ପୃଷ୍ଠା:Ama Deha (BB Patnaik 1940) o.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୬
ଆମ ଦେହ

ଅନ୍ତକୁ ଚାଲିଯାଏ । ସେହି ବଟୁଆ ମୁହଁପରି ବନ୍ଦ ଥିବା ବାଟର ଅନ୍ତପାଖରେ ଖଟା ଜିନିଷ ବାଜିଲା ମାତ୍ରେ ପୁଣି ସେଠା ବନ୍ଦ ହୋଇଯାଏ ଓ ତ‌ହିଁର ଖଟା ଅଂଶ ନ ମରିବାଯାଏ ଆଉ କବାଟ ଖୋଲେ ନାହିଁ । ପାକସ୍ଥଳୀରେ ଖାଦ୍ୟ ଅଧା ହଜମ ହୁଏ । ଏହି ଅଧା ହଜମ ହୋଇଥିବା ଖାଦ୍ୟକୁ ପାକମଣ୍ତ କହନ୍ତି । ଏହିପରି ଛେକ ଛେକ ହୋଇ ପାକମଣ୍ତ ପାକସ୍ଥଳୀରୁ ଅନ୍ତକୁ ଯାଏ ।

ଅଙ୍କୁରିକା

ଅନ୍ତ ପାକସ୍ଥଳୀରୁ ଆରମ୍ଭ ହୋଇଛି । ଏହାର ପ୍ରଥମ ଭାଗକୁ ଅନ୍ତମୂଳ ବା ଗ୍ରହଣୀ (Duodenum ),ତାପର ଭାଗକୁ କ୍ଷୁଦ୍ରାନ୍ତ୍ର ଓ ଶେଷଭାଗକୁ ବୃହଦନ୍ତ୍ର କ‌ହନ୍ତି । ଅନ୍ତମୂଳ ଓ କ୍ଷୁଦ୍ରାନ୍ତ୍ର ମିଶି ପ୍ରାୟ ୨୦ ଫୁଟ ଲମ୍ବ । ମୋଡ଼ିହୋଇ ଏତେ ଲମ୍ବା ନଳଟାଏ ପେଟ ଚାଖଣ୍ଡକ ଭିତରେ ରହିଅଛି । କ୍ଷୁଦ୍ରାନ୍ତ୍ର ଭିତରେ ଅସଂଖ୍ୟ ଅସଂଖ୍ୟ ଶୋଷକ‌ଯନ୍ତ୍ର ବା ଅଙ୍କୁରିକା (Villi) ଅଛି । ଏଗୁଡ଼ିକ ଖାଲି ଆଖିରେ ଦେଖିବା ସହଜ ନୁହେଁ । ଏମାନଙ୍କ ଯୋଗେ କ୍ଷୁଦ୍ରାନ୍ତ୍ର ଭିତର ଅନେକଟା ମଖମଲ କନାପରି ଦେଖାଯାଏ । ଖାଦ୍ୟ ଏକାବେଳକେ ବଦଳିଗଲା ପରେ ଏମାନେ ତାର ସାରାଂଶ ଶୋଷି ନିଅନ୍ତି ।

କ୍ଷୁଦ୍ରାନ୍ତ୍ରରୁ ଏକ ପ୍ରକାର ପାଚକ ରସ ବାହାରେ । ତାହାକୁ ଆନ୍ମିକ ରସ କ‌ହନ୍ତି ।