ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୫୩ କର୍ମ- ଚରିତ୍ର ଉପରେ ଏହାର ପ୍ରଭାବ ଶାସ୍ତିର ଭୟ ଅଥବା ଏପରି କୌଣସି ବିଷୟ ଚିନ୍ତା ନକରି କାର୍ଯ୍ୟ କରିପାରନ୍ତି, ତାଙ୍କ ମଧ୍ୟରେ ମହାପୁରୁଷ ହେବାର ସାମର୍ଥ୍ୟ ଅଛି । ଏହି ଭାବ କାର୍ଯ୍ୟରେ ପରିଣତ କରିବା କଠିନ; କିନ୍ତୁ ଆମ ଅନ୍ତରର ଅନ୍ତଃସ୍ଥଳରେ ଆମେ ଏହାର ମୂଲ୍ୟ ଜାଣୁ, ଜାଣୁ ଏହା କେତେ ଶୁଭଫଳପ୍ରସୂ । ଏହି କଠୋର ସଂଯମରେ ହିଁ ଶକ୍ତିର ମହୋଇ ବିକାଶ । ସମସ୍ତ ବହିର୍ମୁଖ କାର୍ଯ୍ୟ ଅପେକ୍ଷା ଆତ୍ମସଂଯମରେ ହିଁ ଅଧ୍ଵତର ଶକ୍ତିର ପ୍ରକାଶ । ଚତୁରଶ୍ବବାହିତ ଗୋଟିଏ ଶକଟ କୌଣସି ବାଧା ନ ପାଇ ପର୍ବତରୁ ଗଡ଼ିଯାଉଛି, ଅଥବା ଶକଟଚାଳକ ଅଶ୍ଵଗଣଙ୍କୁ ସଂଯମ କରୁଅଛି- ଏମାନଙ୍କ ମଧ୍ୟରୁ କେଉଁଟିରେ ଶକ୍ତିର ଅଧ୍ଵକତର ବିକାଶ ? ଅଶ୍ଵଗଣଙ୍କୁ ଛାଡ଼ିଦେବା ବା ଅଶ୍ଵଗୁଡ଼ିକୁ ସଂଯତ କରିବା ? ଗୋଟିଏ କମାଣର ଗୁଳି ବାୟୁରେ ଗତିକରି ଅନେକ ଦୂରରେ ଯାଇ ପଡ଼ୁଛି; ଅଥଚ ଅନ୍ୟ ଗୋଟିଏ ଗୁଳି କାନ୍ଥରେ ଆଘାତ ପାଇ ଅଧିକ ଦୂର ଯାଇପାରୁ ନାହିଁ; କିନ୍ତୁ ଏହି ସଂଘର୍ଷ ଫଳରେ ପ୍ରବଳ ତାପ ଉତ୍ପନ୍ନ ହେଉଛି । ଏହିପରି ମନର ବହିର୍ମୁଖ ଶକ୍ତିଗୁଡ଼ିକ ସ୍ଵାର୍ଥ ଉଦ୍ଦେଶ୍ୟରେ ଧାବିତ ହୋଇ ବିକ୍ଷିପ୍ତ ହୁଏ, ଏଗୁଡ଼ିକ କେବେହେଲେ ତୁମ ନିକଟକୁ ଫେରିଆସି ତୁମର ଶକ୍ତିବିକାଶରେ ସାହାଯ୍ୟ କରେ ନାହିଁ; କିନ୍ତୁ ଏଗୁଡ଼ିକୁ ସଂଯତ କଲେ ତୁମର ଶକ୍ତି ବର୍ଷିତ ହେବ । ଏହି ସଂଯମରୁ ମହତୀ ଇଚ୍ଛା ଶକ୍ତି ଉତ୍ପନ୍ନ ହେବ: ଏହା ଖ୍ରୀଷ୍ଟ ବା ବୁଦ୍ଧଙ୍କ ତୁଲ୍ୟ ଚରିତ୍ର ସୃଷ୍ଟି କରିବ । ଅଜ୍ଞ ବ୍ୟକ୍ତିଗଣ ଏ ରହସ୍ୟ ଜାଣନ୍ତି ନାହିଁ, ତଥାପି ସେମାନେ ଜଗତ ଉପରେ ପ୍ରଭୁତ୍ଵ କରିବାକୁ ଚାହାନ୍ତି । ନିର୍ବୋଧ ବ୍ୟକ୍ତି ଜାଣେ ନା ଯେ ସେ ଯଦି ଧୈର୍ଯ୍ୟସହକାରେ କାର୍ଯ୍ୟ କରେ, ତେବେ ସେ ମଧ୍ୟ ସମୁଦାୟ ଜଗତକୁ ଶାସନ କରିପାରିବ । ସେ କିଛିଦିନ ଅପେକ୍ଷା କରୁ ଏବଂ ଏହି ଅଜ୍ଞାନସୁଲଭ ଜଗତଶାସନର ଉଚ୍ଚାକାଙକ୍ଷାକୁ ସଂଯତ କରୁ । ଏହି ଭାବ ସମ୍ପୂର୍ଣ୍ଣ ଚାଲିଗଲେ ସେ ଜଗତକୁ ଶାସନ କରିପାରିବ । ଅନେକ ପଶୁ ଯେପରି ସମ୍ମୁଖରେ କଅଣ ଅଛି ତାହା ଆଦୌ ଜାଣିପାରନ୍ତି ନାହିଁ, ଆମମାନଙ୍କ ମଧ୍ୟରେ ସେହିପରି କେହି କେହି କିଛି ଦିନ ପରେ କଅଣ ଘଟିବ, ତାହା ଅନୁମାନ କରିପାରନ୍ତି ନାହିଁ । ଆମେ ଯେପରି ଗୋଟିଏ ସଂକୀର୍ଣ୍ଣ ବୃତ୍ତ ମଧ୍ୟରେ ଆବଦ୍ଧ–ଏହା ହିଁ ଆମ ଜଗତ । ଏହାର ବାହାରକୁ ଦେଖିବାର ଧୈର୍ଯ୍ୟ ଆମର ନାହିଁ । ତେଣୁ ଆମେ ଅସାଧୁ ଓ ଦୁର୍ବୃତ୍ତ ହୋଇଯାଉ । ଏହା ହିଁ ଆମର ଦୁର୍ବଳତା—ଶକ୍ତିହୀନତା । କିନ୍ତୁ ଅତି ସାମାନ୍ୟ କର୍ମକୁ ମଧ୍ୟ ଘୃଣା କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଉଚ୍ଚତର ଉଦ୍ଦେଶ୍ୟ ପାଇଁ କାର୍ଯ୍ୟ କରେ ନାହିଁ, ସେ ବ୍ୟକ୍ତିଗତ ସ୍ଵାର୍ଥସିଦ୍ଧି ଉଦ୍ଦେଶ୍ୟରେ—ନାମଯଶ ପାଇଁ ଅନ୍ତତଃ କାମ କରୁ । ଆମମାନଙ୍କୁ ସର୍ବଦା ଉଚ୍ଚରୁ ଉଚ୍ଚତର ଉଦ୍ଦେଶ୍ୟ ଦିଗରେ ଅଗ୍ରସର ହେବାକୁ ପଡ଼ିବ ଏବଂ ଏଗୁଡ଼ିକ କଅଣ ତାହା ବୁଝିବା ପାଇଁ ଚେଷ୍ଟା କରିବାକୁ ହେବ । ‘କର୍ମରେ ହିଁ ଆମର ଅଧିକାର, ଫଳରେ ନୁହେଁ’ —ଫଳ ଯାହା ହେବାର ହେଉ, ଫଳ ପାଇଁ ଚିନ୍ତା କାହିଁକି ? କୌଣସି ଲୋକକୁ ସାହାଯ୍ୟ କଲାବେଳେ ସେ ବ୍ୟକ୍ତିର ମନୋଭାବ ତୁମ ପ୍ରତି କିପରି ହେବ, ସେ ବିଷୟରେ ଚିନ୍ତା କର ନାହିଁ । ତୁମେ ଯଦି କୌଣସି ମହତ୍ ବା ଶୁଭ କାର୍ଯ୍ୟ କରିବାକୁ ଇଚ୍ଛା କର, ତେବେ ଫଳାଫଳ ବିଷୟରେ ଚିନ୍ତା କରି ଉଦ୍‌ବିଗ୍ନ ହୁଅ ନାହିଁ । କର୍ମର ଏହି ଆଦର୍ଶ ସମ୍ବନ୍ଧରେ ଆଉ ଗୋଟିଏ କଠିନ ସମସ୍ୟା ଆସି ଉପସ୍ଥିତ ହୁଏ । ତୀବ୍ର କର୍ମଶୀଳତାର ପ୍ରୟୋଜନ; ସର୍ବଦା ଆମକୁ କର୍ମ କରିବାକୁ ହିଁ ହେବ । ଆମେ ମୁହୂର୍ତ୍ତେ ହେଲେ କର୍ମ ନ କରି ରହିପାରୁ ନାହିଁ । ଅତଏବ ବିଶ୍ରାମ କେଉଁଠି ? ଜୀବନ-ସଂଗ୍ରାମର ଏକ