ପୃଷ୍ଠା:Bikalpa Biswa.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ଥାନ ୨୩, ଇଂଲଣ୍ଡ ୪୧, ଫ୍ରାନ୍ସ ୬୨ ଓ ଜାପାନ ୯୦ ସ୍ଥାନରେ ଥିବାରୁ ଏହା ସ୍ପଷ୍ଟ ହୋଇଛି ଯେ ସବୁ ଧନୀ ଓ ଶକ୍ତିଶାଳୀ ଦେଶ ସୁଖୀ ଦେଶ ନୁହଁନ୍ତି ।

ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ବେଳେ ଜଣେ ପାଶ୍ଚାତ୍ୟ ସାମ୍ବାଦିକ ମହାତ୍ମା ଗାନ୍ଧୀଙ୍କୁ ସୁଖୀର ସଂଜ୍ଞା କ’ଣ ବୋଲି ପଚାରିଥିଲେ । ଈଶା ଉପନିଷର ପ୍ରଥମ ଶ୍ଲୋକଟି ଅନୁବାଦ କରି ଗାନ୍ଧୀ ଉତ୍ତର ଦେଇଥିଲେ - “ରିନାଉନ୍‌ସ ଆଣ୍ଡ ଏନ୍‌ଜୟ” - ଅର୍ଥାତ୍ ସୁଖ ଭୋଗ କରିବାକୁ ଇଚ୍ଛା ଥିଲେ ତ୍ୟାଗ କର । ଜଣେ ଗଣିତ ଶାସ୍ତ୍ରୀ ଏହି ଉକ୍ତିକୁ ଫର୍ମୁଲାରେ ପକାଇ କହିଲେ ଆମେ ନିଜର ‘ନିଡ’ ବା ଆବଶ୍ୟକତା ଯେତେ କମାଇବା, ହାପିନେସ୍ ବା ସୁଖ ସେହି ଅନୁପାତରେ ବଢ଼ି ବଢ଼ି ଯିବ । ଏହି ଆବଶ୍ୟକତା ତିନି ପ୍ରକାରର ଦୈହିକ ଆବଶ୍ୟକତା, ସାମାଜିକ ଆବଶ୍ୟକତା ଓ ଆଧ୍ୟାତ୍ମିକ ଆବଶ୍ୟକତା । ଆମେ ପ୍ରଥମ ପର୍ଯ୍ୟାୟ (ଦୈହିକ) ଆବଶ୍ୟକତା ଯେତେ କମାଇବା, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଆବଶ୍ୟକତା ପୂରଣ କରିବା ସେତିକି ସହଜସାଧ୍ୟ ହେବ । କର୍ମ, ଆହାର, ନିଦ୍ରା, ମୈଥୁନ, ଆଶ୍ରୟ, ବସ୍ତ୍ର ଇତ୍ୟାଦି ହେଲା ଦୈହିକ ଆବଶ୍ୟକତା । ସମ୍ପର୍କ, ସୌଜନ୍ୟ, ଶ୍ରଦ୍ଧା, ପ୍ରେମ, ସହଯୋଗ, ସମ୍ମାନ, ସ୍ୱୀକୃତି ଇତ୍ୟାଦି ହେଲା ସାମାଜିକ ଆବଶ୍ୟକତା । ଏଗୁଡ଼ିକର ପୂରଣପାଇଁ ଆମର କେତେ ସମ୍ବଳ (ରିସୋର୍ସ) ଦରକାର, କେତେ ଆମେ ତ୍ୟାଗ କରିପାରିବା, କେତେ ନ ହେଲେ ନ ଚଳେ, ପାରିବାରିକ ଓ ସାମାଜିକ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଆବଶ୍ୟକତା ମଧ୍ୟରେ କିପରି ସମନ୍ୱୟ ଅଣାଯାଇ ପାରିବ - ଏସବୁ କଥା ଉପରେ ସୁଖଦୁଃଖର ମାପଦଣ୍ଡ ନିର୍ଭର କରେ । ସୁଖ ଭଳି ଦୁଃଖକୁ ମାପିବାକୁ ୧୨ ପଏଣ୍ଟ୍‌ର ଏକ ମାପକାଠି ତିଆରି କରାଯାଇଛି । ଇଂରାଜୀରେ ଏହାକୁ “କ୍ରାଇଟେରିଆ ଅଫ୍ ଇଲ୍ ବିଙ୍ଗ” ବୋଲି କୁହାଯାଉଛି । ସେଇ ଅନୁସାରେ ସବୁଠାରୁ ବଡ଼ ଦୁଃଖ ହେଲା ସ୍ୱଜନଙ୍କ ଶବଦାହ ବା କବରପାଇଁ ଘରେ ପଇସା ନଥିବା ଅବସ୍ଥା ଏବଂ ଦ୍ୱିତୀୟ ବଡ଼ ଦୁଃଖ ହେଲା ଭୋକ ଉପାସରେ ଶୋଇବା । ଏହିପରି ବାର ପ୍ରକାରର ଦୁଃଖ ଆମ ସୁଖର ପ୍ରତିଦ୍ୱନ୍ଦ୍ୱୀ ହୋଇ ଠିଆ ହୋଇଛନ୍ତି ।

୧୧ ଜାନୁଆରୀ, ୨୦୦୭

୧୦୦ ବିକଳ୍ପ ବିଶ୍ୱ