ଦାର୍ଢ଼୍ୟତା ଭକ୍ତି/ଦୀନବନ୍ଧୁ ଦାସ ସମ୍ବାଦ

ଉଇକିପାଠାଗାର ରୁ
Jump to navigation Jump to search
ଦାର୍ଢ଼୍ୟତା ଭକ୍ତି ଲେଖକ/କବି: ରାମ ଦାସ
ଦୀନବନ୍ଧୁ ଦାସ ସମ୍ବାଦ

ଦୀନବନ୍ଧୁ ଦାସ ସମ୍ବାଦ

ମନ ଉବାଚ
ମନ ବୋଲଇ ଚଉତନ । ଶୁଣିଲ କର୍ଣ୍ଣର ବିଧାନ ।
ମୋର କଳୁଷ ଯେତେ ଥିଲା । ଶ୍ରବଣ ମାତ୍ରେ ଦୂରେ ଗଲା ।
କଳିଯୁଗରେ ଏହିମତେ । ତରି ତ ଯାଇଛନ୍ତି ଯେତେ ।
ଜାଣିଣ ଥିଲେ କହ କିଛି । ଶୁଣିବା ଶ୍ରଦ୍ଧା ମୋର ଅଛି ।
ତା ଶୁଣି ବୋଲେ ଚଇତନ । ଏବେ ତୁ ଶୁଣ ହୋ ରାଜନ ।
କଳିଯୁଗର ଯେ ବ୍ୟବସ୍ଥା । ଅଶ୍ରୁତ ଅଗୋଚର କଥା ।
ଯାହା ଶୁଣିଛି ସାଧୁ ମୁଖୂ । ତାହା ମୁଁ କହିବି ତୁମ୍ଭଙ୍କୁ ।
ଅବନ୍ତି ନଗରେ ତା ଘର । ଜାତିରେ ଅଟେ ଦ୍ୱିଜବର ।
ନାମ ତା ଦୀନବନ୍ଧୁ ଦାସ । କୃଷ୍ଣ କଥାରେ ବଡ଼ଆଶ ।
ହରି ଚରଣ ବିନା ଅନ୍ୟେ । ଶ୍ରଦ୍ଧା ନ ବଳେ ତାର ମନେ ।
ତାହାର ସୁତ ବେନିଗୋଟି । ପତ୍ନୀର ନାମ ତା ମାଳତୀ ।
ଖଟିଛି ଏକ ବଧୂ ତାର । ସାଧବୀ ଚତୁରୀ ସୁନ୍ଦର ।
କୁଟମ୍ୱ ପାଞ୍ଚଜଣ ତାର । ଏକକୁ ଆରକେ ଅନ୍ତର ।
ପ୍ରଭୁଙ୍କ ଯଶ ଗୁଣ ଯେତେ । ନିତ୍ୟେ ଚୁନ୍ତନ୍ତି ହୃଦଗତେ ।
ସାଧୁଙ୍କ ମୁର୍ଖୂ ରସବାଣୀ । ନିରତେ କର୍ଣ୍ଣପୁଟେ ଶୁଣି ।
ବଦନେ ପ୍ରଭୁ ନାମ ଭଜି । ଅସତ୍ୟ ସଙ୍ଗ ଦୂରେ ତେଜି ।
ମିଥ୍ୟା ବଚନ ନ ଭାଷନ୍ତି । ନିରତେ ପରହିତେ ଥାନ୍ତି ।
ଡ଼ାକିଲେ ଦୀନବନ୍ଧୁ ଦାସ । ବହନ ଆସ ମୋର ପାଶ ।
ଶୁଣିଲେ ଅପୂର୍ବ ବଚନ । ସମସ୍ତେ ତେଜିଲେ ରୋଦନ ।
ଦାସେ ତ୍ୱରିତେ ମୁଖ ଧୋଇ । ପ୍ରଭୁଙ୍କ ଆଗେ ହେଲେ ଯାଇଁ ।
ଦେଖିଲେ ସନ୍ନାସୀ ଗୋସାଇଁ । ସାଷ୍ଟାଙ୍ଗେ ପ୍ରଣିପାତ ହୋଇ ।
ଉଠି କପାଳେ କର ଦେଲେ । କି ଆଜ୍ଞା ହେଉଛି ବୋଇଲେ ।
ପ୍ରଭୁ ବୋଇଲେ ଦାସେ ଶୁଣ । ଆମ୍ଭେ ତୋ କୀରତି ଶୁଣିଣ ।
ତେଣୁ ଅଇଲୁ ତୋର ପାଶ । ସୁଚିତେ ମୋତେ ଦିଅ ଗ୍ରାସ ।
ତା ଶୁଣି ଦୀନବନ୍ଧୁ ଦାସ । ବୋଇଲେ ପ୍ରଭୁ କ୍ଷଣେ ବସ ।
ଆସନ ଦେଇ ଚଳିଗଲେ । ମନ୍ଦିରେ ପ୍ରବେଶ ହୋଇଲେ ।
ପୁତ୍ର ଭାରିଯା ବଧୂ ଆଗେ । କହିଲେ ଅତ୍ୟନ୍ତ ସରାଗେ ।
ଅତିଥି ଭୋଜନ ମାଗୁଛି । ଏଣେ ତ ପୁତ୍ର ମରିଅଛି ।
ଦେବା କି ନାହିଁ ଶୁଦ୍ଧଚିତ୍ତେ । ବହନ କହ ସର୍ବମୋତେ ।
ଶୁଣି ପୁତ୍ରାଦି ତିନିଜଣ । କହନ୍ତି ପିଅର ଆଗେଣ ।
ମଲେତ ନ ଆସଇ ଆଉ । ଅତିଥି ସେବା ଆଗେ ହେଉ ।
ନିରାଶେ ନଯାଉ ସନ୍ନ୍ୟାସ ।ତାଶୁଣି ଦୀନବନ୍ଧୁ ଦାସ ।
ଅତ୍ୟନ୍ତ ଆନନ୍ଦ ହୋଇଲା । ମଶିଣା ଗୋଟିଏ ଆଣିଲା ।
ମଲା ପୁତ୍ରକୁ ଶୁଆଇଲା । ବନ୍ଧନ କରି ଥୋଇଦେଲା ।
ଗମ୍ଭୀରୀ ମଧ୍ୟେ ଲୁଚାଇଲା । ମନ୍ଦିର ଲିପା ପୋଛା କଲା ।
ସ୍ନାନାଦି ଶୁଚିମନ୍ତ ହୋଇ । ରନ୍ଧନ କଲେ ବେଗେ ଯାଇ ।
ପ୍ରଭୁଙ୍କୁ ଡାକିଣ ଆଣିଲେ । ମନ୍ଦିରେ ବିଜେ କରାଇଲେ ।
ଦିବ୍ୟ ଆସନେ ବସାଇଲେ । ଅନ୍ନ ବ୍ୟଞ୍ଜନ ପରଶିଲେ ।
ଦେଖି ବୋଲନ୍ତି ଭଗବାନ । ଆମିଷ କରହେ ରନ୍ଧନ ।
ନିଶ୍ଚୟ ଲେଉଟି ମୁଁ ଯିବି । ଆମିଷ ବିନା ନ ଭୁଞ୍ଜିବି ।
ତା ଶୁଣି ରାନ୍ଧିଲେ ଆମିଷ । ବୋଇଲେ ସ୍ୱାମୀ ଭୁଞ୍ଜିବସ ।
ଦେଖିଣ ବୋଇଲେ ଶ୍ରୀବତ୍ସ । ଏକ ପତ୍ରେତ ବାଢ଼ିଅଛି ।
ଗୃହରେ ଅଛ ଯେତେ ଜନ । ସମସ୍ତେ ନ କଲେ ଭୋଜନ ।
ଆମ୍ଭେ ନ ଭୁଞ୍ଜୁ ଏକାହୋଇ । ଯାଉଛୁ ଅନ୍ନ ରଖ ତୁହି ।
ଶୁଣି ଚାରିହେଁ ଠରାଠରି । ସମସ୍ତେ ହୃଦରେ ବିଚାରି ।
ଆମ୍ଭେ ଯଦ୍ୟପି ନ ଭୁଞ୍ଜିବା । ଅତିଥି ସେବା ନ ପାଇବା ।
ଲେଉଟି ଯିବ ଏ ସନ୍ନ୍ୟାସ । ମନରେ ହୋଇଣ ନିରାଶ ।
ଏମନ୍ତ ବିଚାରି ତ୍ୱରିତେ । ବାଢ଼ିଲେ ଚାରିଙ୍କ ନିମନ୍ତେ ।
ଆମିଷ ମାତ୍ର ନ ବାଢ଼ିଲେ । ଦେଖିଣ ସନ୍ନାସୀ ବୋଇଲେ ।
ତୁମ୍ଭେ ନ ବାଢ଼ିଲ ଆମିଷ । ଏଥେ କି ଭରିଅଛି ବିଷ ।
ଜାଣିଲି କପଟ ତୁମ୍ଭର । ବୋଲି ଉଠିଲେ ଚକ୍ରଧର ।
ତା ଶୁଣି ଦୀନବନ୍ଧୁ ଦାସ । ପୁତ୍ର ଭାରିଯା ରାଇ ପାଶ ।
ଆପଣେ କଲେକ ବିଚାର । କି ବୁଦ୍ଧି କରିବା ଏଥର ।
ତନୟ ମରିବା ଜାଣିଲେ । ଅତିଥି ନ ଭୁଞ୍ଜିବେ ଭଲେ ।
ଏମନ୍ତ ବିଚାର କରିଣ । ବସିଲେ ଆମିଷ ଘେନିଣ ।
ତାହାଙ୍କ ମନ ପ୍ରଭୁ ଜାଣି । ହସି ବୋଲନ୍ତି ତାଙ୍କୁ ପୁଣି ।
ଶୁଣହୋ ଅନ୍ନଦାତା ତୁହି । ଗ୍ରାମରେ ପଚାରିଛି ମୁହିଁ ।
ତୋହର ବେନି ଗୋଟି ସୁତ । ଏକଇ ବଧୂ ତାତ ମାତ ।
ଏମନ୍ତେ ଅଟ ପାଞ୍ଚଜଣ । କାହିଁ ତୋ ଆରପୁତ୍ର ଆଣ ।
ତା ଶୁଣି ଦୀନବନ୍ଧୁ ଦାସ । ହୃଦରୁ ଉଡ଼ିଲା ସାହସ ।
କମ୍ପେ ଶରୀର ଥରହର । ବଦନୁ ନଇଲା ଉତ୍ତର ।
ତା ଦେଖି ତ୍ରୈଲୋକ୍ୟ ଗୋସାଇଁ । ବୋଲଇ ଭୟ କାହିଁପାଇଁ ।
ମାୟା ନକରି ସତ କହ । କାହିଁ ଅଛଇ ତୋର ପୁଅ ।
ଶୁଣି କୁଟୁମ୍ବ ଚାରିଜଣେ । ପଡ଼ିଲେ ଅତିଥି ଚରଣେ ।
ଭୋ ସ୍ୱାମୀ! ଶୁଣ ଏବେ ତୁମ୍ଭେ । ସ୍ୱରୂପ କହୁଅଛି ଆମ୍ଭେ ।
ସର୍ପାଘାତରେ ପୁତ୍ର ମରି । ଲୁଚାଇ ଥୋଇଛୁ ଗମ୍ଭୀରୀ ।
ତାଶୁଣି ମାତା ପିତା ଗଲେ । ପୁତ୍ରକୁ ବହିଣ ଆଣିଲେ ।
ମଶିଣା ଗୋଟି ଦେଲେ ଫେଇ । ମଲା ପୁତ୍ର ଯେ ଅଛି ତହିଁ ।
ଦେଖି ବୋଇଲେ ପୀତବାସ । ଶୁଣ ହେ ଦୀନବନ୍ଧୁ ଦାସ ।
କେ ତୋତେ ବୋଲେ ଜ୍ଞାନବନ୍ତ । ଜାଣିଲି ବଡ଼ ମନ୍ଦ ତୁତ ।
ମଲା ପୁତ୍ରକୁ ଗୃହେ ଥୋଇ । ବସିଛୁ ମାଛ ଭାତ ଖାଇ ।
ଦାସେ ବୋଇଲେ ହେ ଗୋସାଇଁ । ତୁମ୍ଭଙ୍କୁ କି କହିବି ମୁହିଁ ।
କେ ଅଟେ କାହାର କୁମର । କେ ଅଟେ କାହାର ପିଅର ।
ଯେସନେ ତୂତବୃକ୍ଷ ଥାଇ । ତହିଁ ବଉଳ ବଉଳଇ ।
କେତେହେଁ କଷିରୁ ଝଡ଼ଇ । କେତେ ବା ଝଡ଼ିଣ ପଡ଼ଇ ।
କେତେ ପାଚିଲା ଯାଏ ଡ଼ାଳେ । ଥାଇଣ ପଡ଼େ ବୃକ୍ଷତଳେ ।
ଏମନ୍ତେ କେତେ ଝଡ଼ି ଯାଇ । ତା ତୁଲେ ବୃକ୍ଷନିକି ଧାଇଁ ।
ଏହି ପ୍ରକାରେ ଏ ସଂସାର । ବୃକ୍ଷରୁ ଫଳଇ ପ୍ରକାର ।
ତାହାର ସୁଖେ ସେ ଝଡ଼ିଲା । ମୋର ଅତିଥି ସେବା ହେଲା ।
ଏଥିରୁ ବଳି ଭାଗ୍ୟ କିସ । ଶୁଣି ହସିଲେ ପୀତବାସ ।
ବୋଇଲେ ଦାସପତ୍ନୀ ଶୁଣ । ତୁହି ତ ବଡ଼ଇ ଦାରୁଣ ।
ନିହତ ପୁତ୍ରକୁ ପକାଇ । ବସିଛୁ ମାଛ ଭାତ ଖାଇ ।
ଶୁଣି ଯୁବତୀ କହେ ଧୀର । ଯାହା ବୋଇଲେ ମୁନିବର ।
ସ୍ୱରୂପ ଶୁଣ ହେ ଗୋସାଇଁ । ମୁଁ କେ ମୋ ପୁତ୍ରକେ ଅଟଇ ।
ଯେସନେ ଚକ୍ରୀ ଚକ୍ରଖଣ୍ଡ । ମୃତ୍ତିକା ଲଭି ଗଢ଼େ ଭାଣ୍ଡ ।
କେ ଗଢ଼ୁ ଗଢ଼ୁ ଭାଙ୍ଗିଯାଇ । କେହୁ ପୋଡ଼ିବା ଯାଏ ଥାଇ ।
ଯେବଣ ଭାଣ୍ଡ ଭାଙ୍ଗିଯାଇ । ତା ତୁଲେ ଚକ୍ରୀ ନିକି ଧାଇଁ ।
ସେ ଭାଣ୍ଡ ଚକ୍ରୀ ମୁହିଁ ଶୁଣ । ଏ ସର୍ବ ଗୋବିନ୍ଦ ଭିଆଣ ।
ଶୁଣି ଆନନ୍ଦ ହୃଷୀକେଶ । ଆର ପୁତ୍ରକୁ ରାଇ ପାଶ ।
ବୋଇଲେ ଶୁଣରେ କୁମର । ଏ ପରା ଭ୍ରାତ ଅଟେ ତୋର ।
ମୃତ ଦେହକୁ ତୁ ପକାଇ । ବସିଛୁ ମାଛ ଭାତ ଖାଇ ।
ତୋଠାରୁ ନାହିଁ ନା ଅଜ୍ଞାନ । ତା ଶୁଣି ବୋଲଇ ନନ୍ଦନ ।
ଶୁଣ ହେ ସନ୍ନ୍ୟାସୀ ଗୋସାଇଁ । ସେ ମୋର କେତେ ଜନ୍ମଭାଇ ।
ମୁଁ ତାର କେମନ୍ତେ ସୋଦର । ଏ ସର୍ବ ମାୟାର ସଂସାର ।
ଯେସନେ ହାଟେ ବଣିଜାର । ପସରା ବସାଇ ଅପାର ।
ଏକଇ ଭ୍ରାତା ପ୍ରାୟ ହୋଇ । ବସିଣ ବିକୁଥାନ୍ତି ତହିଁ ।
ବ୍ୟାପାର ସରଇ ଯାହାର । ସେ ବାନ୍ଧିଚଳେ ତାର ପୁର ।
ଯାହାର ସରିଣ ନ ଥାଇ । ସେ ନିକି ତାର ସଙ୍ଗେ ଯାଇ ।
ସେହି ପ୍ରକାରେ ଏ ସଂସାର । ତାହାର ମୋହର ବ୍ୟାପାର ।
ବ୍ୟାପାର ସରିଲା ସେ ଗଲା । ମୋର ଅତିଥି ସେବା ହେଲା ।
ଶୁଣି ସାନନ୍ଦ ଦୟାନିଧି । ବୋଇଲେ ଧନ୍ୟ ଏହା ବୁଦ୍ଧି ।
ତାହାର ବୋହୂକୁ ଡ଼ାକିଲେ । ଶୁଣ ଗୋ କୁମାରୀ ବୋଇଲେ ।
ଏ ପରା ସ୍ୱାମୀ ଅଟେ ତୋର । ତୁ ପରା ଭାରିଯା ତାହାର ।
ନିଜ ପତି ଯେ ତୋର ମଲା । ବିଧବା ଯୋଗ ତୋର ହେଲା ।
ମୃତ ପିଣ୍ଡକୁ ଘରେ ଥୋଇ । ଆମିଷ ଭୁଞ୍ଜି ଲୋଡୁ ତୁହି ।
ଧିକ ତୋ ଜ୍ଞାନବତୀ ପଣ । କୁମାରୀ ବୋଲେ ପ୍ରଭୁ ଶୁଣ ।
କେହୁ ଅଟଇ କାହା ଭର୍ତ୍ତା । କେ ପୁଣି କାହାର ବନିତା ।
ଯେସନେ ଘୋର ବୃଷ୍ଟିକାଳେ । ନନ୍ଦୀପୂରିଣ ବହେ ଜଳେ ।
ବନସ୍ତକାଠ ଖଣ୍ଡ ଦୁଇ । ମଶିଣ ଭାସି ଯାଉଥାଇ ।
କେତେହେଁ ଦୂରେ ଭାସି ଯାନ୍ତେ । ଲତାଏ ଉହାଡ଼ନ୍ତି ପଥେ ।
ତହୁଁ ଗୋଟିଏ ଲାଗି ରହି । ଆରେକ ଖଣ୍ଡି ଭାସିଯାଇ ।
ଯେବଣ କାଠ ଭାସିଯାଇ । ଆରେକ କାଠ କି ଗୋଡ଼ାଇ ।
ସେହି ପ୍ରକାରେ ଏ ସଂସାର । ଗୋବିନ୍ଦ ଲୀଳା ଖେଳଘର ।
ବିନା ଆଶ୍ରିତେ ସେହି ଗଲା । ମୋର ଅତିଥି ସେବା ହେଲା ।
ଶୁଣି ବୋଲନ୍ତି ଭଗବାନ । ଧନ୍ୟ ଏ ଚାରିଙ୍କର ମନ ।
ଏହାଙ୍କ ପରାୟେ ହୋଇଣ । ନ ଥିବେ ବ୍ରହ୍ମାଣ୍ଡ ମଧ୍ୟେଣ ।
ଏମନ୍ତ ବୋଲି ନରହରି । ଜଳ ତୁଳସୀ କରେ ଧରି ।
ପୁତ୍ରର ମୁଖରେ ସିଞ୍ଚିଲେ । ଉଠରେ କୁମର ବୋଇଲେ ।
ତତ୍କକ୍ଷଣେ କୁମର ଉଠିଲା । ଗୋବିନ୍ଦ ଚରଣେ ଲୋଟିଲା ।
ପ୍ରଭୁ ବୋଇଲେ ଆରେ ସୁତ । ମୁଁ ତ ଦେଖିଲି ବିପରୀତ ।
ଦେଖି ତୋ ଜନନୀ ପିଅର । ଆବର ପତ୍ନୀ ସହୋଦର ।
ତୋର ଅର୍ଜନେ କରି ଆଶ । ଖଟିଣ ଥାନ୍ତି ତୋର ପାଶ ।
ଏବେ ତୋ ମୃତ୍ୟୁକାଳ ଦେଖି । ଗୁପତ କରି ତୋତେ ରଖି ।
ବସିଲେ ମାଛ ଭାତ ଖାଇ । କେହ୍ନେ ଏହାଙ୍କ ଘରେ ତୁହି ।
ହୋଇଣ ଅଛୁରେ ନନ୍ଦନ । ଧିକ ଏ ତୋହର ଜୀବନ ।
ତା ଶୁଣି କୁମର ବୋଲଇ । ଶୁଣହେ ସନ୍ନ୍ୟାସୀ ଗୋସାଇଁ ।
କେ କାର ଜନନୀ ପିଅର । କେ କାର ଭ୍ରାତା ସହୋଦର ।
କେ କାର ଅଟଇ ଯୁବତୀ । କେ ପୁଣି ଅଟେ କାହା ପତି ।
ମିଥ୍ୟା ଅଟଇ ଏ ସଂସାର । କେହିତ ନୁହଇ କାହାର ।
ଯେସନେ ଘୋର ଗ୍ରୀଷ୍ମକାଳେ । ପଥରେ ପଥିକ ସକଳେ ।
ପାଞ୍ଚ ପଚିଶ ଯାଉଛନ୍ତି । ବାଟରେ ବୃକ୍ଷେକ ଦେଖନ୍ତି ।
ଏକ ଗୃହର ପ୍ରାୟେ ହୋଇ । ବସନ୍ତି ତାହା ତଳେ ଯାଇ ।
ଶ୍ରମ ସାରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇ ପଥେ ।
ସେହି ପ୍ରକାରେ ଏ ସଂସାରେ । ଋଣାନୁ ବନ୍ଧନ ବେଭାରେ ।
ଏଥକୁ ଶ୍ରୀକୃଷ୍ଣ ଭଜନ । ସାଧୁଙ୍କ ସେବା ପ୍ରତିଦିନ ।
କରି ବଞ୍ଚଇ ଯେଉଁ ନର । ଧନ୍ୟ ଜୀବନ ବୋଲି ତାର ।
ପୁଣି ବୋଇଲେ ନାରାୟଣ । ଧନ୍ୟ ଏ ଅଟେ ପାଞ୍ଚଜଣ ।
ଜୀବନ୍ତେ ସୁଖୀ ହୋଇଥାଅ । ଅନ୍ତେ ଶ୍ରୀହରି ପାଦ ପାଅ ।
ଏମନ୍ତ ଆଜ୍ଞା ଦେଲେ ପୁଣି । ଅତି ଆନନ୍ଦେ ପାଞ୍ଚପ୍ରାଣୀ ।
ଅଭୟ ପଦ୍ମପାଦ ତଳେ । ସର୍ବେ ପଡ଼ିଲେ ଏକାବେଳେ ।
ପ୍ରଭୁ ଅଭୟ ବରଦେଲେ । ଅଭୟ ହୁଅରେ ବୋଇଲେ ।
ଆମ୍ଭେଟି ଜଗତ ଜୀବନ । ବୋଲି ହୋଇଲେ ଅନ୍ତର୍ଦ୍ଧାନ ।
ତକ୍ଷଣେ ଉଠି ପାଞ୍ଚଜଣ । ଦେଖିଲେ ନାହାନ୍ତି ଆପଣ ।
ବୋଇଲେ ଦୟାଳୁ ଠାକୁର । ଏଡ଼େ ନିଷ୍ଠୁର ହୃଦ ତୋର ।
ଦେଖାଇ ନିଧି ହରିନେଲୁ । ନେତ୍ର ପିଛାଡ଼ି ନ ଦଖିଲୁ ।
ଯା ମାୟା ଦେବେ ଅଗୋଚର । ଆମେ ବା କେତେକ ମାତର ।
ହେଲେ ତୋ କୃପାପାତ୍ର ଥାଉଁ । ଅଧିକ କି କହିବା ଆଉ ।
ସାଧୁଙ୍କ ସଙ୍ଗେ ଦିନ ନେଲେ । ପରମ ପାଦ ସେ ଲଭିଲେ ।
କହଇ ଚଇତନ୍ୟ ଧୀରେ । ମନ ନୃପତିର ଆଗରେ ।
କଳିଯୁଗର ଭକ୍ତବାଣୀ । ଶୁଣି ପବିତ୍ର ହୁଅ ପ୍ରାଣୀ ।
କହଇ ଦୀନବନ୍ଧୁ ଦାସ । ସାଧୁ ଚରଣେ ମୋର ଆଶ ।
ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀହରି । ମୁକୁନ୍ଦ ମାଧବ ମୁରାରି ।
ଭଜ ଗୋବିନ୍ଦ ଆଦିକନ୍ଦ । ଦୀନବାନ୍ଧବ ସଦାନନ୍ଦ ।
ଅନନ୍ତ ଅଚ୍ୟୁତ ଶ୍ରୀବତ୍ସ । ନାମ ଗୋଟିକ କୋଟି ମୋକ୍ଷ ।
ଏ ନାମ ବଜି ଜୀବ ଯାଉ । ଭୋ ପ୍ରଭୁ ! ଏହି ଆଜ୍ଞା ହେଉ ।