ପରଲୋକଗତ ଦାଶରଥି କବିଚନ୍ଦ୍ର

ଉଇକିପାଠାଗାର ରୁ
Jump to navigation Jump to search

                ଉତ୍କଳାକାଶରୁ ଗୋଟିଏ ଉଜ୍ଜ୍ୱଳନକ୍ଷତ୍ର ଅସ୍ତମିତ ହୋଇଅଛି । ପଣ୍ଡିତ ଦାଶରଥି କବିଚନ୍ଦ୍ର ମାନବଲୀଳା ସମ୍ବରଣ କରିଅଛନ୍ତି । ଏହାଙ୍କ ପରି ସଂସ୍କୃତଜ୍ଞ ଓଡ଼ିଶାରେ ନାହାନ୍ତି, ଏହା ମୁଁ କହୁନାହିଁ, ମାତ୍ର ଏହାଙ୍କର ଯେଉଁ ଅସାଧାରଣ ଶକ୍ତି ଥିଲା ସେଥିର ଉଦାହାରଣ ଓଡ଼ିଶାରେ ଦୁର୍ଲ୍ଲଭ । ସଂସ୍କୃତ କବିତା ରଚନା ବିଷୟରେ ସମଗ୍ର ଉକ୍ରଳରେ କେବଳ ୨ ଜଣ ପ୍ରକୃତ କ୍ଷମତାପନ୍ନ ବ୍ୟକ୍ତି ଦେଖାଯାନ୍ତି । ପ୍ରଥମ ତିଗିରିୟା ନିବାସୀ ଭୁବନି ବଡ଼ପଣ୍ଡା, ଦ୍ୱିତୀୟ ବାଣପୁର ନିବାସୀ ଦାଶରଥି କବିଚନ୍ଦ୍ର । ପ୍ରଥମୋକ୍ତ ମହାତ୍ମା ଗୁଣଗ୍ରାହୀ ସାହିତ୍ୟ ରସିକ ବାମଡା ମହାରାଜ ଶ୍ରୀଯୁକ୍ତ ସୁଢ଼ଳଦେବଙ୍କର ଆଶ୍ରୟରେ ଦିନ ଯାପନ କରୁଅଛନ୍ତି । ଦାଶରଥି ଖଲ୍ଲିକୋଟରେ ବହୁକାଳ ଅବସ୍ଥାନାନନ୍ତର ଓଡ଼ିଶା, ଗଡ଼ଜାତ, ବଙ୍ଗ, ବିହାର, ରିମା, ଦରଭଙ୍ଗା ପ୍ରଭୃତି ସ୍ଥାନମାନଙ୍କରେ ଭ୍ରମଣ ପୂର୍ବକ ବାନରୀପ୍ରାୟ ବାଗ୍ଦେବୀଙ୍କୁ ନର୍ତ୍ତନ କରାଇ କଥଞ୍ଚିତ୍ ଜୀବିକା ଅର୍ଜନ କରୁଥିଲେ । ପ୍ରାୟ ୭-୮ଦିନ ହେଲା ଉକ୍ତ ମହାତ୍ମା କାଳଗର୍ଭରେ ଲୀନ ହେଲେ ।

 

                ଦାଶରଥିଙ୍କର କେମନ୍ତ  ଅସାଧାରଣ ଶକ୍ତି ଥିଲା, ତାହା ଯେଉଁମାନେ ଚାକ୍ଷୁଷ କରିନାହାନ୍ତି କେବଳ ବର୍ଣ୍ଣନା ଦ୍ୱାରା ତାହା ସେମାନଙ୍କର ବୋଧଗମ୍ୟ ହେବନାହିଁ । ଦାଶରଥି ଜଣେ ଅଷ୍ଟାବଧାନୀ ପଣ୍ଡିତ ଥିଲେ । ତାହାଙ୍କର ଅଲୌକିକ ଅଷ୍ଟାବଧାନୀ କାର୍ଯ୍ୟ ପୁରୀ ଏବଂ କଟକରେ ଅନେକ ଭଦ୍ରଲୋକ ଦେଖିଥିବେ । ମାତ୍ର ଯେଉଁମାନେ ସଂସ୍କୃତ ଜାଣନ୍ତି ଏବଂ ସଂସ୍କୃତ କବିତାର ରସାସ୍ୱାଦନରେ ପଟୁ କେବଳ ସେହିମାନେ ଦାଶରଥିଙ୍କର ଉପସ୍ଥିତ କବିତା ଶକ୍ତିର ପ୍ରସର ଅନୁଭବ କରିବାକୁ ସକ୍ଷମ ହେଉଥିଲେ । ପୂଜ୍ୟପାଦ ଭୁବନି ବଡ଼ପଣ୍ଡାଙ୍କୁ ମୁଁ ଦେଖିନାହିଁ, ମାତ୍ର ତାହାଙ୍କର ସୁଯୋଗ୍ୟ ପୁତ୍ରଙ୍କଠାରୁ ତାହାଙ୍କର ଅସାଧାରଣ ପ୍ରତିଭାର ଯେଉଁ ପରିଚୟ ପାଇଅଛି ତାହା ଅତି ବିସ୍ମୟକର । ଦାଶରଥି, ପଣ୍ଡିତ ମହୋଦୟଙ୍କ ସଙ୍ଗେ ଏକ ତୁଳାଦଣ୍ଡରେ ତୁଳିତ ହେବାର ଅନୁପଯୁକ୍ତ ନଥିଲେ ।

                ଆଜକୁ ପ୍ରାୟ ପନ୍ଦର ବର୍ଷ ପୂର୍ବେ ମୁଁ ପୁରୀରେ ଅବସ୍ଥାନ କରୁଥିଲି । ସେହି ସମୟରେ ଦାଶରଥିଙ୍କ ସହିତ ମୋର ପ୍ରଥମ ସାକ୍ଷାତ । ନୈୟାୟିକ ପ୍ରବର ପଣ୍ଡିତ ହରିହର ଦାସ ଦାଶରଥିଙ୍କୁ ମୋହ ସଙ୍ଗେ ପରିଚୟ କରାଇଦେଇ ତାହାଙ୍କର ପ୍ରତିଭାର ଯଥେଷ୍ଟ ପ୍ରଶଂସା କଲେ । ଦାଶରଥି ପାଦପୂରଣ ଅଭିପ୍ରାୟରେ ମୋତେ ଗୋଟିଏ ପ୍ରଶ୍ନ କରିବାକୁ ଅନୁରୋଧ କଲେ । ମୁଁ ଯେଉଁ ପ୍ରଶ୍ନ କଲି ସେ ଅବଲୀଳାକ୍ରମେ ସେଥିରେ ସନ୍ତୋଷଜନକ ଉତ୍ତର ଦେଲେ । ପାଦପୂରଣରେ ତାହାଙ୍କର ଅସାଧାରଣ କୌଶଳ ଦେଖି ମୁଁ ଚମକ୍ରୃତ ହେଲି । କଥା ପ୍ରସଙ୍ଗରେ ତାହାଙ୍କୁ ଗୋଟିଏ ବଙ୍ଗଳା କବିତାର ଭାବ ଗ୍ରହଣ କରି ସଂସ୍କୃତ କବିତା ରଚନା କରିବାକୁ ଅନୁରୋଧ କଲି । କବିଚନ୍ଦ୍ର ସେହିକ୍ଷଣି କହିଲେ -

                                ନମାମଂ ରାମଂ ମଣିମୌଳି ମଣ୍ଡନା

                                ସଙ୍ଗୀ ସମୋଦା ନରମୁଣ୍ଡମାଳିନୀ

                                ଯଥା ପ୍ରଭାତେ ଲତିକା ପ୍ରସୂନ ଭୂତ୍

                                ବସନ୍ତବାତଂ ହିମବିନ୍ଦୁଶାଳିନୀ ।

                ଶ୍ରୋତାମାନେ ଆନନ୍ଦରେ ଗଦ୍ଗଦ୍ ହୋଇ ଆଉ ଗୋଟିଏ ପ୍ରଶ୍ନ କରିବାକୁ ମୋତେ ଅନୁରୋଧ କଲେ । ମୁଁ ନିମ୍ନୋକ୍ତ ବଙ୍ଗୀୟ କବିତା ପଢ଼ି ସେଥିର ଭାବ ତାହାଙ୍କୁ ବୁଝାଇ ଦେଇ ଶାର୍ଦ୍ଧୂଳବିକ୍ରୀଡ଼ିତ ଛନ୍ଦରେ କବିତା ରଚନା କରିବାକୁ କହିଲି 

                                ""ରାଜକାର୍ଯ୍ୟ ସାଧି ଯଥା ବିରାମ ମନ୍ଦିରେ

                                ରାଜେନ୍ଦ୍ର ରାଖେନ ଦେବ ଖୁଲି ସଯତନେ

                                କିରୀଟ, ରାଖିଲି ଖୁଲି ଅସ୍ତାଚଳ ଚୂଡ଼େ

                                ଦିନଦେବ ଦିନାନ୍ତେ ଦିନରତନ ତମୋହାମିହିରେ ।

 

                ଦାଶରଥି ପ୍ରାୟ ୨-୩ ମିନିଟ୍ ମଧ୍ୟରେ କବିତା ରଚନା କରିଦେଲେ । ସମଗ୍ର କବିତା ମୋହୋର ମନେନାହି । ଯେତିକି ମନେଅଛି ତାହା ଏହି -

                                ନିତ୍ୟୋ ଦୀପ୍ତି ନିରସ୍ର ବିଶ୍ୱ ତମସଂ ଚଣ୍ଡାଂଶୁମୁଷ୍ଣୀବତ୍

                                ଅସ୍ତକ୍ଷ୍ମାଧର ମସ୍ତକୋ ପରିବିଧୌତ୍ରୁଟ୍ୟାଧିପୋବାସର

                                ଆନନେ୍ଦାଦୟ ଭୋଷିତ ପ୍ରକୃତିକ

                                ........ ନାଗ ଦନ୍ତାନ୍ତରେ

                                .........................

                                .............. ଯଦ୍ୱତ ଦରି ଜୃମ୍ଭତେ ।

                ଏହି ପ୍ରଥମ ସାକ୍ଷାତରେ ଦାଶରଥି ଏହିପରି ଆଠଦଶୋଟି କବିତା ରଚନା କରି ସମବେତ ସମସ୍ତ ଶ୍ରୋତାଙ୍କୁ ଚମକ୍ରୃତ ଏବଂ ମୋହିତ କରାଇଥିଲେ । ଏହି ସମୟରୁ ତାହାଙ୍କ ସଙ୍ଗେ ମୋହର ଘନିଷ୍ଠ ବନ୍ଧୁତା ଆରମ୍ଭ ହେଲା । ତାହାଙ୍କ ସହିତ ଯେତେଥର ସାକ୍ଷାତ ହୋଇଅଛି, ତାହାଙ୍କର ଅମୃତନିସ୍ୟନ୍ଦିନୀ ସରସ୍ୱତୀ ମୋହୋର କର୍ଣ୍ଣ ପବିତ୍ର କରିଅଛି । ଅଳ୍ପଦିନ ତଳେ ସେ କଟକକୁ ଆସିଥିଲେ । କଥା ପ୍ରସଙ୍ଗରେ ରୂପବର୍ଣ୍ଣନାତ୍ମକ ସ୍ୱରଚିତ କେତେଗୁଡ଼ିଏ କବିତା ମୋତେ ଶୁଣାଇ ଉକ୍ତ ବିଷୟକ ଉକ୍ରୃଷ୍ଟତମ ପ୍ରାଚୀନ କବିତା ଯାହାକି ମୋ ପଢ଼ିବାରେ ଆସିଅଛି ଆବୃତ୍ତି କରିବାକୁ ମୋତେ ଅନୁରୋଧ କଲେ । ମୁଁ ନିମ୍ନଲିଖିତ କବିତା କହିଲି -

                                ପରିପାଣ୍ଡୁ ଦୁର୍ବଳ କପୋଳ ସୁନ୍ଦରଂ

                                ଦଧତୀ ବିଲୋଳ କବରୀକ ମାନଙ୍କ

                                କରୁଣସ୍ୟ ମୂର୍ତ୍ତିରଥବା ଶରୀରିଣୀ

                                ବିରହବ୍ୟଥେବ ବନମେତି ଜାନକୀ ।।

                ଏହି କବିତା ଶୁଣିବା ମାତ୍ରକେ କବିଚନ୍ଦ୍ରଙ୍କ ଗଣ୍ଡସ୍ଥଳ ଆନନ୍ଦାଶ୍ରୁରେ ଅଭିଷିକ୍ତ ହେଲା । ଗଦ୍ଗଦ୍ ହୋଇ କହିଲେ, ""ଧନ୍ୟ କ୍ଷମତା! ଆହା! ଏ ଶ୍ଳୋକ ଯେ ଲେଖିଛି ସଂସାର ସମ୍ପଦ ତାକୁ କେତେ? ଆଜ ମୋର ସୁପ୍ରଭାତ । - ଏହା କହି ଆନନ୍ଦରେ ବିହ୍ୱଳ ହୋଇ ପ୍ରାୟ ୭-୮ ଥର ସେହି ଶ୍ଳୋକ ପଢ଼ିଲେ ଏବଂ ଉତ୍ତର ରାମଚରିତ ଗ୍ରନ୍ଥ କିଣିବା ସକାଶେ ନିରତିଶୟ ବ୍ୟଗ୍ରତା ପ୍ରକାଶ କଲେ । ଦାଶରଥିଙ୍କର ରୁଚି କେମନ୍ତ ଉନ୍ନତ ଓ ମାର୍ଜିତ ଥିଲା ସଂସ୍କୃତଜ୍ଞ ପାଠକେ ଏହି ସାମାନ୍ୟ ଘଟଣାରୁ ତାହା ବୁଝିପାରିବେ ।

                ବଡ଼ ଦୁଃଖର କଥା ଯେ, ଶେଷାବସ୍ଥାରେ ଦାଶରଥିଙ୍କୁ ଅର୍ଥାଭାବ ଜନିତ କଷ୍ଟ ଭୋଗ କରିବାକୁ ହେଲା । "ଦାରିଦ୍ର୍ୟ ଦୋଷୋ ଗୁଣରାଶିନାଶୀ' - ଦାଶରଥି ଏହି ପ୍ରବାଦର ସଜୀବ ଉଦାହରଣ ପ୍ରାୟ ଇତସ୍ତତଃ ବିଚରଣ କରୁଥିଲେ । ତାହାଙ୍କର ଦର୍ପଣବତ୍ ନିର୍ମଳ ପ୍ରତିଭା କ୍ରମଶଃ ନିଶ୍ୱାସାନ୍ଧ ହେବାକୁ ଲାଗିଲା । ଦାରୁଣ ଅନ୍ନଚିନ୍ତା ସବୁବେଳେ ତାହାଙ୍କୁ ଆକୁଳ କଲା । କୌଣସି ଐଶ୍ୱର୍ଯ୍ୟଶାଳୀ ଗ୍ରାହକଙ୍କର ଆଶ୍ରୟ ଲାଭକରି ସ୍ୱକୀୟ ନୈସର୍ଗିକ ପ୍ରବୃତ୍ତି ଚରିତାର୍ଥ କରିବେ ଏବଂ କାବ୍ୟାଦି ରଚନା କରି ଉକ୍ରଳ ସାହିତ୍ୟ ସଂସାରରେ କୀର୍ତ୍ତି ସ୍ଥାପନ କରିବେ ଏହି ଇଚ୍ଛା ସର୍ବଦା ତାହାଙ୍କ ମନରେ ଜାଗରୂକ ଥିଲା । ମାତ୍ର ତାହାଙ୍କର ଏହି ସାଧୁଇଚ୍ଛା ଫଳବତୀ ହେଲାନାହିଁ । ପ୍ରତିଭାଶାଳୀ ଦାଶରଥିଙ୍କର ପରିଣାମ ଅରଣ୍ୟକୁସୁମର ପରିଣାମ ପରି ଶୋଚନୀୟ ହେଲା ।

 

                ଦାଶରଥି ନିତାନ୍ତ ଆଡ଼ମ୍ବରଶୂନ୍ୟ ଥିଲେ; ଅଥଚ ବିନୟାଚ୍ଛନ୍ନ ସାଧୁଗର୍ବ ତାହାଙ୍କଠାରେ ଯଥେଷ୍ଟ ଥିଲା । ଦିନେ ସେ ନିତାନ୍ତ ନିଃସମ୍ବଳ ହୋଇ ମୋହ ନିକଟରେ ଉପସ୍ଥିତ ହେଲେ । କଥା ପ୍ରସଙ୍ଗରେ ମୁଁ ତାହାଙ୍କୁ କୌଣସି ଧନୀ ବ୍ୟକ୍ତିଙ୍କ ଅନୁସରଣ କରିବାକୁ ଉପଦେଶ ଦେଲି । ଦାଶରଥି କହିଲେ, ""ସହସ୍ର କଷ୍ଟ ହେଲେ ସୁଦ୍ଧା ସେପରି ଲୋକର ଅନୁସରଣ କରିବାକୁ ମୋହର ପ୍ରବୃତ୍ତି ହୁଏନାହିଁ, ଅଗ୍ରାହକ ବଦାନ୍ୟଠାରୁ ଗ୍ରାହକ ମିତଦାତା ଭଲ । - ଏହା କହି ସେ ନିମ୍ନୋକ୍ତ କବିତାଟି ପାଠକଲେ -

                                କ୍ଷୁତ୍ କ୍ଷାମୋଽପି ଜରାକୃଶୋଽପି

                                                 ଶିଥିଳପ୍ରାଣୋଽପି କଷ୍ଟାଂଦଶା

                                ମାପନ୍ନୋଽପି ବିପନ୍ନ ଦିଧିତିରପି

                                                   ପ୍ରାଣେଷୁ ଶ୍ୱେତସ୍ୱପି

                                ମତେ ଚ ଭ୍ର କଠୋର କୁମ୍ଭମିଶିତ

                                                   ଗ୍ରାସେକ ବଦ୍ଧସ୍ପୃହଃ

                                କିଂ ଜୀର୍ଣ୍ଣତୃଣମତ୍ତି ମନମହତାମଗ୍ରେସରଃ କେଶରୀ ।।

 

(କବିବର ରାଧାନାଥ ରାୟଙ୍କ ଏହି ପ୍ରବନ୍ଧଟି "ସଂସ୍କାରକ' ପତ୍ରିକାର ତା ୩୦.୧.୧୮୮୬ ରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା)