ଦାର୍ଢ଼୍ୟତା ଭକ୍ତି/ବଳୀରାଜା ଚରିତ
ଦାର୍ଢ଼୍ୟତା ଭକ୍ତି ଲେଖକ/କବି: ବଳୀରାଜା ଚରିତ |
ହରିଶ୍ଚନ୍ଦ୍ର ରାଜା ଚରିତ→ |
ବଳୀରାଜା ଚରିତ
ନମଇଁ ଗଉରୀ ନନ୍ଦନ । ସକଳ ବିଘ୍ନ ବିନାଶନ ।
ଶ୍ରୀ ଚନ୍ଦ୍ରଶେଖର କୁମର । ଅଶେଷ ବିଦ୍ୟାର ଭଣ୍ଡାର ।
ସଦା ଆନନ୍ଦ ସଦା ଭୋଗୀ । ଓଁ କାର ବ୍ରହ୍ମ ଅନୁରାଗୀ ।
ଅଶେଷ ମହିମା ତୋହର । ବ୍ରହ୍ମାଦି ସୁରେ ଅଗୋଚର ।
ଭକତ ଆରତ ନ ସହୁ । ଚିତ୍ତ ବାଞ୍ଛିତ ଫଳ ଦେଉ ।
ଯେ ପ୍ରାଣୀ ଆଶ୍ରେ କରେ ତୋତେ । ମୁର୍ଖ ସେ ନୋହେ କଦାଚିତେ ।
ମୁହିଁ ପାମର ରାମଦାସ । ତୋ ପାଦପଦ୍ମେ କଲି ଆଶ ।
ଅଶେଷ ଜନ୍ମ ଦୁର୍ବାସନା । ଖଣ୍ଡି ମୁଁ ହୋଇବି ସୁମନା ।
ମୁର୍ଖପଣରୁ ହେବି ପାର । ହେ ଗଜାନନ କୃପାକର ।
ଶ୍ରୀ ଦେବୀ ଶାରଦା ଚରଣେ । ଶରଣ ମାଗେ ଅନୁକ୍ଷଣେ ।
ବୁଡ଼ି ମରିଛି ମୂର୍ଖ ଜଳେ । ଉଦ୍ଧରି ଧର ଜ୍ଞାନ କୂଳେ ।
ତୋ କୃପା ରବି ଉଦେ କର । ମୋ ଅଜ୍ଞ ଅନ୍ଧକାର ହର ।
ଭୋ ମାତା ପଦ୍ମପାଦେ ତୋର । ଶରଣ ନିରନ୍ତରେ ମୋର ।
ନମସ୍ତେ ରାମ କୃଷ୍ଣହରି । ଏ ମହାମନ୍ତ୍ରଟି ସବୁରି ।
ସକଳ ପ୍ରାଣୀ ହୃଦେ ବାସ । ଏଣୁ ଶରଣ ରାମଦାସ ।
ତୁମ୍ଭ କୃପାରେ ଆଦିମୂଳ । ମୂକ ଯେ ହୁଅଇ ବାଚାଳ ।
କର ଚରଣ ପଙ୍ଗୁସାର । ସେ ଲଙ୍ଘିପାରେ ଗିରିବର ।
ତେଣୁ ଶରଣ ରାମଦାସ । ପୁରାଅ ମୋର ମନ ଆଶ ।
ମୋର ବିପତ୍ତି ତରୁବର । ବଢ଼ଇ ଅତି ବଳିଆର ।
ତବ କୃପା କୁଠାର କରି । ଛେଦି ପକାଅ ନରହରି ।
ତୁମ୍ଭେ ଯେ ପତିତ ପାବନ । ମୁହିଁ ଅଟଇ ପାପୀଜନ ।
ଶରଣ ପଞ୍ଜର ତୋ ବାନା । ଭବ ଭୟକୁ ବଜ୍ରସେହ୍ନା ।
କୃପା ସମୁଦ୍ର ମହାମେରୁ । ଉଦ୍ଧର ଦୁଃଖ ଜଳଧିରୁ ।
ଉଦ୍ଧର ନ ଉଦ୍ଧର ମୋତେ । ମାତ୍ର କହୁଛି ତୋ ଅଗ୍ରତେ ।
ତୁ ଯେବେ ପତିତ ଉଦ୍ଧାର । ମୋର କାହାକୁ ନାହିଁ ଡର ।
ଦିନେକ ମନ ସୁଖାନନ୍ଦେ । ପୁଚ୍ଛଇ ଚଇତନ ପାଦେ ।
ଶୁଣ ହେ ଚିତନ ବୀର । ପୁଚ୍ଛଇ ତୁମ୍ଭର ଛାମୁର ।
ତୁମ୍ଭେ ବିବେକ ଚୁଡ଼ାମଣି । ଭୂତ ଭବିଷ୍ୟ ପାର ଜାଣି ।
ଏଣୁ ପଚାରୁଅଛି ମୁହିଁ । କହ ମୋ ସଂଶୟ ଫଟାଇ ।
ଏହି ସଂସାର ମଧ୍ୟରାତେ । ଜନମ ଲଭୁଛନ୍ତି ଯେତେ ।
ସ୍ଥାବର ଆଦି ଚାରିଖାନି । ଭ୍ରମୁଅଛନ୍ତି ନାନା ଯୋନି ।
ଏହାଙ୍କ ଦୁଃଖ ସୁଖ ଯେତେ । ସକଳ ଲାଗିଅଛି ମୋତେ ।
ଏ ଚାରିଖାନି ମଧ୍ୟେ ସାର । ଦୁର୍ଲ୍ଲଭ ନର କଳେ ବର ।
ଏହାଙ୍କ ଦେହମଧ୍ୟେ ଥାଇ । ମୁଁ ଯେତେ ରଞ୍ଜଣା ସହଇ ।
କିସ କହିବି ତୁମ୍ଭଠାରେ । ତୁମ୍ଭେତ ଥାଅ ମୋ ସାଙ୍ଗରେ ।
କରନ୍ତି ଯେତେ କର୍ମ ପ୍ରାଣୀ । ସେ ଦୁଃଖ ସୁଖର କାରେଣୀ ।
ଏଣୁ ସେ ପ୍ରାଣୀ ସୁଖ ଯେତେ । ସୁଚିତ୍ତେ କହ ମୋ ଅଗ୍ରତେ ।
କେବଣ କର୍ମ କଲେ ପ୍ରାଣୀ । ଯାତନା ନ ବାଧିବ ପୁଣି ।
ଗୋବିନ୍ଦେ ଭକତି ଲଭିବେ । ଜନ୍ମ ମରଣ ପାସୋରିବେ ।
ଏମନ୍ତ ଉପାୟ ଯେ କହ । ମୋ ମନୁ ସଂଶୟ ଫିଟାଅ ।
ତା ଶୁଣି ଚଇତନ ବୀର । କହଇ ସୁମନ ଆଗର ।
ତୁ ଯାହା ପଚାରିଲୁ ମୋତେ । କହଇ ଶୁଣ ତୋ ଅଗ୍ରତେ ।
ଏ ବଡ଼ ଦୁର୍ଲ୍ଲଭ ଚରିତ । ମୁଁ ତାହା କହି କି ସମର୍ଥ ।
ବ୍ରହ୍ମା ଶିବଙ୍କୁ ଅଗୋଚର । ମୁଁ ଛାର କେତେକ ମାତର ।
ମାତ୍ର ପୁରାଣମାନଙ୍କରେ । ଶୁଣିଛି ଯାହା କିଞ୍ଚିତରେ ।
ତାହା ମୁଁ କରିଛି ବଖାଣ । ଶୁଣ ତୁ ହୋଇ ସାବଧାନ ।
ବ୍ରତ ତୀର୍ଥାଦି କର୍ମ ଯେତେ । ଯଜ୍ଞାଦି ତପସ୍ୟା ସହିତେ ।
ସକଳ କର୍ମ ମଧ୍ୟେ ସାର । କେବଳ ନାମ ଭଜିବାର ।
ଆବର ଶୁଣ ପଦ ଗୋଟି । ମନ ସଂଶୟ ଯିବ ମେଣ୍ଟ ।
ଏ ବେନି କଥା ମଧ୍ୟେ ସାର । ଦୃଢ଼ତା ମୂଳଟି ଜୀବର ।
ଦୃଢ଼ ନ ଥାଇ କର୍ମ ଯେତେ । ଫଳ ନ ଫଳେ କଦାଚିତେ ।
ଏ କଥା ସର୍ବଶାସ୍ତ୍ରେ ସାର । ପଣ୍ଡିତ ଜନଙ୍କୁ ପଚାର ।
ଶୁଣି ହୋଇଲା ମନ ତୋଷ । ପୁଚ୍ଛଇ ଚଇତନ ପାଶ ।
ଏ ମର୍ତ୍ତ୍ୟପୁରେ ଦେହ ଧରି । କେ ଅବା ଦୃଢ଼ପଣ କରି ।
ତରିଣ ଯାଇଛନ୍ତି କହା । ଶୁଣି ତା ଫିଟୁ ମୋ ସନ୍ଦେହ ।
ତା ଶୁଣି ଚଇତନ ଧୀରେ । କହଇ ସୁମନ ଆଗରେ ।
ଶୁଣ ସୁମନ ନୃପବର । ସତ୍ୟ ତ୍ରେତୟା ଯେ ଦ୍ୱାପର ।
ଆବର କଳିଯୁଗ ଗତେ । ତରି ଅଛନ୍ତି ଯେତେ ଯେତେ ।
ସକଳ ଲୋକଙ୍କ ଚରିତ । କହି ମୁଁ ନୁହଇ ସମର୍ଥ ।
ଧାତାଙ୍କୁ ନୁହଇ ଗୋଚର । ମୁଁ ପୁଣି କେତେକ ମାତର ।
କେବଳ ଜଣେ ଜଣେ କରି । ଶୁଣ କହିବା କଥା ଚାରି ।
ସତ୍ୟ ଯୁଗରେ ଦାତାବଂଶ । ଥିଲା ନୃପତି ଗୁରୁହଂସ ।
ନାମ ତା ବଳୀ ନୃପବର । ସପତଦ୍ୱୀପେ ସେ ଈଶ୍ୱର ।
କେ କହୁ ତାର ଦାତାପଣ । ଦାନେ କିଣିଲା ସୁରଗଣ ।
କେବଳ ଦାତା ପଣେ ତାର । ବଶ ହୋଇଲେ ତିନିପୁର ।
ଦେଖିଣ ଦାନୀପଣ ତାର । ସ୍ୱର୍ଗେ କମ୍ପିଲେ ବଜ୍ରଧର ।
ତାହା ଜାଣିଣ ଚକ୍ରଧର । ହେଲେ ବାମନ ଅବତାର ।
ସେ ବଳୀ ରାଜାଦ୍ୱାରେ ଗଲେ । ଅପୂର୍ବ ବେଦ ଧ୍ୱନି କଲେ ।
ତା ଜାଣି ବଳୀ ନପବର । ମିଳିଲେ ବାମନ ଛାମୁର ।
ଦେଖି ସନ୍ତୋଷ ନୃପରାୟେ । ଓଉଚ୍ଛିଲେ ବାମନର ପାୟେ ।
କେଉଁ ନିମନ୍ତେ ମୋର ପୁର । ବିଜୟ କଲ ଦ୍ୱିଜବର ।
କେବଣ ଦେଶେ ତୁମ୍ଭ ଘର । କେ ତୁମ୍ଭ ଜନନୀ ପିଅର ।
କହ ତୁମ୍ଭର ନାମ କିସ । ଶୁଣି ମୋ ମନ ହେଉ ତୋଷ ।
ତୁମ୍ଭ ସୁନ୍ଦର ରୂପ ଦେଖି । ପିଛାଡ଼ି ନୋହେ ମୋର ଆକ୍ଷି ।
ଯେତେକ ବିପ୍ର ମୋର ପୁରେ । ଅଇଲେ ଦାନ ନିମନ୍ତରେ ।
ଜଣେ ତୁମ୍ଭର ପ୍ରାୟେ ହୋଇ । ଦିନେ ମୋ ଦେଖିଲାତ ନାହିଁ ।
କେଉଁ ନିମନ୍ତେ ଆସିଅଛ । ସ୍ୱରୂପ କହ ବିପ୍ରବତ୍ସ ।
ଏ ବାଣୀ ଶୁଣି ଦ୍ୱିଜବର । କହନ୍ତି ବଚନ ମଧୁର ।
ଶୁଣ ରାଜନ ଦ୍ୱିଜବର । ଭକ୍ତି ନଗରେ ଆମ୍ଭଘର ।
ହରି ଭକତ ଆମ୍ଭ ପିତା । ନାମ ମୋ ଦାମୋଦର ଓତା ।
ମାତା ଆମ୍ଭର ସତ୍ୟବତୀ । ନାହିଁ ଆମ୍ଭର ବାଡ଼ିବୃତ୍ତି ।
ଯେବା ମହତ୍ତ୍ୱ ସତ୍ୟବତୀ । ଜୀବେ ଅହିଂସା ଆତ୍ମବୁଦ୍ଧି ।
ଦୟାଳୁ ପରଲୋକ ପ୍ରାୟ । ତ୍ୟାଗ ନିର୍ମୋହ ସର୍ବଂସହ ।
ନିର୍ଲ୍ଲୋଭ ନିର୍ମାୟା ଯା ଚିତ୍ତ । ଶୁଚି ପବିତ୍ର ଦୃଢ଼ବ୍ରତ ।
କୃଷ୍ଣ ସେବାରେ ଆଗୁ ସାର । ନାମ ଭଜନେ ତତପର ।
ଏମନ୍ତ ଲୋକଦ୍ୱାରେ ଯାଉଁ । ଭିକ୍ଷା କରିଣ ଆମ୍ଭେ ଖାଉଁ ।
ଦୟା ଯା ଭୁବନେ ନ ଦେଖୁଁ । ଲକ୍ଷେଯୋଜନ ସେ ଆମ୍ଭଙ୍କୁ ।
ଏବେ ତୋହର କୀର୍ତ୍ତି ଶୁଣି । ଅଇଲୁଁ ଶୁଣ ନୃପମଣି ।
ଚିତ୍ତ ସନ୍ତୋଷେ ଦାନ ଦେବୁ । ଜଗତେ ଯଶ ଅରଜିବୁ ।
ପ୍ରଥମ ଭିକ୍ଷା ଏ ଆମ୍ଭର । ଏଥୁ ନ ଯିବୁଁ ଆନ ଦ୍ୱାର ।
ତାହା ଶୁଣିଣ ବଳୀରାଜା । କଲା ବିପ୍ରଙ୍କ ପାଦପୂଜା ।
ମାଗ ହୋ ବିପ୍ରଙ୍କ କୁମର । ଯେ ଇଛା ଅଛଇ ତୁମ୍ଭର ।
ଧନ ରତନ ବାଡ଼ିବୃତ୍ତି । ଗଜ ତୁରଙ୍ଗ ଆଦି କ୍ଷିତି ।
ବସ୍ତ୍ରାଦି ଅଳଙ୍କାର ମାନ । ଗୋରୁ ମହିଷ ମେଷ ଘେନ ।
ରାଜ ପଦହିଁ ଆଦି ମୋର । ଯେ ଇଚ୍ଛା ମାଗ ଦ୍ୱିଜବର ।
ଶୁଣି ବାମନ ଦିବ୍ୟମୂର୍ତ୍ତି । ନୃପତି ଆଗରେ କହନ୍ତି ।
ଅଧିକ ଲୋଭ ନାହିଁ ମୋର । ମାଗୁଛି ଶୁଣ ନୃପବର ।
ଆମ୍ଭରି ପାଦରେ ରାଜନ । ତ୍ରିପାଦ ଭୂମି ଦେବୁ ଦାନ ।
ଏହା ଶୁଣିଣ ନୃପନାଥ । ସିଞ୍ଚାଡ଼ି ଦେଲେ ବେନି ହସ୍ତ ।
ତୁମ୍ଭର ବୁଦ୍ଧି ଅଟେ ସାନ । ତେଣୁ ମାଗିଲ ଅଳ୍ପଦାନ ।
ତୁମ୍ଭ କର୍ମରେ ଅଛି ଯାହା । ଅନ୍ୟଥା କେ କରିବ ତାହା ।
ଏମନ୍ତ ବୋଲି ନୃପମଣି । ଶଙ୍ଖେ ଧଇଲେ ତିଳପାଣି ।
ଧର ହେ ବ୍ରହ୍ମାଣ୍ଡ ଗୋସାଇଁ । ତ୍ରିବା ସତ୍ୟ କଲି ମୁହିଁ ।
ଶୁଣି ଉଠିଲେ ଦ୍ୱିଜବର । ସଂକଳ୍ପ ପଡ଼ିଲେ ସତ୍ୱର ।
ଶ୍ରୀ ହସ୍ତ ପ୍ରସାରନ୍ତେ ହରି । ଶୁକ୍ର ଉଠିଲେ ବେଗକରି ।
ରାଜାଙ୍କୁ ଅନେକ ପ୍ରକାରେ । ଗୁପତ ବଚନେ ତିଆରେ ।
ଦାନ ନ ଦିଅ ଏହୁ ହରି । ନିଶ୍ଚେଁ ହରିବେ ତୁମ୍ଭ ଶିରୀ ।
ରାଜାର ଗୁରୁ ସେ ଯୁକତେ । ନାସ୍ତ ଯେ କଲେ ନାନା ମତେ ।
ଶୁଣି ବୋଇଲେ ବାଳୀରାଜା । ତୁହି ମୋହର ପାଶୁ ଯା ଯା ।
ସତ୍ୟ ଲଙ୍ଘିବା ଫଳେ ମୁହିଁ । ନର୍କରେ ସଞ୍ଚରିବି ଯାଇଁ ।
ଅବଶ୍ୟ ଥରେ ତ ମରିବି । ସତ୍ୟକୁ କିପାଇଁ ଛାଡ଼ିବି ।
ସେ ଯେବେ ଅଟେ ଭଗବାନ । ସୁଫଳ ହେଲା ମୋର ଦାନ ।
ଏମନ୍ତ ବୋଲି ନୃପମଣି । ବାମନ ହସ୍ତେ ଦେଲେ ପାଣି ।
ଦେଲି ତ୍ରିପାଦ ଭୂମିଦାନ । ତୁମ୍ଭଇଚ୍ଛାରେ ତୁମ୍ଭେ ଘେନ ।
ତା ଶୁଣି ଦେବ ଶିରୀପତି । ହୋଇଲେ ତ୍ରିବିକ୍ରମ ମୂର୍ତ୍ତି ।
ପାଦକେ ପୃଥିବୀ ବ୍ୟାପିଲେ । ଆରେକ ପାଦେ ସ୍ୱର୍ଗେ ନେଲେ ।
ପୁଣି ବୋଇଲେ ଭାବଗ୍ରାହୀ । ଆରପାଦକୁ ପୃଥ୍ୱୀ କାହିଁ ।
ଶୁଣି ବୋଇଲେ ନୃପବର । ଆଉ ଚରଣ କାହିଁ ତୋର ।
ଯେବେ ଚରଣ ଅଛି ତୋର । ପୃଥିବୀ ଅଛଇ ମୋହର ।
ତା ଶୁଣି ତ୍ରୈଲୋକ୍ୟ ଈଶ୍ୱର । ନାଭିରୁ କାଢିଲେ ପୟର ।
ଦେଖି ପାତିଲା ବଳୀ ଶିର । ଚାପିଲେ ବ୍ରହ୍ମାଣ୍ଡ ଠାକୁର ।
ସେ ରାଜା ନିସ୍ତରିଲି ବୋଲେ । ପାତାଳେ ତାକୁ ଠାବଦେଲେ ।
ହରି ଚରଣାମୃତ ପାଇ । ରହିଲ ଅକ୍ରାମର ହୋଇ ।
ଶୁଣ ସୁମନ ଏ ଚରିତ । ଦାନର ମହିମା ଏମନ୍ତ ।
ଶ୍ରୀହରି ହେଲେ ଅନ୍ତର୍ଦ୍ଧାନ । ସୁଜନେ ଭଜ ଭଗବାନ ।
କହଇ ଦୀନ ରାମ ଦାସ । ମୂଳଟି ଅଟଇ ବିଶ୍ୱାସ ।
ବାମନ ଅଭୟ ଚରଣେ ।ମୋ ଚିତ୍ତ ରହୁ ଅନୁକ୍ଷଣେ ।
ଇତି ଶ୍ରୀ ଦାର୍ଢ଼୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ
ବଳୀରାଜା ମୋକ୍ଷଣେ ନାମ ପ୍ରଥମୋଽଧ୍ୟାୟଃ ।