ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ

ଉଇକିପାଠାଗାର ରୁ
Jump to navigation Jump to search

ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ !

ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା ଅନ୍ଧର ଲଉଡ଼ି ବାବୁ(ରେ) ହୃଦ ରତ୍ନ ହାରା । କଳାମାଣିକରେ !

ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା ତୋତେ କି ପାସୋରି ହେବ(ରେ) ମୋର ସୁଖ ସୀମା । କଳା ମାଣିକରେ !

ଡରୁଥାଉ ଅନ୍ଧାରକୁ(ରେ) ରଖିଥାଉ ଗୋରୁ ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ !

ବୃଦ୍ଧକାଳେ ତୁ ମୋହର(ରେ) ଏକଇ ନନ୍ଦନ ହୃଦ-ତାପ-ବିନାଶନେ(ରେ) ତୁ ହରି ଚନ୍ଦନ ।କଳାମାଣିକରେ !

ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପେ ବିନାଶନେ ତୁ ହରିଚନ୍ଦନ । କଳାମାଣିକ ରେ ।।

ଗୋଟିକା, ଅଧାମ, ସର ନ ରୁଚଇ ତୋତେ, ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ ! କଳାମାଣିକ ରେ ।

ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ ! କଳାମାଣିକ ରେ ।

ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ, ବାର ବାର ବାରୁଥାଇ ଯିବା ପାଇଁ ବନେ ! କଳାମାଣିକ ରେ ।

ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡ଼ଙ୍କୁଣୀ ଛାଡିଦେଲି ବନକୁ କାହିଁକି ! କଳାମାଣିକ ରେ ।

ଝାଳ ବହୁଥିବ ଅଙ୍ଗୁ ଲାଗି, ଝାଞ୍ଜି ଖରା, ଶ୍ରମ ପାଇ ତରୁତଳେ ବସିଥିବୁ ପରା ! କଳାମାଣିକ ରେ ।

ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା! କଳାମାଣିକ ରେ।

କାନ ଡେରିଥାଇ ଏକା ତୋ' ବେଣୁ ସ୍ଵନକୁ, ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ! କଳାମାଣିକ ରେ ।

             କବି : ଅଭିମନ୍ୟୁ ସାମନ୍ତସିଂହାର