ପୃଷ୍ଠା:Abakash chinta.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚନ୍ଦ୍ର

(୩)

ଯଥାର୍ଥ ଅଟୁ ତୁ କିସ? କହ ରେ ରଜନୀ ଈଶ,
ନିସ୍ତବଧେ କି କରୁଛୁ ସାଧନ ?
ହସୁଛୁ ଅତି ଆନନ୍ଦେ, ଏ ନିଶୀଥେ ମନ୍ଦେ ମନ୍ଦେ,
ଅଂଶମାଳେ ବିମଣ୍ଡିଣ ସମସ୍ତ ଭୁବନ,
ଏ ମହାଲକ୍ଷ୍ୟ କି କେବେ ଜାଣିବ ଏ ଜନ ?

(୪)

ଏ ଛାର ପାର୍ଥବ ଜନ କି ଛାର ଏହାର ଜ୍ଞାନ,
ତୁହି ପୁଣି ସୁରଲୋକବାସୀ,
ତୋ ନିଗୂଢ଼ ତତ୍ତ୍ୱମାନ, ବୁଝିବ କିଏ ଅଜ୍ଞାନ,
ଶାନ୍ତମୟୀ ନିଶୀରାଣୀ ଯା ପାଦର ଦାସୀ,
ଅନୁଗତ ଯାର ତାରା ଗ୍ରହ ରାଶି ରାଶି ।

(୫)

ଚିତ୍ତେ ହୁଏ ଅନୁମତି, ଗାଉ ତୁ ବିଭୁ-ସଙ୍ଗୀତ;
ପ୍ରକାଶିବା ପାଇଁ ଏ ଜଗତେ
କର୍ତ୍ତାଙ୍କର ଅବସ୍ଥିତି କଲେ ଯେ ତୋର ଉତ୍ପତ୍ତି,
ନିର୍ଜୀବ ବୋଲିଣ ତୋତେ ବୋଲିବି କେମନ୍ତେ ?
ରହୁ ଏ ମୋ ମୂଢ଼ ମନ ତୋ ବିଭୁ-ସଙ୍ଗୀତେ ।

[ ୭୩ ]