ଦେବତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି

ଉଇକିପାଠାଗାର ରୁ
Jump to navigation Jump to search

ଦେବତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି
ବିଷୟ
ରାଗ ଯମକ

ଦେଵତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି । ଭାବିଲେ ବିଷ୍ଣୁଙ୍କ ବିନା ନାହିଁ ଅନ୍ଯ ଗତି ।୧।
ସକଳ ଦେବଙ୍କୁ ସେ ଘେନିଣ ସଙ୍ଗତରେ । ପ୍ରବେଶ ହୋଇଲେ ଯେ ଅନନ୍ତ ଶଯ୍ୟାଠାରେ ।୨।
ଏକମୁଖ ହୋଇ ସର୍ବେ କରୁଛନ୍ତି ସ୍ତୁତି । ଆଗଭର ହୋଇଣ ଜଣାନ୍ତି ପ୍ରଜାପତି ।୩।
ନମସ୍ତେ ନମସ୍ତେ ବିଷ୍ଣୁ କମଳଲୋଚନ । ଦୁଃଖୀ ଦୁଃଖହାରୀ ପ୍ରଭୁ ଭକ୍ତ ପ୍ରାଣଧନ ।୪।
ଲଙ୍କପତି ଉପଦ୍ରବ ଶୁଣନ୍ତୁ ଗୋସାଇଁ । ଦ୍ଵାରପାଳ କାର୍ଯ୍ୟ ସୂର୍ଯ୍ୟ ତା ଦ୍ଵାର ଜଗଇ ।୫।
ପୁଷ୍ପହାର ଗୁନ୍ଥେ ଇନ୍ଦ୍ର ଭୟେ ହୋଇ ତ୍ରସ୍ତ । ଚନ୍ଦ୍ର ଦେଵତା ମସ୍ତକେ ଧରିଥାନ୍ତି ଛତ୍ର ।୬।
ପାକ ସମ୍ପାଦନ୍ତି ଅଗ୍ନି ଦେବତା ତାହାର । ଧୀରେ ଧୀରେ ବିଞ୍ଚୁଥାନ୍ତି ଭୟରେ ସମୀର ।୭।
ଜେତେ ପାଣି ଲୋଡ଼ା ଆଣି ଦିଅନ୍ତି ବରୁଣ । ବସୁମତୀ କରୁଥାନ୍ତି ଗୃହ ସମାର୍ଜ୍ଜନ ।୮।
ଯମ କଥା କହି ନୁହେଁ ମାଡ଼ୁଅଛି ହସ । ତା ହାତୀ ଘୋଡ଼ା ନିମନ୍ତେ କାଟୁଛନ୍ତି ଘାସ ।୯।
ଯେ ଶନି ଦୃଷ୍ଟିରୁ ଭସ୍ମ ହୁଏ ତିନିପୁର । ସେ ମଅଳ ଲୁଗା ନିତି କାଚେ ରାଵଣର ।୧୦।
ପ୍ରତିଦିନ ବୃହସ୍ପତି ପାଞ୍ଜି ପଢ଼ୁଛନତି । ମୋର ଖଟଣି ଶୁଣିବା ହେଉ ଲକ୍ଷ୍ମୀପତି ।୧୧।
ସୃଷ୍ଟିକର୍ତ୍ତା ହୋଇଣ ହୋଇଛି ଅବଧାନ । ନିତି ପ୍ରତି ପଢ଼ାଏ ତା ବାଳୁତ ସନ୍ତାନ ।୧୨।
ଏହି ପରି ସର୍ବ ଦେବେ କରିଅଛୁଁ ସେବା । କେଉଁ ପରି ଏହା ହସ୍ତୁ ମୁକତି ଲଭିବା ।୧୩।
ଏହା ପ୍ରତାପରୁ ରକ୍ଷା କର ଚକ୍ରଧର । ନୋହିଲେ ନିଶ୍ଚୟ ନାଶ ଯିବ ତିନିପୁର ।୧୪।
ଏତେ ବୋଲି ବେଦପତି ଆରମ୍ଭିଲେ ସ୍ତୁତି । ବୋଲେ ଦୀନ ପଦ୍ମନାଭ ରାମପାଦ ଚିନ୍ତି ।୧୫।