ତପସ୍ଵିନୀ/ପ୍ରଥମ ସର୍ଗ

ଉଇକିପାଠାଗାର ରୁ
Jump to navigation Jump to search
ତପସ୍ୱିନୀ ଲେଖକ/କବି: ଗଙ୍ଗାଧର ମେହେର
ପ୍ରଥମ ସର୍ଗ

[ ରାଗ: ମଙ୍ଗଳ ଗୁଜ୍ଜରୀ ]

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା,
ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? | ୧ |
ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ,
ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ | ୨ |
କୌମୁଦୀ କି ଘନ ହୋଇ ବହିଛୁ ଶରୀର ?
କେଶଛଳେ ଚରଣେ ତୋ ଲୋଟୁଛି ତିମିର | ୩ |
ସୁବିରଳ ସମୁଜ୍ଜ୍ୱଳ ଚାରୁ ତାରାଗ୍ରହ,
ମଣ୍ଡିଛନ୍ତି-ରତ୍ନ-ଭୂଷା-ରୂପେ ତୋ ବିଗ୍ରହ | ୪ |
ଅସଂଖ୍ୟ ଧବଳ ପୁଷ୍ପହାର ଶୋଭେ ଗଳେ,
ଗ୍ରଥିତ ହୋଇଛି ସବୁ ଅଦ୍ଭୁତ କୌଶଳେ | ୫ |
ଶ୍ରୀଅଙ୍ଗ-ସୌରଭେ ମୁଗ୍ଧ ହେଉଛି ଜଗତ,
ପ୍ରଫୁଲ୍ଲତା ହେଉଅଛି ପ୍ରାଣେ ଉପଗତ | ୬ |
କି ଢାଳୁଛୁ କରେ ଧରି, ଲୋକେ କରି ପାନ,
ଦୈବତ ସଦୃଶ ହେଉଛନ୍ତି ତେଜିୟାନ | ୭ |
କି ମନ୍ତ୍ର ଦେଇଛୁ ପୁଣି ବାଛି ବାଛି ଲୋକ,
ତମ ନାଶି ସୃଜୁଛନ୍ତି ସେମାନେ ଆଲୋକ | ୮ |
ପଦାଙ୍କେ ତୋ ଫୁଟୁଅଛି ଶ୍ୱେତ ଶତଦଳ,
କୌମୁଦୀ ବୋଲିବା ତେଣୁ ନୋହୁଛି ସଫଳ | ୯ |
ଦରିଦ୍ରତା-ପଙ୍କ-ପୂର୍ଣ୍ଣ ମୋ' ଜୀବନ-ସର,
ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର | ୧୦ |
ଶରଦ ସଦୃଶ ତୋତେ କରି ଦରଶନ,
ହୋଇ ଯାଉଅଛି ସେ ତ ସ୍ୱତ ପରସନ୍ନ | ୧୧ |
ବିକଶିତ ହେଉଅଛି ହୃଦୟ-କମଳ,
ସତେ କି ପାଇଲା ଦେବି, ତୋ ପଦ-ସମ୍ବଳ? ୧୨ |
ପୟର-ସ୍ପରଶେ ପ୍ରାଣ ହେଲାଣି ମୋହିତ,
ଇଚ୍ଛାମତେ କର ଯାହା ବିଚାରୁ ବିହିତ | ୧୩ |
ବାଲମୀକି ଆଶ୍ରମକୁ ଧାଇଁଅଛି ମନ,
କରିବାକୁ ନିର୍ବାସିତା ସୀତାକୁ ଦର୍ଶନ | ୧୪ |
କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟ ସୀବନ ?
କାହା ସଙ୍ଗେ କେମନ୍ତେ ବା ଯାପିଲେ ଜୀବନ? ୧୫ |
କୃପା ବହି କୃପାମୟୀ, ଶକ୍ତି ଦାନ କର,
ପବିତ୍ର ହେଉ ମୋ ମନ ଦେଖି, ଲେଖି କର | ୧୬ |
ବହୁଅଛି ଭାଗୀରଥୀ ବିପିନ ଭିତରେ,
ତଡ଼ି ତାଡ଼ି ତରଙ୍ଗ ତା ପଶ୍ଚିମ ତଟରେ | ୧୭ |
ବନ-ଦୃଶ୍ୟ ଦେଖିବାକୁ ହୋଇ ଅଗ୍ରସର,
ବିକଳ ଜୀବନେ ଯେହ୍ନେ ଚାଲୁଛି ପୟର | ୧୮ |
ସେହି କୁଳେ ବଇଦେହୀ ଗାଢ଼ ମନୋଦୁଃଖେ,
ଉଭା ହୋଇ ଚାହୁଁ ଥିଲେ ପୂର୍ବ-ଅଭିମୁଖେ | ୧୯ |
ଅବିରଳ ବହି ତାଙ୍କ ନେତ୍ର-ନୀର-ଝର,
ଅବିରତ ପଡୁଥିଲା ବକ୍ଷର ଉପର | ୨୦ |
ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାବି ଦିଏ ଅଜସ୍ର-ଆସାରେ | ୨୧ |
କରୀନ୍ଦ୍ର-କର-ଶୀକର ସରସୀ-ଉରସେ,
ପଡ଼ି ସିକ୍ତକରେ କରେ ପ୍ରଦୋଷ-ସାରସେ | ୨୨ |
"ହା ନାଥ" ଉଚ୍ଚାରି ଦେବୀ ବ୍ୟାକୁଳେ କୋମଳେ,
ଅବଶରେ ବସୁଁ ବସୁନ୍ଧରା ତଳେ | ୨୩ |
ସଂଜ୍ଞାବିରହିତ ହୋଇ ପଡ଼ିଲେ ଉତ୍ତାନେ,
ନ ଥିଲେ ଧରିବା ପାଇଁ କେହି ସନ୍ନିଧାନେ | ୨୪ |
ଶତ ଶତ ସେବିକା ଯା ସେବୁଥିଲେ ପଦ,
ଜଣେ ନ ଦେଖିଲେ ତାଙ୍କ ଦାରୁଣ ଆପଦ | ୨୫ |
ଆହେ! ନିୟତିର ଏହି ଭୟଙ୍କର ରୀତି,
ଦେଖିଲେ କାହାର ହୃଦେ ନ ଆସିବ ଭୀତି ? ୨୬ |
ତା ଚାହିଁ ବିହଙ୍ଗ-ମୁଖେ କାନ୍ଦିଲା ସେ ବନ,
ବହିଲା ନିଃଶ୍ୱାସ ରୂପେ ସର ସର ସ୍ୱର;
କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର | ୨୮ |
ଏଦିଗେ ସେ ଦିଗେ ଚାହିଁ ଚକିତ-ଲୋଚନେ,
ମୃଗମାନେ ରହିଗଲେ ବିଚଳିତ ମନେ |୨୯ |
ଜନନୀ-ରୋଦନ ଚାହିଁ ନ ବୁଝି ତା ମାନେ,
ବ୍ୟସ୍ତ ଯଥା ହୋଇଥାନ୍ତି ତା ସନ୍ତାନମାନେ | ୩୦ |
କରିବାକୁ ନିୟତିର ସହିତ ସମର,
ତୃଣରାଜ ଖଡ଼ଗ‌-କରେ ଗର୍ଜିଲା ପ୍ରଖର | ୩୧ |
ବାୟାବସା ତୂଣୀରକୁ ଝାଡ଼ି ବାରମ୍ବାର,
ପତ୍ର-କଙ୍କପତ୍ର କଲା କି ଅବା ବାହାର | ୩୨ |
କମ୍ପିତ ସରିତ-ବୀର-ଉତଥିତ ଶୀକର,
ପଡ଼ିଲା ପୁଳିନେ ତେଜି ତରଙ୍ଗ ଶିଖର | ୩୩ |
ଭରି କି ସୀସକ-ଗୁଳି ତରଙ୍ଗର ତୋପେ
ନିୟତିକି ଭାଗୀରଥୀ ପ୍ରହରିଲା କୋପେ ? ୩୪ |
କମଳ ସକଳ ହୋଇ ବିଚଳିତ ସରେ,
ପଦ୍ମ-ବ୍ୟୂହ ରଚି ଯୁଦ୍ଧ କଲେ ଅଳି ସରେ | ୩୫ |
ବନଫୁଲେ ବୃନ୍ତ ତେଜି ଭୂମିତଳେ ପଡ଼ି,
ଧୂଳି ମାଖି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି | ୩୬ |
ଲତା ଲୂତା-ତନ୍ତୁ-ରୂପ ନିୟତି-ବନ୍ଧନ
ଛିନ୍ନ କରି କ୍ରୋଧଭରେ କଲା ଆସ୍ଫାଳନ | ୩୭ |
ବ୍ୟାହତ ହୃଦୟ ଶୀର୍ଣ୍ଣ ଶରୀର ବାଦଲ,
ଦଉଡ଼ି ଆସିଲା କୋପେ ଘେନି ଦଳବଳ | ୩୮ |
ଚକ୍ଷୁ ଚମକାଇ, କରି ଗଭୀର ଗର୍ଜ୍ଜନ,
ଦେଖାଇଲା ନିୟତିର ଉପରେ ତର୍ଜନ | ୩୯ |
ସତୀ-ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି,
ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି | ୪୦ |
ସାଧ୍ୱୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ,
ଲଜ୍ଜାଭରେ ଭାନୁ ଦେଲେ ବଦନ ଲୁଚାଇ | ୪୧ |
ଦିଗବଧୁସକଳ ବସି ବିଷର୍ଣ୍ଣ ବଦନେ
ନଭ ବିକମ୍ପିତ କଲେ ସ୍ତନିତ ରୋଦନେ | ୪୨ |
ସଂଜ୍ଞା ଲଭି ମହାଦେବୀ କେତେକାଳ ପରେ
ଅନାଇଲେ ଦଶ ଦିଶ ନିରାଶେ କାତରେ | ୪୩ |
ଦିଶିଲା ସକଳ ଦିଗ ରାମଚନ୍ଦ୍ରମୟ |
ବସିଛନ୍ତି ପ୍ରଭୁ ହୋଇ ବିଷର୍ଣ୍ଣ ହୃଦୟ | ୪୪ |
ଯୁଗକରେ ଆଗେ ଉଭା ସୁଧୀର ଲକ୍ଷ୍ମଣ,
ହୋଇଛି ଦୁହିଁଙ୍କ ନେତ୍ର ଲୋତକଝରଣ | ୪୫ |
ନ ପାରନ୍ତି ପୁଚ୍ଛି ରାମ ସୀତାର ଖବର,
କହିବାକୁ ବାକ୍ୟ ସ୍ଫୁରୁ ନାହିଁ ଲକ୍ଷ୍ମଣର | ୪୬ |
ରବି କି ଚାହାନ୍ତେ, ରବି କୋଳେ ରଘୁନାଥ
ନତମୁଖେ ବସିଛନ୍ତି ଶିରେ ଦେଇ ହାତ | ୪୭ |
ଦିଶିଲା ପଡ଼ନ୍ତେ ନେତ୍ର ଭାଗୀରଥି ପ୍ରତି,
ଚାଲିଛନ୍ତି ଭଗୀରଥ ପଛେ ରଘୁପତି | ୪୮ |
ଗଙ୍ଗାଧାର ସମ ରାମନେତ୍ର-ଜଳ-ରାଶି,
ତହିଁ ଯାନ୍ତି ରାମ ଥରେ ମଜ୍ଜି, ଥରେ ଭାସି, ୪୯ |
ଫେରାଇ ତହିଁରୁ ସତୀ ଗର୍ଭେ ଦେଇ ଦୃଷ୍ଟି
ଅନର୍ଗଳ ଧାରେ ନିଜେ କଲେ ଅଶ୍ରୁ ବୃଷ୍ଟି | ୫୦ |
ଶ୍ୟାମଦୂର୍ବା ଚାହିଁ ସୀତା ହୋଇ ସଙ୍କୁଚିତ
ପାଷାଣକୁ ଯିବାପାଇଁ ବଳାଇଲେ ଚିତ୍ତ | ୫୧ |
ନ ଗଲେ ତେଣିକି ମଧ୍ୟ ମନରେ କି ଭାଳି;
ନ ପାରିଲେ ରୋଦନର ଆବେଗ ସମ୍ଭାଳି | ୫୨ |
ଆରତ ବିକଳ ସ୍ୱରେ ବିଦଗ୍‌ଧ ଲପନେ
ବନ ସ୍ତବ୍ଧ କରିଦେନେ ଘୋର ବିଳପନେ | ୫୩ |
ବୋଲୁଥାନ୍ତି ସେ ଦୁଃଖିନୀ, "ହା ହା ପ୍ରାଣେଶ୍ୱର !
କରୁଣା-ସରିତ-ପତି, ସ୍ନେହ ଜଳଧର, ୫୪ |
କି କୁଲଗ୍ନେ ଧରିଥିଲ ଅଭାଗିନୀ କର |
ତା ଲାଗି ଆଳୟ ହେଲୀ ଦାରୁଣ ଦୁଃଖର | ୫୫ |
ନ ଜାଣି ମୁଁ ପ୍ରଭୁଙ୍କର ପ୍ରଭୂତ ମହିମା,
ଧନୁଟିଏ ରଖିଥିଲି ଆବରି ଗରିମା | ୫୬ |
ଭାଙ୍ଗିଦେଇ ସେ ଧନୁକୁ ଇକ୍ଷୁ-ଦଣ୍ଡପରି,
ତା'ରସ-ମାଧୁର୍ଯ୍ୟ ମୋତେ ଥିଲ ମନେ କରି | ୫୭ |
କାନନ ଭ୍ରମଣେ ପଦ-ଶୃଙ୍ଖଳ ନ ମଣି,
ସ୍ନେହେ ସଙ୍ଗେ ନେଲ ମୋତେ ବୀର ଚୂଡ଼ାମଣି | ୫୮ |
ପଦ ଶାଙ୍କୁଳିକୁ କରି ହୃଦୟର ହାର,
କଲ ପୁଣ୍ୟ-ତୀର୍ଥ ପୁଣ୍ୟ-ଆଶ୍ରମ ବିହାର | ୫୯ |
କେତେ ସ୍ନେହ ଢାଳୁଥିଲ ମୋ ଉପରେ ବନେ,
କେମନ୍ତେ ଭୁଲିବି ତାହା ଭେଦିଛି ଜୀବନେ | ୬୦ |
ଛାର ଦାସୀ ହେବ ବୋଲି କ୍ଷୁଧାରେ ଆକୁଳ;
ଗହନେ ସହଳେ ଆଣୁଥିଲ ଫଳମୂଳ | ୬୧ |
ପଲ୍ଲବ-ଆସନେ ସୁପ୍ତି ହେବନାହିଁ ବୋଲି,
ଅଙ୍କ-ପଲଙ୍କେ ତାପାଇଁ ସାଜୁଥିଲ ଦୋଳି | ୬୨ |
ଛାର ମୋହ ସ୍ନେହେ ପଡ଼ି ଲଙ୍ଘି ମହାର୍ଣ୍ଣବ
ଦଶବଦନର ସଙ୍ଗେ କଲ ମାହାହବ | ୬୩ |
ସହିଲ ତହିଁରେ କେତେ ମହାସ୍ତ୍ର-ପ୍ରହାର,
ମଣୁଥିଲ ତା' କ୍ଷତକୁ ହୃଦୟର ହାର | ୬୪ |
ସେ ହାର-ପଦକ ପାଇଁ ଉପଯୁକ୍ତ ମଣି |
ମୋତେ ରଖୁଥିଲ ତହିଁ କରି ମଧ୍ୟ-ମଣି | ୬୫ |
କ୍ଷତ-ଚିହ୍ନ-ଚାହିଁ ମୋର କ୍ଷୋଭ ହେଲେ ମନେ,
ତୋଷୁଥିନ ସଦା ସୁଧା-ପୂରିତ ବଚନେ | ୬୬ |
ବୋଲୁଥିଲ, 'ରଣଯଜ୍ଞେ ଦେଇ ରକ୍ତାହୁତି
ଲଭିଅଛି ପରା ତୋତେ ଦୁର୍ଲଭ ବିଭୂତି !' ୬୭ |
ମେଣ୍ଟିନାହିଁ ଅଦ୍ୟାପି ସେ ଶର-ମୁଖ-ଚିହ୍ନ,
ମୁହିଁ ଅଭାଗିନୀ ହାୟ ହୋଇଗଲି ଭିନ୍ନ ! ୬୮ |
ମୋ ସ୍ମୃତି ମେଣ୍ଟାଇ ଦେବ ହୃଦୟ-ଫଳକେ,
ତା' ନ କଲେ ଦୁଃଖ ହେବ ପଲକେ ପଲକେ | ୬୯ |
ମୁଁ କି ଛାର, ହେଉ ତୁମ ପ୍ରକୃତି-ରଞ୍ଜନ,
ମୁଁ ମରେ, ତୁମ୍ଭର ହେଉ କଳଙ୍କ-ଭଞ୍ଜନ | ୭୦ |
ଏଥିରୁ ଜନ୍ମିବ ଯେଉଁ ଅକ୍ଷୟ କୀରତି,
ହୃଦେ ରଖ ଗଢ଼ି ତାର ଅଲୟ ମୂରତି | ୭୧ |
ବଂଶର ଜନକ ତୁମ୍ଭ ଏହି ଦିବାକର,
ଭୁବନ-ମଙ୍ଗଳ ଦାନେ ସଦା ମୁକ୍ତକର | ୭୨ |
ଧରା-ଧାତ୍ରୀ-ସ୍ୱରୂପିଣୀ ଏହି ଭାଗୀରଥୀ;
ତୁମ୍ଭରି ବଂଶର ଚିର-ବିଖ୍ୟାତ କୀରତି | ୭୩ |
କୀର୍ତ୍ତି ଅନୁରୋଧେ ସିନା କଲ ମୋତେ ତ୍ୟାଗ,
ଏ ତୁମ୍ଭର ଉପଯୁକ୍ତ କର୍ମ ମହାଭାଗ | ୭୪ |
ଏହି କୀର୍ତ୍ତି-ପତାକାରେ ପାପିନୀର ଚିତ୍ର,
ରହିଯିବ, ଏହା କିନ୍ତୁ ବିଷମ ବିଚିତ୍ର | ୭୫ |
ଧିକ ମୋ ଜୀବନ, ନାଥ ! ଏକା ମୋହ ଲାଗି,
ଅକଳଙ୍କ ଥାଇ ହେଲ ଅପଯଶଭାଗୀ | ୭୬ |
ତୁମ ଶ୍ରୀଚରଣ ତେଜି କାହିଁରେ ରହିବି ?
ଅନଳ ନ ଦହେ ତନୁ, କାହିଁରେ ଦହିବି ? ୭୭ |
ତୁମ୍ଭ କାନ୍ତି ଧରିଛନ୍ତି ଏହି ଦୂର୍ବାଚୟ;
ତାଙ୍କୁ ଚାଡ଼ି ବନେ ନେବି କାହାର ଆଶ୍ରୟ ? ୭୮ |
ପାଷାଣେ ଫଳିତ ହୁଏ ତୁମ୍ଭ ଅନୁଗ୍ରହ;
ମୋତେ ଘେନି କାହିଁକି ସେ ଲଭିବେ ନିଗ୍ରହ ? ୭୯ |
ଗର୍ଭେ ମୋର ଥୋଇଅଛ ଯେ ରତ୍ନନିଧାନ,
ନ କହିଲ ତା' ରକ୍ଷଣେ କି ପ୍ରତିବିଧାନ | ୮୦ |
ଦୃଢ଼ ଆଶା ଥିଲା ମୋର ହୃଦୟେ ପୋଷିତ,
ପ୍ରଭୁକୋଳ କରିଥାନ୍ତି ଏ ରତ୍ନେ ଭୂଷିତ | ୮୧ |
ଆକାଶ-କୁସୁମ ହେଲା ଆଶା-ପରିଣାମ,
ଧନ୍ୟରେ ଦଇବ ତୋତେ ସହସ୍ର ପ୍ରଣାମ | ୮୨ |
ପିତା ଯାର ମହାରାଜ ମହୀ-ମହାଯଶା,
କି କରିବୁ ବିଧି ତାଙ୍କ କୁମରର ଦଶା ! ୮୩ |
ଗିରି-ଅଙ୍ଗେ ହୁଏ ସିନା ବଜ୍ରର ପ୍ରହାର,
ହା ହା ତହିଁ ସଙ୍ଗେ ଗିରିବାସୀର ସଂହାର | ୮୪ |
ଧନ୍ୟ ନାଥ, ମୁଖ ତୁମ୍ଭ ପୀୟୁଷ-ନିର୍ଝର,
ହୃଦୟାଦ୍ରି ସୁଧା ହିମ ଶିଳାର ଆକାର | ୮୫ |
ହେଲେ ହେଁ ସେ ହୃଦୟରେ ସନ୍ତାପ ପତିତ,
ଅନ୍ୟ ନ ବାହାରେ ମୁଖେ ଅମୃତ ବ୍ୟତୀତ | ୮୬ |
ସହସା ଶୁଣିଲ ମୋର ଅପବାଦ କଥା,
ଅବଶ୍ୟ ହୃଦୟେ ଲାଗିଥିବ ମହାବ୍ୟଥା | ୮୭ |
ତଥାପି ନ କହି ପଦେ ନିଦାରୁଣ ଭାଷା,
ତ୍ୟାଗକଲ ଦେଇ ମୋତେ ମଧୁମୟୀ ଆଶା | ୮୮ |
ମୋ ଅର୍ଜିତ ପାପ ମୋର ଦୁଃଖର କାରଣ,
ସେହି ପାପ ଏବେ ମୋର ହେଉଛି ସ୍ମରଣ | ୮୯ |
ମହିମାସାଗର ନାଥେ ମଣି ମୁଁ ଇତର,
ତ୍ରାହିରେ ଲକ୍ଷଣ ରାବ ମଣିଲି ତାଙ୍କର | ୯୦ |
ନୀଚ ମନେ ଲକ୍ଷ୍ମଣଙ୍କୁ କରି ନୀଚ ଜ୍ଞାନ,
ବଳାତ୍କାରେ ପଠାଇଲି ପ୍ରଭୁ ସନ୍ନିଧାନ | ୯୧ |
ସେହି ପାପେ ସେ ନାଥଙ୍କ ମହିମା ବର୍ଦ୍ଧନ,
ଲାଗି ହେଲା ପାପିନୀର ଚିର ବିସର୍ଜନ ! ୯୨ |
ଦୋଷହୀନ ଲକ୍ଷ୍ମଣଙ୍କୁ ଯେଉଁ ତିରସ୍କାର,
ଦେଇଥିଲି, ପାଇଲି ତା ଯୋଗ୍ୟ ପୁରସ୍କାର | ୯୩ |
ଲକ୍ଷ୍ମଣଙ୍କୁ କରିବାକୁ ମୋ ନିକଟୁ ଦୂର,
ହୃଦେ ତାଙ୍କ ମାରିଥିଲି ବଚନ-ଭିଦୁର | ୯୪ |
ଭକ୍ତି ଭରେ ସେ ଲକ୍ଷ୍ମଣ ପଡ଼ି ମୋ ଚରଣେ,
ଦୂର କରିଦେଲେ ମୋତେ ବିନୟ ବଚନେ | ୯୫ |
ଛିନ୍ନ ଶିରଟିଏ ଆଣି ପାପୀ ଦଶାନନ,
ମୋ ପାପ ନୟନ ଅଗ୍ରେ କଲା ପ୍ରଦର୍ଶନ | ୯୬ |
ସ୍ୱମୀଙ୍କର ଛିନ୍ନ ଶିର ବୋଲି ମୁଁ ଅଧୀରେ,
କାନ୍ଦିଲି ବିକଳ ପ୍ରାଣେ ଭାସି ନେତ୍ରନୀରେ | ୯୭ |
ସେ ଶିର ଅନାଇ ଯାହା ନ ମରି ବହନ,
ସେ ପାପେ ହେଲି ଏବେ ଜୀବନ୍ତ ଦହନ | ୯୮ |
ତୁମ୍ଭ ପଦ-ସେବା-ସୁଖ ମଣି ମୁଁ ଉଶ୍ୱାସ,
ଆଶ୍ରମ-ଦର୍ଶନ ସୁଖ କଲି ଅଭିଳାଷ | ୯୯ |
ସେହି ପାପ ଶ୍ରୀଛାମୁରୁ କରାଇ ଅନ୍ତର,
ବୋଲୁଛି 'ପାପିନୀ', ଯାହା ଇଚ୍ଛା ତାହା କର | ୧୦୦ |
ଅଯୋଧ୍ୟାର ରାଜଲକ୍ଷ୍ମୀ-ପୀରତିରେ ବଶ,
ନହୋଇ ମୋ ସଙ୍ଗେ ଥିଲ ବହୁତ ଦିବସ | ୧୦୧ |
ଅସୂୟାରେ ରାଜଲକ୍ଷ୍ମୀ ଲୋଡୁଥିଲା ଦାଉ,
ବହୁଦିନ ସମ୍ଭାଳି ତା' ନ ପାରିଲା ଆଉ | ୧୦୨ |
ତା' ଦୁଃଖର ସଙ୍ଗୀ ଥିଲେ ଯେଉଁ ପୁରଜନେ,
ତାଙ୍କୁ ହେତୁ କରାଇଲା ମୋର ବିସର୍ଜନେ | ୧୦୩ |
ଅଯୋଧ୍ୟାରେ ସପତ୍ନୀର ଶକ୍ତି ଗରୀୟସୀ,
ନ ପାରଇ ତାକୁ ପତି-ଶକ୍ତି ମହୀୟସୀ | ୧୦୪ |
କୈକେୟୀଙ୍କ ପରାକ୍ରମ ଫଳିବାର ଶେଷେ,
ରାଜଲକ୍ଷ୍ମୀ ବଳ ଉଭା ହେଲା ସେହି ଦେଶେ | ୧୦୫ |
"ପ୍ରକୃତି-ରଞ୍ଜନେ ଯେବେ ହୁଏ ପ୍ରୟୋଜନ,
କରିପାରେଁ ପ୍ରାଣସମା ସୀତା ବିସର୍ଜନ" | ୧୦୬ |
ଅଷ୍ଟାବକ୍ର ମୁନି ଆଗେ ଯାହା ଭାଷିଥିଲ,
ସୁରୁ ଥିବ ସେ ପ୍ରତିଜ୍ଞା ନ କରି ଶିଥିଳ | ୧୦୭ |
ପିତୃ-ବାକ୍ୟ ପାଳନରେ ତୁମ୍ଭେ ଅବିମୁଖ,
ପତିବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ, | ୧୦୮ |
ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ,
ମୁଁ ହେବି, ଏକଥା ନିଶ୍ଚେ ବୁଝିବ ମୋ ମନ | ୧୦୯ |
ପରଜାରଞ୍ଜନ ବ୍ରତେ ଅଟ ତୁମ୍ଭେ ବ୍ରତୀ,
ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି | ୧୧୦ |
ହେଉ ମୋର ନିର୍ବାସନ ପ୍ରକୃତିର ତୋଷ,
ପ୍ରଭୁଙ୍କର ବ୍ରତ ହେଉ ସଂପୂର୍ଣ୍ଣ ନିର୍ଦ୍ଦୋଷ" | ୧୧୧|
ସତୀଙ୍କ ରୋଦନେ ଗତି ସମ୍ଭିଲା ବାତର,
ଜଳ ସ୍ଥଳ ଘେନି ହେଲେ ନିସର୍ଗ କାତର | ୧୧୨ |
ସ୍ତମ୍ଭିଗଲା ଜାହ୍ନବୀର ତରଙ୍ଗଆବଳୀ,
ବନ୍ଦ ହୋଇଗଲା ବନେ ବିହଙ୍ଗ କାକଳି | ୧୧୩ |
ନ ହଲିଲା ପାଦପର ଗୋଟିଏ ପତର,
ନ ଚଳିଲା ଲୀଳା-ଶିଳା-ବଲ୍ଲୀ-କଳେବର | ୧୧୪ |
ଡାଳେ ଡାଳେ ବସି ପକ୍ଷୀ ପାତିଲେ ଶ୍ରବଣ,
ତାଳେ ତାଳେ ପ୍ରାଣେ ଭରି ଶୋକ-ପ୍ରସ୍ରବଣ | ୧୧୫ |
ମୃଗଶିଶୁ ଜନନୀର ସ୍ତନ ମୁଖେ ଧରି,
ନିଶ୍ଚଳେ ରହିଲା କ୍ଷୀର ଶୋଷଣ ନ କରି | ୧୧୬ |
ମୁଖ-ଦର୍ଭ ମୁଖେ ଧରି ମୃଗମୃଗୀମାନେ,
ଗ୍ରୀବା ଭାଙ୍ଗି ରହିଗଲେ ଶୋକ-ଧ୍ୱନି-ଧ୍ୟାନେ | ୧୧୭ |
ମୟୂର-ମୟୁରୀଗଣ ଶାବକ ସହିତ,
ଚିତ୍ରିତ ପରାୟେ ହେଲେ ଚାପଲ୍ୟରହିତ | ୧୧୮ |
କରଭ କରିଣୀ କରୀ ହୋଇ ଡିତ୍‌ଥ ପରି,
ପଥେ ରହିଗଲେ ଗଙ୍ଗା-ଗମନ ବିସ୍ମରି | ୧୧୯ |