ଦାର୍ଢ଼୍ୟତା ଭକ୍ତି/ଦାମୋଦର ଦାସ ସମ୍ୱାଦ

ଉଇକିପାଠାଗାର‌ରୁ
ଦାର୍ଢ଼୍ୟତା ଭକ୍ତି ଲେଖକ/କବି: ରାମ ଦାସ
ଦାମୋଦର ଦାସ ସମ୍ୱାଦ

ଦାମୋଦର ଦାସ ସମ୍ୱାଦ

ମନ ବୋଇଲେ ଚଇତନ । କହିଲ ପୂର୍ବର ବଚନ ।
କଳିଯୁଗର ଭକ୍ତବାଣୀ । କୃତାର୍ଥ ହେଲି ତାହା ଶୁଣି ।
ଯେସନେ କ୍ଷୁଧାତୁର ଜନ । ପାଇଲେ ଦୁର୍ଲଭ ଭୋଜନ ।
ଅଳପେ ନ ତୋଷଇ ମନ । ତେସନ ହେଲା ମୋ ଜୀବନ ।
ଆହୁରି କେତେ ଏହିପରି । କଳିଯୁଗରେ ଗଲେ ତରି ।
ସମସ୍ତ କହ ମୋର ପାଶ । ମୋ ହୃଦୁଁ କଳୁଷ ବିନାଶ ।
ଚୈତନ୍ୟ ବୋଲେ ତାହା ଶୁଣି । ଶୁଣ ହେ ମନ ନୃପମଣି ।
କାଞ୍ଚି ନଗରେ ତାର ବାସ । ନାମ ତା ଦାମୋଦର ଦାସ ।
ଜାତିରେ ଅଟଇ ବ୍ରାହ୍ମଣ । ପତ୍ନୀ ସହିତେ ବେନିଜଣ ।
ପୁତ୍ର ଦୁହିତା ତାର ନାହିଁ । ଭିକ୍ଷା ମାଗିଣ ସେ ବଞ୍ଚଇ ।
ଅତି ଦରିଦ୍ର ତା ଜୀବନ । ନାହିଁ ତା ବାଡ଼ି ବୃତ୍ତି ମାନ ।
ସଂସାରେ ଯେତେ ଦେହଧାରୀ । ତା ଠାରୁ ନ ଥିବେ ଭିକାରୀ ।
ପ୍ରଭାତୁ ସ୍ନାହାନ ସାରଇ । ଦ୍ୱାଦଶ ତିଳକ ଘେନଇ ।
ମୁଣ୍ଡେ ତୁଳସୀଦଳ ଭରି । ତୁଣ୍ଡେ ବୋଲଇ ରାମହରି ।
ଭିକ୍ଷାର ଅର୍ଥେ ସେ ନଗରେ । ବୁଲି ମାଗଇ ଦ୍ୱାରେ ଦ୍ୱାରେ ।
ଏମନ୍ତ ବୁଲେ ଦଶଦିଶେ । ଦିବସ ଶେଷେ ଘରେ ଆସେ ।
ଯା କିଛି ତାକୁ ମିଳିଥାଇ । ପ୍ରାଣ ପୋଷଇ ତାହା ଖାଇ ।
କି ଅବା ଦଇବ ଯୋଗରେ । ଅତିଥେ ମାଗିଲେ ଦୁଆରେ ।
ଅଧେକ ଖାଇ ଅଧେ ଦ୍ୟନ୍ତି । ଚିନ୍ତା ନ ଥାଏ ତାଙ୍କ ମତି ।
କି ଅବା ଦୁର୍ଭିକ୍ଷ ଭିକାରୀ । ଆସି ମିଳିଲେ ପାଞ୍ଚଚାରି ।
ସମସ୍ତ ଦେଇ ତାଙ୍କ ପାଶେ । ଆପେ ରହନ୍ତି ଉପବାସେ ।
ଏମନ୍ତ ବଞ୍ଚୁ ଥାଇ ଦିନ । କିରଣ ଗୋବିନ୍ଦ ଭଜନ ।
ସକଳ ଜୀବ ଦୟାହୃଦ । ନ ଶୁଣେ ପର ଅପବାଦ ।
ନିରତେ ପ୍ରାଣୀଙ୍କ ମଙ୍ଗଳ । ବାଞ୍ଛା କରିଣ ବଞ୍ଚେ କାଳ ।
ଏମନ୍ତେ କେତେ କାଳ ଗଲା । ତା କୀର୍ତ୍ତି ଜଗତେ ପଡ଼ିଲା ।
ଜାଣିଲେ ପ୍ରଭୁ ଚକ୍ରଧର । ବିଡ଼ିବା ପାଇଁ ସତ୍ୟ ତାର ।
ତକ୍ଷଣେ ପ୍ରଭୁ ପୀତବାସ । ମାୟାରେହେଲେ ଯୋଗୀବେଶ ।
ସର୍ବାଙ୍ଗେ ବିଭୂତି ଭୂଷଣ । କଣ୍ଠେ ରୁଦ୍ରାକ୍ଷମାଳା ମାନ ।
ମସ୍ତକେ ଶୋହେ ଜଟାଭାର । କର୍ଣ୍ଣରେ ତମ୍ୱାର କୁଣ୍ଡଳ ।
ତମ୍ବା ଛାଡ଼ିଲେ ଧରି କରେ । ଚାଲନ୍ତି ଅତି ଧୀରେ ଧୀରେ ।
ଅତି ଦୁର୍ବଳ ବୃଦ୍ଧଦେହୀ । ଚାଲିଯିବାକୁ ଶକ୍ତି ନାହିଁ ।
ଏମନ୍ତ ବେଶେ ଦାମୋଦର । ମିଳିଲେ ଦାସଙ୍କ ମନ୍ଦିର ।
ତେଣେ ଯେ ଦାସ ବୁଲି ଦେଶ । ଆସିଛି ହୋଇଣ ନିରାଶ ।
କାହିଁ ନ ପାଇ ଭିକ୍ଷା କିଛି । ଉପବାସରେ ଶୋଇଛନ୍ତି ।
ସ୍ୱାମୀ ଭାରିଯା ଦୁଇଜଣ । କ୍ଷୁଧାରେ ବିକଳ ହୋଇଣ ।
ଚିନ୍ତି ଶ୍ରୀହରି ପାଦ ଦୁଇ । ନେତ୍ରୁ ଲୋତକଧାରା ବହି ।
ଭୋ ପ୍ରଭୁ ଦୀନଜନ ବଂଧୁ । ନାମ କରୁଣାମୟ ସିନ୍ଧୁ ।
ଅକ୍ଷର ରକ୍ଷଣ ତୋ ବାନା । ଭୃତ୍ୟ ଦୁରିତ ବିଜ୍ରସେହ୍ନା ।
ଦୁର୍ଜ୍ଜନ ମଣ୍ଡୁକର ଫଣୀ । ଜଗତ ଜନ ଚିନ୍ତାମଣି ।
ଗର୍ବିତ କରୀର କେଶରୀ । ସକଳ ଜୀବେ ଅଧିକାରି ।
ତେଣୂ ଶରଣ ଗଲି ତୋତେ । ଆତଙ୍କୁ ରକ୍ଷାକର ମୋତେ ।
ଏଡ଼େ ନିଷ୍ଠୁର ସମୟରେ । ଯେବେ ଅତିଥି ମୋର ଦ୍ୱାରେ ।
ଆସିଣ ହୋଇବେ ପ୍ରବେଶ । ତାହାଙ୍କୁ ଦେବି ମୁହିଁ କିସ ।
ଏମନ୍ତ ବୋଲି ଚିନ୍ତାକରି । ଦ୍ୱାରେ ଡ଼ାକିଲେ ନରହରି ।
ବୋଲଇ କେହୁ ଅଛ ଘରେ । ଆମ୍ଭେ ଅତିଥି ତୋ ଦୁଆରେ ।
ଶୁଣିଣ ଦାମୋଦର ଦାସ । ମିଳିଲା ମହାଯୋଗୀ ପାଶ ।
ପ୍ରଭୁଙ୍କୁ କରି ନମସ୍କାର । ବୋଇଲେ ଦ୍ୱିଜ ଦାମୋଦର ।
ଭୋ ସ୍ୱାମୀ କିମ୍ପାଇଁ ଆଗତ । ମିଥ୍ୟା ନ କହି କହ ସତ୍ୟ ।
ଶୁଣି ବୋଲନ୍ତି ଚକ୍ରଧର । କୀରତି ଶୁଣିଲୁ ତୋହର ।
ଆସିଲୁ ଭୋଜନ ନିମନ୍ତେ । ଦେବ କି ନାହିଁ କହ ମୋତେ ।
ତା ଶୁଣି ଦାମୋଦର ଦାସ । ବୋଇଲେ ଦଣ୍ଡେ ମାତ୍ର ବସ ।
ଅତିଥି ବସାଇ ଚଳିଲେ । ପତ୍ନୀର ପାରୁଶେ ମିଳିରେ ।
ବୋଇଲେ ଶୁଣିସି ଗୋ ସହୀ । ଅତିଥି ଭୋଜନ ମାଗଇ ।
ଏଥକୁ କହ କି ବିଚାର । ତା ଶୁଣି କହେ ପତ୍ନୀ ତାର ।
ଭୋ ସ୍ୱାମୀ ମୋତେ କି ପଚାର । ତୋତେ କି ଅଛଇ ଉଦାର ।
ଘର ବିକିଲେ ସବୁ ତୋର । ନୋହିବ ପଣେ କଉଡ଼ିର ।
ବସ୍ତ୍ର ଗୋଟିଏ ଥିଲେ ଘରେ । ବିକ୍ରୟ କରନ୍ତି କାହାରେ ।
ଆଉ କି ଅଛି ତୁମ୍ଭ ଘରେ । ଭୋ ସ୍ୱାମୀ କହ ମୋ ଆବରେ ।
ପତ୍ନୀର ମୁଖୁ ଏହା ଶୁଣି । ବେନି ନୟନୁ ବହେ ପାଣି ।
ଦ୍ୱାରୁ ଅତିଥି ଲେଉଟିବ । ଏ ପାପୀ ଜୀବ କିମ୍ପା ଥିବ ।
ସ୍ୱାମୀର ମୁଖ ଏ ବଚନ । ଶୁଣିଣ ଯୁବତୀ ରତନ ।
ଅତି ଆରତେ ସେ ତରୁଣୀ । ଚିନ୍ତିଲା ପ୍ରଭୁ ଚକ୍ରପାଣି ।
ଆତଙ୍ଗ ଫେଡ଼ ହେ ଆମ୍ଭର । ବୋଲି ଚିନ୍ତିଲା ଚକ୍ରଧର ।
ଭୋ ସ୍ୱାମୀ ନୁହ ହେ ଆରତ । ଆମ୍ଭର ପ୍ରଭୁ ଜଗନ୍ନାଥ ।
ଅବଶ୍ୟ ମିଳିବ ଭୋଜନ । ଏବେ ହୋ ମୋହଠାରୁ ଶୁଣ ।
ନାପିତ ଗୃହେ ଯାଇଁ କରି । ବହନ ଆଣ ହେ କତୁରୀ ।
ତା ଶୁଣି ଦାମୋଦର ଦାସ । ମନରେ ହୋଇଣ ହରଷ ।
ନାପିତ ଦ୍ୱାରେ ବେଗେ ଗଲେ । କତୁରୀ ବହନ ଆଣିଲେ ।
ଦେଲା ତା ପତ୍ନୀର ହସ୍ତର । ବୋଇଲା କି କରିବୁ କର ।
ଶୁଣି ଯୁବତୀ ହସ ହସ । ବୋଇଲା ଦେଖ ମୋର କେଶ ।
ଅର୍ଦ୍ଧେକ ପକାଅ କତୁରୀ । ବସିଣ ବଳିବା ଚଉଁରୀ ।
ସତ୍ୱରେ ନେଇ ବିକିଆଣି । ସେବିବା ଅତିଥି ଚରଣ ।
ଶୁଣି ଆନନ୍ଦ ହେଲେ ଦାସେ । ପତ୍ନୀକି ବସାଇଣ ପାଶେ ।
ଚାରିଦିଗରୁ କେଶ ଥୋଇ । ମଧ୍ୟୁ ଧରିଲେ ମୁଠିଆଇ ।
ସମୂଳ କରିଣ କତୁରୀ । ବସିଣ କଳିରେ ଚଉଁରୀ ।
ତକ୍ଷଣେ ଗ୍ରାମକୁ ଯାଇଣ । ବିକି ଆଣିଲେ ପାଞ୍ଚପଣ ।
ସରୁ ଚାଉଳ ମୁଗଜାଇ । ଘୃତ ନବାତ ଦୁଧ ଦହି ।
ନାନାଦି ଦ୍ରବ୍ୟ କିଣିଆଣି । ରନ୍ଧନ କଲାକ ତରୁଣୀ ।
ଡ଼ାକିଆଣିଲେ ନାରାୟଣ । ଆନନ୍ଦେ ଧୋଇଲେ ଚରଣ ।
ପ୍ରଭୁଙ୍କ ପାଦପଦ୍ମ ବାରି । ସୁଖେ ସେବିଲେ ନରନାରୀ ।
ଥୋକାଏ ମସ୍ତକେ ସିଞ୍ଚିଲେ । ମହା ଆନନ୍ଦ ଦୁହେଁ ହେଲେ ।
ଦେଖ ହୋ ଭାଗ୍ୟ ତାହାଙ୍କର । ଯାହା ନ ପାଏ ବେଦବର ।
ଚୌରାଶି କାଠି ଗଙ୍ଗାଜଳ । ଥୋଇଣ ଥିଲା କମଣ୍ଡଳ ।
ଯେବଣ ଚରଣେ ଢ଼ାଳିଲା । କିଞ୍ଚିତ ମାତ୍ର ନ ପାଇଲା ।
ଭାବକୁ ନିକଟ ଗୋସାଇଁ । ଅଭାବ ଲୋକେ ଭେଟନାହିଁ ।
ପିଢ଼ା ଖଣ୍ଡଏ ରଖିଦେଲେ । ତହିଁ ଅତିଥି ବସାଇଲେ ।
ଆପଣେ ଦାସ ପତ୍ନୀଗଲେ । ଅନ୍ନ ବ୍ୟଞ୍ଜନ ପରଶିଲେ ।
ଗୋବିନ୍ଦ ଭୁଞ୍ଜିଲେ ହରଷେ । ବୋଇଲେ ଶୁଣ ଆହେ ଦାସେ ।
ଆଉ କି ଅନ୍ନ କିଛି ଅଛି । ତା ଶୁଣି ଗଲା ସେ ମୃଗାକ୍ଷୀ ।
ବାକି ଯେତେକ ଅନ୍ନଥିଲା । ପ୍ରଭୁଙ୍କ ପତ୍ରେ ପରଶିଲା ।
ଭୁଞ୍ଜି ଉଠିଲେ ଭାବଗ୍ରାହୀ । ବସିଲେ କଷାଫଳ ଖାଇ ।
ଦୁହେଁ ଅଛନ୍ତି ଉପବାସ । କେ କହୁ ତାହାଙ୍କ ହରଷ ।
ପ୍ରଭୁ ବିଚାରୁଛନ୍ତି ମନ । ଧନ୍ୟ ଏ ଦୁହିଁଙ୍କ ଜୀବନ ।
ଭଙ୍ଗା କୁଡ଼ିଆ ଅଛି ରହି । ଲେଙ୍କଡ଼ା କନାଠାରୁ ନାହିଁ ।
ବୋଇଲେ ଅନ୍ନ ନାହିଁ କିଛି । ଆପଣେ ଉପବାସ ଅଛି ।
କେଶ କାଟିଣ ମୋତେ ଦେଲେ । ଆନ କେ ଲକ୍ଷ ଏହା ତୁଲେ ।
ଏମନ୍ତ ବୋଲି ନାରାୟଣ । ଦାସକୁ ପାଶକୁ ରାଇଣ ।
ଦେଖ ହେ ରଜନୀ ଆଗତ । ଚାଲି ନପାରେ ହେ ଭକତ ।
ଏ ଓଳି ଅନ୍ନ ମୋତେ ଦେବୁ । ପ୍ରଭାତୁ ଆମ୍ଭେ ଚଳିଯିବୁ ।
ତା ଶୁଣି ଦାମୋଦର ଦାସ । କହିଲେ ନିଜ ନାରୀପାଶ ।୧୦୦ ।
ଆଜ ଗୋ ଅତିଥି ରହିଲେ । ଚାଲିବା ଶକ୍ତି ନାହିଁ ବୋଲେ ।
ଶୁଣି ଯୁବତୀ କହେ ଧୀର । କିମ୍ପାଇ ଚିନ୍ତା ହୋ ଆମ୍ଭର ।
ବାକୀ ଯେତେକ କେଶ ଅଛି । ସେ ସବୁ କାଟି ନିଅ ପୋଛି ।
ସ୍ୱାମୀ ତା ଶୁଣିଣ ଆନନ୍ଦ । ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର ।
ଯେତେକ କେଶ ବାକୀ ଥିଲା । ସବୁ କତୁରୀ ପକାଇଲା ।
ନାରୀ ତାହାର ଲଣ୍ଡାମୁଣ୍ଡେ । ବାନ୍ଧିଲା ଛିଣ୍ଡା କନା ଖଣ୍ଡେ ।
ସ୍ୱାମୀ ଭାରିଯା କସିକରି । ଆନନ୍ଦେ ବଳିଲେ ଚଉଁରୀ ।
ପୁଣି ବିକିଲେ ପାଞ୍ଚପଣ । ନାନାଦି ପଦାର୍ଥ କିଣିଣ ।
ରାତ୍ରେ ରାନ୍ଧଣା ତାହା କଲେ । ସବୁ ଗୋବିନ୍ଦେ ସମର୍ପିଲେ ।
କୃଷ୍ଣ ସମସ୍ତ ଦେଲେ ଖାଇ । କଷିବାଠାରେ ଦୟା ନାହିଁ ।
ଭୋଜନ ସାରି ଭାଗଗ୍ରାହୀ । ତୃଣ ଗୁଡ଼ିଏ ପାରି ଶୋଇ ।
ଯାର ଆସନ ନାଗରାଜ । ଆବର ବନିତା ଆତ୍ମଜ ।
ମୁନିଙ୍କ ହୃଦୟ କମଳ । ରୁଦ୍ର ଦେବତା ବକ୍ଷସ୍ଥଳ ।
ସେ ପୁଣି ଭକତ ଭାବରେ । ଶୋଇଲେ ତୃଣ ଶଯ୍ୟାପରେ ।
ଏହି ସମୟେ ବାସେ ଗଲେ । ପ୍ରଭୁଙ୍କ ଚରଣ ଚାପିଲେ ।
ଚିରାପଣନ୍ତ କରେ ଧରି । ହରିଙ୍କି ବିଞ୍ଚିଲେ ସୁନ୍ଦରୀ ।
ବୈକୁଣ୍ଠ ସୁଖ ପ୍ରାୟେ ମଣି । ଭାବେ ଶୋଇଲେ ଚକ୍ରପାଣି ।
ପ୍ରଭୁଙ୍କ ନିଦ୍ରା ଯିବା ଜାଣି । ସ୍ୱାମୀକି ବୋଲଇ ତରୁଣୀ ।
ଅତ୍ୟନ୍ତ ବୃଦ୍ଧ ଏ ଅତିଥି । କେମନ୍ତେ ଚାଲିବେଟି ପଥ ।
ତୁମ୍ଭେ ପ୍ରଭାତୁ ମାଗିଯିବ । ଯେ ଆମ୍ଭ ଭାଗ୍ୟରେ ମିଳିବ ।
ତାହା ଏହାକୁ ସମର୍ପିବା । ଆମ୍ଭେ ପଛକେ ଭୋକେ ଥିବା ।
ଦାସ୍ବ୍ ବୋଇଲେ ହେଉ ହେଉ । ତାହା ଜାଣିଲେ ମହାବାହୁ ।
ଦୁହିଁଙ୍କ ଭାବ ଦେଖି ଭୋଳା । ହେଲେ ସେ ଶ୍ୱେତ ପଦ୍ମଡ଼ୋଳା ।
ଅଧିକ ନ ପାରିଲେ ସହି । ଦୁହିଁଙ୍କ ନିଦ୍ରାଗତେ ମୋହି ।
ଏହି ସମୟେ ଭାବଗ୍ରାହୀ । ଉଠିଲେ ଅତି ବେଗ ହୋଇ ।
ସେ ପତି ପତ୍ନୀ ଜାଣ ଦୁଇ । ଚରଣ ତଳେ ଥିଲେ ଶୋଇ ।
ଟାଙ୍ଗର ମୁଣ୍ଡେ ହସ୍ତ ଦେଲେ । କେଶ ତୋ କଅଁଳୁ ବୋଇଲେ ।
ନାନା ରତନ ଅଳଙ୍କାରେ । ପୁରୁ ତୋ ସର୍ବାଙ୍ଗ ଯାକରେ ।
ଷୋଡ଼ଶୀତନୁ ତୋର ହେଉ । ଘରେ ତୋ ଧନ ପୂରିଥାଉ ।
ଜୀବନ୍ତେ ସୁଖୀ ହୋଇଥାଅ । ଅନ୍ତେ ବୈକୁଣ୍ଠ ଗତି ପାଅ ।
ଏମନ୍ତେ ଆଜ୍ଞା ତାକୁ ଦେଲେ । ଶ୍ରୀହରି ଅନ୍ତର୍ଦ୍ଧାନ ହେଲେ ।
ଏଥି ଉତ୍ତାରୁ ନିଶୀ ଶେଷ । ଦିବସ ହେଲା ପରବେଶ ।
ଅବଳା ନିଦ୍ରା ତେଜି ଉଠି । କେଶ ତା ପଦଯାଏ ଲୋଟି ।
ସର୍ବାଙ୍ଗେ ଅଳଙ୍କାରମାନ । ମନ୍ଦିରେ ପୂରିଅଛି ଧନ ।
ଦେଖି ତା ଆଚମ୍ବିତ ନାରୀ । ସ୍ୱାମୀର ଭୁଜ ତୋଳି ଧରି ।
ବୋଇଲେ ବେଗେ ଶୁଣ ନାଥ । କେଣିକି ଗଲେ ସେ ଅତିଥି ।
ମନ୍ଦିର ଦେଖ ହୋ ସତ୍ୱର । ସେ ନୋହେ ମନୁଷ୍ୟ ଶରୀର ।
ତା ଶୁଣି ଦାସେ ବେଗେ ଉଠି । ନିଜ ଘରକୁ ଦେଲେ ଦୃଷ୍ଟି ।
ନାନାଦି ଧନ ଅଛି ପୂରି । ପତ୍ନୀ ତା ସ୍ୱର୍ଗ ଅପସରୀ ।
ଅଙ୍ଗେ ପୂରିଛି ଅଳଙ୍କାର । କେଶହିଁ ଲୋଟୁଛି ପୟର ।
ତା ଦେଖି ବିଚାରଇ ମନ । ନିଶ୍ଚେ ସେ ପ୍ରଭୁ ଭଗବାନ ।
ଆନର ବଳେ କି ଏମାନ । ଘରେ ପୂରିଛି ଏତେ ଧନ ।
ରାତ୍ରକ ମଧ୍ୟେ କେଶଭାର । କଅଁଳି ଦିଶୁଛି ସୁନ୍ଦର ।
ମନୁଷ୍ୟ ପ୍ରାୟେ ତାଙ୍କୁ ମଣି । ସେବା ଯେ କଲୁ ବେନିପ୍ରାଣୀ ।
ବ୍ରହ୍ମା ଇନ୍ଦାଦି ସୁରାସୁର । ସ୍ତୁତି କରନ୍ତି ଯା ପୟର ।
କମଳା ଯାର ପରିଚାର । ମୁଁ ଛାର କେତକ ମାତର ।
ଭୋ ପ୍ରଭୁ କରୁଣା ସାଗର । ମୋ ଅପରାଧ କ୍ଷମାକର ।
ଭୃତ୍ୟ ହୋଇଲେ ଅପରାଧୀ । ତୁ ନାଥ କରୁଣା ବାରିଧି ।
ତୁମ୍ଭେ ଯେ ବ୍ରହ୍ମାଣ୍ଡ ଠାକୁର । ଜୀବଙ୍କ ହୃଦରେ ବିହର ।
ଏଣୁ ଅପ୍ରାଧ ମୋର ଯେତେ । ପ୍ରଭୁ ନ ଘେନି କଦାଚିତେ ।
ଏମନ୍ତ ବୋଲି ସ୍ତୁତି ଭଣି । ଆନନ୍ଦ ପୁରୁଷ ତରୁଣୀ ।
ଆନନ୍ଦେ ଶ୍ରୀହରି ଭଜନ । ସାଧୁଙ୍କ ସଙ୍ଗ ପ୍ରତିଦିନ ।
ସକଳ ଜୀବେ ଦୟାଚିତ୍ତ । ଦାସ ପ୍ରସଙ୍ଗେ ନିତ୍ୟେ ରତ ।
ଯୋଗୀ ବୈଷ୍ଣବ ସାଧୁଜନ । ସେବାରେ କଟାଇଲେ ଦିନ ।
ନୋହିଲା ଯମ ଅଧିକାର । କାଳେ ବସିଲେ ସ୍ୱର୍ଗପୁର ।
ପ୍ରଭୁଙ୍କ ଦାସ ଦାସୀ ହେଲେ । ମନକୁ ଚୈତନ୍ୟ କହିଲେ ।
ସେ ଦାର୍ଢ଼୍ୟଭକ୍ତି ରସବାଣୀ । ଯେ ପ୍ରାଣୀ କର୍ଣ୍ଣପଥେ ଶୁଣି ।
ସକଳ ପାପୁ ହେବ ପାର । ନ ଯିବ ଯମରାଜପୁର ।
ଅପୁତ୍ରି ଜନେ ପୁତ୍ରବାନ । ଅନ୍ଧ ଲଭିବେ ଚକ୍ଷୁପଣ ।
ସଂସାରେ ଭୟମାନ ଯେତେ । ଯେ ଗ୍ରହପୀଡ଼ାଦି ସହିତେ ।୧୬୦ ।
ଲାଗିବ ନାହିଁ କଦାଚିତେ । ଶୁଣି ଶରଧା ଯେବେ ଚିତ୍ତେ ।
କହଇ ଦ୍ୱିଜ ରାମ ଦାସ । କେବଳ ମୂଳଟି ବିଶ୍ୱାସ ।