Jump to content

ପୃଷ୍ଠା:Bikalpa Biswa.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦାରିଦ୍ର୍ୟ ମ୍ୟୁଜିଅମ୍‌କୁ ଯାଉ

୨୦୦୬ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା, ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା, ବାଂଲାଦେଶୀ ମାଇକ୍ରୋ କ୍ରେଡିଟ୍ (ଅଣୁଋଣ) ବାଦ୍‌ଶାହ ପ୍ରଫେସର ମହମ୍ମଦ ୟୁନୁସ୍ ପୁରସ୍କାର ଗ୍ରହଣ କରିବା ଅବସରରେ ବିଶ୍ୱ ସମାଜକୁ ନିଃସ୍ୱମାନଙ୍କ କଲ୍ୟାଣପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଆସନ୍ତା କୋଡ଼ିଏ ବର୍ଷ ଭିତରେ ବାଂଲାଦେଶରୁ ଦାରିଦ୍ର୍ୟ ଦୂର କରି ୨୦୩୦ ମସିହାରେ ଏକ "ଦାରିଦ୍ର୍ୟ ମ୍ୟୁଜିୟମ୍” ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଛନ୍ତି । ଏହି ‘ପଭର୍ଟି ମ୍ୟୁଜିୟମ୍’କୁ ଲୋକେ ଯିବେ ଦାରିଦ୍ର୍ୟ କ’ଣ ଦେଖିବାକୁ, ଜାଣିବାକୁ, ବୁଝିବାକୁ । କାରଣ ସେତେବେଳକୁ ସବୁ ବାଂଲାଦେଶୀ ଲୋକେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଯାଇଥିବେ । ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଦାରିଦ୍ର୍ୟ ହଟାଇବା କାମରେ ଲାଗିଛନ୍ତି । କେବଳ “ବିଶ୍ୱ” ସାଙ୍ଗରେ ଅଛନ୍ତି ୪୦ ହଜାର ଗୋଷ୍ଠୀ । ସମସ୍ତେ ଅଣ୍ଟା ଭିଡ଼ିଛନ୍ତି ଦାରିଦ୍ର୍ୟକୁ ମ୍ୟୁଜିଅମ୍‌କୁ ପଠାଇବାପାଇଁ । ପ୍ରଶ୍ନ ହେଲାଣି ଏହା କ’ଣ ସତରେ ସମ୍ଭବ ?

ମିଳିତ ରାଷ୍ଟ୍ରସଙ୍ଘ ୧୭୭ଟି ଦେଶକୁ ନେଇ ପ୍ରଗତିର ଯେଉଁ ମାପଦଣ୍ଡ ତିଆରି କରିଛନ୍ତି, ସେଥିରେ ଭାରତ ୧୨୬ଟି ଦେଶଙ୍କ ପଛରେ । ବାଂଲାଦେଶ ୧୩୬ଟି ଦେଶଙ୍କ ପଛରେ । ତେଣୁ ବାଂଲାଦେଶରେ ଯଦି ଦାରିଦ୍ର୍ୟ ୨୦୩୦ ମସିହା ବେଳକୁ ମ୍ୟୁଜିୟମ୍‌କୁ ଚାଲିଯିବ, ଭାରତପାଇଁ କେତେବର୍ଷ ଲାଗିବ ? ଏଠାରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ସେହିପରି, ହାରାହାରି ଅଧେ ଲୋକ ଦରିଦ୍ର ଥିବା ଓଡ଼ିଶାପାଇଁ ଆଉ କେତେ ବର୍ଷ ଲାଗିବ ? ଏବେ ରାଜ୍ୟ ସରକାର ବିଶିଷ୍ଟ ବିଶେଷଜ୍ଞମାନଙ୍କୁ ନେଇ ନୂଆ ଯୋଜନା ବୋର୍ଡ ଗଠନ କରିଛନ୍ତି । କିନ୍ତୁ ଏହା ଏକ ନଖ ଦନ୍ତ ବିହୀନ ଶକ୍ତିହୀନ ସଂସ୍ଥା । ଏଥିରେ ଉପଯୁକ୍ତ ପ୍ରାଣ ପ୍ରତିଷ୍ଠା କରାଗଲେ ଦାରିଦ୍ର୍ୟରୁ ଆମେ କେବେ ଉଦ୍ଧାର ପାଇବା - ତା’ର ଚିତ୍ର ମିଳିପାରିବ ।

ବିକଳ୍ପ ବିଶ୍ୱ ୧୧୧