ତପସ୍ଵିନୀ/ପଞ୍ଚମ ସର୍ଗ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ତପସ୍ଵିନୀ ଲେଖକ/କବି: ଗଙ୍ଗାଧର ମେହେର
ପଞ୍ଚମ ସର୍ଗ

[ ରସକୁଲ୍ୟା ]

ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ
ଶିରେ-ପୁଷ୍ପ ଫେନପଟଳ ଧରି,
ଯା' ପଦପୁଲିନ ନଖ-ମୁକୁତା
ଜ୍ୟୋତି ସେବନରେ ଥିଲା ଯୁକୁତା,
ତାଙ୍କ ଶୁଭ ଆଗମନ
ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର
ବିଟପି-ବଲ୍ଲୀ-ସୁମନ | ୧ |
ଏକେ ତ ମଧୁର ବସନ୍ତ କାଳ,
ବାଳଭାନୁ ହେମ କିରଣ ଜାଳ,
ପ୍ରସରି ଶିଶିରଜର୍ଜର ପର୍ଣ୍ଣ,
ଲିଳା କରୁଅଛି ବିବିଧ ବର୍ଣ୍ଣେ,
ଶିଶିରବିନ୍ଦୁରେ ପଡ଼ି
ହୀରା ନୀଳା ମୋତି ମାଣିକ୍ୟପଟଳ
ବିଚିତ୍ର ଦେଉଛି ଗଢ଼ି | ୨ |
ଭାସ୍କର ଭାସ୍ୱର ମଣି ମଣ୍ଡନ,
ଦଶବଦନର ଦଶବଦନ-
ଜ୍ୟୋତି ଗର୍ବ କରିଥିଲା ହରଣ
ସତୀରତନଙ୍କ ଯେଉଁ ଚରଣ,
ଆଜି ସେ ପୟର ଆସି
ମୁନି ଉପବନେ ବଞ୍ଚିଦେଲା କିବା
ସେହି ମଣି ଗର୍ବରାଶି | ୩ |
ସତୀ ହୃଦ ଶ୍ୟାମ ଶ୍ରୀରାମମୟ,
ସେ ହୃଦୟ ହରି ପଦପଚୟ
କ୍ରମେ ହେଲେ ଘନ ଶ୍ୟାମବରଣ,
ପତି ଏକା ସତୀ ମତି ଶରଣ
ଅବୟବ କାନ୍ତିମାନ
ଆକର୍ଷିତ ହୋଇ କୁସୁମେ କୁସୁମେ
କ୍ରମେ ଯାଇ କଲେ ସ୍ଥାନ | ୪ |
କେଶକାନ୍ତି ମାତ୍ର ନେଲା ଷଟ୍ପପଦ,
ଚମ୍ପା ନେଲା ତନୁ କାନ୍ତି ସମ୍ପଦ,
ମନ୍ଦାରକୁ ଗଲା ଅଧର ରୁଚି,
ଆଉ ସକଳକୁ ଯହିଁ ଯା ରୁଚି,
ସର୍ବେ ହେଲେ କାନ୍ତିମୟ,
ସ୍ୱର୍ଗଲକ୍ଷ୍ମୀ କିବା ମର୍ତ୍ତେ ଆସି କଲା
ଉଦ୍ୟାନକୁ ଲୀଳାଳୟ | ୫ |
ସତୀ କାନ୍ତି ଥିଲା ଅମୃତ ସମ,
ପୁଷ୍ପେ ହେଲା ମଧୁ ଅମୃତୋପମ,
ମାର୍ଦବ ମାଞ୍ଜବ ସେ ରୂପେ ଯାଇ
ହେଲେ ପୁଷ୍ପକୁଳ ଅଙ୍ଗରେ ସ୍ଥାୟୀ,
ସତୀ ହୋଇ ତପସ୍ୱିନୀ
ନୀରସ ଜୀବନେ ନିଷ୍ପ୍ରଭ ଶରୀରେ
ହେଲେ ବନବିଳାସିନୀ | ୬ |
ସତୀ ସତକାର କରିବାଲାଗି
ଲୂତାଗଣ ସାରା ଶର୍ବରୀ ଲାଗି,
ଚାରୁ ଚନ୍ଦ୍ରତାପ କରି ମଣ୍ଡନ
ରଚିଥିଲେ ହେମ ପୁଷ୍ପେ ଲମ୍ବନ,
ପକ୍ୱ ନାଗରଙ୍ଗମାନ
ସୁବର୍ଣ୍ଣ ଗୋଲକ- ରୂପେ ଶତ ଶତ
ହେଉଥିଲେ ଲମ୍ବମାନ | ୭ |
ଉଭା ହୋଇଥିଲା ରମ୍ଭା ସୁନ୍ଦରୀ
ପଂକ୍ତି ପଂକ୍ତି ପତ୍ର-ପତାକା ଧରି,
ଚାରୁ ମୁଚୁକୁନ୍ଦ କୁନ୍ଦ ବକୁଳ,
ନିଆଳୀ ମାଧବୀ ବଲ୍ଲରୀକୁଳ
ଚାହୁଁଥିଲେ ଧରି ଫୁଲ
ନବୀନା ନବୀନା ଥିଲା ତାଙ୍କ ପାଶେ
କୁସୁମେ ସଜାଇ ଚୂଳ | ୮ |
ସଖୀଗଣ ସଙ୍ଗେ ଜାନକୀ ସତୀ
ତାଙ୍କ ନିକଟକୁ କରନ୍ତେ ଗତି,
ପୁଲକିତ ହୋଇ ମୃତୁ ସମୀରେ
ଫୁଲମାନ ବିଞ୍ଚି ସତୀଙ୍କ ଶିରେ
କେ କଲା ଶିର ଚୁମ୍ବନ
କେ ଦର ମର୍ଦନ କେ ବା ଆଲିଙ୍ଗନ
କେହି ବା ପଦ ବନ୍ଦନ | ୯ |
ସୁରଙ୍ଗ-ଚରଣ-ଲୋହନ ପାଇଁ
ପାରିଜାତ ଦେଲା ଜିଭ ଲମ୍ବାଇ,
ମୋତି ଜ୍ୟୋତି-ନଖ ଚୁମ୍ବନ ଆଶେ
ଡାଳିମ୍ବ ରହିଲା ବିବୃତ ଆସ୍ୟେ,
କରୁଣା-ଋଣ-ଆଶାୟୀ
ଚିନିଚମ୍ପା ହେଲା ହରିତବରଣ
ରାମରୂପ ଅନୁଯାୟୀ | ୧୦ |
ସ୍ଥାନେ ସ୍ଥାନେ ଚନ୍ଦ୍ରକଳା କୋମଳ
ମନୋହର ବାଳତରୁ ସକଳ
ବାଡ ଉପରକୁ ମସ୍ତକ ଟେକି
ସତୀଙ୍କି ସତୃଷ୍ଣେ ଥାନ୍ତି ନିରେଖି
ପାଇଲା ନାହିଁ ଯା ଶିର
ବାଡ଼ ମଧ୍ୟେ ରହି ରନ୍ଧ୍ର ପଥେ ପଥେ
ଦର୍ଶନେ ହେଲେ ଅସ୍ଥିର | ୧୧ |
ଚାଞ୍ଚୀ ଫୁଲଚୁଇଁ ପାଦପ ବାଡ଼େ
ବସି ଚାହିଁ ଥାନ୍ତି ସତୀଙ୍କ ଆଡ଼େ,
କରୁଥାନ୍ତି ଥରେ ଥରେ କାକଳି
ମୁଦେ ଯାଉଥାଏ ଲାଙ୍ଗୁଳ ହଲି
ସତି; ଢାଳିଦେଲେ ପୟ,
ମନେ କରିଛନ୍ତି ଆଳବାଳେ ବସି
ପିଇବେ ହୋଇ ନିର୍ଭୟ | ୧୨ |
ଊର୍ଣ୍ଣନାଭ ଥରେ ସତୀ-ପୟରେ
ପଡ଼ି ପୁଣି ଉଠେ ତରୁ ଉପରେ,
ବୃକ୍ଷୁଁ ବୃକ୍ଷେ ପୁଣି ଡେଇଁ ଚଞ୍ଚଳ
ଦେଖାଉଛି ନିଜ କାରୁ-କୌଶଳ,
ଭାନୁ ହୋଇ ଚିତ୍ରକର
ବିବିଧ ରଙ୍ଗରେ ରଞ୍ଜି ଦେଉଛନ୍ତି
ତା ସୂକ୍ଷ୍ମ ସୂତ୍ରନିକର | ୧୩ |
ସ୍ୱଭାବେ ପାଦପ ଶ୍ୟାମଳ ଦଳ,
ମରକତ ଜ୍ୟୋତି ଠିଣ୍ଠିଣୀଦଳ
ତରୁ ଶିରେ କାହିଁ ବସି ଚଞ୍ଚଳ
ଚଞ୍ଚୁ ମାର୍ଜନରେ ହୋଇ ଉଜ୍ଜ୍ୱଳ
ଦିଶୁଥାନ୍ତୁ ମନୋହର,
ଶ୍ୟାମ ଜଳନିଧି- ତରଙ୍ଗେ ଲୁଣ୍ଠିତ
ଯେହ୍ନେ ଦିବାକର କର | ୧୪ |
ପ୍ରେମ-ପ୍ରଭାମୟ ରାମ-ହୃଦୟ
ରାଜ-ସିଂହାସନେ ହୋଇ ଅଥୟ
ଉଦ୍ୟାନକୁ କିବା ଆସିଛି ଧାଇଁ
ସତୀଙ୍କ ଯାତନା ନାଶିବା ପାଇଁ,
ସେ ନେତ୍ର ସୁଭଗ ଜ୍ୟୋତି
ସ୍ୱାତୀ-ଜଳ ପରି ସତୀ ହୃଦୟରେ
ସୃଜୁଥାଏ ପ୍ରେମ-ମୋତି | ୧୫ |
କେଉଁ ଦିଗେ ଘନ ପନସ ବନ,
କାହିଁ ଚୂତବନ ଚୁମ୍ବେ ଗଗନ,
ଚୂତବନ ତଳ-ପ୍ରନ୍ତେ ଆକାଶ
ଦିଶେ ଦେବଖାତ ଜଳ-ସଂକାଶ;
ତରୁସ୍କନ୍ଧ ଶତ ଶତ
ଦିଶନ୍ତି ଯେସନତୋଳିଛନ୍ତି ବନ
ସର୍ବେ ହୋଇ ଏକମତ | ୧୬ |
ଶାନ୍ତି ସରେବର ବିବିକ୍ତ-କୂଳ
ଆଶ୍ରିଛନ୍ତି କିବା ତାପସକୁଳ,
ଗୁରୁ ବିଘ୍ନ ଭାର ମସ୍ତକେ ବହି
ନୀରବେ ନିଶ୍ଚଳେ ଗମ୍ଭୀରେ ରହି
ସତେ କି ଅଛନ୍ତି ଚାହିଁ,
ସୀତା ଶୀତାତପ ତପନ-କିରଣ
ସନ୍ତାପ ଶମିବା ପାଇଁ | ୧୭ |
ପ୍ରିୟଙ୍ଗୁ ମଣ୍ଡିତ ଇଙ୍ଗୂଦୀ ବନ
କାହିଁ ତୋଳିଛନ୍ତି ଶ୍ୟାମ ସଦନ,
ଶ୍ୟାମା ହୋଇ ତହିଁ ନବୀନା ବଧୂ
ଢାଳି ଦେଉଅଛି ସୁସ୍ୱର ମଧୁ,
ଇନ୍ଦ୍ରନୀଳେ ପୁର ରଚି
ଇନ୍ଦ୍ରାଦେଶେ କିବା ପୂଜିବାକୁ ଆସି
ସତୀଙ୍କି ଡାକୁଛି ଶଚୀ | ୧୮ |
ଉଜ୍ଜ୍ୱଳ ଚିକ୍କଣ ନୀଳ ପତର
ପୁନ୍ନାଗ-କାନନ ଶ୍ୟାମଳତର
ଉଡ଼ି ଉଡ଼ିଶାରୁ ଥିଲା କି ଯାଇ,
ଦେଇଥିଲା ସତୀ ମନ ରଞ୍ଜାଇ;
ନୀଳାଚଳ ରୂପ ଧରି
ବିଜେ ଅବା ରାମ ଲଭିବାକୁ ସୀତା
ପ୍ରୀତି-ସାଗର-ଲହରୀ | ୧୯ |
ସଙ୍ଗେ ଘେନି ସତୀ ସଙ୍ଗିନୀଗଣ
ଉଦ୍ୟାନରେ ଥରେ କଲେ ଭ୍ରମଣ
ଆର୍ଯ୍ୟାବର୍ତ୍ତ-ଉରେ କି ଭାଗୀରଥୀ
ଚଲେ ଲଭି ସଖୀବୃନ୍ଦ-ସଙ୍ଗତି !
ଅଳଂକୃତ ହେଲା ପଥ
ଉପହାସ କରି ଗନ୍ଧର୍ବ-ଯୁବତୀ
ବିଳସିତ ଚୈତ୍ରରଥ | ୨୦ |
ତହୁଁ ସର୍ବେ ବହି ତମସା ଜଳ
ପୂର୍ଣ୍ଣ କଲେ ଆଳବାଳ ସକଳ;
ସ୍ୱର୍ଣ୍ଣତୀ ସଲିଳ ସ୍ୱର୍ଗ-ସୁନ୍ଦରୀ-
କନ୍ୟାଏ ନନ୍ଦନେ ଢାଳିଲା ପରି;
କି ଅବା ସାଗର-ନୀର
ତୋଳି କାଦମ୍ବିନୀ ପ୍ଲାବି ଦେଇଥାଏ
ଯଥା ବକ୍ଷ ଅବନୀର | ୨୧ |
କଟିତଟେ ଭିଡ଼ି ବାସ-ଅଞ୍ଚଳ
ଗତି କରୁଥାନ୍ତି ହୋଇ ଚଞ୍ଚଳ,
ରୁକ୍ଷ-କେଶ ଶିରେ କଳଶ ବହି
ସ୍ୱଦ ଯାଉଥାଏ ଲଲାଟେ ବହି;
ପୋଛି ଦେଉଥାନ୍ତି କରେ
ମନ୍ଥର-ଗମନା ରାଜନନ୍ଦନାଙ୍କୁ
ଟାକି ଟାକି ଥରେ ଥରେ | ୨୨ |
ଅନୁକମ୍ପା ଏହି ସମୟେ ଆସି
ବୋଇଲେ ମଧୁର ବାତ୍ସଲ୍ୟେ ଭାଷି
"ସୀତା ମୋର ଜଳ ବହି ନ ଜାଣେ,
କଷ୍ଟ ହେଉଥିବ କୋମଳ ପ୍ରାଣେ,
ନ କରୁ ଅଧିକ ଶ୍ରମ,
ଉଦ୍ୟାନକୁ ଥରେ ଦେଖିନେଉ ମାତ୍ର
ଆସିଛି ହୋଉ ପ୍ରଥମ | ୨୩ |
ଆସ ମା, ଶୀତଳ ଛାୟାକୁ ଆସ,
ବସିବା, ନ କର ଅନ୍ୟ ପ୍ରୟାସ,
କହିଦେବି କିଛି ଆଶ୍ରମ ରୀତି,"
ବୋଲି ଘେନିଗଲେ ଦେଖାଇ ପ୍ରୀତି,
ଅନୁକମ୍ପା ସଙ୍ଗେ ସତୀ
ବସିଲେ ଛାୟାରେ ଜଳ-ଆନୟନେ
ଲାଗିଲେ ତାପସୀତତି | ୨୪ |
ଅନୁକମ୍ପା ତହିଁ ବୋଇଲେ, "ସୀତେ,
କାର୍ଯ୍ୟ କରେ ଲୋକ ଶ୍ରଦ୍ଧା ସହିତେ,
ଫୁଲେ ଫୁଲେ ଯଥା ବିଭିନ୍ନ ବାସ,
ଜୀବନେ ଜୀବନେ ଶ୍ରଦ୍ଧା ନିବାସ,
ଶରଧା ସ୍ୱଭାବବଶୁ
ଦଇବୀ ମାନବୀ ଆସୁରୀ ଭେଦରେ
ହୋଇଥାଏ ଫଳପ୍ରସୂ | ୨୫ |
ଦମ୍ଭେ ଅହଂକାରେ କାମ ପୋଷଣେ,
ରାଗେ ଦେହବଳେ ଆତ୍ମା-କର୍ଷଣେ,
ତପ କରିଥାନ୍ତି ଅସୁର ଭାବେ
ସମ୍ଭବ ନୁହେଁ ତା' ତୋର ସ୍ୱଭାବେ;
ଦେବ ଦ୍ୱିଜ ଗୁରୁ ବୁଧେ
ଶଉଚ ଆର୍ଜବ ଶ୍ରଦ୍ଧା ସମନ୍ୱୟେ
ପୂଜି ଥାଉ ଚିତ୍ତଶୁଦ୍ଧେ | ୨୬ |
ଶାନ୍ତିପ୍ରଦ ସତ୍ୟ ପ୍ରିୟଭାଷଣ,
ଜୀବନର ତୋର ପ୍ରିୟ ଭୂଷଣ,
ମନକୁ ତୋ ଛୁଇଁ ନାହିଁ କପଟ,
ମାୟା କି ପାରିବ ପଶି ନିକଟ?
ତୋ ରମ୍ୟ ସୌମ୍ୟ ମୂରତି
କହି ଦେଉଅଛି ବିଷୟ ଗହନେ
ନାହିଁ ଆଉ ଆନୁରକ୍ତି | ୨୭ |
ଦଇବ ସ୍ୱଭାବେ ତୁ ତପସ୍ୱିନୀ,
ଦର୍ଶନମାତ୍ରେ ମୁଁ ପାରିଛି ଚିହ୍ନି,
ପବିତ୍ର ପ୍ରାଣ ତୋ ଅତି କୋମଳ,
ଘୋର ତପସ୍ୟାର ଦୁର୍ଲଭ ଫଳ,
ପୁଣ୍ୟ ଲତିକାର ଫୁଲ,
ନବ ତାପସୀଙ୍କଆଚରତ ଶ୍ରମ
ନୁହଇ ତା' ଅନୁକୂଳ | ୨୮ |
କୁମାରୀମାନଙ୍କ ସଙ୍ଗରେ ରହି
ଜଳ ଆଣୁଥିବୁ ତୁମ୍ବୀରେ ବହି,
ତେଜୁଥିବୁ ତାଙ୍କ ଉତ୍ସାହ ଦୀପ,
ତେଜୁ ନ ଥିବେ ସେ ତୋର ସମୀପ,
ଦେଇଛି ମୁଁ ତାଙ୍କୁ କହି;
ପାନ-ଭୋଜନରେ ଲଜ୍ଜା ନ କରିବୁ
ପିପାସା-ବୁଭୃକ୍ଷା ସହି | ୨୯ |
କନ୍ୟାମାନେ କେବେ କେବେ ଆରାମେ
କାର୍ଯ୍ୟ ଥିଲେ ତୁହି ଥିବୁ ଆରାମେ
ଯେବେ ଯେଉଁ ଦ୍ରବ୍ୟେ ହେବ ତୋ' ମନ
ଅବିଳମ୍ବେ ଦେବେ କୁମାରୀଗଣ,
ନିଜେ ଭ୍ରମି ଉପବନେ
ଇଚ୍ଛାମତ ଫୁଲ- ଫଳ ତୋଳିବାରେ
ଶଙ୍କା ନ ରଖିବୁ ମନେ" | ୩୦ |
ଦିନ ହୋଇଗଳା ସପ୍ତ ଘଟିକା,
କନ୍ୟାଗଣ ଘେନି ଶୂନ୍ୟ ଘଟିକା
ଅନୁକମ୍ପା-ପାଶେ ସ୍ୱିନ୍ନ ଶରୀରେ
ଜଣ ଜଣ ହୋଇ ବସିଲେ ଧୀରେ,
ପ୍ରଫୁଲ୍ଲ ଧୁସ୍ତର ଫୁଲ
ପାଶେ ଯଥା ଫଳ- ରାଶି ତହିଁ ପାଶେ
ହିମାକ୍ତ କୁଟ୍ମଳକୁଳ | ୩୧ |
ତହୁଁ ଉଠି ସର୍ବେ ଦ୍ୱିତୀୟ ସ୍ନାନ
କରି ବାହୁଡ଼ିଲେ ଆବାସସ୍ଥାନ,
ଫଳ-ମୂଳ ଯାହା ତାପସଗଣ
ଆଣିଥିଲେ, ସର୍ବେ କଲେ ଭୋଜନ,
ଅଧ୍ୟୟନ ଅଧ୍ୟାପନ-
କରି ବିଧିମତେ ତାପସ ତାପସୀ
ମଧ୍ୟାହ୍ନ କଲେ ଯାପନ | ୩୨ |
ତାପସ-ତାପସୀ-ସେନେହ-ସୁଖ
ତଡ଼ିଦେଲା ସତୀ-ମାନସ-ଦୁଃଖ,
ରାଜ-ସୁଖ ତାଙ୍କ ସ୍ମୃତି-ପଥରେ
ଭ୍ରମରେ ସୁଦ୍ଧା ନ ପଡ଼ିଲା ଥରେ;
ନିର୍ମଳ ହୃଦୟ-ସରେ
ମନୋହର-ରୂପ ରାମ-ରାଜହଂସ
କ୍ରୀଡ଼ୁଥାନ୍ତି ନିରନ୍ତରେ | ୩୩ |