ପୃଷ୍ଠା:Bhasa o Jatiyata.pdf/୧୦୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଭାଷା ଓ ଜାତୀୟତା ମତାମତ ବଡ଼ଲାଟଙ୍କୁ ଦେବାପରେ ବଡ଼ଲାଟଙ୍କ ଆଦେଶାନୁସାରେ ୧ଜାନୁଆରୀ୧୯୦୩ରୁ ଓଡ଼ିଆଭାଷା ସମ୍ବଲପୁରରେ ଲାଗୁ ହେବା ସହ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହେଲା । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ପୁଣି ଏହି ସମୟବେଳକୁ ଫ୍ରେଜର ଛୋଟଲାଟ ହୋଇ ସାରିଥିଲେ । ସମ୍ବଲପୁରବାସୀଙ୍କ ପ୍ରତି ଫ୍ରେଜରଙ୍କ ଅନୁକୂଳ ଭାବନାର ସୁଯୋଗ ନେବାକୁ ଓଡ଼ିଆଗଣ ବାହାରିପଡ଼ିଲେ । ଫଳରେ ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବ ଫ୍ରେଜରଙ୍କ ନିକଟକୁ ପଠାଇଥିଲେ । ଯାହାକୁ ସେ ଗୃହୀତ କରାଇ ଦେଇଥିଲେ । କିନ୍ତୁ ବିସ୍ମୟର କଥା ବଙ୍ଗଳାର ଗଭର୍ଣ୍ଣର ଭାବେ ବଦଳି ହୋଇ ଆସିଥିବା ଫ୍ରେଜର ଯଦିଓ ସମ୍ବଲପୁର ମିଶ୍ରଣକୁ ଅନିଚ୍ଛାସତ୍ତ୍ୱେ ଗ୍ରହଣ କରିଥିଲେ, ମାତ୍ର ଗଞ୍ଜାମ ମିଶ୍ରଣକୁ ସଂପୂର୍ଣ୍ଣ ବିରୋଧ କରିଥିଲେ । ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜଗଭର୍ଣ୍ଣର ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ । ଫଳରେ ପରବର୍ତ୍ତୀ କାଳରେ ଲର୍ଡ କର୍ଜ୍ଜନଙ୍କଦ୍ୱାରା ପ୍ରସ୍ତୁତ ‘ରିସ୍‌ଲେ ଆଦେଶନାମା’ଅନୁସାରେ ସମ୍ପୂର୍ଣ୍ଣ ଓଡ଼ିଆଅଞ୍ଚଳ ଏକତ୍ରିକରଣ କାର୍ଯ୍ୟ ସଫଳ ହୋଇପାରିଲା ନାହିଁ । ତେବେ ବଙ୍ଗଭଙ୍ଗବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ । ଯଦିଓ ଇଂରେଜଶାସକର ଏହି କୌଶଳକୁ ତ‌ତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହିଭାଷା ଆନ୍ଦୋଳନ‌ଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା ।