ଦାର୍ଢ଼୍ୟତା ଭକ୍ତି/ହରିଶ୍ଚନ୍ଦ୍ର ରାଜା ଚରିତ
←ବଳୀରାଜା ଚରିତ | ଦାର୍ଢ଼୍ୟତା ଭକ୍ତି ଲେଖକ/କବି: ହରିଶ୍ଚନ୍ଦ୍ର ରାଜା ଚରିତ |
କର୍ଣ୍ଣରାଜା ସମ୍ବାଦ→ |
ହରିଶ୍ଚନ୍ଦ୍ର ରାଜା ଚରିତ
କହଇ ଚଇତନ ବୀର । ଶୁଣ ସୁମନ କଥାସାର ।
ତୁ ଯେ ପଚାରୁଅଛୁ ଏତେ । ଦାନରେ ତରିଛନ୍ତି ଯେତେ ।
କହିଲି ବଳୀ ତରିବାର । ଶୁଣ ତୁ ଏଥୁ ଅନନ୍ତର ।
ନାମ ତାହାର ହରିଶ୍ଚନ୍ଦ୍ର । ତ୍ରେତୟା ଯୁଗରେ ନରେନ୍ଦ୍ର ।
ସୂର୍ଯବଂଶର ନୃପମଣି । ଦାନୀପଣରେ ସେ ଅଗ୍ରଣୀ ।
ସୁନ୍ଦରପଣେ କାମଦେବ । ଦାତା ଅଂଶରେ ସଦାଶିବ ।
ସୁଧୀର ପଣେ ମେରୁ ସମ । ବୀରପଣରେ ଦ୍ୱିତୀ ଯମ ।
ତେଜସ୍ୱୀପଣେ ବୈଶ୍ୱାନର । ବୁଦ୍ଧିରେ କିବା ଗଣେଶ୍ୱର ।
ପଣ୍ଡିତପଣେ ବୃହସ୍ପତି । ସହିବା ପଣେ ବସୁମତୀ ।
ଗମ୍ଭୀର ପଣେ ପାରାବାର । ଅପାର ମହିମା ତାହାର ।
ସପ୍ତମହୀପେ ଚକ୍ରବର୍ତ୍ତୀ । ଜଗତେ ବିଖ୍ୟାତ ତା କୀର୍ତ୍ତି ।
ପାଳଇ ଏକପତ୍ନୀ ବ୍ରତ । ଦଇବେ ତାର ଏକ ସୁତ ।
ସମ୍ପଦ କୁବେର ଭଣ୍ଡାର । ଦାନହିଁ ଦେବା ମୂଳ ତାର ।
ସେ ମହାରାଜା ଦାନୀପଣେ । ଦରିଦ୍ର ନ ରହିଲେ ଜଣେ ।
ଯେ ଯାହା ପ୍ରକାଶିଲେ ପାଇ । ନାହିଁ ବୋଲିବା ପଦ ନାହିଁ ।
ଦେଇ ତୋଷଇ ମନ ତାର । ଜୀବନ୍ତେ ଖଣ୍ଡେ ଦୁଃଖଭାର ।
ଦେ ପଦ ନିକଟରେ ଥାଇ । ନୃପତି ପଣେ ବିହରଇ ।
ଏମନ୍ତେ କେତେ କାଳଗଲା । ତାକୀର୍ତ୍ତି ଜଗତେ ପୁରିଲା ।
ବିନା କଳଙ୍କ ଚନ୍ଦ୍ର ପ୍ରାୟ । ତା ଯଶ ଜଗତେ ଉଦୟ ।
ଏକଥା ଜାଣି ସେ ରାଜାର । ସ୍ୱର୍ଗେ କମ୍ପିଲା ବଜ୍ରଧର ।
ବିଧାତା ଛାମୁରେ କହିଲା । କି ବୁଦ୍ଧି କରିବି ବୋଇଲା ।
ଏ ହରିଶ୍ଚନ୍ଦ୍ର ଦାନୀପଣେ । ସ୍ୱର୍ଗେ କମ୍ପିଲେ ସୁରଗଣେ ।
ଆବର କମ୍ପେ ମୋର ପୁର । କି ବୁଦ୍ଧି କହ ବେଦବର ।
ତାହା ଶୁଣିଣ ବେଦବର । ହୃଦରେ କଲେକ ବିଚାର ।
ବିଶ୍ୱାମିତ୍ରଙ୍କୁ ଡ଼କାଇଲେ । ମଞ୍ଚକୁ ଯାଅ ହେ ବୋଇଲେ ।
ହରିଶ୍ଚନ୍ଦ୍ରର ଦାନୀପଣ । ବୁଝିଣ ଆସ ହେ ବହନ ।
କଟାଳ କର ନାନା ମତେ । ବୁଝିବା ଦାନୀପଣ କେତେ ।
ଶୁଣି ଚଳିଲେ ମୁନିବର । ପ୍ରବେଶ ହେଲେ ମଞ୍ଚପୁର ।
ମାୟାରେ ହେଲେ ଦିବ୍ୟରୂପ ।କି ବ୍ରହ୍ମଦେବତା ସ୍ୱରୂପ ।
ରାଜାର ସିଂହଦ୍ୱାରେ ଗଲେ । ଅନେକ ଦେବ ଧ୍ୱନିକଲେ ।
ସହି ନପାରି ନୃପବର । ମିଳିଲେ ମୁନିଙ୍କ ଛାମୁର ।
ଦେଖିଣ ପ୍ରଣମିତ ହେଲେ । ଅନେକ ପାଦପୂଜା କଲେ ।
ଆଜ ପବିତ୍ର ମୋର ପୁର । ତୁମ୍ଭ ଦର୍ଶନେ ମୁନିବର ।
କିମ୍ପା ମୋ ପୁରକୁ ଆଗତ । ମିଥ୍ୟା ନକରି କହ ସତ ।
ଶୁଣି କହନ୍ତି ମହାଯତି । ସ୍ୱରୂପ ଶୁଣ ହେ ନୃପତି ।
ଆମ୍ଭେ ଅଇଲୁ ଯହିଁ ପାଇଁ । କହୁଛି ସଂଶୟ ଫିଟାଇ ।
ତୁମ୍ଭର ଯଶ କୀତ୍ତିମାନ । ପୂରିଲା ଚଉଦ ଭୁବନ ।
ସେ ଅଷ୍ଟଦିଗ ବସୁମତୀ । ବ୍ରହ୍ମ କ୍ଷେତ୍ରୀୟ ଚାରିଜାତି ।
ଯହିଁ ଶୁଣିଲେ ତୋର କୀର୍ତ୍ତି । ଶୁଭଇ ଶୁଣ ହୋ ନୃପତି ।
ତେଣୁ ଅଇଲୁ ତୋର ତହିଁ । କିଛିହିଁ ମାଗିବାର ପାଇଁ ।୪୦ ।
ଶୁଣି ବୋଇଲେ ସେ ରାଜନ । ଭୋ ମୁନି ଶୁଣ ମୋ ବଚନ ।
ଯାହା ଅଛଇ ତୁମ୍ଭ ଚିତ୍ତେ । ରାଜ ଭଣ୍ଡାର ଆଦି ଯେତେ ।
ମାଗ ହୋ ସଂଶୟ ନ କର । ଅବଶ୍ୟ ଦେବି ସତ୍ୟ ମୋର ।
ଶୁଣି କହନ୍ତି ମୁନିଇନ୍ଦ୍ର । ସ୍ୱରୂପ ଶୁଣ ହୋ ନରେନ୍ଦ୍ର ।
ଦେବାର ହୃଦ ଯେବେ ତୋର । ସ୍ୱହସ୍ତେ ତୋତିଦିଅ ନୀର ।
ପଛେ ନିସତ ହେଲେ ତୁହି । ଆଉ ମୁଁ ଛାଡ଼ିବଇଁ ନାହିଁ ।
ପୁତ୍ର ଭାରିଯା ତୁଲେ ତୋର । ପାତ୍ର ମନ୍ତ୍ରୀଙ୍କି ଯେ ପଚାର ।
ଶୁଣି ଭାବଇ ରାଜା ଚିତ୍ତେ । କିସ ମାଗିବ ଏହୁ ମୋତେ ।
ସବୁହୁଁ ପ୍ରାଣ ସିନା ବଡ଼ । ମାଗିଲେ ଦେବି ମୋର ଦୃଢ଼ ।
ଏମନ୍ତ ବୋଲି ନୃପମଣି । ଶଙ୍ଖେ ଧଇଲେ ତିଳ ପାଣି ।
ମୁନିଙ୍କ ହସ୍ତେ ଦେଲେ ନେଇ । ଯେ ଇଚ୍ଛା ମାଗ ହେ ଗୋସାଇଁ ।
ତ୍ରିବାର ସତ୍ୟ କଲି ମୁହିଁ । ଦେବି ସଂଶୟ ଏଥି ନାହିଁ ।
ତାହା ଶୁଣିଣ ମହାମୁନି । କଲେ ସେ ମହା ଘୋରଧ୍ୱନୀ ।
ସାକ୍ଷୀ ଏଥକୁ ଦିଗପାଳ । ରବି ଶଶାଙ୍କ ଆଖଣ୍ଡଳ ।
କୁବେର ବରୁଣ ସହିତେ । ସମସ୍ତେ ସାକ୍ଷୀ ଥାଅ ଏଥେ ।
ମାଗୁଛି ଦୋଷ ନାହିଁ ମୋର । ବୋଲି ଧଇଲେ ତିଳନୀର ।
ଜଳ ପକାଇ ମୁନିବର । ବୋଇଲେ ଶୁଣ ନୃପବର ।
ତୋ ରାଜାପଣ ମୋତେ ଦେବୁ । ଲେଙ୍କଡ଼ା କନାଏ ପିନ୍ଧିବୁ ।
ପୁତ୍ର ଭାରିଯା ଘେନି ତୋର । ରାଜ୍ୟରୁ ହୋଇବୁ ବାହାର ।
ଭୁଞ୍ଜିବି ରାଜାଭୋଗ ମୁହିଁ । ଏଥେ ତୋ ଅଧିକାର ନାହିଁ ।
ତା ଶୁଣି ନୃପତି ଆନନ୍ଦ । ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର ।
ମୁନିଙ୍କ ନୃପସିଂହାସନେ । ରାଜା କରାଇ ତୋଷମନେ ।
ଆପଣେ ବାନ୍ଧିଦେଲେ ଶାଢ଼ୀ । ପୁଣି ମୁନିଙ୍କ ପାଦେ ପଡ଼ି ।
ଉଠି କପାଳେ ଦେଲେ କର । ବୋଇଲା ନମେ ମୁନିବର ।
ପାତ୍ର ମନ୍ତ୍ରୀଙ୍କ ଡ଼କାଇଲେ । ମୁନିଙ୍କି ସମର୍ପିଣ ଦେଲେ ।
ଆଝୁଁ ତୁମ୍ଭର ଏହୁ ରାଜା । କର ଏହାଙ୍କ ପାଦ ପୂଜା ।
ଏମନ୍ତ ବୋଲି ନୃପବର । ବିଜୟ କଲେ ଅନ୍ତଃପୁର ।
ବିଡ଼ିବେ ବୋଲି ରାଣୀମନ । ଦୁଃଖିତ ହୋଇଣ ରାଜନ ।
ଭିତରପୁରେ ବିଜେକଲେ । ତାଦେଖି ଶୈବ୍ୟାରାଣୀ ବୋଲେ ।
ମନତ କରିଅଛି ଦୁଃଖ । କିମ୍ପାଇ ଶୁଖିଅଛି ମୁଖ ।
ବିପ୍ରଙ୍କୁ ଦେବାପାଇଁ ଦାନ । କିଅବା ନ ମିଳିଲା ଧନ ।
ଆଉକି ବିପତ୍ତି ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା ।
ବିଳମ୍ବ ନ କରିଣ କହ । ଦେଖି ନ ସହେ ମୋର ଦେହ ।
ତା ଦେଖି କହନ୍ତି ନୃପତି । ଶୁଣ ସୁମନେ ପ୍ରିୟବତୀ ।
କାହୁଁ ଅଇଲେ ଏକମୁନି । ମୋ ଆଗେ କଲେ ବେଦଧ୍ୱନି ।
ଦେଖି ମୋହର ତୋଷମନ । ମୁନିଙ୍କି ଯାଚିଲି ମୁଁ ଧନ ।
ରାଜ୍ୟ ସମ୍ପଦ ଯେତେ ମୋର । ସବୁ ଘେନିଲେ ମୁନିବର ।
ପୁତ୍ର ଭାରିଯାକୁ ଘେନିଣ । ଏକଇ ବସ୍ତ୍ର ମୁଁ ପିନ୍ଧିଣ ।
ଛାଡ଼ିଣ ଯିବ ନିଜ ଦେଶ । ତେଣୁ ଅଇଲି ତୋର ପାଶ ।
ଶୁଣି ଆନନ୍ଦ ରାଣୀମନ । ଏହି ସମୟେ ତୋ ନନ୍ଦନ ।
ବାହାର ଅବକାଶେ ଥିଲା । ପିତାଙ୍କ ଛାମୁରେ ମିଳିଲା ।
ଦେଖି ପିତାଙ୍କୁ ଆଗଭର । ପୁଚ୍ଛଇ ନୃପତି କୁମର ।
ମାତା ପୁତ୍ରକୁ ବୁଝାଇଲେ । ଶୁଣି କୁମର ମଣି ବୋଲେ ।
ଏଥକୁ ଚିନ୍ତା କିମ୍ପା କର । ତପସ୍ୟା ପୁରିଲା ଆମ୍ଭର ।
ଏମନ୍ତ ବୋଲି ତିନିଜଣ । ତିନି ଖଣ୍ଡ ବସ୍ତ୍ର ପିନ୍ଧିଣ ।
କାଢ଼ି ସକଳ ଅଳଙ୍କାର । ନଗରୁ ହୋଇଲେ ବାହାର ।
ପ୍ରବେଶ ମୁନିଙ୍କର ପାଶ । ବୋଲନ୍ତି ଛାଡ଼ିଗଲୁ ଦେଶ ।
ରଖ ତୁମ୍ଭର ପ୍ରଜାକୁଳ । ରାଜ୍ୟ ସମ୍ପଦାଦି ସମ୍ଭାଳ ।
କହନ୍ତି ବିଶ୍ୱାମିତ୍ର ମୁନି । ଶୁଣ ରାଜନ ମହାମାନୀ ।
ପିତାଙ୍କୁ ପୁତ୍ରଟି ଯେମନ୍ତ । ଦାନକୁ ଦକ୍ଷିଣା ତେମନ୍ତ ।
ପୁତ୍ର ବିହୀନେ ନର୍କେ ଯାଇଁ । ଦକ୍ଷିଣା ବିନା ଫଳନାହିଁ ।
ସୁବର୍ଣ୍ଣ ତିନିଲକ୍ଷ ମାଡ଼ । ଆଣି ମୋ ଆଗେ କର କୁଢ଼ ।
ତେବେ ନିଶ୍ଚନ୍ତେ ଚଳିଯାଅ । ନୋହିଲେ ଦାନ ତୋରନିଅ ।
ଏହା ଶୁଣିଣ ନରମଣି । ଚିତ୍ତେ ଚିନ୍ତିଲେ ଚକ୍ରପାଣି ।
ଦେବି ମୁଁ ଦକ୍ଷିଣା ତୁମ୍ଭର । ଆତ୍ମା ବିକ୍ରୟ କରି ମୋର ।
ଏମନ୍ତ ବୋଲି ତିନିଜଣ । ମଥାରେ ଲଦିଣ ତିରଣ ।
କାଞ୍ଚିନଗର ବୋଲି ଗଲେ । ମୁନି ଡାକନ୍ତି ତାଙ୍କ ତୁଲେ ।
ସେହି ନଗରେ ବୁଲି ବୁଲି । ଡ଼ାକନ୍ତି ଆତ୍ମା ବିକ୍ରୀ ବୋଲି ।
ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟଜନ । ଅପରେ ଯେତେ ଜାତି ପୁଣ ।
ଆବର ଚଣ୍ଡାଳ ସହିତେ । ଯେ ଅବା କିଣବଟି ମୋତେ ।
ପୁତ୍ର ଭାରିଯାର ସହିତେ । ବିକିବି ଦକ୍ଷିଣା ନିମନ୍ତେ ।
ଯେ ଧନ ଦେବ ତା ଶରଣ । ହେବୁ ପୁତ୍ରାଦି ତିନିଜଣ ।
ଏରୂପେ ଯେତେହେଁ ଡାକିଲେ । କିଣିମା କ୍ଷମ କେ ନୋହିଲେ ।
ଏଥିଉତ୍ତାରୁ ଶୁଣ ମନ । ବିଧାତା ଘଟ ସୂତ୍ରମାନ ।
ମାୟାରେ ବିପ୍ର ରୂପହୋଇ । ଅଗ୍ନି ଦେବତା ଥିଲେ ରହି ।
ଦ୍ୱି ଲକ୍ଷ ମାଢ଼ ସୁନା ଦେଲେ । ପୁତ୍ର ଭାରିଯାଙ୍କୁ କିଣିଲେ ।
ରାଜାର ଏକଇ କୁମର । ଦଇବେ ଅତି ସୁକୁମାର ।
ସେ ପତିବ୍ରତା ଶିରୋମଣି । ସୁନ୍ଦରୀ ତ୍ରିପୁରକୁ ଜିଣି ।
ଦୁହିଁଙ୍କ ହସ୍ତ ରାଜାଧରି । ବିପ୍ରକୁ ସମର୍ପଣ କରି ।
ଭୋ ବିପ୍ର ଯାହା ଇଛାକର । ଏ ଦୁହେଁ ହୋଇଲେ ତୁମ୍ଭର ।
ଏମନ୍ତ କହି ନୃପଗଲେ । ଧନ ମୁନିଙ୍କ ସମର୍ପିଲେ ।
ପୁଣି କେତେ ହେଁ ଦୂର ଯାନ୍ତେ । ଚାଣ୍ଡାଳ ରୂପେ ଜନ୍ତୁନାଥେ ।
ମନ୍ଦିର କରି ତହିଁ ଥିଲେ । ରାଜାଙ୍କୁ କିଣି ଧନ ଦେଲେ ।
ମୁନିଙ୍କୁ ବୋଇଲେ ରାଜନ । ନିଅ ହୋ ଦକ୍ଷିଣାର ଧନ ।
ଯେତେ କଟାଳ ମୁନିକଲେ । ରାଜା ଧର୍ମକୁ ନ ଲଙ୍ଘିଲେ ।
ସେ ମୁନି ଧନ ଘେନିଗଲେ । ନୃପତି ପଣେ ବିହରିଲେ ।
ଏଥେ ରହିଲେ ନୃପନାଥ । ଚାଣ୍ଡାଳ ଘରେ ହୋଇ ଭୃତ୍ୟ ।
ପ୍ରଭାତେ ଦାଣ୍ଡ ପହଁରନ୍ତି । ଦିବସେ ଘଷୁରି ଚରାନ୍ତି ।
ରାତ୍ରେ ଜଗନ୍ତି ଶମଶାନ । କେ କହୁ ତାଙ୍କ ଦୁଃଖମାନ ।
କାନନୁ ଫୁଲ ପୁତ୍ର ଆଣେ । ରାଣୀ କହିଲେ ଦାସୀପଣେ ।
ସେ ତିନିପ୍ରାଣୀଙ୍କ କଷଣ । କେ କହୁ ଶରୀର ଧରିଣ ।
ଯେତେହେଁ କଷ୍ଟ ସେ ପାଇଲେ । କେହି ଧର୍ମକୁ ନ ନିନ୍ଦିଲେ ।
ଏମନ୍ତେ କେତେଦିନ ଗଲା । ସ୍ୱର୍ଗରେ ବିଚାର ପଡ଼ିଲା ।
ବ୍ରହ୍ମା ଇନ୍ଦ୍ରାଦି ସୁରଗଣ । ସମସ୍ତେ କଲେ ବିଚାରଣ ।
ହରିଶ୍ଚନ୍ଦ୍ରର ତପଫଳେ । ସ୍ୱର୍ଗ ପଡ଼ିଲା ରସାତଳେ ।
ଏଥକୁ ତାଙ୍କୁ ଘେନି ଆସ । ନୋହିଲେ ସର୍ବେ ଯିବା ନାଶ ।
ଏମନ୍ତେ ସର୍ବେ ଭୟ କଲେ । ତକ୍ଷକ ରାଇ ଆଜ୍ଞା ଦେଲେ ।
ହେ ସର୍ପ ତୁହି ବେଗେ ଯିବୁ । ରାଜାର ପୁତ୍ରକୁ ଦଂଶିବୁ ।
ଆଜ୍ଞା ପ୍ରମାଣେ ସର୍ପ ଗଲା । ମଞ୍ଚରେ ପ୍ରବେଶ ହୋଇଲା ।
ରୋହିତ କୁମରକୁ ଦଂଶି ।ପୁଣି ମିଳିଲା ସ୍ୱର୍ଗେ ଆସି ।
ଏଥୁ ଅନନ୍ତେ ଶୈବ୍ୟାରାଣୀ । ପୁତ୍ର ମରିବା କଥା ଶୁଣି ।
ଅନେକ ସନ୍ତାପ ସେ କଲା । ତା ଦେଖି ବ୍ରାହ୍ମଣ କହିଲା ।
ତୁ ଏବେ କରୁଛୁ ରୋଦନ । କାହୁଁ ତୁ ଲଗାଇବୁ ଧନ ।
ଜାଣିଲେ ମଡ଼ାତଣ୍ଡିଆଏ । ମୋଠାରୁ ନେବେ ସୁନିଆଏ ।
ବେଗେ ତୁ ଶବ ଘେନିଯାଅ । ନପୋଡ଼ି ପୋତିଣ ପକାଅ ।
ମଡ଼ାତଣ୍ଡିଆ ଧନ ଆସି । ମାଗିଲେ ହୁଅ ତାର ଦାସୀ ।
ବିପ୍ର ନିରାଶ ବାଣୀ ଶୁଣି । ପୁତ୍ରକୁ ଧରି ଏକା ରାଣୀ ।
ଘୋର ଅନ୍ଧାର ନିଶାକାଳେ । ଘେନିଣ ଶମଶାନେ ମିଳେ ।
ଶବ ପକାଇ ମହାସତୀ । ଆପଣେ ଖନ୍ଦାଏ ଖୋଳନ୍ତି ।
ଜଗିବା ପାଇ ଶମଶାନ । ଏମନ୍ତେ ବାହାରେ ରାଜନ ।
ଆପଣେ ହରିଶ୍ଚନ୍ଦ୍ର ରାୟେ । ଆସିଣ ମିଳିଲେ ସେଠାଏ ।
ଦେଖିଲେ ଶମଶାନ ସ୍ଥାନ । ଏକଇ ଯୁବତୀ ରତନ ।
କାନ୍ଦିଣ ଖୋଳୁଅଛି ଗାତ । ଦେଖିଣ ନୃପତି ଚକିତ ।
ଧାଇଁ ଧଇଲେ କେଶ ତାର । ବୋଇଲେ ଅଟୁ ତୁ କାହିଁର ।
ମରିବୁ ତୋ ଇଷ୍ଟ ସୁମର । ଶୁଣି ବୋଲଇ ନାରୀବର ।
ମୋ ଇଷ୍ଟ ହରିଶ୍ଚନ୍ଦ୍ର ରାଜା । ମୁଁ ଅଟେ ତାହାଙ୍କ ଭାରିଯା ।
ସ୍ୱାମୀ ମୋ ନୃପପଦ ଯେତେ । ଦାନ ବିହିଲେ ମୁନିହସ୍ତେ ।
ଦକ୍ଷିଣା ନିମନ୍ତରେ ପୁଣ । ପୁତ୍ର ଭାରିଯାକୁ ବିକିଣ ।
ସେ ଧନ ମୁନିହସ୍ତେ ଦେଲେ । ଆପଣେ କେଣେ ଅବା ଗଲେ ।
ଏମନ୍ତେ କେତେ ଦିନଗଲା । ସର୍ପାଘାତରେ ପୁତ୍ର ମଲା ।
ତେଣୁ ସେ ପୁତ୍ରକୁ ଆଣିଣ । ପୋତିବି ବୋଲି ଶମଶାନ ।
ଏକାନ୍ତେ ଗାତ ଖୋଳୁଛଇଁ । ଯେଣୁ ମୋହର ଶାଖା ନାହିଁ ।
ଏମନ୍ତ ଶୁଣି ନରଈଶ । ଛାଡ଼ିଲେ ନିଜ ପ୍ରିୟା କେଶ ।
ଭୋ ସଖି! ମୁଁ ତୋ ପ୍ରାଣସଖା । କାହିଁ ମୋ ରୋହିତକୁ ଦେଖା ।
ଶୁଣିଣ ସ୍ୱାମୀର ଉତ୍ତର । ତୁଟିଲା ଘୋର ଅନ୍ଧକାର ।
ଦ୍ୱିଗୁଣେ ସନ୍ତାପ ବଢ଼ିଲା । ସ୍ୱାମୀର ଚରଣେ ପଡ଼ିଲା ।
ଉଠି ସ୍ୱାମୀଙ୍କୁ ଘେନିଗଲା । ପୁତ୍ରକୁ ଦେଖାଇଣ ଦେଲା ।
ବୋଇଲେ ସ୍ୱାମୀ ତୁମ୍ଭେ ଶୁଣ । ମୁହିଁ ଏ ପୁତ୍ରକୁ ଘେନିଣ ।
ଅନଳେ ପଶି ଝାସଦେବି । ଏ ପ୍ରାଣ କେଭେ ନ ରଖିବି ।
ଶୁଣି ବୋଇଲେ ନୃପବର । ପୁତ୍ର ଭାରିଯା ମଲେ ମୋର ।
ମୁଁ ଥାଇ କରିବଇଁ କିସ । ଚାଲା ସମସ୍ତେ ଦେବା ଝାସ ।
ଏମନ୍ତ ବୋଲି ଚଳିଗଲେ । ପ୍ରଚଣ୍ଡ ଅନଳ ଜାଳିଲେ ।
ସ୍ନାନ ସେ କରାଇ ପୁତ୍ରକୁ । ଅନଳେ ପଶିବା ବେଳକୁ ।
ଏମନ୍ତ ସମୟେ ମାତଳୀ । ସ୍ୱର୍ଗରୁ ରଥ ଘେନି ଚଳି ।
ରାଜାଙ୍କ ନିକଟେ ହୋଇଲା । ଅନଳେ ନ ପଶ ବୋଇଲା ।
ତା ଶୁଣି ନୃପତି ଚକିତ । ମାତଳୀ ଉଭାକଲା ରଥ ।
ବୋଇଲା ଦେବଙ୍କ ଆଦେଶ । ସ୍ୱର୍ଗକୁ ଯିବ ରଥେ ବସ ।
ଶୁଣି ବୋଇଲା ନୃପବର । ମଲା ମୋ ଏକଇ କୁମର ।
କେମନ୍ତେ ସ୍ୱର୍ଗକୁ ଯିବଇଁ । କହ ମୁଁ ଅପୁତ୍ରିକ ହୋଇ ।
ଏଣୁ ମୋ ମରିବାର ସତ । ମାତାଳୀ ଘେନିଯାଅ ରଥ ।
ମାତଳୀ ବୋଇଲା ବଚନ । ଅନଳେ ନ ପଶ ରାଜନ ।
ମୋର ଅଇଲା ଯାଏ ଥିବୁ । ନୋହିଲେ ଦେବଦ୍ରୋହୀ ହେବୁ ।
ଏମନ୍ତେ ବୋଲି ଚଳିଗଲା । ଦେବଙ୍କ ଆଗରେ ମିଳିଲା ।
ରାଜା କହିବା ଜଣାଇଲା । ଅମୃତ ସଞ୍ଜୀବନୀ ନେଲା ।
ପୁଣି ସ୍ୱର୍ଗରୁ ଲେଉଟିଲା । ରାଜା ନିକଟେ ପ୍ରବେଶିଲା ।
ପୁତ୍ରର ମୁଖେ ସୁଧାଦେଇ । କର୍ଣ୍ଣରେ ସଞ୍ଜୀବନୀ କହି ।
ତକ୍ଷଣେ ଜୀଇଲା ପିଅର । ପାଶେ ଦେଖିଲା ରହୁବର ।
ଆବର ଜନନୀ ପିଅର । ଦେଖିଣ ରୋହିତ କୁମର ।
ସ୍ୱର୍ଗକୁ ଯିବା ଏବେ ଚାଲ । କୁମର ବୋଇଲା କି ବୋଲ ।
ଆମ୍ଭର ରାଜ୍ୟ ପ୍ରଜାକୁଳ । ଛାଡ଼ି କେ ଯିବ ସ୍ୱର୍ଗଆଳ ।
ସମସ୍ତେ ଗଲେ ଯିବି ମୁହିଁ । ନୋହିଲେ ଯାଅ ତୁମ୍ଭେ ଦୁଇ ।
ଶୁଣି ବୋଇଲେ ନୃପନାଥ । ମାତଳୀ ଘେନିଯାଅ ରଥ ।
ନ ଗଲେ ରାଜ୍ୟଜନ ଯେତେ । ଆମ୍ଭେ ନ ଯିବୁ କଦାଚିତେ ।
ଶୁଣି ମାତଳୀ ଚଳିଗଲା । ବିଧାତା ଆଗରେ କହିଲା ।
ସ୍ୱରୂପ ଶୁଣ ବେଦବର । ନଇଲେ ପ୍ରଜାକୁଳ ସାର ।
କେବେ ନ ଆସେ ନୃପବର । ବିଚାରି ମୋତେ ଆଜ୍ଞା କର ।
ତା ଶୁଣି ବ୍ରହ୍ମା ଇନ୍ଦ୍ର ସୁର । ସମସ୍ତେ କଲେକ ବିଚାର ।
ଯାଇଁ ରାଜାକୁ ଘେନିଆସ । ନୋହିଲେ ସ୍ୱର୍ଗଯିବ ନାଶ ।
ହରିଶ୍ଚନ୍ଦ୍ରର ତପଫଳେ । ଆସନ୍ତୁ ତାର ପ୍ରଜାକୁଳେ ।
ତା ଶୁଣି ମାତଳୀ ହରଷ । ଲେଉଟି ଗଲେ ରାଜା ପାଶ ।
ଦେବେ ଦୁନ୍ଦୁଭି ବଜାଇଲେ । ସକଳ ଲୋକ ଗୋଷ୍ଠୀ କଲେ ।
ପଶୁ ମନୁଷ୍ୟ ଚାରି ଜାତି । ଅପରେ ଯେତେ ଲୋକେ ଛନ୍ତି ।
ସମସ୍ତ ରଥେ ବସାଇଲେ । ଆପଣେ ରାଜା ବିଜେ କଲେ ।
ପୁତ୍ର ଭାରିଯା ସଙ୍ଗେ ଘେନି । ଆନନ୍ଦେ କଲେ ଜୟ ଧ୍ୱନି ।
ଚଳିଲା ରଥ ଶୂନ୍ୟମାର୍ଗେ । ଦେବେ ଅନାଇଛନ୍ତି ସ୍ୱର୍ଗେ ।
ଯହୁଁ ନିକଟେ ସ୍ୱର୍ଗ ଆସି । ଦେବମାୟାକୁ ଦେଲେ ପେଶି ।
ରାଜାର ହୃଦରେ ପଶିଲା । ବଡ଼ିମା ପଣ ପ୍ରକାଶିଲା ।
ଗର୍ବ ବହିଲା ରାଜା ମନ । ନ ଚଳେ ପୁଷ୍ପକ ବିମାନ ।
ଯହୁଁ ସେ ନିଶ୍ଚଳେ ରହିଲେ । ସକଳ ଦେବତା ଅଇଲେ ।
ବିଶ୍ୱକର୍ମାକୁ ଆଜ୍ଞା ଦେଲେ । ତହିଁ ପୁରେକ ନିର୍ମାଣିଲେ ।
ଶ୍ରୀହରିଶ୍ଚନ୍ଦ୍ର ସ୍ୱର୍ଗପୁର । ନାମ ବିହିଲେ ବେଦବର ।
ସେ ପୁରେ ରହିଲେ ନୃପତି । ଅଛଇ ଯୁଗେ ଯୁଗେ କୀର୍ତ୍ତି ।
ଦେବା ଜୟରେ ଫଳ ଏତେ । ପୁରାଣ ବିଖ୍ୟାତ ଜଗତେ ।
ଭଣେ ଅଧମ ରାମଦାସ । ଶ୍ରୀହରି ପାଦପଦ୍ମେ ଆଶ ।
ଶୁଣ ସୁଜନ କର୍ଣ୍ଣପୁଟେ । ନ ପଡ଼ ସଂସାର ସଙ୍କଟେ ।