ପୃଷ୍ଠା:Bhasa o Jatiyata.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୮
ଭାଷା ଓ ଜାତୀୟତା
 

ଆଜିର ବୈଶ୍ୱିକରଣ ଦୁନିଆରେ ଆମପାଇଁ ସବୁ ଭାଷାର ଗୁରୁତ୍ୱ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜ ଉପନିବେଶ ଶାସନର ଲୋପ ହେବା ଯୋଗୁଁ ଇଂରାଜୀଭାଷା ବିଶ୍ୱଭାଷାର ପରିଚୟ ହରାଇ ବର୍ତ୍ତମାନ କେବଳ ୧୧ଟି ରାଷ୍ଟ୍ରର ଭାଷା ଭାବେ ସୀମାବଦ୍ଧ । ଓଡ଼ିଶାର ଉଚ୍ଚଶିକ୍ଷିତ ବ୍ୟକ୍ତିଗଣ ନିଜର ଏହି ଅଜ୍ଞତାକୁ ଘୋଡ଼ାଇବାକୁ ଯାଇ ଇଂରାଜୀକୁ ବିଶ୍ୱଭାଷାର ଆଖ୍ୟା ଦେବାସହ ଏହାକୁ ଶିଖିଲେ ଆମ ପିଲାମାନଙ୍କୁ ଚାକିରି ସବୁଠି ମିଳିବବୋଲି ମିଛଧାରଣା ସୃଷ୍ଟିକରି ମାତୃଭାଷା ଶିକ୍ଷାଠାରୁ ଦୂରେଇ ଦେଉଛନ୍ତି । ବିଦେଶୀଭାଷା ଶିକ୍ଷା କରାଇ ଏମାନେ କେବଳ ଆମ ଜାତୀୟତାକୁ ହତ୍ୟା କରୁନାହାନ୍ତି ବରଂ ଶୋଷଣର ଜାଲକୁ ଆହୁରି ଦୃଢ଼ କରିବାରେ ଲାଗିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସତ୍ୟକୁ ଆମ ଶିକ୍ଷିତଗଣ ଜାଣି ମଧ୍ୟ ନ ଜାଣିଲାପରି ଅଭିନୟ କରିବାରେ ଲାଗିଛନ୍ତି ଓ ନିଜ ପିଲାମାନଙ୍କୁ ଏହି ଭୁଲ୍ ପଥର ପଥିକ ସଜାଇ ସେମାନଙ୍କ ମୌଳିକ ସୃଜନଶକ୍ତିକୁ ହତ୍ୟା କରି ଚାଲିଛନ୍ତି । ଏହି ମୁଷ୍ଟିମେୟଙ୍କ ପଦ ଅନୁସରଣ କରିଚାଲିଛନ୍ତି ଅଗଣିତ ସାଧାରଣ ଶ୍ରେଣୀ ବିନା ପ୍ରଶ୍ନରେ, ଅଯଥା ଆନୁଗତ୍ୟରେ । ଏପରି କ୍ଷେତ୍ରରେ ଜାତୀୟତାଭାବ ସୃଷ୍ଟି୍ଦ୍ୱାରା ଜାତିବିକାଶରେ ପ୍ରମୁଖ ଭୂମିକା ନେଉଥିବା ମାତୃଭାଷାକୁ ଯେଉଁଜାତି ଅବହେଳା କରୁଛି ସେ ଜାତି କେବେ ମଧ୍ୟ ଉନ୍ନତି କରିପାରିବ ନାହିଁ । ଯାହାର ସର୍ବତ୍କୃଷ୍ଟ ପ୍ରମାଣ ଆମ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଜାତି ।


(ପାକିସ୍ତାନ ସରକାର ପୂର୍ବବଙ୍ଗରେ ବଙ୍ଗଳା ବଦଳରେ ଉର୍ଦ୍ଧୁଭାଷା ପ୍ରଚଳନ କରିବା ନିଷ୍ପତ୍ତିକୁ ବିରୋଧ କରି ୨୧ ମାର୍ଚ୍ଚ ୧୯୪୮ରୁ ୨୧ ଫେବୃୟାରୀ ୧୯୫୨ ପର୍ଯ୍ୟନ୍ତ ବ୍ୟାପକ ଗଣଆନ୍ଦୋଳନ ହୋଇଥିଲା । ଏହିଦିନି ଢାକା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭା ଉପରକୁ ପୋଲିସ ଗୁଳି ଚାଳନା କରିବାରୁ କେତେକ ଛାତ୍ରଙ୍କ ସହ ସାଧାରଣ ଜନତା ଟଳି ପଡିଲେ । ମାତୃଭାଷାପାଇଁ ଶହୀଦ ହୋଇଥିବା ଏହି ମୃତକଙ୍କ ସ୍ମୃତିରେ ଶହୀଦ ସ୍ତମ୍ଭ ନିର୍ମାଣ କରାଗଲା । ଏହି ଦିବସକୁ ମଧ୍ୟ ଜାତିସଙ୍ଘ ମାତୃଭାଷା ଦିବସରୂପେ ଘୋଷଣା କରିବାରୁ ବିଶ୍ୱବାସୀ ପ୍ରତିବର୍ଷ ୨୧ ଫେବୃୟାରୀକୁ ମାତୃଭାଷା ଦିବସ ରୂପେ ପାଳନ କରୁଛନ୍ତି ।)