ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅବକାଶ-ଚିନ୍ତା
ପତିତ ପାଷଣ୍ଡ ମୂଢ ମୂର୍ଖ ଗଣ୍ଡ
ତୋଷିବାକୁ ମନେ ଭାଳି,
ମୃତ୍ତିକା ଆଧାରେ ଦେଲେ ଦ୍ବାରେ ଦ୍ବାରେ
ରାମାୟଣ ସୁଧା ଢାଳି ।
ହିଏ ମୋ ପ୍ରତୀତି ନୀଳାଚଳପତି
ଭକତ-ବନ୍ଧୁ ଠାକୁର,
ଉତ୍କଳ-କଲ୍ୟାଣେ କ୍ଷୁଦ୍ଧ-ଅଭିଯାନେ
ଜିଣିଲେ ଯେ କାଞ୍ଚିପୁର ।
କବି ରୂପେ ପୁଣି ଅବତରି ବେନି (୨)
ଜଗନ୍ନାଥ, ବଳରାମ,
ଧର୍ମ୍ମ-କର୍ମ୍ମ-ଦୀକ୍ଷା ସାହିତ୍ୟ ସୁଶିକ୍ଷା
ପ୍ରଚାରି ରଖିଲ ନାମ ।
ଏବେ ନୀଳାଚଳେ ରହିଛି ନିଶ୍ଚଳେ
ଦେଖି ଏ ଦଶା କିପରି ?
ଛାଡିଣ ଆସ୍ଥାନ ଆସ ଆର୍ତ୍ତନ୍ତ୍ରାଣ !
ଚଳାଅ ଉତ୍କଳ-ତରୀ ।
(୨) ଜଗନ୍ନାଥ ଦାସ ଓ ବଳରାମ ଦାସ ପଞ୍ଚସଖାରୁ ଯୋଡ଼ିଏ ସଖା । ଯେପରି ଚୈତନ୍ୟଙ୍କ ଶିଷ୍ୟମାନେ ଚୈତନ୍ୟଙ୍କୁ ଓ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟମାନେ ପରମହଂସଙ୍କୁ ଅବତାର ବୋଲି ବିଶ୍ୱାସ କରନ୍ତି, ପଞ୍ଚସଖାଙ୍କର ସମ୍ପ୍ରଦାୟମାନେ ସେହିପରି ଜଗନ୍ନାଥ, ବଳରାମ, ଅନନ୍ତ, ଅଚ୍ୟୁତ ଓ ଯଶୋବନ୍ତଙ୍କୁ ଅବତାର ବୋଲି ମାନନ୍ତି ।