ତପସ୍ଵିନୀ/ଷଷ୍ଠ ସର୍ଗ

ଉଇକିପାଠାଗାର ରୁ
Jump to navigation Jump to search
ତପସ୍ୱିନୀ ଲେଖକ/କବି: ଗଙ୍ଗାଧର ମେହେର
ଷଷ୍ଠ ସର୍ଗ

[ ଚତୁର୍ଦ୍ଦଶାକ୍ଷର ଛନ୍ଦ ]

ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ,
ବିକଶିତ ହେଲା ନବ-ମାଳିକା ଗହନେ | ୧ |
ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ,
ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ | ୨ |
ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ-
ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ | ୩ |
ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,
ଆଲିଙ୍ଗୀ ସ୍ୱଚ୍ଛନ୍ଦେ କରୁଥିଲା ବିଚରଣ | ୪ |
ଜାନକୀ କୁଟୀର ପାଶେ ବିବିଧ ଆକାରେ
ଖଣ୍ଡ ଖଣ୍ଡ ଚନ୍ଦ୍ରକର ପାଦପ-ଛାୟାରେ | ୫ |
ଧୀରେ ଧୀରେ ପୂର୍ବଦିଗେ ହୋଇ ଅଗ୍ରସର
ହ୍ରାସ, ବୃଦ୍ଧି, ଲୋପ କରୁଥିଲେ କଳେବର | ୬ |
କୁଟୀରୁଁ ଅଳପ ଦୂରେ ଶୀତଭାନୁ-କରେ
ବସିଥାନ୍ତି ବଇଦେହୀ ସଜନୀ ସଙ୍ଗରେ | ୭ |
ସତୀ ପାଶେ ଦିଶୁଥିଲା ସୁଧାଂଶୁ କିରଣ
ସତୀ ଅଙ୍ଗୁ ହେଉଅଛି ଯେହ୍ନେ ବିକିରଣ | ୮ |
ଖଦ୍ୟୋତ ଦିଓଟି ଆଶ୍ରି ଗୋଟିଏ ପତର
କାନ୍ତି କରୁଥାନ୍ତି ଚନ୍ଦ୍ରଠାରୁ ମଞ୍ଜୁତର | ୯ |
ଚାହିଁ ତାଙ୍କୁ ବୋଲୁଥାନ୍ତି ସତି ମନେ ମନେ,
"ଧନ୍ୟରେ ଖଦ୍ୟୋତେ ! ତୁମ୍ଭେ ପତଙ୍ଗଜୀବନେ | ୧୦ |
ଅଛନ୍ତି ଜଗତେ ଜୀବ ତୁମ୍ଭଠାରୁ ବଳି,
ଅଛିକିରେ ଆଉ କାହା କାନ୍ତି ତୁମ୍ଭ ଭଳି | ୧୧ |
ବଡ଼ ଭାଗ୍ୟେ ପାଇଥିଲ ବିଶ୍ୱପତି-ବର,
ତେଣୁ ତୁମ୍ଭ ଦ୍ୟୁତି ଲୋକ-ନେତ୍ର-ପ୍ରୀତିକର |" ୧୨ |
ଏ ସମୟେ ଶ୍ରୁତ ହେଲା ଚକ୍ରବାକ ସ୍ୱନ,
ମୁହୁର୍ମୁହୁଃ ହେଉଅଛି କରୁଣବର୍ଷଣ | ୧୩ |
କରୁଣା-ସଲିଳ ସତୀ-ନୟନ-ସରିତ-
କପୋଳ କୂଳକୁ ବଳେ ହେଲା ପ୍ରସାରିତ | ୧୪ |
ଚଞ୍ଚଳେ ଜାନକୀ କରି ସଖୀକି ଗୋପନ,
ଅଞ୍ଚଳେ ଘରମ ଛଳେ ପୋଛିଲେ ଲପନ | ୧୫ |
ଜାଣି ସଖୀ ପଚାରିଲା, "କହ ତ ସୁଶୀଳେ,
କିମ୍ପା ଚକ୍ରବାକ ରାବେ ରଜନୀ ଆସିଲେ ? ୧୬ |
ଥାନ୍ତି କି ଏ ବିହଙ୍ଗମ ନଗର ଭିତରେ ?
ଭବନ୍ତି କି ତହିଁ ମଧ୍ୟରାତ୍ରିରେ କାତରେ | ୧୭ |
ରାବନ୍ତି ଯଦ୍ୟପି ତାହା ନାଗରିକ ଜନେ;
ଆକର୍ଣ୍ଣନ କରି କିସ ଭାବିଥାନ୍ତି ମନେ ?" | ୧୮ |
ଶୁଣି ସତୀ ନ ପାରିଲେ ସମ୍ଭାଳି ଲୋତକ,
କଣ୍ଠସ୍ୱର ହେଲା ତହିଁ ବଚନ-ରୋଧକ | ୧୯ |
ତା' ଚାହିଁ କହିଲା ସଖୀ, "ଛାଡ଼ ସେହି କଥା,
ଚାପଲ୍ୟ ମୋ କ୍ଷମା କର, ବୃଥା ଦେଲି ବ୍ୟଥା |" ୨୦ |
ବୋଇଲା ଜାନକୀ, "ସଖି, ଆତ୍ମପରିଚୟ
ନ ଦେଇ ପରାଣ ମୋର ହେଉଛି ଅଥୟ | ୨୧ |
ଭରସା କରିଛିଁ, ମୋର ଅନ୍ତିମ ଜୀବନ,
ତୁମ୍ଭ ସହକାରେ ଏଥି କରିବି ଯାପନ | ୨୨ |
ନ କହିବି ନିଜ କଥା ଯଦି ତୁମ୍ଭ ପାଶ,
କରିବ କିରୂପେ ତୁମ୍ଭ ମୋ ପ୍ରତି ବିଶ୍ୱାସ ? ୨୩ |
କହିଦେଲେ ଲଘୁ ହେବ ମୋର ଦୁଃଖଭାର,
ବୁଝିବ ତହିଁରେ ତୁମ୍ଭେ କିପରି ସଂସାର | ୨୪ |
ମୁଁ ରାଜନନ୍ଦିନୀ ସଖି, ସମ୍ପଦର ଦୋଲେ
ବଢ଼ିଲି ରାଜେନ୍ଦ୍ର-ପରେ-ମଧୁମୟ କୋଳେ | ୨୫ |
ମରାଳ ମୟୂର ପିକ ଶୁକ ଶାରୀ ସ୍ୱର-
କରୁଥାଏ ରାଜପୁର ମଦୁର ମୁଖର | ୨୬ |
ରାବିଥାଏ ଚକ୍ରବାକ ରଜନୀ ସମୟେ,
ନୋହୁଥିଲା ଦୁଃଖ ତହିଁ ମୋ ବାଲ୍ୟ-ହୃଦୟେ | ୨୭ |
ଶୈଶବାନ୍ତେ ହେଲା ସଖୀ, ଯେବେ ମୋ ଯୌବନ
ଦେଖିଲି ଆସିଲେ ଦେଶୁଁ ଦେଶୁଁ ରାଜାଗଣ | ୨୮ |
ରତ୍ନମୟ ଧନୁଟିଏ ଜନକ ମୋହର
ରଖିଥାନ୍ତି, ଦିଶୁଥାଏ ଅତି ମନୋହର | ୨୯ |
ଜଣେ ଜଣେ ହୋଇ ଧନୁ ଧରି ନୃମଗଣ
ଟାଣି ଥରେ କରୁଥାନ୍ତି ଆସନ ଗ୍ରହଣ | ୩୦ |
ରତନ-କିରୀଟେ ଢାଙ୍କି ଧବଳ କୁନ୍ତଳ
କେତେ ନରପତି ତହିଁ ଦେଖାଇଲେ ବଳ | ୩୧ |
କେତେ ବା ଯୁବକ ନୃପ-କିଶୋର-କେଶରୀ
ଠାଣି ଧରି ଧନୁ ଛୁଇଁଗଲେ ଅପସରି | ୩୨ |
ସଦର୍ପ ଗମନ ତାଙ୍କ ନିଷ୍ଫଳ ସାହସ
ଚାହିଁ ସଖି, ସେତେବେଳେ ମାଡ଼ୁଥାଏ ହସ | ୩୩ |
ପ୍ରସାଦ ଉପରେ ରହି ବହି କୁତୂହଳ
ସଖୀଙ୍କ ସହିତ ଦେଖୁଥାଏଁ ସେ ସକଳ | ୩୪ |
ଶେଷେ ଜଣେ କ୍ଷତ୍ରି କୁଳ-ଚୂଳ ଆଭରଣ
ମରକତ-ବର-କାନ୍ତି-ଗଞ୍ଜନ-ବରଣ | ୩୫ |
ଧନୁ ସନ୍ନିଧାନେ ଆସି ହେଲେ ଶୋଭାକର
ସତେ ଯେହ୍ନେ ରାଜପୁତ୍ର ରୂପେ ଦିବାକର | ୩୬ |
ଚାହିଁ ତାଙ୍କୁ ହୃଦ ମୋର ସ୍ୱତଃ ହେଲା ଦ୍ରବ
ତାପସ,-ଜୀବନେ ନାହିଁ ସେହି ଅନୁଭବ | ୩୭ |
ନୃପବୃନ୍ଦେ କରିଥିଲି କେତେ ଉପହାସ,
ସବୁ ଚପଳତା ଜବେ ହୋଇଗଲା ହ୍ରାସ | ୩୮ |
ସେପରି ସୁନ୍ଦର ରୂପ ପାଇବ ନୟନ,
କେବେ ତ ସଜନି, ଭାବି ନ ଥିଲା ମୋ ମନ | ୩୯ |
ଭକ୍ତି-ପ୍ରୀତି-ସହିତ ମୋ ନିର୍ମଳ ହୃଦୟ
ବିନୟେ ବନ୍ଦିଲା ତାଙ୍କ ରଙ୍ଗ ପଦଦ୍ୱୟ | ୪୦ |
ଯେ ଭାଙ୍ଗିବ ଧନୁ ତାକୁ ମୋ କର ଅର୍ପଣ,
କରିବାକୁ ପିତା ମୋର କରିଥିଲେ ପଣ | ୪୧ |
ମୁଁ ଭାବିଲି, ସେହିଦିନ ପଣ ହେଲା ଶେଷ,
ତପସ୍ୱନୀ ହେବି ନେଇ ପିତାଙ୍କ ଆଦେଶ | ୪୨ |
କେ ଭାଙ୍ଗିବ ଧନୁ, ତାହା କି ଅଛି ନିଶ୍ଚୟ ?
ଏ ବୀରେନ୍ଦ୍ର ନେଲେଣି ମୋ ମନ କରି କ୍ରୟ | ୪୩ |
ମନ ଥିବ ଏକେ, ଅନ୍ୟ ହେବ ଯେବେ ପତି,
ଜୀବନେ ମରଣେ ହେବ ଭୀଷଣ ଦୁର୍ଗତି | ୪୪ |
କମନୀୟ କର ଯାର ପୁଷ୍ପଧନୁପାତ୍ର,
ଏ ଧନୁ ଧରିବା ତାଙ୍କ ଅପମାନ ମାତ୍ର | ୪୫ |
ମୋହ ଭାଗ୍ୟ ବଳେ ବୀର ସେ ଦୁର୍ଦ୍ଧର ଚାପ
ସଙ୍ଗେ ସଙ୍ଗେ ଭାଙ୍ଗି ଦେଲେ ମୋ ହୃଦ-ସନ୍ତାପ | ୪୬ |
ବୀରେନ୍ଦ୍ର ସହିତ ହେଲା ମୋର ପରିଣୟ,
ଧନ୍ୟ ହେଲି ଲଭି ତାଙ୍କ ସ୍ୱର୍ଗୀୟ ପ୍ରଣୟ | ୪୭ |
ଅନୁଜ ତ୍ରିତୟ ଥିଲେ ବୀରମଣିଙ୍କର,
ଧଇଲେ ମୋହର ତିନି ଭଗିନୀଙ୍କ କର | ୪୮ |
ପିତୃପୁରୁ ପତିପୁର ଗମନ ପଥରେ
ତେଜୋମୟ ଧନୁଟିଏ ପୁଣି କାନ୍ତକରେ | ୪୯ |
କ୍ଷତ୍ରିୟ କୁଳର କେତୁ ଭାର୍ଗବପ୍ରବର
ଅର୍ପିବାର ଦେଖି ମୋର ମନେ ହେଲା ଡର | ୫୦ |
ପୁଣି ବା ଲଭିବେ କାନ୍ତ ତେଜୋମୟୀ ନାରୀ,
ହେବ ଅବା ମୋହର ସେ ପ୍ରଣୟ-ଭଗାରି | ୫୧ |
ଚଢ଼ାନ୍ତେ ମୋ କାନ୍ତ ସେହି ଶରାସନେ ଶର,
ଭାର୍ଗବୀ ବୀରଶ୍ରୀ ତାଙ୍କୁ ବରିଲା ସତ୍ୱର | ୫୨ |
ପଦ୍ମିନୀର ପ୍ରତି ଯଥା ଦ୍ୟୁମଣି-ଦିଧିତି,
ସେ ବୀରଶ୍ରୀ ବଢ଼ାଇଲା ମୋ ହୃଦୟ-ପ୍ରୀତି | ୫୩ |
ଭାବିଥାଏ ମନ ଏକ, ଫଳ ହୁଏ ଆନ,
ବୁଝି ନୁହେଁ ସଖି, ଭବେ ବିଧିର ବିଧାନ | ୫୪ |
ତେଜୋମୟୀ ବୀର-ବାନା ଉଡ଼ାଇ ଗଗନେ
ବିଜେ କଲେ ବୀରବର ପ୍ରଫୁଲ୍ଲିତ ମନେ | ୫୫ |
ସମ୍ପଦର ବନ ମୋର ଶ୍ୱଶୁର-ନିଳୟ,
ପ୍ରବେଶନ୍ତେ ତହିଁ ଶୁଭ-ସମ୍ବାଦ-ମଳୟ; | ୫୬ |
ଶୋଭା-ବୃକ୍ଷେ ଫୁଟିଗଲା ଆନନ୍ଦ-ସୁମନ,
ପ୍ରଭାର ପଲ୍ଲବ ହରିନେଲା ଜନମନ | ୫୭ |
ନବ ପରିଣୀତ ବୀରଭ୍ରାତା ଚତୁଷ୍ଟୟ
ରତନ ଭୂଷଣଚୟେ ହେଇ ଦୀପ୍ତିମୟ | ୫୮ |
ତହିଁରୁ ଅଧିକେ ସାଜି ବଧୂଙ୍କର ବେଶ
ମହୋଲ୍ଲାସେ ହେଲେ ସେହି ଭବନେ ପ୍ରବେଶ | ୫୯ |
ବୃଦ୍ଧା ଏକ ଥିଲା ସଖି, ସେ ରାଜଭବନେ
ସେକାଳେ ହୋଇଲା ହର୍ଷବର୍ଷଣ ବଚନେ | ୬୦ |
ଋକ୍ଷରାଜି ବିଭ୍ରାଜିତ ଚୌଦିଗ-ଗଗନ
ମଣ୍ଡିଲେ ବିରାଜି ଆଜି ରାଜେନ୍ଦ୍ର ସଦନ | ୬୧ |
ଦେଖିଲି ମୋ ଭଗିନୀଙ୍କ ବଦନମଣ୍ଡଳ
ହୋଇଥିଲା ନବ ପ୍ରେମ-ମନ୍ଦାକ୍ଷେ ପାଟଳ | ୬୨ |
ଉପୁଜି ତହିଁରେ ନବ ଘର୍ଣକଣାଚୟ
ରତନ ଜ୍ୟୋତିରେ ହୋଇଗଲା ଜ୍ୟୋତିର୍ମୟ | ୬୩ |
ତୋ ସ୍ୱନ୍ନ ଲଲାଟେ ଆଜି ସୁଧାଂଶୁକିରଣ
ଦେଖି ସଖି, ହେଉଅଛି ସେକଥା ସ୍ମରଣ | ୬୪ |
ସ୍ୱର୍ଗର ସମ୍ପଦ ଯାହା କହିଥାନ୍ତି ଜନେ,
ଶ୍ରୁତି-ସତ୍ୟ ମଣି ତାକୁ ଲୋଭ ଦିଏ ମନେ | ୬୫ |
ସ୍ୱର୍ଗ ଲୋଭେ ରାଜା ତେଜି ରାଜସିଂହାସନ,
ତପ କରେ ବନେ କରି ଫଳମୂଳାଶନ | ୬୬ |
ମୁଁ ଯାହା ଦେଖିଲି ସଖି, ଶ୍ୱଶୁରଙ୍କ ଘରେ;
ଭାବିଲି ନ ଥିବ ତାହା ସୁରେନ୍ଦ୍ର-ନବରେ | ୬୭ |
ଶ୍ୱଶୁର ଶାଶୁଙ୍କ ସ୍ନେହ, ସ୍ୱାମୀଙ୍କ ପୀରତି
ତୁଚ୍ଛ ଜ୍ଞାନ କରାଇଲା ମୋତେ ସ୍ୱର୍ଗ ପ୍ରତି | ୬୮ |
କେତେ ହେଲା ନବ ନବ ମହୋତ୍ସବମାନ,
ଜଗତେ ତା ହୁଏ ବୋଲି ନ ଥିଲା ମୋ ଜ୍ଞାନ | ୬୯ |
ପତି-ପ୍ରୀତି-ରତ୍ନ ରାଜ-ଭବନ-ରତନ-
ଆଲୋକ ସୁଖରେ କଲି କାଳ କରତନ | ୭୦ |
ଶୁଣିବାକୁ ତହିଁ ଦୀନ ଚକ୍ରବାକ ସ୍ୱର
ଥିଲା ନାହିଁ ରାତ୍ର ଦିନେ ମୋତେ ଅବସର | ୭୧ |
ଚାଲିଗଲା ସେହିୁରୂପେ ଦ୍ୱାଦଶ ବତ୍ସର,
ବାରଦିନ ପରି ହେଲା ମୋ ମନେ ଗୋଚର | ୭୨ |
ଦିନେ କାନ୍ତ ଆସି ମୋତେ ବୋଇଲେ ସାହାସେ,
'ବାନ୍ଧବୀ, ରହିବା ଆଜି ରାତ୍ରି ଅଧିବାସେ | ୭୩ |
କରିବାର ଆଶେ ତେ ତେ ହୃଦ-ଆଭରଣ
ରାଜଲକ୍ଷ୍ମୀ କାଲି ମୋତେ କରିବେ ବରଣ |' | ୭୪ |
ମୁଁ ବୋଇଲି, 'ନାଥ, ତୁମ୍ଭ ଦିବ୍ୟ ଅନୁରାଗ
ପୂର୍ଣ୍ଣ ଥିଲା ମୋଠାରେ ଯା ନ ହେବ ତ ଭାଗ ? ୭୫ |
ସେ ବୋଇଲେ, 'ସ୍ୱଭାବିକ ହେଲେହେଁ ସେ କଥା
ସତୀ-ପଦେ ନତ ହୁଏ ରାଜଲକ୍ଷ୍ମୀ-ମଥା | ୭୬ |
ସାଗର-ସଲିଳ ଉଠି ଘନ ହୁଏ ନଭେ
ଲୋକହିତ ସାଧି ପଶେ ସାଗର-ଗରଭେ |' ୭୭ |
ମଙ୍ଗଳ ବିଧିରେ ସେହି ରାତ୍ରି ହେଲା ଶେଷ,
ମଙ୍ଗଳବାଜଣା ପ୍ରାତେ ଶୁଭିଲା ବିଶେଷ | ୭୮ |
ସଚିବ ସହିତ କାନ୍ତ ଗଲେ ପିତା ପାଶେ,
ଲେଉଟି ବୋଇଲେ ମୋତେ ଦୁଃଖ ଭରି ଭାଷେ | ୭୯ |
ଜୀବନସଙ୍ଗିନୀ ! ରଖି ତୋ ପାଶେ ଜୀବନ,
ପିତାଙ୍କ ଆଦେଶେ ଆଜି ଯାଉଅଛି ବନ | ୮୦ |
ଯୁବରାଜ ହେବେ ପ୍ରିୟ ଭାଇ ମୋ ଭରତ,
ରାଜଲକ୍ଷ୍ମୀ ହେଲେ ତାଙ୍କ ପ୍ରଣୟରେ ରତ | ୮୧ |
ନ ରଖି ମାନିନି, ନିଜ ଜ୍ୟେଷ୍ଠା ଅଭିମାନ
ଭରତେ କରିବୁ ରାଜ ମାନ୍ୟରେ ସମ୍ମାନ |' ୮୨ |
ଦେଖିଲି ମୁଁ ସ୍ୱମୀଙ୍କର ବଦନମଣ୍ଡଳ
ଦିଶୁଥିଲା ପୂର୍ବପରି ଶାନ୍ତିରେ ଉଜ୍ଜ୍ୱଳ | ୮୩ |
ହେଉଥାଏ ମନ ବନ-ଗମନେ ଚଞ୍ଚଳ,
କିନ୍ତୁ ଯେହ୍ନେ ମୋହ ପାଇଁ ହୃଦୟ ବିକଳ | ୮୪ |
ସ୍ୱମୀଙ୍କ ବଚନ ମଣିଥାନ୍ତି ପରିହାସ,
ଉଠିଗଲା ଚଉଦିଗେ ରୋଦନ ଉଚ୍ଛ୍ୱାସ | ୮୫ |
ହାହାକାର ରବେ ହେଲା ନବର କମ୍ପନ,
ବିସ୍ମୟେ ଭାବିଲି, ଏ କି ଅଦ୍ଭୁତ ସ୍ୱପନ | ୮୬ |
ଚକିତେ ବୋଇଲି, 'ନାଥ, ତୁମ୍ଭେ ଗଲେ ବନ
ରାଜପୁରେ ଏ ଦାସୀର କିସ ପ୍ରୟୋଜନ ? ୮୭ |
ହୋଇଥାନ୍ତି ରାଜରାଣୀ ହେବି ଭିକାରୁଣୀ
ଶ୍ରୀପଦ ସେବିବି ହେଇ କାନନ ଚାରିଣୀ | ୮୮ |
ଶ୍ରୀଚରଣେ ମତି ମୋର, ଶ୍ରୀଚରଣେ ଗତି,
ତୁମ୍ଭ ବିନା ନ ବାଞ୍ଛଇ ସ୍ୱରଗ-ସମ୍ପତ୍ତି | ୮୯ |
ତୁମ୍ଭ ପ୍ରିୟ ଅବରଜ ଯୁବରାଜ ହେବେ
ହସି ହସି ବନଗାମୀ ତୁମ୍ଭେ ହେବ ଯେବେ | ୯୦ |
ଯୁବରାଜ୍ଞୀ ହବ ମୋର ମାଣ୍ଡବୀ ଭଗିନୀ,
ମୁଁ କିମ୍ପା ନ ହେବି ତୁମ୍ଭ ପଦାଙ୍କଗାମିନୀ ? | ୯୧ |
ସେ ସୁଖ ବଞ୍ଚିତା ହେଲେ ନ ବଞ୍ଚିବ ସୀତା,
ପ୍ରଭୁପାଦ-ସେବା ବିନା ବିଶ୍ୱ ତାକୁ ପିତା | ୯୨ |
ଯା' କିଛି ବିଷାଦ ଥିଲା ସ୍ୱାମୀଙ୍କର ମନେ,
ଦୂର ହୋଇଗଲା ଜବେ ମୋର ସେ ବଚନେ | ୯୩ |
ପିତା ମାତା ଭ୍ରାତା ବନ୍ଧୁ ଭୃତ୍ୟ ପରିଜନ
ତେଜି କାନ୍ତ ମୋତେ ସଙ୍ଗେ ଘେନିଗଲେ ବନ | ୯୪ |
କେବଳ ଲକ୍ଷ୍ମଣ ନାମେ ଥିଲେ ମୋ ଦେବର
ହେଲେ ସ୍ୱାମୀଙ୍କର ବନବାସ ସହଚର | ୯୫ |
ଫିଙ୍ଗି ଦେଇ ରାଜସୁଖ ବିସ୍ମୃତିର ନଦେ
ଭ୍ରମିଲୁଁ ଗହନ ଗିରି ନବୀନ ଆନନ୍ଦେ | ୯୬ |
ସଖୀରୂପେ ପାଇ ବନେ ମୁନି କନ୍ୟାଗଣ
ତାଙ୍କ ସ୍ନେହ-ସୁଖ-ଜଳେ ହେଲି ନିମଗନ | ୯୭ |
ଅନେକ ଦିବସ ଥିଲୁଁ ପଞ୍ଚବଟୀ ବନେ,
ଗୋଦାବରୀ-ପୂତ-ତୀରେ ପ୍ରଫୁଲ୍ଲ ଜୀବନେ | ୯୮ |
ନିଶାନ୍ତେ ପବନ ବନ-ପୁଷ୍ପବାସ ହରି,
ମନ୍ଦ ମନ୍ଦ ଆସି ଦିଏ କୁଟୀରକୁ ଭରି | ୯୯ |
ଶ୍ରବଣ-କୁହରେ ଢାଳେ ମନୋରମ ସ୍ୱର
ରାଜ ବୈତାଳିକ ରୂପେ ଆସି ପିକବର | ୧୦୦ |
ମୟୂର ମୟୂରୀ ହୋଇ ନୃତ୍ୟ ପରାୟଣ
ମଣ୍ଡନ୍ତି ପ୍ରଭାତେ ମୋର କୁଟୀର ପ୍ରଙ୍ଗଣ | ୧୦୧ |
ଆସିଥାନ୍ତି କଉତୁକେ ମୃଗ ଶିଶୁଗଣ
କରିବାକୁ ମୋହ କରୁଁ ନୀବାର ଭକ୍ଷଣ | ୧୦୨ |
ଜନନୀର କୋଳ ତେଜି କଲଭ କଲଭୀ
ଖେଳନ୍ତି ମୋ ପାଶେ ମୋର କୁଁ ଖାଦ୍ୟ ଲଭି | ୧୦୩ |
ବିବିଧ କୁସୁମେ ଗୁନ୍ଥି ମନୋହର ହାର
ଦେଉଥାଏ କାନ୍ତ ଗଳେ ପ୍ରୀତି-ଉପହାର | ୧୦୪ |
କୌତୁକେ କୁସୁମେ କାନ୍ତ ମଣ୍ଡି ମୋର ବେଣୀ
ଭ୍ରମନ୍ତି କୁସୁମବନେ ସଙ୍ଗେ ମୋତେ ଘେନି | ୧୦୫ |
ବୋଲୁଥାନ୍ତି, 'ସଖି, ତୁ ମୋ' ପ୍ରଣୟ ପ୍ରତିମା,
ପ୍ରାଣର ସଙ୍ଗିନୀ ସ୍ୱର୍ଗ-ସୁଖର ଗାରିମା | ୧୦୬ |
ମୁଁ ବୋଲେଁ, 'ପ୍ରାଣେଶ, ତୁମ୍ଭ ପ୍ରେମ ଅଧିକାର
ସଙ୍ଗେ ନୁହେଁ ତୁଳନୀୟ ସ୍ୱର୍ଗ-ସୁଖ ଛାର' | ୧୦୭ |
ଦିନେ ଫୁଲେ ଚନ୍ଦ୍ରାତପ ଫଳମୟ ସ୍ତମ୍ଭ
ସିଂହାସନ ରଚି ଖଚି କୁସୁମ କଦମ୍ବ | ୧୦୮ |
ଫୁଲମୟ ଛତ୍ର କରି ଫୁଲର ଚାମର
ବିଚିତ୍ର ବ୍ୟଜନ ଫୁଲେ କରି ଶୋଭାକର | ୧୦୯ |
କେତକୀ ଦଳରେ କଲି କିରୀଟ ନିର୍ମାଣ
ଖଚି ରତ୍ନରୂପେ ରମ୍ୟ ରମ୍ୟ ଫୁଲମାନ | ୧୧୦ |
ବିନୟେ ବୋଇଲି, 'ନାଥ, ପୂଜିବି ପୟର,
କୃପା ବହି ସିଂହାସନେ ଥରେ ବିଜେ କର | ୧୧୧ |
ସସ୍ମିତେ ବୋଇଲେ ମୋତେ କାନ୍ତ ମହାମନା,
'ରାଜ-ଉପଚାର ସଖି ଅଛି ମୋତେ ମନା | ୧୧୨ |
ତୋତେ ମୁଁ କରିବି ଆଜି ବନ-ଫୁଲେଶ୍ୱରୀ
ବୋଲି ଫୁଲେ ସଜାଇଲେ ବଳେ କର ଧରି | ୧୧୩ |
ତାଙ୍କ ରାଣ ଭାଷେ ଖଣ୍ଡି ମୋହର ଆପତ୍ତି
ଅଗ୍ରେ ଉଭା ଭୋଇ ଦୃଷ୍ଟି ଦେଲେ ମୋର ପ୍ରତି | ୧୧୪ |
ମନ୍ଦାକ୍ଷରେ ନେତ୍ର ମୋର ହେଲା ନିମୀଳିତ
ରହିଲି ସେ ପୁଷ୍ପାସନେ ହୋଇ ବିଦ୍ରବିତ | ୧୧୫ |
ଆନନ୍ଦେ ବୋଇଲେ କାନ୍ତ ରସିକକେଶରୀ,
'କରୁଣା କଟାକ୍ଷପାତ କର ଫୁଲେଶ୍ୱରୀ !' ୧୧୬ |
ହରଷ-ପ୍ରଫୁଲ୍ଲ ମୁଖ ଅନାଇ ତାଙ୍କର,
ବୋଇଲି, ଅବିଧି ହେଲା ବିବେକିଶେଖର | ୧୧୭ |
ନୁହଇ ଯା' ପ୍ରଭୁପଦ ଅର୍ଚ୍ଚନାର ଯୋଗ୍ୟ
କେବେ କି ତା' ହୋଇଥାଏ ଦାସୀଛାର ଭୋଗ୍ୟ ?' ୧୧୮ |
ସେ ବୋଇଲେ, 'ପ୍ରଣୟିନୀ ପ୍ରଣୟୀର ରୀତି
ବଢ଼ାଇ ଏକର ମାନ ଅନ୍ୟ ଲଭେ ପ୍ରୀତି |' ୧୧୯ |
ସ୍ୱାମୀଙ୍କ ବଦନୁ ତାଙ୍କ ପ୍ରୀତି କଥା ଶୁଣି
ନିଜ ଭାଗ୍ୟ ଧନ୍ୟ ମଣି ମୁଦେ ହେଲି ତୁନୀ | ୧୨୦ |
ସନ୍ଧ୍ୟା ହେଲା କ୍ରମେ ନଭେ ହେଲେ ସୁଧାକର;
ବିହରିଲେ କାନ୍ତ ବନେ ଧରି ମୋର କର | ୧୨୧ |
କରିବାକୁ ପୁଣି ମୋର ମାନସ ରଞ୍ଜନ
କରୁଥିଲେ ବନବାସ ସୁଖର ବର୍ଣ୍ଣନ | ୧୨୨ |
ସେ କାଳେ ଅଦୂରେ ଶୁଣି ଚକ୍ରବାକ-ସ୍ୱନ
ସହସା ପ୍ରାଣେଶ କଲେ ମୋ ମୁଖ ଚୁମ୍ବନ | ୧୨୩ |
କଉତୁକେ ପଚାରନ୍ତେ ତହିଁର କାରଣ,
ସେ ଯାହା କହିଲେ ଏବେ ହେଉଛି ସ୍ମରଣ | ୧୨୪ |
ବୋଇଲେ, 'ପ୍ରେୟସି' ଏହି କାନ୍ତାବିରହିତ
ଚକ୍ରବାକ ଦୁଃଖାନଳେ ହେଉଛି ଦହିତ | ୧୨୫ |
ଦିନଯାକ ଥାଏ ପ୍ରିୟା ସଙ୍ଗସୁଖେ ସିକ୍ତ,
ତା ବିନା ମଣୁଛି ଏବେ ଜୀବନକୁ ତିକ୍ତ | ୧୨୬ |
ତୁ ନ ଥାନ୍ତୁ ଯଦି ମୋର ବନ-ସହଚରୀ,
ଦୁଃଖେ ଦଗ୍ଧ ହେଉଥାନ୍ତି ବିପିନେ ବିଚରି | ୧୨୭ |
ଯାହା ଯାହା ବୋଲୁଅଛି ବନବାସ ସୁଖ,
ସେ ସକଳ କରୁଥାନ୍ତେ ମୋ ଜୀବନ ଶୁଷ୍କ | ୧୨୮ |
କାନ୍ତା ବିନା କାନ୍ତ-ପ୍ରାଣ ସ୍ୱଭାବେ ବିକଳ,
ବିକଳ ଜୀବନ ମଣେ ଜଗତ ବିଫଳ | ୧୨୯ |
ଭାସୁଥାଏ ଜୀବ ଯଦି ସଂସାର-ସାଗରେ,
ତରିବା ଭରସା ଥାଏ ବନିତା-ନାବରେ | ୧୩୦ |
ନ ଥିଲା ମୋ' ଅନୁଭବ ବିରହ-ବେଦନେ;
ତା' ଶୁଣି ହସିଲି ଲଜ୍ଜାବନତ ବଦନେ | ୧୩୧ |
ହାୟ ! କିଛି କାଳ ପରେ ସେ ଘୋର କଷଣ
ଜୀବନେ ମୋ' ଅଧିକାର କଲା ଷୋଳପଣ | ୧୩୨ |
ଭୁକ୍ତଭୋଗୀ କରେ ପର ଦୁଃଖ ଅନୁଭବ,
ଅଶ୍ରୁ ଆଜି ବୁହାଇଲା ମୋ ରଥାଙ୍ଗରବ |" ୧୩୩ |
ତାପସୀ ବୋଇଲେ 'ସଖି' ବଝିଲି ନିଶ୍ଚୟ,
ତବ କାନ୍ତ ହୃଦ-ପ୍ରେମ-ପୀୟୁଷ-ନିଳୟ | ୧୩୪ |
କାନ୍ଦୁଥିବେ ନରମଣି ଚକ୍ରବାକ ପରି,
ପହିଯାଉ ବେଗେ ତୁମ୍ଭ-ବିପଦ-ଶର୍ବରୀ | ୧୩୫ |
ସୁନାର ସଂସାର ହୋଇଅଛି ଛାରଖାର,
କାହିଁକି ଘଟିଲା ଏହି ଘୋର ଦୁର୍ବିଚାର ? ୧୩୬ |
କରିଥିଲେ ରାଜା ଯାକୁ ଜୀବନର ଧନ,
କେମନ୍ତେ ବଳିଲା ତାଙ୍କୁ ଛାଡ଼ିବାକୁ ମନ | ୧୩୭ |
ବିଧିବିଚାରକୁ ଧିକ, କାହିଁ କଲା କିସ,
ଅମୃତ ଉପରେ ଆଣି ଢାଳିଦେଲା ବିଷ | ୧୩୮ |