ପୃଷ୍ଠା:Bhasa o Jatiyata.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭାଷା ଓ ଜାତୀୟତା
୧୯
 
କେତେ ପ୍ରାଚୀନ ଆମ ଓଡ଼ିଆ ଭାଷା

ବିଶ୍ୱଭାଷା ପରିପ୍ରେକ୍ଷୀରେ ଆମେ ଆମର ମାତୃଭାଷା ଓଡ଼ିଆ କଥା ଚିନ୍ତା କରିବାର ବେଳ ଆସି ପହ‌ଞ୍ଚିଛି । ଏହି ଭାଷା ସଂସ୍କୃତ ଭଳି ପ୍ରାଚୀନ; ଅଥଚ ବଞ୍ଚିବାପାଇଁ ସଂଗ୍ରାମରତ । ଗ୍ରୀକ୍ ଭଳି ନିଜ ପରିସୀମାକୁ ଅତୀତରେ ବ୍ୟାପ୍ତ କରିଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ସଂକୁଚିତ ହୋଇ ଓଡ଼ିଶା ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ଓ ଏହି ସୀମା ମଧ୍ୟରେ ବଞ୍ଚିବାପାଇଁ ସଂଘର୍ଷରତ । ହିବ୍ରୁ ଭଳି ମରିଯାଉଥିବା ଏହିଭାଷାକୁ ଉଦ୍ଧାର କରିବାପାଇଁ ଗୌରୀଶଙ୍କରଙ୍କ ଭଳି ଜାତିପ୍ରେମୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ପୁନଃଜୀବିତ ହୋଇ ଉଠିଛି । ଏପରିକି ଏହି ଭାଷାକୁ ନେଇ ଏକ ଉପନିବେଶିକ ଶାସକ ବିଶ୍ୱ ଇତିହାସରେ ସର୍ବପ୍ରଥମେ ଏକ ଭାଷାଭିତ୍ତିକ ଅଞ୍ଚଳ ସୃଷ୍ଟି କରିବାକୁ ବାଧ୍ୟ ହୋଇଥିଲେ । ଅଥଚ ସେହି ଉନ୍ନତ ସମୃଦ୍ଧଶାଳୀ ଓ ପ୍ରାଚୀନ ଭାଷା ଓଡ଼ିଆ ଆଜି ଶାସକୀୟ ପୃଷ୍ଠପୋଷକତା ପାଇପାରୁ ନ ଥିବାରୁ ଜନସାଧାରଣଙ୍କଠାରୁ ବ୍ୟବହାରିକ ଉପଯୋଗିତା ହରାଇ ବସୁଛି । ଏଥିପାଇଁ ଆମେ କାହାକୁ ଦାୟୀ କରିବା?

ଓଡ଼ିଆଭାଷା ହିଁ ଓଡ଼ିଆଜାତିର ପରିଚୟ । ଅର୍ଥାତ୍ ବର୍ତ୍ତମାନକାଳରେ ଏହି ଭାଷା କହୁଥିବା ଗୋଷ୍ଠୀ ହିଁ ଓଡ଼ିଆଜାତି ଭାବେ ଚିହ୍ନିତ । ଓଡ଼ିଆତ୍ୱପିଣ୍ଡ ବହନ କରିଥିବା କଳିଙ୍ଗଜାତି ସଂପର୍କରେ ସର୍ବପ୍ରାଚୀନ ସୂଚନା ପାଣିନୀଙ୍କ ଅଷ୍ଟାଧ୍ୟାୟୀ ଗ୍ରନ୍ଥରୁ ମିଳେ । ମାତ୍ର ଓଡ଼ିଆଭାଷା ବା ପ୍ରାଚୀନ ଉଡ୍ରବିଭାଷାର ଲିଖିତ ପ୍ରମାଣ ଆମକୁ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରୁ ଦେଖିବାକୁ ମିଳେ ଭରତଙ୍କ ‘ନାଟ୍ୟଶାସ୍ତ୍ର’ ଗ୍ରନ୍ଥରେ । ଏଥିରେ ସଂସ୍କୃତଭାଷା ବ୍ୟତିରେକ ସାଧାରଣରେ ପ୍ରଚଳିତ ଆଉ ୭ଟି ଭାଷା ବା ଭରତଙ୍କ ଦୃଷ୍ଟିରେ ବିଭାଷା- ଶବର, ଆଭୀର, ଚାଣ୍ଡାଳ, ଶାବର, ଦ୍ରାବିଡ, ବନଚର ଓ ଉଡ୍ର ଭାଷା ପ୍ରଚଳିତ ଥିଲା ବୋଲି ବର୍ଣ୍ଣିତ ଅଛି । ପୁନଶ୍ଚ ସେ ମଧ୍ୟ ଭାରତର ପ୍ରାଚୀନ ସାଂସ୍କୃତକି ଅଞ୍ଚଳରେ ବ୍ୟବହୃତ ବିଭିନ୍ନ ଶୈଳୀକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି । ତାହା ହେଉଛି-

ଆବନ୍ତୀ ଦକ୍ଷିଣାତ୍ୟା ଚ ତଥାଚୈବୋଡ୍ର ମାଗଧୀ
ପାଞ୍ଚାଳୀ ମଧ୍ୟମାଚେତି ବିଜ୍ଞେୟାସ୍ତୁ ପ୍ରବୃତ୍ତିଯଃ ।।୬-୨୬ାା (ନାଟ୍ୟଶାସ୍ତ୍ର)