
ଚାହିଁ ରହିଛନ୍ତି ତୋତେ ତୋ'
ଏହି ସଖୀସମାଜ |" | ୮୯ |
ବୋଲି ନିଛି ଦେଇ ଧରାଇ
ଦେଲେ ନାରଙ୍ଗୀ-କଳି,
ଗୋଟି ଗୋଟି କରି କର୍ପୂର-
କାନ୍ତି ପକ୍ୱ କଦଳୀ | ୯୦ |
ବୀଜ ଭିନ୍ନ ବରି କୁଳକ
ଖଣ୍ଡ ଖଣ୍ଡ ପନସ,
ସୁମଧୁର ପିଣ୍ଡ ଖର୍ଜୁର
ସହକାର ସରସ |୯୧ |
ବାରମ୍ବାର ବୋଲି ମଧୁରେ
"ଧୀରେ ଭୁଞ୍ଜ ମା, ଭୁଞ୍ଜ"
କରେ ଦେଲେ ଭାଙ୍ଗି କରକ-
ମଞ୍ଜି ପୁଞ୍ଜକୁ ପୁଞ୍ଜ | ୯୨ |
ଅବଶେଷେ "ଆଉ ଦିଓଟି,
ଆଉ ଦିଓଟି" ବୋଲି;
ଭୁଞ୍ଜାଇଲେ ସେହୁ ସତୀଙ୍କି
ଆଠ ଦଶୋଟି କୋଳି | ୯୩ |
ମାତୃ-ସ୍ନେହ-ସୁଖ ନ ଥିଲେ
ବୁଝି ବାଲ୍ୟ-ଜୀବନେ,
ସେହି ସୁଖ ସତୀ ବୁଝିଲେ
ଆଜି ବାଲ୍ମୀକି-ବନେ | ୯୪ |
ଆଚମନ କରି ଜାନକୀ
ଫଳ-ଭୋଜନ-ଶେଷେ,
କାଷ୍ଠ ଆସନରେ ବସିଲେ
ତାପସୀଙ୍କ ନିଦେଶେ | ୯୫ |
କୁମାରୀ ଏ ଦେଲା କୋରଙ୍ଗୀ
ଫଳ ଦେବୀଙ୍କ କରେ,
ମୁଖେ ପକାଇଲେ ସୁମୁଖୀ
ତାହା ଘେନି ସାଦରେ | ୯୬ |
କନ୍ୟା ଏକ ଆଣି କୋମଳ
ଶୁଷ୍କ ନୀବାର ନାଳ,
ଶଯ୍ୟା କରିଦେଲା ତହିଁରେ
ପାରି ହରିଣ-ଛାଲ | ୯୭ |
ସଖୀ ଦୁଇ ତହିଁ ରହିଲେ
ବଇଦେହୀଙ୍କ ପାଶେ,
ଆଉମାନେ ହେଲେ ଅନ୍ତର
ନିଜ ନିଜ ଆବାସେ | ୯୮ |